ଜହ୍ନମାମୁ ଗପ - ବଳ ଓ ତେଜ

0
ଗୋବିନ୍ଦପୁରର ଜମିଦାର ଥରେ ତାଙ୍କ ଗୁମାସ୍ତାଙ୍କ ସହ କୌଣସି ଏକ ଦୂର ଗ୍ରାମରୁ ଫେରୁଥାନ୍ତି । ବାଟରେ ଗୋଟିଏ ଆମ୍ବ ବଗିଚା ପଡିଲା । ସେଇ ବାଟରେ ଜମିଦାର ତ ପୂର୍ବରୁ କେବେବି ଆସି ନଥିଲେ । ବଗିଚା ଆଡ଼େ ଚାହିଁ ସେ ମୁଗ୍ଧ ହୋଇ ଦଣ୍ଡେ ଠିଆ ହୋଇଗଲେ । ସବୁ ଗଛରେ ଆମ୍ବ ଫଳିଥାଏ । ସେ ସବୁର ପରିମାଣ ମଧ୍ୟ ପ୍ରଚୁର । ଏସବୁ ଦେଖି ଜମିଦାର କହିଲେ, "ବାଃ, କେଡ଼େ ଚମତ୍କାର ଆମ୍ବ ବଗିଚା !" ଏହି କଥାରେ ତାଙ୍କ ଗୁମାସ୍ତା ହସିଲେ ଓ କହିଲେ, "ଏଭଳି ଆମ୍ବ ବଗିଚା କ'ଣ କୌଣସି ସାଧାରଣ ଲୋକର ସମ୍ପତ୍ତି ହୋଇପାରେ ? ଏହା ନିଶ୍ଚୟ କୌଣସି ରାଜା ଜମିଦାରଙ୍କର ହୋଇଥିବ ପରା !" ଜମିଦାର କହିଲେ, "ମୁଁ ମଧ୍ୟ ସେଇଆ ଅନୁମାନ କରୁଥିଲି । ଏ ବିରାଟ ଆମ୍ବ ବଗିଚା ସତରେ କାହାର ? ମାଲିକର ଘର ନିଶ୍ଚୟ ଏହି ଗାଁରେ ହୋଇଥିବ । ନହେଲେ ତ ସବୁ ଲୁଟତରାଜ ହୋଇଯା'ନ୍ତା । ଗଛରେ ଏତେ ଫଳ କାହୁଁ ରହନ୍ତା !" ଗୁମାସ୍ତା କହିଲେ, "ହଜୁର ! ଏ ବଗିଚା ଆପଣଙ୍କର । ଆପଣ ତ କେବେ ଏଆଡ଼େ ଆସି ନାହାନ୍ତି, ଜାଣିବେ ବା କିପରି ?"

ଏକଥା ଶୁଣି ଜମିଦାର ଅତ୍ୟନ୍ତ ଖୁସି ହୋଇ କହିଲେ "ସତେ ? ଓହୋ, ଏଇ ଗାଁର ନାମ ପରା ଦେବଳା । ମୁଁ ଜାଣେ ଦେବଳାରେ ଆମର ଆମ୍ବ ବଗିଚା ଅଛି । ତେବେ ବାପା ସବୁ ବୁଝୁଥିଲେ । ତାଙ୍କ ପରେ ମୁଁ ଥରେ ଆସି ଦେଖିଯିବି ବୋଲି ଆଉ ଆସି ନାହିଁ ।" ଗୁମାସ୍ତା ନିଜ ମତ ରଖିବାକୁ ଯାଇ କହିଲେ, "ଆମ୍ବଗଛପାଇଁ ଏଠାକାର ମାଟି ଅତି ଉର୍ବର ବୋଲି ଜଣାଗଲା ।" ଜମିଦାର ପଚାରିଲେ, "ଆଛା, ତା'ହେଲେ ଏପରି କଥା ! କିନ୍ତୁ ଏପରି ଫଳ ଭରା ଉଦ୍ୟାନକୁ କେହି ଜଗିବାକୁ ନାହିଁ, ଏହା କିପରି କଥା ?"

"ହଜୁର, ଏ ଗାଁର ଦାମୋଦର ନାମକ ଯୁବକକୁ ମୁଁ ଏ ବଗିଚାର ତତ୍ତ୍ୱାବଧାରକ ରୂପେ ନିଯୁକ୍ତ କରିଛି । ସେ ଯେପରି ସାଧୁ, ଠିକ ସେହିପରି ସଜାଗ । ତେଣୁ ଆମର ଭୟ କରିବାର କୌଣସି କାରଣ ହିଁ ନାହିଁ ।" ଗୁମାସ୍ତା ଏତକ କହିଲେ । ଜମିଦାର କହିଲେ, "ଭୟ ନାହିଁ ? କାହିଁ ତମର ସେ ଦାମୋଦର ? ବର୍ତ୍ତମାନ ବି ତ ଯେ କୌଣସି ଲୋକ ଆମ୍ବ ଚୋରି କରିନେଇ ଯାଇପାରେ !" ଗୁମାସ୍ତା ଏ କଥାର ସିଧାସଳଖ ଉତ୍ତର ଦେଇ ନପାରି ସେ ଖାଲି ଏତିକି କହିଲେ ଯେ, "ନିଶ୍ଚୟ କିଛି ଅତି ଜରୁରୀ କାମରେ ଦାମୋଦର କୁଆଡ଼େ ଯାଇଥିବ । କିନ୍ତୁ ଯିବା ପୂର୍ବରୁ ସେ କିଛି ଗୋଟେ ବ୍ୟବସ୍ଥା କରିଯିବା ଉଚିତ ଥିଲା ।" ଏହା କହିବା ସଙ୍ଗେ ସଙ୍ଗେ ଗୁମାସ୍ତା ଏଣେ ତେଣେ ଅନାଇଲେ । ହଠାତ ତାଙ୍କ ଆଖି ଜଣେ ବୁଢ଼ୀ ଉପରେ ପଡ଼ିଲା । ସେ ବୁଢୀଟି ଗୋଟାଏ ଗଛମୂଳରେ ବସି ଏମାନଙ୍କୁ ଚାହିଁ ରହିଥାଏ । ଏଭଳି ଦୃଶ୍ୟ ଦେଖି ସେ ଗୁମାସ୍ତା ଉତ୍ସାହିତ ହୋଇ କହିଲେ, "ଦେଖୁଛନ୍ତି ହଜୁର ? ସେ ବୁଢ଼ୀ ଦାମୋଦରର ମା ଅଟେ । ମୁଁ ଠିକ ଅନୁମାନ କରିଥିଲି । ଦାମୋଦର ବଗିଚା ଛାଡ଼ି ଯୁଆଡ଼େ ଗଲେ ବି ବଗିଚା ଉପରେ ଆଖି ରଖିବାର ବ୍ୟବସ୍ଥା ସେ ନିଶ୍ଚୟ କରି ଯାଇଥିବ ।"

