ନୀଳରଙ୍ଗ - ଅମିୟ ବେଜ

0

ମୁଁ କାହିଁକି ସରକାରୀ ଛୁଟିଦିନ ମାନଙ୍କୁ ଛାଡିଦେଇ ବାକିଦିନ ମାନଙ୍କରେ ଏଇ ନିର୍ଦ୍ଦିଷ୍ଟ ସମୟରେ, ସମାନ ବସଟିରେ, ଗୋଟିଏ ସ୍ଥାନରୁ ଆଉଏକ ସ୍ଥାନ ଯାଏଁ ଯାଆସ କରୁଥିଲି ? ଏଇ କଥାଟିର ପ୍ରାସଙ୍ଗିକତା ଏଠାରେ ଆଦୌ ନାହିଁ । ମୋତେ ରହିବାକୁ ସାମାନ୍ୟ ସହରଟିଏ ଜରୁରୀ ଥିଲା । ଯେଉଁଠି ପାଣି, ଆଲୁଅ, ପାଇଖାନା ଟିକେ ଉପଲବ୍ଧ ଥିଲା । ପୁଣି ମୋତେ ସେଇ ଯାଗାକୁ ଯିବାକୁ ପଡୁଥିଲା, ଯେଉଁଠି ସବୁଜ ପାହାଡ଼, ବିଶ୍ଵାସୀ ପବନ, ନିର୍ମଳ ମଣିଷ ଆଉ ଅରଣ୍ୟର କୋଳାହଳ ଭିନ୍ନ ଆଉକିଛି ଉପଲବ୍ଧ ନଥିଲା । ମୁଁ ସୁବିଧାବାଦୀ ଥିଲି । ତେଣୁ ମୁଁ ପ୍ରତିଦିନ ଯାଇ ଫେରିଆସୁଥିଲି ।

ତେବେ ହଁ, ସେ ଝିଅଟି ମଧ୍ୟ ଯାଏ । ସାଙ୍ଗରେ । ତା କଲେଜ ଦିନ ମାନଙ୍କରେ । ସମାନ ବସରେ । ଅଳ୍ପବାଟ ହେଲେବି ସେ ଖୁସି ଥାଏ । ଗୋଲାପି ରଙ୍ଗର ପୋଷାକରେ ନିରୀହ ଦିଶୁଥାଏ । 

ତେବେ ବସ ଚଢିବା ବେଳର ଉଲ୍ଲାସପଣ, ତାର ଓହ୍ଲାଇବା ବେଳେ କିନ୍ତୁ ମୁହଁରେ ନଥାଏ । ହୁଏତ ଫେରିବା ବେଳେ ଓଲଟା ହେଉଥିବ । ମୁଁ କିନ୍ତୁ ଅନ୍ୟ ବସରେ ଡେରି ସଞ୍ଜରେ କାମସାରି ମୋ ସାମାନ୍ୟ ସହରକୁ ଫେରେ । 

ତେଣୁ ଏଇ ଗୋଟାଏ ଯିବା ପାଖର ଦୃଶ୍ୟରୁ ମୁଁ ଏକପାଖିଆ ବିଚାର କରିନିଏ । ହଁ ସେ ମୋ ପର ଷ୍ଟପେଜରୁ ତା ସାଙ୍ଗ ସାଥି ମାନଙ୍କ ସହ କଳରବ କରି ଚଢେ । ଚଢନ୍ତି ଭିନ୍ନ ବିଭିନ୍ନ ରଙ୍ଗବେରଙ୍ଗର ପୋଷାକ ପିନ୍ଧି  ଭିନ୍ନ ଭିନ୍ନ କଲେଜର ପିଲାଏ । ସମସ୍ତେ ସକାଳର ସତେଜପଣ ନେଇ ଖୁସି ଗପରେ ମାତିରୁହନ୍ତି । ବସ୍ ଟି ଅଚାନକ ପଢା ପିଲାଙ୍କ ଗୋଠରେ ଭର୍ତ୍ତି ହୋଇଯାଏ । 

