ଦାର୍ଢ୍ୟତା ଭକ୍ତି - ମେଳଚ୍ଛ ଉପାଖ୍ୟାନ - ଘନଶ୍ୟାମ ସାହୁ

0

ମନୁ ରାଜାଙ୍କୁ ନାମର ମାହାତ୍ମ୍ୟ ବିଷୟରେ ବୁଝାଉଥିଲେ ଗୁରୁ ଚୈତନ୍ୟ, "ନାମର ମାହାତ୍ମ୍ୟ ଅବର୍ଣ୍ଣନୀୟ । ନାମ ବ୍ରହ୍ମ ରୁ ଓଁ କାରର ଉତ୍ପତ୍ତି। ଏହି ଓଁ କାର ବୀଜରୁ ଜନ୍ମ ନେଲେ ମହାମାୟୀ। ତାଙ୍କ ଠାରୁ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଆବିର୍ଭାବ ବୋଲି କିଛି ଶାସ୍ତ୍ରରେ ଉଲ୍ଲେଖ ଅଛି । ନାମର ମହିମା ଅପାର ହୋଇଥିବାରୁ ପ୍ରଭୁ ଦେବ ଦେବ ମହାଦେବ ସଦାସର୍ବଦା ରାମନାମ ଭଜନ କରୁଥାନ୍ତି । ଭୁଷଣ୍ଡ କାକଠାରୁ ପ୍ରଥମେ ରାମନାମର ମହିମା ବିଷୟରେ ଜାଣିବାକୁ ମିଳିଥିଲା । ଭାବରେ ହେଉ ଅବା ଭାବଶୂନ୍ୟ ହେଉ ଯେ, କୌଣସି ସ୍ଥାନରେ ଯେକୌଣସି ସମୟରେ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ହେଲେ ସୁଦ୍ଧା ହରିନାମ ଶ୍ରବଣ କରିବା ଦ୍ୱାରା, ଜାଣତରେ କିମ୍ବା ଅଜାଣତରେ ହରିନାମ ଉଚ୍ଚାରଣ କରିବା ଦ୍ଵାରା ଅଶେଷ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ । ସେ ବିଷୟରେ ସୁନ୍ଦର ଉପାଖ୍ୟାନଟିଏ କହୁଛି ଶୁଣ ।" ଗୁରୁ ଚୈତନ୍ୟ କାହାଣୀ ଆରମ୍ଭ କଲେ... ।

ଇଲାକାରେ ଚହଳ ପଡ଼ିଗଲା । ଦିନବେଳେ ମଧ୍ୟ ତାଟି କବାଟ ବନ୍ଦ କରି ଲୋକମାନେ ଘର ଭିତରେ ବନ୍ଦୀ ଭଳି ଜୀବନ ବିତାଇବା ଛଡ଼ା ବିକଳ୍ପ କିଛି ନ ଥିଲା । ଚାରିଆଡ଼େ ଭୟର ବାତାବରଣ । ଆସନ୍ନ ବିପଦ ଆଶଙ୍କାରେ ଜନସାଧାରଣ ଆତଙ୍କିତ । ବାହାରକୁ ବାହାରିବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା । ଗୋଟିଏ ହିଁ ଭୟ ମ୍ଳେଚ୍ଛ ଆସୁନାହିଁ ତ ? ମ୍ଳେଚ୍ଛ ଥିଲା ଜାତିରେ ଯବନ । ଅତି ମାତ୍ରାରେ ଦୁର୍ଦ୍ଦାନ୍ତ ଏବଂ ନିଷ୍ଠୁର । ଦୟା, ମାୟା, କ୍ଷମା ଏସବୁ ସେ କିଛି ହିଁ ଜାଣି ନ ଥିଲା । ତା'ର ଖାଦ୍ୟାଭ୍ୟାସ ଅଜବ ଧରଣର ଥିଲା । ବିନା ସୁରା ଏବଂ ଆମିଷରେ ସେ ଆହାର ଗ୍ରହଣ କରୁନଥିଲା । ଏଥିପାଇଁ ସେ ପ୍ରତ୍ୟେକ ଦିନ ତା ଇଚ୍ଛା ମୁତାବକ ପଶୁ ଶିକାର କରୁଥିଲା । ଗାଈ ଗୋରୁ, ଛେଳି ମେଣ୍ଢା, ମହିଁଷୀ, ବିଭିନ୍ନ ପ୍ରକାରର ପକ୍ଷୀ ଯାହା ପାଏ ତା'ର ମାଂସ ସହ ସୁରା ତା'ର ନିତି ଦିନିଆ ଖାଦ୍ୟ ଥିଲା । ବେଶଭୂଷାରେ ତା'ର ଆଗ୍ରହ ନ ଥିଲା । ତେଣୁ ଅପରିଷ୍କାର ପୋଷାକ ପରିଧାନ କରିବା ସହ ସ୍ନାନ ଶୌଚ ନିୟମିତ ହେଉ ନଥିବାରୁ ତା ଦେହରୁ ଉତ୍କଟ ଗନ୍ଧ ବାହାରୁଥିବାରୁ ଲୋକମାନେ ତାକୁ ମ୍ଳେଚ୍ଛ ବୋଲି ଜାଣିଥିଲେ । ଏହି ଭାବେ ସେ ପରିଚିତ ଥିଲା । ବାଟୋଇ ଯାତ୍ରୀ ମାନଙ୍କଠାରୁ ସେ ନାନା ଦ୍ରବ୍ୟ ଲୁଣ୍ଠନ କରୁଥିଲା । ସାମାନ୍ୟ ପ୍ରତିବାଦରେ ସେ ହତ୍ୟା କରିବାକୁ ପଛାଉ ନଥିଲା । ଝିଅ ବୋହୁ ମାନେ ତା'ର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସଦାସର୍ବଦା ଲୁଚି ରହୁଥିଲେ । କୈ।ଣସି ହିନ୍ଦୁ ମନ୍ଦିର ତା'ର ଯିବା ବାଟରେ ଦେଖିଲା ମାତ୍ରେ ସେ ବିପୁଳ କ୍ଷତି କରିବା ସହ ଜିନିଷ ପତ୍ର ଫିଙ୍ଗାଫୋପଡା କରୁଥିଲା । ଶିବ ମନ୍ଦିର ମଧ୍ୟରେ ପଶି ଶିବଲିଙ୍ଗ ଭାଙ୍ଗି ନାନା ଉପକରଣ ତଥା ଦାନ ଟଙ୍କା ସୁନା ଲୁଟି ନେଉଥିଲା । ବିଷ୍ଣୁ ମନ୍ଦିର ମଧ୍ୟରେ ଥିବା ପ୍ରତିମା ନଷ୍ଟ କରିବା ସହିତ ଆଭୁଷଣ, ଦାନ ସାମଗ୍ରୀ ସବୁ ନେଇ ଚାଲି ଯାଉଥିଲା । ତା'ର ନିଷ୍ଠୁରତା ଆଗରେ କେହି ଠିଆ ହେବାକୁ ସାହସ କରି ପାରୁନଥିଲେ । ତେଣୁ ତା'ର ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା । ଲୋକମାନେ ତାକୁ ଡରି ଦିନ ବେଳେ ମଧ୍ୟ ବାହାରକୁ ବାହାରିବା ପାଇଁ ସାହସ କରି ପାରୁନଥିଲେ । କିନ୍ତୁ ଧନ, ଯୈ।