ଧନ୍ୟବାଦ - ରବିନ ଖଣ୍ଡାୟତରାୟ

0

ଆନ୍ତରିକ କୃତଜ୍ଞତା ପରିପ୍ରକାଶ କରୁଥିବା ଚାରି ଅକ୍ଷର ବିଶିଷ୍ଟ ଶଦ୍ଦଟିଏ, ଧନ୍ୟବାଦ । ଯାହା ଦାତାପାଖରେ ଗ୍ରହୀତାର ଆନୁଗତ୍ୟ ପ୍ରକାଶ କରିଥାଏ । ଏହା କେବଳ ମୁଖରେ ଉଚ୍ଚାରିତ ବାହ୍ୟ ସମ୍ବୋଧନଭିତ୍ତିକ ଏକ ଶଦ୍ଦ ନୁହେଁ ବରଂ ଅନ୍ତରରୁ ଆବିଳତା ପରିସ୍କାର କରିପାରୁଥିବା ଏକ ଦିବ୍ୟ ମହୋଷଧି । ଧନ୍ୟବାଦର ଭାଷା ସବୁବେଳେ ନମ୍ର, ଭଦ୍ର ଆଉ ହୃଦୟଗ୍ରାହୀ । ଏହି ଚାରି ଅକ୍ଷରକୁ ମନ୍ତ୍ର ରୂପରେ ହୃଦୟରେ ବସାଣ କରିଦେଲେ, ଆଉ ଭାବିନେଲେ ମୁଁ ଉପକାର ପାଉଥିବା ସମସ୍ତଙ୍କ ପ୍ରତି କୃତଜ୍ଞ ରହିବି । ତେବେ ମନର ଚିନ୍ତା ଆଉ ପାଟିର ଭାଷା ଆପେ ବଦଳି ଯିବ । ସୃଷ୍ଟିର ସ୍ରଷ୍ଟାଙ୍କଠାରୁ ଆରମ୍ଭ କରି ସମଗ୍ର ଜୀବଜଗତ ସମସ୍ତଙ୍କ ପ୍ରତି ଆଚରଣ ସୁଧୁରିଯିବ । ଯଦି ମୁଁ କାହାଠାରୁ ସାହାଯ୍ୟ ପାଉଛି, ତେବେ ମୁଁ କାହାକୁ ନିଶ୍ଚୟ ସାହାଯ୍ୟ କରିବି, ଏହି ଭାବ ଧନ୍ୟବାଦ ନିଶ୍ଚୟ ଦେବ । ଆବାହମାନ କାଳରୁ ଧରାତଳେ ଧନ୍ୟବାଦର ଫଲ୍‌ଗୁଧାରା ସଦା ପ୍ରବାହିତ ହୋଇଚାଲିଛି । ଆଜି କିନ୍ତୁ ସେହି ଭାବଧାରାରେ କିଛିଟା ସ୍ୱାର୍ଥର ଛିଟା ଲାଗିଯିବାରୁ ତାହାର ପ୍ରଭାବରେ ପାର୍ଶ୍ଵ ପରିବେଶ କଳୁଷିତ ହେବାରେ ଲାଗିଛି । ଯାହାକୁ ବଦଳାଇବାର ଆବଶ୍ୟକ ଅଛି ବୋଲି ଆମେ ସମସ୍ତେ ଅନୁଭବ କରୁଛେ ଅଥଚ ଅଣଦେଖା କରିଚାଲିଛେ । ଆଉ ସେପରି ନକରିବାର ପ୍ରୟାସ କରିବାକୁ ନିବେଦନ କରି ଆପଣମାନଙ୍କୁ ଏହି ଶଦ୍ଦ ଗଙ୍ଗାରେ ଅବଗାହନ କରାଇବାର ପ୍ରୟାସ କରିଛି ଏହି କ୍ଷୁଦ୍ର ଆଲେଖ୍ୟ । ଏହା ଯଦି କାହା କାମରେ ଆସିପାରିଲା କି କାହା ମନକୁ ଛୁଇଁପାରିଲା ତେବେ ନିଜକୁ ଧନ୍ୟ ମନେ କରିବି ।

