ଦାର୍ଢ୍ୟତା ଭକ୍ତି - ଦାନୀଶ୍ରେଷ୍ଠ କୀର୍ତ୍ତିଚନ୍ଦ୍ର - ଘନଶ୍ୟାମ ସାହୁ

0

ନଗରୀରେ ଚହଳ ପଡ଼ିଲା, "ଜଣେ ତେଜସ୍ଵୀ ଋଷି ଆଜି ଆମ ନଗରୀକୁ ଆସିଛନ୍ତି । ଗୈରିକ ବସନ ପରିଧାନ କରି ଦଣ୍ଡ କମଣ୍ଡଳୁ ହାତରେ ଧରିଛନ୍ତି । ସ୍କନ୍ଧରେ ଶୁଭ୍ର ଉପବୀତ ଝଟକି ଉଠୁଛି । ଶିରରେ ଜଟା, ମୁଖରେ ଶୁକ୍ଳବର୍ଣ୍ଣର ଶ୍ମଶ୍ରୁ, ପାଦରେ କଠାଉ । ମୁଖମଣ୍ଡଳର ଉଜ୍ଜ୍ୱଳ ଜ୍ୟୋତି ତାଙ୍କୁ ଜଣେ ତେଜସ୍ଵୀ ତପସ୍ୱୀ ବୋଲି ସୂଚାଇ ଦେଉଛି ।" କଥା ଏ କାନରୁ ସେ କାନକୁ ପ୍ରସାରିତ ହେବାକୁ ବେଶୀ ସମୟ ଲାଗିଲା ନାହିଁ । କଥାରେ ଅଛି, "ତୁଣ୍ଡ ବାଇଦ ସହସ୍ର କୋଶ" । ସନ୍ନ୍ୟାସୀଙ୍କ ପଛରେ ଏକ ଶୋଭାଯାତ୍ରା ପରି ଦୃଶ୍ୟ ପ୍ରତୀୟମାନ ହେଲା । ସନ୍ନ୍ୟାସୀ ଜଣକ ସିଧାସଳଖ ଯାଇ ରାଜପ୍ରାସାଦ ସମ୍ମୁଖରେ ପହଞ୍ଚିଗଲେ । ସନ୍ନ୍ୟାସୀଙ୍କ ନଗରୀକୁ ଆଗମନର ବାର୍ତ୍ତା ପହଞ୍ଚିବା ପାଇଁ ବିଶେଷ କିଛି ସମୟ ଲାଗିଲା ନାହିଁ । ରାଜା କୀର୍ତ୍ତିଚନ୍ଦ୍ର ନିଜେ ଅର୍ଘ୍ୟଥାଳୀ ଧରି ସନ୍ନ୍ୟାସୀଙ୍କୁ ଅପେକ୍ଷା କରିଥିଲେ । ସେ ସମୟରେ ପ୍ରାଚୀନ ଜମ୍ବୁଦ୍ୱୀପ ମଧ୍ୟରେ ପୁଣ୍ୟତୋୟା ଗଙ୍ଗାନଦୀ ତୀରରେ ଥିବା ବିଶାଳ ସାମ୍ରାଜ୍ୟର ଅଧିପତି ଥିଲେ କୀର୍ତ୍ତିଚନ୍ଦ୍ର । ଧର୍ମ ପରାୟଣ, ବିବେକୀ, ଜ୍ଞାନୀ ଏବଂ ପ୍ରଜାବତ୍ସଳ ରାଜା ହିସାବରେ ତାଙ୍କ ସମକକ୍ଷ କେହି ବି ନଥିଲେ । ତାଙ୍କ ପତ୍ନୀ ରାଣୀ ପଦ୍ମିନୀ ଦେଖିବାକୁ ଯେପରି ଅତି ସୁନ୍ଦର ଠିକ୍ ସେହିପରି ସେ ପତିପରାୟଣା, ସାଧ୍ୱୀ ତଥା ସ୍ନେହୀ ଥିଲେ । ସ୍ଵାମୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ସେ ସହଯୋଗ କରି ଉପଯୁକ୍ତ ପରାମର୍ଶ ଦେଉଥିଲେ । ରାଜା