ବନ, ବଳ ଓ କ୍ଷମତା ଚିରସ୍ଥାୟୀ ନୁହେଁ । ଥରେ ଦୂର ପ୍ରଦେଶରେ ଥିବା ବେଳେ ସେ ଗୁରୁତର ଅସୁସ୍ଥ ହୋଇପଡିଲା । ଦେହରେ ଖଇଫୁଟା ତାତି । ତା ପରି ଲୋକର ସେବା କରିବ ବା କିଏ  ? ଖାଇବା ପିଇବା ଛାଡି ଦେବାରୁ ଶରୀର ଦୁର୍ବଳ ହୋଇ ପଡିଲା । ବସିବା ସ୍ଥାନରୁ ଉଠିପାରିଲା ନାହିଁ । ଅଜଣା, ଅଚିହ୍ନା, ନିର୍ଜନ ସ୍ଥାନରେ ଏକୁଟିଆ ପଡ଼ିରହିଲା । ମଳତ୍ୟାଗ କରି ଶୌଚ ନହେବା ଦ୍ଵାରା ପ୍ରବଳ ଦୁର୍ଗନ୍ଧରେ ସେ ଅଞ୍ଚଳ ଫାଟିପଡିଲା ‌। ଏକ ଶୁକର ଦୁର୍ଗନ୍ଧରେ ଆକୃଷ୍ଟ ହୋଇ ତାକୁ ଶୁଙ୍ଘିବାକୁ ଆରମ୍ଭ କଲା । ସେତେବେଳକୁ ତା'ର ମୁମୁର୍ଷୁ ଅବସ୍ଥା । ଅନ୍ତିମ ସମୟରେ ଶୁକର ପ୍ରତି ହାରାମ..... କହି ପ୍ରାଣତ୍ୟାଗ କଲା ।

ଅବିଳମ୍ବେ ଯମଦୂତମାନେ ଘଟଣା ସ୍ଥଳରେ ପହଞ୍ଚିଗଲେ । କାଳପାଶରେ ମ୍ଳେଚ୍ଛର ଆତ୍ମାକୁ ନେଇ ଯମପୁରୀ ଅଭିମୁଖେ ଆଗେଇ ଚାଲିଲେ । କିଛି ପଥ ଅତିକ୍ରମ କରିଥିବା ବେଳେ ବିଷ୍ଣୁଦୂତ ମାନେ ଆସି ସେମାନଙ୍କ ପଥ ଓଗାଳିଲେ । ମ୍ଳେଚ୍ଛର ଆତ୍ମାକୁ ବଳପୂର୍ବକ ଛଡେଇ ନେଇ ବୈକୁଣ୍ଠକୁ ନେଇଗଲେ । ଶୋଭାଯାତ୍ରା କରି ତାକୁ ଆଦର ଅଭ୍ୟର୍ଥନା କରି ସ୍ୱର୍ଗପୁରୀରେ ସ୍ଥାନ ପ୍ରଦାନ କଲେ । ଯମଦୂତମାନେ ନିରାଶ ହୋଇ ଯମଲୋକ ଫେରି ସବୁ ଘଟଣା ବର୍ଣ୍ଣନା କରି କହିଲେ, "ହେ ମହାମହିମ ମ୍ଳେଚ୍ଛ ପରି ମହାପାପୀକୁ ବିଷ୍ଣୁଦୂତ ମାନେ ଆମପାଖରୁ ବଳପୂର୍ବକ ନେଇଗଲେ କାହିଁକି ? ଯେ ଜୀବନ ସାରା ପାପ କାର୍ଯ୍ୟରେ ଲିପ୍ତ ଥିଲା ସେ କିପରି ସ୍ୱର୍ଗରେ ସ୍ଥାନ ପାଇଲା ?" ଯମରାଜ ଯମଦୂତ ମାନଙ୍କୁ ଆଶ୍ୱାସନା ଦେବା ସହିତ ମନ୍ତ୍ରୀ ଚିତ୍ରଗୁପ୍ତଙ୍କୁ ମ୍ଳେଚ୍ଛର ପାପପୁଣ୍ୟର ହିସାବ ଦେବାକୁ ନିର୍ଦ୍ଦେଶ ଦେଲେ । ଚିତ୍ରଗୁପ୍ତ ନଥିପତ୍ର ଦେଖି ଯମରାଜାଙ୍କୁ କହିଲା, "ହେ ମହାରାଜ ! ମ୍ଳେଚ୍ଛ ତା'ର ଜୀବନ କାଳ ମଧ୍ୟରେ କେବଳ ପାପ କାର୍ଯ୍ୟ ବ୍ୟତିତ ପୁଣ୍ୟ କାର୍ଯ୍ୟ କିଛି ହେଲେ କରିନାହିଁ । କିନ୍ତୁ ମୃତ୍ୟୁ ପୂର୍ବରୁ ଶୂକରକୁ ଗାଳି ଦେଇ ଘଉଡାଇବା ଉଦ୍ଦେଶ୍ୟରେ ତା'ର ତୁଣ୍ଡରୁ ବାହାରି ପଡ଼ିଥିଲା, "ହା ରାମ୍.....," । ବାସ୍ ଏତିକି ହିଁ ତା'ର ସମସ୍ତ ପାପକୁ ଧୋଇ ଦେଇଥିଲା । ଏହା ହିଁ ରହସ୍ୟ ‌। ଆଉ କିଛି ନୁହେଁ ।" ଯମରାଜ ଯମଦୂତ ମାନଙ୍କୁ ଆଶ୍ୱାସନା ଦେବା ସହିତ ପରାମର୍ଶ ଦେଇ କହିଲେ, "ଆଜିଠାରୁ ଏହି କଥା ମନେ ରଖିବ କି ଅଜାଣତରେ ହେଲେ ମଧ୍ୟ ଯଦି କେହି ମରିବା ପୂର୍ବରୁ ଥରେ ମାତ୍ର ହରିନାମ ଉଚ୍ଚାରଣ କରେ ତେବେ ସେହି ବ୍ୟକ୍ତିର ଆତ୍ମାକୁ ତୁମେମାନେ ଆଣିବା ପାଇଁ ଆଦୈ । ଚେଷ୍ଟା କରିବ ନାହିଁ । ତା ଉପରେ ଆମର ଅଧିକାର ନାହିଁ ।"

ଏତିକି କହି ଗୁରୁ ଚୈତନ୍ୟ ମନୁଙ୍କୁ କହିଲେ, "ହରିନାମକୁ ଯେ ଗଣ୍ଠିଧନ କରିଥାଏ ତା'ର ଜୀବନ କାଳ ମଧ୍ୟରେ କରିଥିବା ସମସ୍ତ ପାପ ରାଶି ଧୋଇ ହୋଇଯାଏ । ହରିନାମ କିପରି ଭଜନ କରିବା ଦ୍ୱାରା ଯମଦଣ୍ଡରୁ ରକ୍ଷା ପାଇବ । କେଉଁ ପ୍ରକାର କାର୍ଯ୍ୟ କଲେ ଯମରାଜ କିମ୍ବା ତାଙ୍କ ଦୂତମାନେ ତୁମ ପାଖକୁ ଆସିବାପାଇଁ ସାହସ କରିବେ ନାହିଁ ସେକଥା କହୁଛି ମନଦେଇ ଶୁଣ ।" ଏହା କହି ଗୁରୁ ଚୈତନ୍ୟ ମନୁଙ୍କୁ ଶ୍ରୀହରିଙ୍କ ବିଭିନ୍ନ ନାମରେ ବିଭିନ୍ନ ଦ୍ରବ୍ୟ ଧାରଣ କରିବାକୁ ପରାମର୍ଶ ଦେଇଥିଲେ । ଯେପରି କି ଶିରରେ ଟଙ୍କଧର ନାମକ ଟୋପି, ଗଳାରେ ଶ୍ୟାମସୁନ୍ଦର ମାଳ, ଭୁଜରେ ଶ୍ରୀ ବାସୁଦେବ ବାଜୁବନ୍ଧ ଇତ୍ୟାଦି । ଏପରି ଭାବରେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କୃଷ୍ଣଙ୍କ ନାମରେ ସମର୍ପିତ କରିଦେଲେ ଆଉ ପାପ ସ୍ପର୍ଶ କରିବ ନାହିଁ ଏବଂ ଯମଦଣ୍ଡର ଭୟ ଆଦୌ ରହିବ ନାହିଁ ବୋଲି ସୂଚାଇ ଦେଇ ଗୁରୁ ଏ ପ୍ରସଙ୍ଗକୁ ସମାପ୍ତ କରିଥିଲେ । ଜୟ ଶ୍ରୀ ହରି ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