ହୃଦୟର ଚିନ୍ତା,  ପାଟିର କଥା ଆଉ ହାତ ପାଦର କାର୍ଯ୍ୟ ଯାହାଙ୍କର ଗୋଟିଏ ସରଳରେଖାରେ ଥାଆନ୍ତି, ସେ ହିଁ ମାନବ ଧର୍ମ ପାଳିବାକୁ ସମର୍ଥ । ଥରେ ଚିନ୍ତା କରନ୍ତୁ, ଦୃଶ୍ୟମାନ ଜଗତକୁ ପରିପ୍ରକାଶ କରାଇବାରେ ଅଦୃଶ୍ୟ ସ୍ରଷ୍ଟାଙ୍କର କେତେ ଭୁମିକା ରହିଛି । ପ୍ରଥମ କୃତଜ୍ଞତା ତାଙ୍କ ପାଖରେ, ଯିଏ ଗୋଟିଏ ଛାଞ୍ଚରେ ଅନେକ କଣ୍ଢେଇ ଗଢ଼ିଛନ୍ତି, ଯାହାକୁ ଭୋକ ଲାଗୁଛି, ଶୋଷ ହଉଛି ଆଉ ଯିଏ ଚାଲିବୁଲି ପାରୁଛି ଆଉ ଭଲମନ୍ଦ ବିଚାର କରିପାରୁଛି ଆଉ ଯାହାପାଇଁ ପ୍ରକୃତି ମାତା ବଞ୍ଚିବାର ସମସ୍ତ ଉପାଦାନ ସଜେଇ ରଖିଛି । ଧନ୍ୟବାଦ ରୂପରେ ସେହି ମାଆର ପଦବନ୍ଦନା ଏକାନ୍ତ କର୍ତ୍ତବ୍ୟ, ହେଲେ ସେ ମାଆର ଦୁଃଖ ଆଜି କହିଲେ ନସରେ । କୁଢ଼କୁଢ଼ ଅଳିଆ ଆବର୍ଜନାର ପାହାଡ଼, ଶ୍ୱାସରୁଦ୍ଧ ହେବା ଭଳି ପ୍ରଦୂଷଣ ଆଉ ଯୁଦ୍ଧ କମାଣର ଛାତିଥରା ଶଦ୍ଦ, ବିଷଭରା ବାରୁଦ ଧୁଆଁ କେବଳ ଧ୍ୱଂସର ସ୍ତୁପ ଠିଆ କରିଚାଲିଛି ! କେବେ ଆଉ ବୁଝିବା ମାତ୍ର ଗୋଟିଏ ଗ୍ରହ ଆମର ପୃଥିବୀ, ଯାହା ବିନା ଜୀବଜଗତ ଅନ୍ୟ କେଉଁଠି ତିଷ୍ଠି ପାରିବ ନାହିଁ ? ତଥାପି ଅତ୍ୟାଚାର, ଅବହେଳା, ଶୋଷଣ ଆଉ କଷଣ କମୁନି । ଧନ୍ୟବାଦ ସେ ମାଆକୁ, ଏତେ ସବୁ ପରେବି ସହୁଛି । ତାକୁ ଆଉ ଅଧିକ ସହିବାକୁ ବିବଶ କରି ବିପଦକୁ ଡାକି ଆଣିବା ନାହିଁ । ଏବେ କୃତଜ୍ଞତାର ଯଜ୍ଞରେ ସ୍ୱାର୍ଥକୁ ଆହୁତି ଦେବାର ସମୟ । ସମର୍ପଣକୁ ବ୍ରହ୍ମ ଅର୍ପଣ କରିବାର ବେଳ । ଅନ୍ୟଥା ଭସ୍ମାସୁର ପରି ନିଜ କୃତକର୍ମ ପାଇଁ ନିଜେ ଜଳି ଭସ୍ମ ହେବା ସାରହେବ ।  

ଆଜି ଧନ୍ୟବାଦ ଦେବା ବଦଳରେ ଅବହେଳିତ ହେଉଛି ସିଏ, ଯିଏ କାଖେଇ କୋଳେଇ ଖୁଆଇ ପିଆଇ ମଣିଷ କରିଥିଲା । କାନ୍ଦିଲେ ଯିଏ ବୁଝେଇ ଦେଉଥିଲା ଆଜି ସିଏ କାନ୍ଦିଲେ ତାକୁ କେହି ବୁଝାଉନାହାଁନ୍ତି, ବରଂ ସେ ମନକୁ ବୁଝାଇ ନିଜକୁ ନିଜେ ବୁଝୁଛି । କାଲି ଯିଏ ପିଲା ମନସ୍ତାପର