"ଗୁମାସ୍ତା ବାବୁ ! ଏ ବୁଢ଼ୀ କି ଆଖି ରଖିବ ? ଏହାକୁ ପୁଣି ଡରିବ ବା କିଏ ? ଇଏ କ'ଣ କାହାକୁ ବାଧା ଦେଇ ପାରିବ ?" ଜମିଦାର ଏହା କହି ସେ ବୁଢ଼ୀ ଆଡ଼େ ଅଗ୍ରସର ହେଲେ । ଠିକ୍ ସେତିକିବେଳେ ଖୁବ୍ ତୀକ୍ଷ୍ନ ଶିଙ୍ଘ ଥିବା ଗୋଟାଏ ବଳଦ ତାଙ୍କ ପାଖଦେଇ ଚାଲିଗଲା । ଏସବୁ ଦେଖି ଜମିଦାର ସେ ବୁଢ଼ୀକୁ ପଚାରିଲେ, "ମାଉସୀ, ଏ ବଳଦ କ'ଣ ବିନ୍ଧେ ?" ତତ୍ପରେ ସେ ବୁଢ଼ୀ ଉତ୍ତର ଦେଲା, "ପୁଅ ସେ କାହାକୁ ବିନ୍ଧିଦେବ କି ନାହିଁ ତା ତ ମୁଁ କହିପାରିବି ନାହିଁ । କିନ୍ତୁ ଏ ତା' ଅଧିକାରରେ ଯେତିକି ଜମି ଅଛି, କେବଳ ସେଇଥିରୁ ହିଁ ସେ ଘାସ ଖାଏ । ଅନ୍ୟ କାହା ଜମିରେ ପଶି ସେ ମୋଟେ ଘାସ ଖାଏ ନାହିଁ । କ'ଣ ପୁଅ ମୋ କଥା ବୁଝୁଛୁଟି ?" ତାଙ୍କ କଥା ଶୁଣି ଜମିଦାର କାବା ହୋଇଗଲେ । ସେ ଏଥର ଏ ବୁଢ଼ୀ କଥାର ମର୍ମ ବୁଝିଲେ । ବୁଢ଼ୀ ସେମାନେ ମନ୍ଦ ଉଦ୍ଦେଶ୍ୟରେ ବଗିଚା ଭିତରେ ପ୍ରବେଶ କରିଛନ୍ତି ବୋଲି ସନ୍ଦେହ କରି ଏକଥା କହିଛି । ବୁଢ଼ୀ ଚେତାଇ ଦେଲା କି ଅନଧିକାର ପ୍ରବେଶ ମୋଟେ ଭଲ ନୁହେଁ । ଅନ୍ୟର ସମ୍ପତ୍ତି ଉପରେ ଲୋଭ କରିବା ଭଲ ନୁହେଁ । ଜମିଦାର ବଗିଚା ଭିତରୁ ବାହାରି ଆସିବାବେଳେ ଗୁମାସ୍ତାଙ୍କୁ କହିଲେ, "ବାସ୍ତବିକ, ଖାଲି ଦେହର ବଳ ଦେଇ ଯେ କିଛି ଜିନିଷ ରକ୍ଷା କରାହୁଏ, ତାହା ନୁହେଁ, ଶବ୍ଦର ବଳ ବି କିଛି କମ୍ ନୁହେଁ । ନିଜର ତେଜ ଦେହର ବଳଠୁଁ ବି ଯଥେଷ୍ଟ ବେଶି କାମ ଦେଇପାରେ । ଏ ବୁଢ଼ୀର ତେଜ ଅଛି ।" "ହଁ, ତା'ଛଡା ଦାମୋଦରକୁ ଏଠିକା ଲୋକେ ଖୁବ୍ ଶ୍ରଦ୍ଧା ବି କରନ୍ତି । ତା' ହେପାଜତରେ ଥିବା ବଗିଚାର କେହି କେବେବି ଏତେ ସହଜରେ କ୍ଷତି କରିବ ନାହିଁ ।" ଗୁମାସ୍ତା ଏହା କହିଲେ ।

ଏଥୁଅନ୍ତେ ସେ ଦୁହେଁ ବଗିଚା ବାହାରେ ଯାଇ ଦାମୋଦରକୁ ଭେଟିଲେ । ଦାମୋଦର ଦେଖିବା କ୍ଷଣି ସେମାନଙ୍କୁ ଓଳିଗି ହେଲା । ଏହାପରେ ଜମିଦାର ତାକୁ କିଛି ଟଙ୍କା ଦେଇ କହିଲେ, "ଏତକ ରଖ ତୁମେ ତୁମ ଗାଁ'ପାଇଁ ଖର୍ଚ୍ଚ କରିବ ।

 

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