ମୁଁ ବସିରହି ସେଇ ଝିଅଟିକୁ ହିଁ ଖୋଜେ । ସିଏ ମୋତେ ଗାଡି ଭିତରେ ନିଶ୍ଚିତ ମିଳିଯାଏ । ମୁଁ ଲକ୍ଷ୍ୟ ରଖିଥାଏ ତା ଖୁସିହେବାର ମୁହୁର୍ତ୍ତ ମାନଙ୍କୁ ଓ ପୁଣି ଉଦାସ ହୋଇପଡିବାର ଉଦବେଗ ସବୁଙ୍କୁ । ଏ ରହସ୍ୟ ମୋପାଇଁ ଢେର୍ ବେଶିଦିନ ଆଚ୍ଛନ୍ନ କରିରଖେ । ମୁଁ କୌତୁହଳି ହୋଇପଡେ । 

କୌତୁହଳ ନରହିଲେ ଉଦ୍ଭାବନ ସମ୍ଭବ ନୁହେଁ । ଆଦର ନଥିଲେ ପ୍ରେମପହଞ୍ଚ କଠିନ । ଦିନେ ମୋତେ ଲାଗେ, ସେଇ ଭିନ୍ନ ନୀଳରଙ୍ଗ ପିନ୍ଧା ତରୁଣୀ ଟି ଯେବେ ତା ନିଜ କଲେଜ ଛକରେ ଓହ୍ଲାଇ ପଡେ, ଝିଅଟି ସତକୁସତ ତା ଜୀବନର ସବୁତକ ଖୁସିକୁ ମାରିଦିଏ । ଉଦାସପଣର ମାଡ଼ ଭାରି ଅସହ୍ୟ । ଅସହାୟତା ମୁଖମଣ୍ଡଳକୁ ଆକ୍ରାନ୍ତ କରିଦିଏ । ସାଧାରଣ ଆଖିକୁ ଧରାପଡିଯାଏ । ସେଇବେଳେ ସିଏ ସାଙ୍ଗ ମେଳରେ ହସୁଥିବାର ସବୁତକ କୌଶଳ ମୋ ଆଖିରେ ଅସତ୍ୟ ଓ ଅଭିନୟ ପରି ଲାଗେ ।

ମୁଁ ସାମାନ୍ୟ ଉଦାର ହୋଇପଡୁଥାଏ ।

ଆହାଃ, ଏତକଯାଏଁ କେବଳ ସତ୍ୟ ହୋଇରହୁ ।

ଏଇ ନିର୍ମଳ ସବୁଜ ଜାଗାଟି ପରି, ଏଠାର ମଣିଷ, ଗଛପତ୍ର, ଦିଅଁଦେବତା, ଝରଣାର ଜଳ ସବୁ ସ୍ଵଚ୍ଛ ଆଉ ପବିତ୍ର । ମୁଁ ଝିଅଟିକୁ ସେଇ ପବିତ୍ରପଣ ନେଇ ନିଇତି ତଉଲେ । ନାରୀମନର କେତେଯେ କୋମଳ ଭାବନା ସତେ !

ମୁଁ ଯେ କାହିଁକି ସେଇ ନୀଳ ରଙ୍ଗର ପୋଷାକ ପ୍ରତି ଆଗ୍ରହୀ ହୋଇପଡି ନିଜକୁ ଅଭ୍ୟାସ କରାଇବସିଲି, ସେକଥା ମୋତେ ଜଣାନାହିଁ । ମୁଁ ସେ ସମ୍ବନ୍ଧରେ କିଛି ଭାବିନି ମଧ୍ୟ । ମୋତେ ଝିଅଟିର  ସେ ଉଦାସୀ ଦେହରଙ୍ଗ ହେଉ କି ତା ଅସଜଡା ଗହଳ ବାଳ ହେଉ, ଅବା ହସୁଥିବା ବେଳର ଗାଲ ଭଉଁରୀ ହେଉ କି, କେବେ ଝରୁନଥିବା ପୁଞ୍ଜିଭୂତ ଲୁହଠୋପା ସବୁ ହେଉ, ମୁଁ ଭଲପାଇଯାଏ । 

ହଁ ମୁଁ ନୀଳରଙ୍ଗର ପୋଷାକକୁ ଭଲପାଇଯାଏ ।

××× ××× ××× ××x

ଦିନେ ମୁଁ ଦେବ୍ଲୀନାକୁ ପଚାରିବାକୁ ସାହାସ କଲି । ଅବଶ୍ୟ ଆଉ ଭୟ ପାଇବାପରି ସମୟରେ ଆମେ ନଥିଲୁ କି ସେପରିକିଛି ଆଶଙ୍କା ନଥିଲା । କେବଳ, ପ୍ରସଙ୍ଗରହିତ ବିଷୟମାନେ ଆମ ଆଲୋଚନାକୁ ଆସିପାରୁନଥିଲେ । ସଂସାରର ତାଡ଼ନା ଆଗରେ ପ୍ରେମର ଭୂମିକା ସତେ ଯେ କେଡେ ନ୍ୟୁନ !

– ଦେବ୍ଲୀନା, କେବେ ଥରେ ମନକୁ ଆଣିଛ, ଏଇ ନୀଳରଙ୍ଗ ପ୍ରତି ମୋର ଏତେଯାକ ଆଗ୍ରହର କାରଣ କଣ ?

ଦେବ୍ଲୀନା ମୋତେ ପ୍ରଥମେ ସବୁଥର ପରି ଚାହିଁଲା । ଯେମିତି ମୁଁ ଅବାନ୍ତର ପ୍ରଶ୍ନ ପଚାରି ଏମିତି ବିରକ୍ତ କରାଏ ତାକୁ କାହିଁକି ସତେ ? ତଥାପି ଏଇ ପ୍ରଶ୍ନକୁ ନେଇ ସେ ଉଲ୍ଲସିତ ହେଲାପରି ମୋତେ ପୁଣି ଲାଗିଲା  ଓ ଦେବ୍ଲୀନା କହିଲା –

– ସତେତ ! ମୁଁ ଧ୍ୟାନ ଦେଇପାରିନି କେମିତି ?

– ଦେଇନ ? ସତ କହୁଛ ?

ଦେବ୍ଲୀନା କିଛିକ୍ଷଣ ଚୁପ୍ ରହିଲା ଓ ଭାରି ବିନୟ ହୋଇ ମୋତେ କହିଲା –

– ଭବ୍ୟ, ସବୁ ପୁରୁଷଙ୍କ ଗୋଟେ ମେଲ୍ ଇଗୋ ଥାଏନା ?

– ମୋତେ ପଚାରୁଛ ?

– ହଁ ଭବ୍ୟ । ଥାଏ । ନାରୀ ହୃଦୟରେ କାହାର ନା କାହାର ସ୍ଥାନଟିଏ ସ୍ଵତନ୍ତ୍ର ଥାଏ । ଯାହା ଅସତ୍ୟ ନୁହେଁ । ଭିନ୍ନ ପୁରୁଷଟିଏ ଧରିନିଏ, ସେ ସେଇ ସ୍ଵତନ୍ତ୍ର ଜାଗାଟିକୁ ନିଜେ ଆସି ସ୍ଥାନାନ୍ତରିତ କରିନେଇପାରେ ଅବା ଅଧିଗ୍ରହଣ କରିନେଇ ସାରିଛି । ରିପ୍ଲେସମେଣ୍ଟ୍ ଥିଓରି ।  ସତ ଏତକ ଯେ, ଏସବୁ ପୁରୁଷ ମନର ଭ୍ରମ କେବଳ । ତା ଭିନ୍ନ ଆଉ କିଛି ଆଦୌନୁହଁ ।

– ତେବେ ?

ମୁଁ ହଠାତ୍ ଅସହାୟ ହୋଇପଡି ପଚାରିବସିଲି । 

ଦେବ୍ଲୀନା ମୋ ନୀଳସାର୍ଟର ବୋତାମ ସବୁକୁ ନିବୁଜ କରୁକରୁ ମୋତେ ଗେହ୍ଲ କଲା ଓ କହିଲା – 

– ଏତେସବୁ କୌତୁହଳ କାହିଁକି ଏବେ ଭବ୍ୟ ? ଜାଣିରଖିବ, ସକଳ ଆଘାତ ସହ୍ୟ କରିବାର ଛାତିଟିଏ ନଧରି, ନାରୀର କୋମଳ ଭାବନା କୁ ଆଦର କରିବା ଏକ ସଚରାଚର ମିଛ ଓ ଅସତ୍ କୌଶଳ । ମୁଁ ତ ଅଛି । ଏ ଯାତ୍ରାପଥରେ ସାଙ୍ଗରେ ରହିଛି । ତୁମ ପାଖରେ ଅଛି । ଯାଇଛି କେବେ ? ଯା'ନ୍ତି ବି କାହିଁକି ଭବ୍ୟ.... ?

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