ସାମାନ୍ୟତମ କାରଣ ପାଇଁ ଅନେକ ସମାଧାନର ରାସ୍ତା ବାହାର କରିଦେଉଥିଲା ଆଜି ତା’ର ମାନସିକ ଅଶାନ୍ତିର ଅନେକ କାରଣ ଥିଲେ ମଧ୍ୟ ତା’ପାଇଁ ଗୋଟିଏ ସମାଧାନର ରାସ୍ତା ବାହାରି ପାରୁନାହିଁ । ତଥାପି ସେ ସହୁଛି, ସହିଛି ଆଉ ଅଭିଶାପ ନଦେଇ ଆଶୀର୍ବାଦ ଦେଉଛି । କାରଣ ସଂସାରର କୌଣସି ମାତା କଦାପି କୁମାତା ହୋଇନପାରନ୍ତି, ହେଲେ କେବେ କେବେ କୁପୁତ୍ର ଜାତ ହୋଇଥାଆନ୍ତି । ସେମାନେ ବୁଝିବା କଥା ମାଆର ତ୍ୟାଗ ଆଉ ବଳିଦାନର ମହତ୍ୱ । ଥରେ ପେଟରେ ଦୁଇ କିଲୋ ଓଜନର ପଥରଟିଏ ବାନ୍ଧି ମାତ୍ର ଦୁଇଘଣ୍ଟା ବୁଲନ୍ତୁ ଜାଣିପାରିବେ ମାଆର କଷ୍ଟ, ଯିଏ ସନ୍ତାନକୁ ପେଟରେ ଦଶ ମାସ ଧରି ବୋହି ବୁଲୁଥିଲା । ଜୀବନରେ କଷ୍ଟ ତ ସମସ୍ତଙ୍କ ଜୀବନରେ ଥାଏ, ହେଲେ ମାଆର ନିଆରା । ଅନ୍ୟମାନେ କଷ୍ଟକୁ ବୋଝ ଭାବୁଥିବା ବେଳେ, ମାଆ ସେ କଷ୍ଟକୁ କର୍ତ୍ତବ୍ୟ ଭାବି ସେଥିରୁ ଆନନ୍ଦ ନିଏ । ହେଲେ ଯାହା ପାଇଁ କର୍ତ୍ତବ୍ୟ କରେ ସିଏ ସେ କଷ୍ଟ ବୁଝିଲେ ତ ? ଆଜି କି ବେଳ ଆସିଛି କେଜାଣି, ଯିଏ ଆମକୁ ବାଞ୍ଛାଉଛି ତାକୁ ଧନ୍ୟବାଦ ଦେବା ବଦଳରେ ଆମେ ତାକୁ ଧରାଶାୟୀ କରିଦେଉଛୁ । ରାସ୍ତାକୁ ଟିକେ ମାଡ଼ି ଯାଇଥିଲେ, ତା’ପକ୍ଷ ଛେଦନ କରି ରଙ୍ଗ ଲଗେଇ ଲିଚୁ ଟାଙ୍ଗୁଛୁ ବାଟଘାଟ ସୁନ୍ଦର ଦିଶିବା ପାଇଁ, ହେଲେ ସେ ସୁନ୍ଦରତାକୁ ଅନୁଭବ କରିବା ବାଲା, ହେ ମଣିଷମାନେ ଥରେ ଭାବିଛନ୍ତି ସେ ଅମ୍ଳଯାନ ନଦେଲେ କେମିତି ବଞ୍ଚିବ ? ଯୋଉ ଘର ତିଆରି କରିବା ପାଇଁ, ରାସ୍ତା ଚଉଡ଼ା ପାଇଁ ତାକୁ କାଟି ଶୁଆଇଦେଉଛ, ଥରେ ଦେଖି ଆସନ୍ତୁ ଅମ୍ଳଯାନ ଅଭାବ ଥିବା ଡାକ୍ତରଖାନାର ରୋଗୀଙ୍କୁ । ଯିଏ ପଇସା ଦେଇ ପବନ କିଣିକି ନେଇ ବି କେତେ କଷ୍ଟ ପାଉଛନ୍ତି । ଅଥଚ ବାହାରେ ମାଗଣା ଭାବି ଆମେ ତା’ର ମୂଲ୍ୟ ବୁଝିପାରୁନେ । ମହାମାରୀ କରୋନା କିଛି ଶିକ୍ଷା ଦେଲା ତଥାପି ଚେତା ନପସି ପୁଣି ପୁରୁଣା ଖୋଇ ମନେ ପଡ଼ିଯାଉଛି । ଧନ୍ୟବାଦ ବୃକ୍ଷଦେବତାଙ୍କୁ । ତଥାପି ତା’ର ଶତ୍ରୁକୁ ବଞ୍ଚାଇ ରଖୁଛି । ଆହୁରି ଆମେ ଏବେ କୃତଘ୍ନ ସେ ଦାତା ପାଖରେ, ଯିଏ ଅନ୍ନ ଦେଇ ଆମକୁ ବଞ୍ଚାଇଛି । ଯଦି ମନରେ କାଣିଚାଏ କୃତଜ୍ଞ ଭାବ ଥାଆନ୍ତା, ତେବେ ଅଭାବୀବିକ୍ରି, ଫସଲହାନୀ ଆଉ ଋଣବୋଝ ପାଇଁ ଅନ୍ନଦାତା ଜୀବନ ହାରି ଦେଉନଥାଆନ୍ତା । ଅନେକ କୁହନ୍ତି ଅର୍ଥ ଥିଲେ ସବୁମିଳିବ, ହେଲେ ମଞ୍ଜି ନବୁଣି ଧନକୁ ପୋତି ସେ ଯଦି ଧାନ ଫଳାଇ ଦେଲେ ତେବେ ତାଙ୍କ କଥା ସତହୁଅନ୍ତା, କିନ୍ତୁ ସେମିତି ଆଜିଯାଏ ହୋଇନି କି ହେବାର ସମ୍ଭାବନା ବି ନାହିଁ । ମାଟି ସହ ମାଟିହୋଇ ଫଳଟିଏ ଫଳାଉଥିବାରୁ ସେ ଦାତା ଆଉ ଲକ୍ଷେ ଜୀବଙ୍କର ପୋଷଣକର୍ତ୍ତା । ଏ କଥା ବୁଝିବାରେ ଯେତେଯେତେ ହେଳା କରୁଥିବା, ସେତେ ସେତେ ଆମ ଜୀବନ ଭେଳା ବୁଡ଼ିବୁଡ଼ି ଯାଉଥିବ । ଯାହାର ପ୍ରତିକାର ଅତି ଜରୁରୀ । 

କହିବାର କଥା, କିଛି ଅର୍ଥ ଋଣ କରିଥିଲେ ତାକୁ ଶୁଝିବାକୁ ଆମର ଆଗ୍ରହ ରହିଥିବା ବେଳେ, ସଂସାରର ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ପ୍ରକାରର ଋଣ କରିଚାଲିଥିଲେ ମଧ୍ୟ ତାକୁ ବିଭିନ୍ନ ମାଧ୍ୟମ ଯଥା କୋଉଠି କଥା ତ କୋଉଠି କାମରେ ଶୁଝିବାର ପ୍ରୟାସ କରୁନେ । ଉଚିତ ହୁଅନ୍ତା ଯଦି ଆମେ ଟିକେ ଏଦିଗରେ ତତ୍ପର ହୁଅନ୍ତେ ଆଉ ସମସ୍ତ ଦାତାଙ୍କର ଗୁରୁତ୍ୱକୁ ଉପଲବ୍‌ଧି କରନ୍ତେ । ଦେହକୁ ନେଇ କଥାଟିକୁ ଟିକେ ଅନୁଭବ କରି କାମରେ ଲଗାଇବାକୁ ଅଜସ୍ର ଅନୁରୋଧ ଆଉ ଯେଉଁ ଅନୁଭବୀମାନଙ୍କର ଏହି କାମସବୁ ଅଭ୍ୟାସରେ ପରିଣତ ହୋଇଯାଇଛି, ସେମାନଙ୍କୁ ଅଶେଷ ଧନ୍ୟବାଦ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