
ଜାଣେନା ମାଆ ମୁଁ
ନଈପଠା ପାଖ ଗାଆଁର ମଶାଣି
ତୋ କୋଳରୁ କେତେଦୂର
କହିବି ପାରୁନି ହାତ ପାପୁଲିର
ଆୟୁଷ ରେଖାର ଗାର ॥
ଜୀବନ ସଂଗ୍ରାମେ ଇତଃସ୍ତତଃ ମୁଁ ଯେ
ପ୍ରତି ପାଦେ ସାବଧାନ
ଦୁଃଖ ଦୈନ୍ୟ ଆଉ ଯାତନା ପ୍ରହାରେ
କ୍ଳାନ୍ତ ଆଉ ମ୍ରିୟମାଣ ॥
ବିପଦେ ଆପଦେ ବହିଗଲେ କେବେ
ଆକ୍ଷି ଲୁହ ଦୁଇ ଧାର
ଏତିକି ଆଜି ମୋ ପୋଛିଦେବୁ ମା ଗୋ
ଅଭୟ ପଣତେ ତୋର,
ଜାଣିଛି ମାଆ ମୁଁ ଜନ୍ମଦାତ୍ରୀ ତୁହି
ଭାଗ୍ୟ ତୋ ବଶରେ ନାହିଁ
ହେଲେ ତୋ ଚରଣ ରେଣୁ କଣିକାଏ
ଭାଗ୍ୟ ପାରେ ବଦଳାଇ ॥
ସେଇ ଚରଣର ରେଣୁ ମୋ ମଥାରେ
ବୋଳି ଦେ ମାଆ ତୁ ଥରେ
ଚଲାପଥ ମୋର କଟିଯିବ ମାଆ ଗୋ
ନିର୍ଦ୍ଵନ୍ଦ ଓ ନିର୍ବିଘ୍ନରେ... ॥
ନାସିକେଶ୍ୱର, କାକଟପୁର, ପୁରୀ