ଡାକ୍ତରାଣୀ ଆଈ - ବି. ନିରୁପମା

0

ଏ ବର୍ଷ ଖୁସି ଦଶହରା ପୂଜା ଖୁବ ଖୁସିରେ କାଟିବାକୁ ମନସ୍ଥ କରିଥିଲା । ତେଣୁ ସେଥିପାଇଁ ସବୁ ପ୍ରସ୍ତୁତି ସାରିବା ସହ ଗାଆଁରେ ଥିବା ଜେଜେବାପା ଜେଜେମାଙ୍କ ପାଖକୁ ଚିଠି ମଧ୍ୟ ଲେଖିଥିଲା । ସେମାନେ ଏଠାକୁ ଆସିଲେ ପୂଜାଟା ପୂରା ଜମିଯିବ । ଘରେ ମା' କେତେ ପ୍ରକାର ପିଠା, ମିଠା ତିଆରି କରିବେ । ସେ ସାଙ୍ଗମାନଙ୍କୁ ଘରକୁ ଡାକି ସବୁ ଖୁଆଇବ, ଆଉ ସନ୍ଧ୍ୟା ହେଲେ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ବାପା, ମାଆଙ୍କ ସହିତ ଯାଇ ମେଢ଼ ଦେଖିବ । ରାତିକୁ ଜେଜେ, ଜେଜେମା'ଙ୍କ ପାଖରୁ କେତେ ମଜା ମଜା କାହାଣୀ ଶୁଣିବ । ଶୋଇ ଶୋଇ ତାକୁ ସ୍ଵପ୍ନ ବି ଦେଖିବ । ହେଲେ ତା'ର ଏତେ ଯୋଜନା ଏବଂ ଆନନ୍ଦ ଫସର ଫାଟି ଗଲା । ସ୍କୁଲ ଛୁଟି ହେବା ପୂର୍ବଦିନ ଘରକୁ ଫେରିବା ବେଳେ ବର୍ଷା ହେବାରୁ ଖୁସି ଭିଜିଗଲା ।

ଝିଅ ଓଦା ସରସର ହୋଇ ଫେରିଛି । ମା' ସଙ୍ଗେ ସଙ୍ଗେ ତା'ର ପୋଷାକ ବଦଳାଇଲେ । ଶୁଖିଲା କପଡ଼ା ଆଣି ଭଲକରି ପୋଛି ଦେଲେ ଦେହ ଓ ମୁଣ୍ଡକୁ । ପରେ କିଛି ଗରମ କ୍ଷୀର ପିଇବାକୁ ଦେଲେ । ସେଦିନ ସନ୍ଧ୍ୟାରେ ସ୍ଫୁର୍ତ୍ତି କି ଆଗ୍ରହ ଲାଗିଲାନି । ତେଣୁ ଟିକେ ପଢ଼ାପଢ଼ି କରି ଅଳ୍ପ କିଛି ଖାଇ ଖୁସି ଶୋଇପଡ଼ିଲା ।

ରାତି ପାହିବାକୁ ଆହୁରି କେତେ ସମୟ ବାକି । ଖୁସି ବାଉଳି ହୋଇ ଉଠିପଡ଼ିଲା । ତା' ନାକରୁ ପାଣି ଗଡ଼ିବା ସହ ଆରମ୍ଭ ହୋଇଗଲା ପ୍ରବଳ ଛିଙ୍କ । ଦେହରେ ତାତି । ପୁଣି ଗଳା ଦରଜକୁ ଖୁଁ ଖୁଁ କାଶ । ଝିଅର ଦେହ ଅସୁସ୍ଥ । ବାପା, ମା' ବ୍ୟସ୍ତ ହୋଇପଡ଼ିଲେ । ସକାଳ ହେବାରୁ ବାପା ଖୁସିକୁ ନେଇ ଡାକ୍ତରଙ୍କୁ ଦେଖାଇଲେ । ଡାକ୍ତର ତାକୁ ପରୀକ୍ଷା କରି କହିଲେ, "ବ୍ୟସ୍ତ ହେବାର କିଛି ନାହିଁ, ବର୍ଷାରେ ଭିଜିଯିବାରୁ ଭୂତାଣୁ ଜନିତ ଜ୍ୱରଟିକେ ଧରିନେଇଛି । ମୁଁ ଔଷଧ ଲେଖିଦେଉଛି, ବ୍ୟବହାର କଲେ ଦୁଇ ତିନିଦିନ ଭିତରେ ସର୍ଦ୍ଦି, କାଶ ଭଲ ହୋଇଯିବ ।"

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖୁସି ଔଷଧ ଖାଇଲା । ଉଷୁମ ପାଣିରେ ଲୁଣ ପକାଇ ଗଳଗଳ ବି କଲା । ସତକୁସତ ଦୁଇଦିନ ଭିତରେ ଟିକେ ଭଲ ହୋଇ ଆସିଲା ତା' ଦେହ । ଛିଙ୍କ ଆଉ ତାତି ଆଦୌ ନାହିଁ । ମଝିରେ ମଝିରେ କେବଳ ଶୁଖିଲା କାଶ ଯୋଗୁଁ ଖୁସି କାଶି କାଶି ଅଣନିଃଶ୍ଵାସୀ ହୋଇପଡ଼ୁଥାଏ ।

ସେଦିନ ସନ୍ଧ୍ୟାରେ ଖୁସିର ଜେଜେ ଓ ଜେଜେମା ଗାଆଁରୁ ଆସି ପହଞ୍ଚିଲେ । ସାଥିରେ ନାତୁଣୀ ପାଇଁ କେତେ ରକମର ଦରବ ଆଣିଥା'ନ୍ତି । ଆରିସା ପିଠା, ରାଶିଲଡ଼ୁ, ଖଇମୁଆଁ, ନଡ଼ିଆକୋରା, ମହୁ ଆଉ ଖାଣ୍ଟି ଗାଈ ଘିଅ । ଖୁସି ଆରିସାପିଠାରୁ ଗୋଟିଏ ଆଣି ଚୋବାଉ ଚୋବାଉ ତଣ୍ଟିରେ ଲାଗିଗଲା । ଏଥରକ ଆରମ୍ଭ ହୋଇଗଲା ପୁଣି ସେଇ ଶୁଖିଲା କାଶ । କାଶି କାଶି ସେ ନୟାନ୍ତ ହୋଇପଡ଼ିଲାଣି । ତଥାପି କାଶ ଛିଣ୍ଡୁନି । ଜେଜେମା ନାତୁଣୀର ଅବସ୍ଥା ଦେଖି ଅସମ୍ଭାଳ । ବ୍ୟସ୍ତହୋଇ ସେ ଖୁସିର ଦେହ ମୁଣ୍ଡକୁ ଆଉଁସି ପକାଉଥା'ନ୍ତି । ବୋହୂକୁ ଏ ସମ୍ପର୍କରେ ପଚାରିବାରୁ ଖୁସିର ମା' କହିଲେ, "ବ୍ୟସ୍ତ ହୁଅନ୍ତୁନି ମାଆ, ବର୍ଷାରେ ଭିଜିଯିବାରୁ ତାକୁ ଥଣ୍ଡାଜ୍ଵର ଧରିଥିଲା । ଡାକ୍ତରଙ୍କ ପରାମର୍ଶ କରି ଔଷଧ ବି ଦିଆଯାଉଛି । ଆଉ ଦିନେ ଦୁଇଦିନ ଭିତରେ ସେ ଭଲ ହୋଇଯିବ ।"

"କ'ଣ କହିଲୁ, ବ୍ୟସ୍ତ ହେବିନି ! ମୋ ନାତୁଣୀର ଦେହ ଖରାପ, ମୁଁ ଚୁପ ହୋଇ ରହିବି, ପୁଣି ଆହୁରି ଦିନେ ଦୁଇଦିନ ପର୍ଯ୍ୟନ୍ତ !! ହଉ ଶୁଣ, ମୋ ମୁଣିରେ ଥିବା ମହୁ ଶିଶିଟାକୁ ନେଇ ଆ' । ଆଉ ଗୋଟେ ବଡ଼ ପିଆଜ ଦେ ।"