କୀର୍ତ୍ତିଚନ୍ଦ୍ର ବିଷ୍ଣୁ ଭକ୍ତ ଥିବାରୁ ତାଙ୍କ ରାଜ୍ୟରେ ପ୍ରତି ଗୃହ ସମ୍ମୁଖରେ ଶ୍ରୀହରି ଙ୍କ ଛବି ଅଙ୍କନ କରାଇବା ସହ ଘୋଷଣା କରିଥିଲେ ଯେ "କେହି ଅତିଥି କାହାର ଦ୍ଵାରରୁ ପହଞ୍ଚି ଖାଲିହାତରେ ନିରାଶ ହୋଇ ଫେରିବେ ନାହିଁ । ଭୋଜନ ସହ ଦାନ ଦକ୍ଷିଣା ପ୍ରଦାନ କରିବା ପାଇଁ ଯଦି ଆବଶ୍ୟକ ହୁଏ ତେବେ ତାହା ରାଜକୋଷରୁ ପ୍ରଦାନ କରାଯିବ । ପ୍ରତି ଗ୍ରାମରେ ସନ୍ଧ୍ୟା ସମୟରେ ଭାଗବତ ପୁରାଣ ପଢ଼ାଯିବା ସହ ବିଶେଷ ଦିନ ମାନଙ୍କରେ ସଙ୍କୀର୍ତ୍ତନ କରାଯିବ । ଏହାକୁ ଯିଏ ଅବଜ୍ଞା କରିବ ତାକୁ ରାଜ୍ୟରୁ ବହିଷ୍କାର କରାଯିବ ।" ଏହି ଘୋଷଣା ଯୋଗୁଁ ରାଜ୍ୟରେ ଧର୍ମର ବାତାବରଣ ସୃଷ୍ଟି ହୋଇଥିଲା । ତାଙ୍କ କୀର୍ତ୍ତି ଚତୁର୍ଦ୍ଦିଗରେ ପ୍ରସାରିତ ହେବାକୁ ଲାଗିଲା ।

ସନ୍ନ୍ୟାସୀଙ୍କୁ ପ୍ରଣାମ ପୂର୍ବକ ପାଦ ପ୍ରକ୍ଷାଳନ କରି ଭିତରକୁ ପାଛୋଟି ନେଲେ ରାଜା । ଆସନରେ ଉପବେଶନ କରିବାକୁ ଅନୁରୋଧ କଲେ ସେ । ସନ୍ନ୍ୟାସୀଙ୍କ କୁଶଳ ସମ୍ଭାଷଣ କରି ରାଜା ହାତଯୋଡି ବିନମ୍ର ଭାବେ କହିଲେ, "ହେ ମହାଭାଗ ! ଆଜି ଆପଣଙ୍କ ପରି ମହାନ୍ ଋଷିଙ୍କ ପାଦରେଣୁ ପଡ଼ି ମୋ ରାଜ୍ୟ ଆଜି ଧନ୍ୟ ହେଲା । କୃପା କରି ମୋତେ ଆପଣଙ୍କ ସେବା କରିବାର ସୁଯୋଗ ଦିଅନ୍ତୁ । ଧନରତ୍ନ, ସ୍ୱର୍ଣ୍ଣ ସହ ଅନ୍ୟ କିଛି ଯଦି ଆବଶ୍ୟକ ଏପରିକି ରାଜ୍ୟ ଯଦି ଚାହାଁନ୍ତି ତେବେ ମଧ୍ୟ ମୁଁ ଦେବାକୁ ପ୍ରସ୍ତୁତ ଅଛି । ଏହା ବ୍ୟତୀତ ଅନ୍ୟ କିଛି ଆବଶ୍ୟକ ଦୟାକରି ମୋତେ କୁହନ୍ତୁ । ମୁଁ ହସି ହସି ତାହା ପ୍ରଦାନ କରିବି । ଆପଣ ମୋ ପୁରରେ ପହଞ୍ଚି ଭୋଜନ ଗ୍ରହଣ କରି ସନ୍ତୁଷ୍ଟ ହେଲେ ମୋ ଆତ୍ମା ଶାନ୍ତି ଲାଭ କରିବ ।" ରାଜାଙ୍କ ବିନୟ ବଚନରେ ମୁଗ୍ଧ ହୋଇ ସନ୍ନ୍ୟାସୀ କହିଲେ, "ହେ ରାଜନ୍ ! ଦୀର୍ଘ ଦିନ ତପ ସାଧନ କରୁ କରୁ ସଂସାରର ଅନେକ କିଛି ରହସ୍ୟ ଜାଣିବାକୁ ବାକି ରହିଗଲା । କାମ ବାସନା ଠାରୁ ଦୂରରେ ରହି ତପ ସାଧନ କରି ସାରିବା ପରେ ଆମେ ଏବେ ସେହି କାମନା ଦ୍ଵାରା ପୀଡ଼ିତ । ଏହି କଥା କାହାଆଗରେ ପ୍ରକାଶ କରିବାକୁ ସାହସ ହେଉନାହିଁ । ତୁମ କୀର୍ତ୍ତି ଚତୁର୍ଦ୍ଦିଗରେ ମହକି ଉଠୁଛି । ତେଣୁ ବହୁ ଆଶା ନେଇ ଏଠାକୁ ଆସିଛି । ମୋ ଅଭିଷ୍ଠ ପୂରଣ ହେବା ପ୍ରତିଶ୍ରୁତି ପାଇବା ପରେ ଯାଇ ଏଠାରେ ଭୋଜନ ଗ୍ରହଣ କରିବା ସମ୍ଭବ ହେବ । ମନା କଲେ ମଧ୍ୟ ମୋର ଆପତ୍ତି ନାହିଁ । ବିନା ଦ୍ଵିଧାରେ ମୁଁ ଅନ୍ୟତ୍ର ଚାଲିଯିବି । ଏହି କଥା କେହି ଜାଣି ପାରିବେ ନାହିଁ । ତୁମ ରାଣୀ ଅତ୍ୟନ୍ତ ରୂପବତୀ । ଯଦି କିଛି ନଭାବି କେବଳ ଆଜି ରାତିରେ ତାଙ୍କ ସହ ସମୟ ବିତାଇବାକୁ ଦିଆଯାଏ ତେବେ ମୁଁ ଏଠି ରହିବି, ନଚେତ୍ ଚାଲିଯିବି । ତେବେ ହଁ ଏଇ ସର୍ତ୍ତ ପୂରଣ ପାଇଁ ତୁମେ କିଛି ସମୟ ନେଇପାରିବ । ମୁଁ ଅପେକ୍ଷା କରିଛି ।" ଏହା ଶୁଣି ରାଜା କୀର୍ତ୍ତିଚନ୍ଦ୍ରଙ୍କ ପାଦତଳୁ ମାଟି ଖସିଗଲା ଯେପରି ! ସାମାନ୍ୟ ବିଚଳିତ ହେଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେଇ ସେ ତାଙ୍କ ପ୍ରାଣ ପ୍ରିୟା ପତ୍ନୀଙ୍କ ପାଖରେ ପହଞ୍ଚି ସବୁ କଥା ଜଣାଇଲେ । କିଛି ନ ଜାଣି ପ୍ରତିଶ୍ରୁତି ଦେଇ ଥିବାରୁ ସେ ରାଣୀଙ୍କ ପାଖରେ ଅପରାଧୀ ବୋଲି କହିବା ସହ ଏହାର କିପରି ସମାଧାନ କରାଯିବ ସେ କଥା ପଚାରିଲେ । ମହାରାଜଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରାଣୀ ପଦ୍ମିନୀ କହିଲେ, "ହେ ସ୍ୱାମୀ ! ଆପଣ  ବିଜ୍ଞ ହୋଇ ଏହା ମୋତେ କିପରି କହୁଛନ୍ତି ? ଆପଣଙ୍କୁ କନ୍ୟାଦାନ କରିବା ପରେ ପିତା ଆପଣଙ୍କର ପ୍ରତ୍ୟେକ ଆଜ୍ଞା ପାଳନ କରିବା ପାଇଁ ମୋତେ କହିଛନ୍ତି । ଏ ଶରୀର କ୍ଷଣସ୍ଥାୟୀ । ଆତ୍ମାର ବିନାଶ ହୁଏ ନାହିଁ । ଏ ଶରୀର ସାଧୁଙ୍କ ସେବାରେ ନିୟୋଜିତ ହେଲେ ଆମର ସର୍ତ୍ତ ପୂରଣ ହେବା ସହ ଧର୍ମକାର୍ଯ୍ୟରେ କାମ କରିବା ପାଇଁ ସୁଯୋଗ ମିଳିବ । ଆପଣ କିଛି ନ ଭାବି ରାଜି ହୋଇ ଯାଆନ୍ତୁ ।" ରାଣୀ ପଦ୍ମିନୀଙ୍କୁ ଧନ୍ୟବାଦ ଦେଇ ରାଜା ସନ୍ନ୍ୟାସୀଙ୍କୁ ତାଙ୍କ ଇଚ୍ଛା ପୂରଣର ପ୍ରତିଶ୍ରୁତି ଦେଲେ । ତାଙ୍କୁ ଅତିଥିଶାଳାରେ ବିଶ୍ରାମ କରିବା ନିମନ୍ତେ ଅନୁରୋଧ କରି ବିଭିନ୍ନ ସୁମିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା କରାଇଲେ ।

ସୂର୍ଯ୍ୟଙ୍କର ରକ୍ତିମ ଆଭା ପଶ୍ଚିମ ଦିଗରେ ମନୋରମ ଛବିଟିଏ ଆଙ୍କି ଦେଲା ଯେପରି । ବୃକ୍ଷ ଲତା ପରିପୂର୍ଣ୍ଣ ପର୍ବତ ଦୂର ଦିଗନ୍ତରେ ରଙ୍ଗ ପରିବର୍ତ୍ତନ କଲା । କଳରବରେ ଚତୁର୍ଦ୍ଦିଗ ଗୁଞ୍ଜରିତ ହେଲା । ପକ୍ଷୀମାନେ ସ୍ୱ ସ୍ୱ ନୀଡ଼କୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ମନ୍ଦିର ଗୁଡିକରେ ସନ୍ଧ୍ୟା ଆଳତି ସହ ଘଣ୍ଟ ଶଙ୍ଖ ଶବ୍ଦରେ ପରିବେଶ ପବିତ୍ର ହୋଇଗଲା । ଧୀରେ ଧୀରେ ନଗରୀ ଅନ୍ଧାରରେ ଆଚ୍ଛାଦିତ ହେବାରୁ ଘରେ ଘରେ ପ୍ରଦୀପ ପ୍ରଜ୍ଵଳିତ ହେଲା । ଏଣେ ରାଣୀ ଅନ୍ତଃପୁରରେ ବିଶ୍ୱସ୍ତା ଦାସୀ ମାନଙ୍କ ଦ୍ଵାରା ନାନା ପ୍ରସାଧନ ସାମଗ୍ରୀରେ ଭୁଷିତ ହୋଇ ପ୍ରସ୍ତୁତ ହୋଇ ଚାହିଁ ରହିଲେ ରାଜାଙ୍କ ଆସିବା ପଥକୁ । ରାଜା ପହଞ୍ଚିବା କ୍ଷଣି ସେ ଅଳ୍ପ କେତେକ ଦାସୀଙ୍କୁ ନେଇ ସନ୍ନ୍ୟାସୀଙ୍କ ନିକଟରେ ପହଞ୍ଚିଗଲେ । ସନ୍ନ୍ୟାସୀଙ୍କ ନିକଟରେ ରାଣୀ ପ୍ରଣିପାତ କଲେ । ରାଜା ରାଣୀ ପଦ୍ମିନୀଙ୍କୁ ସନ୍ନ୍ୟାସୀଙ୍କ କକ୍ଷରେ ରଖି ବାହାରକୁ ଆସିଲା ମାତ୍ରକେ ଭିତରପଟୁ କବାଟ ବନ୍ଦ ହୋଇଗଲା । ରାଣୀଙ୍କ ମୁଖମଣ୍ଡଳରେ ତିଳେ ହେଲେ ବିଚଳିତ ହେବାର ଲକ୍ଷଣ ନଥିଲା । ବରଂ ସେ ଦୁଇ ହାତ ଯୋଡ଼ି ସନ୍ନ୍ୟାସୀଙ୍କୁ କହିଲେ, "ବର୍ତ୍ତମାନ ମୁଁ ଆପଣଙ୍କ ସେବାରେ ଉପସ୍ଥିତ । ମୋ ପ୍ରତି ସଦୟ ହୋଇ ଆଦେଶ କରନ୍ତୁ ମୁଁ ଆପଣଙ୍କ କେଉଁ ପ୍ରକାର ସେବା କରି ପାରିବି ? "ସନ୍ନ୍ୟାସୀ କିଛି ସମୟ ଚିନ୍ତା କଲେ । ନିଜ ହସ୍ତ ପ୍ରସାରଣ କରି ସ୍ମିତ ହାସ୍ୟ ପୂର୍ବକ ରାଣୀଙ୍କ ମସ୍ତକରେ ରଖି କିଛି ମନ୍ତ୍ର ଉଚ୍ଚାରଣ କଲେ । ସନ୍ନ୍ୟାସୀଙ୍କ କର ସ୍ପର୍ଶରେ ଏକ ଅପୂର୍ବ ପୁଲକ ଅନୁଭବ କଲେ ରାଣୀ ପଦ୍ମିନୀ । କିଛି ସମୟ ପରେ ରାଣୀଙ୍କ ଶରୀର ନିଷ୍ପ୍ରାଣ ହୋଇଗଲା ।

ପ୍ରଭାତ ସମୟରେ ରାଣୀ ପଦ୍ମିନୀ ସନ୍ନ୍ୟାସୀଙ୍କ କକ୍ଷରୁ ଅନ୍ତଃପୁରକୁ ଫେରି ଆସିବାର ଥିଲା । କିଛି ସମୟ ଅପେକ୍ଷା କଲା ପରେ ରାଜା ସନ୍ନ୍ୟାସୀଙ୍କ କକ୍ଷ ପାଖରେ ପହଞ୍ଚିଲେ । ଭିତରେ କିଛି ହେଲେ ଶବ୍ଦ ଶୁଭୁ ନଥିଲା । ନାନା ପ୍ରକାର ଆଶଙ୍କା କରି କବାଟ ଭାଙ୍ଗି କାଢି ଦିଆଗଲା । ଭିତରେ ସନ୍ନ୍ୟାସୀଙ୍କ ଚିହ୍ନ ବର୍ଣ୍ଣ କିଛି ନ ଥିଲା । ରାଣୀଙ୍କ ଶରୀର ନିସ୍ତେଜ ହୋଇ ପଡ଼ି ରହିଥିଲା । ପିଣ୍ଡରେ ପ୍ରାଣ ନଥିଲା କି ଶରୀରରେ କୌଣସି ଆଭୁଷଣ ନଥିଲା । ରାଜା ଶୋକରେ ଅଧୀର ହୋଇ ପଡିଲେ ପ୍ରାଣପ୍ରିୟାକୁ ଝୁରି କିଛି ସମୟ ପାଇଁ । ପ୍ରକୃତିସ୍ଥ ହେଲା ପରେ କିଛି ସମୟ ଚିନ୍ତା କରି ଦୂତ ମାନଙ୍କୁ ଚତୁର୍ଦ୍ଦିଗ ପ୍ରେରଣ କରି ଯେଉଁଠି ସନ୍ନ୍ୟାସୀଙ୍କୁ ପାଇବେ ସସମ୍ମାନେ ତାଙ୍କ ନିକଟରେ ଉପସ୍ଥିତ କରାଇବା ପାଇଁ ଆଦେଶ ଦେଲେ । ଚାରିଆଡ଼େ ସେଇ ଗୋଟାଏ ଚର୍ଚ୍ଚା, "ରାଣୀଙ୍କ ଅଳଙ୍କାର ଚୋରି କରି ରାଣୀଙ୍କୁ ସନ୍ନ୍ୟାସୀ ମାରି ଦେଇଛି ।" କିଛି ଘଣ୍ଟା ମଧ୍ୟରେ ସନ୍ନ୍ୟାସୀଙ୍କୁ ଧରି ଦୂତ ମାନେ ରାଜସଭାରେ ପହଞ୍ଚି ଗଲେ । ପ୍ରଜାମାନଙ୍କ ମନରେ ସନ୍ନ୍ୟାସୀଙ୍କ ପ୍ରତି କଠୋର ମନୋଭାବ ଥିଲେ ମଧ୍ୟ ରାଜାଙ୍କ ଆଦେଶରେ ଚୁପ୍ ରହି ନିଷ୍ପତ୍ତିକୁ ଅନାଇ ରହିଲେ । ରାଜା ଋଷିଙ୍କ ପାଦତଳେ ପଡ଼ି ଅତ୍ୟନ୍ତ ବିନୟୀ ହୋଇ କହିଲେ, "ହେ ମହାଭାଗ ! କିଛି ଅପରାଧ ଥିଲେ ଉଦାର ହୃଦୟରେ କ୍ଷମା ପ୍ରଦାନ କରନ୍ତୁ । ଆପଣ ସାଧାରଣ ମାନବ ନୁହନ୍ତି ‌। ଏ ପରୀକ୍ଷାର ଅନ୍ତ ଘଟାଇ ମୋର ପ୍ରାଣପ୍ରିୟା ପତ୍ନୀକୁ ଜୀବନ ଦାନ କରନ୍ତୁ । ମୋତେ ଦୟା କରନ୍ତୁ ।" ଏହା ଶୁଣିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ।ଏକ ଉଜ୍ଜ୍ୱଳ ଜ୍ୟୋତିରେ ରାଜସଭା ଆଲୋକିତ ହୋଇ ଉଠିଲା । ସନ୍ନ୍ୟାସୀଙ୍କ ବଦଳରେ ଉଭା ହୋଇଥିଲେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି ଚତୁର୍ଭୁଜ ନାରାୟଣ । ସ୍ମିତ ହସି କହିଲେ, "ଧନ୍ୟ ! ରାଜା କୀର୍ତ୍ତିଚନ୍ଦ୍ର, ତୋର ପରୀକ୍ଷା ଶେଷ ହୋଇଛି । ତୋର ମଙ୍ଗଳ ହେଉ । ସତୀ ରାଣୀ ପଦ୍ମିନୀଙ୍କୁ ନେଇ ସୁଖରେ ପ୍ରଜା ପାଳନ କରିବୁ । ଅନ୍ତଃକାଳରେ ତୁମେ ଦୁଇଜଣ ବୈକୁଣ୍ଠରେ ସ୍ଥାନ ପାଇବ ।" ଏହା କହି ସେ ତତକ୍ଷଣାତ ଅନ୍ତର୍ଦ୍ଧାନ ହୋଇଗଲେ । ଚାରିଆଡେ଼ ପ୍ରତିଧ୍ୱନିତ ହେଉଥିଲା, "ଶ୍ରୀହରି ନାରାୟଣଙ୍କର ଜୟ । ଦାନଶୀଳ ରାଜା କୀର୍ତ୍ତିଚନ୍ଦ୍ରଙ୍କର ଜୟ" ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