ଜୀବନର କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ
ତୁମ ସହ ହେଲା ଯେବେ ମୋର ପ୍ରଥମ ଦେଖା
ରହିଯାଇଥିଲ ତୁମେ ମୋ ମାନସ ପଟରେ..
ଜାଣେ...
ତୁମକୁ ପାଇବା ପରେ
ହଜାଇ ଦେଇଥିଲି ନିଜକୁ କେଉଁ ଅଜଣା ଖୁସିରେ
ଅନୁଭବ କରିଥିଲି ବସନ୍ତର ମଳୟ ଏ ଜୀବନରେ...
ଜାଣେ...
କମଳ ସୂର୍ଯ୍ୟଙ୍କୁ ଭଲପାଇବା ପରି
କଇଁ ଚାନ୍ଦକୁ ଚାହିଁବା ପରି
ଭଲପାଏ ମୁଁ ତୁମକୁ..
ସ୍ୱପ୍ନରେ ସୁଧା ଚାହେଁନି ଭୁଲିବାକୁ...
କିନ୍ତୁ ଜାଣେ...
ବସନ୍ତ ଚିରସ୍ଥାୟୀ ନୁହେଁ
ମଳୟ ପରେ ଝାଞ୍ଜି ବୈଶାଖର
କୋଇଲିର କୁହୁତାନ ପରେ
କର୍କଶ ଗର୍ଜନ ଝିଙ୍କାରୀର...
ଜାଣେ...
କେବେହେଲେ ତୁମକୁ ପାଇପାରିବିନି
ଭଲପାଇବା ରହିଯିବ ହୃଦୟରେ
କାରଣ ସମାଜ ଏବେ ଯାଏଁ ପ୍ରେମର ମୂଲ୍ୟ ବୁଝିନି...
ଜାଣେ...
ଜୀବନର ପ୍ରତିଟି କ୍ଷଣରେ ତୁମକୁ ହିଁ ଭାବୁଥିବି
ପୁନର୍ବାର ବସନ୍ତର ଅପେକ୍ଷାରେ..
ସ୍ମୃତିକୁ ତୁମର ପାଥେୟ କରି
ବଞ୍ଚିବାର ବୃଥା ପ୍ରୟାସ କରିବି...
ଜାଣେ...
ତୃଷା ମେଣ୍ଟେନି ମରୀଚିକା ପଛେ ଧାଇଁ
ତଥାପି ତୁମକୁ ମୁଁ ଭଲପାଏ...
ତୁମକୁ ନେଇ ସ୍ଵପ୍ନ ଦେଖେ
ମନ୍ଦିରରେ ଦୀପ ଜାଳେ ପାଇବାର ଆଶା ନେ଼ଇ...
ବୋଧହୁଏ ଏଥିପାଇଁ କି..
ଏ ଦୁନିଆରେ ଅସମ୍ଭବ କିଛି ନାହିଁ... ॥