ଖୁସିର ମା' ଶାଶୁ ବରାଦ କରିଥିବା ଚିଜକୁ ଆଣି ତାଙ୍କୁ ଦେଲେ । ଜେଜେମା ପିଆଜକୁ ଛେଚି ରସ କାଢ଼ିଲେ । ଚାମଚେ ପିଆଜ ରସ ସହିତ ଅଧଚାମଚ ମହୁକୁ ଏକତ୍ର ମିଶାଇ ନାତୁଣୀକୁ କହିଲେ, "ନେ, ୟାକୁ ଚାଟି ଚାଟି ଖାଇଦେ । କାଲିକୁ ଆଉ ଦୁଇ ତିନିଥର ଖାଇଦେବୁ । ଏ କାଶ ପୂରା ଭଲ ହୋଇଯିବ । "ଶାଶୁଙ୍କର ଦେଶୀ ଚିକିତ୍ସା ଦେଖି ବୋହୂ ଟିକେ ଡରିଯାଇ କହିଲେ, "ଥାଉ ମା', ସେ ତ ଔଷଧ ଖାଉଛି । ଏ ସବୁ ଖାଇଲେ କାଳେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବ !"

"ଆଲୋ, ନ ଜାଣି ନ ଶୁଣି ମୁଁ କ'ଣ ଏ କଥା କହୁଛି ! ମୁଁ ପରା ଥଣ୍ଡା କାଶ ହେଲେ କେତେଥର ମୋ ପିଲାଙ୍କୁ ଏଇ ଓଷଦ ପିଆଇଛି । ଶୁଣ, ଡାକ୍ତରି ଚିକିତ୍ସା କରିବାକୁ ମୁଁ ତୋତେ ମୋଟେ ମନା କରୁନି । ହେଲେ ସେ ଦିନ ମୋ ନାତୁଣୀ ବର୍ଷାରେ ଭିଜିଗଲା ପରେ ତୁ ଯଦି ଅଧଚାମଚ ଗୁଆଘିଅ ନିଆଁରେ ଉଷୁମ କରି ତା' ହାତରେ ପାଦରେ ମାଲିସ କରିଥାଆନ୍ତୁ, ତା' ହେଲେ ତାକୁ ଏତେ କଷ୍ଟ ଭୋଗିବାକୁ ପଡ଼ି ନ ଥା'ନ୍ତା । ହେଇଟି, ମୁଁ ଏଥରକ ଖାଣ୍ଟି ଗାଈଘିଅ ବୋତଲେ ନେଇ ଆସିଛି, ତାକୁ ଯତ୍ନରେ ସାଇତି ରଖିଥିବୁ । ଥଣ୍ଡା ଧରିଲେ ହାତରେ ପାଦରେ ଆଉ ଗଳା ଦରଜ ହେଲେ ଗଳାରେ ଉଷୁମ କରି ମାଲିସ କରିବୁ । ଉପକାର ପାଉଛୁ କି ନାହିଁ ପରୀକ୍ଷା କଲାପରେ କହିବୁ । ଏବେ ଯା', ମୋ ନାତୁଣୀକୁ ଏଇ ଘିଅରୁ ଟିକେ ଉଷୁମ କରି ଲଗାଇଦେ ।"

ବୋହୂ ଶାଶୁଙ୍କର ନିର୍ଦ୍ଦେଶ ପାଳନ କଲେ । ଖୁସି ମଧ୍ୟ ଜେଜେମାଙ୍କ କଥା ମାନି ପିଆଜ ରସ ଓ ମହୁକୁ ଚାଟି ଚାଟି ଖାଇଲା । ପରଦିନ ଆଉ ତିନିଥର ସେଇ ଔଷଧ ଖାଇବାରୁ ତା'ର କାଶ ସମ୍ପୂର୍ଣ୍ଣ ଭଲ ହୋଇଗଲା । ଏଥର ଖୁସିର ଖୁସି ପୁଣି ଫେରି ଆସିଲା । ସେଦିନ ସନ୍ଧ୍ୟାରେ ନୂଆ ପୋଷାକ ପିନ୍ଧି ପୂରା ପରିବାର ସହ ଦଶହରା ମେଢ଼ ଦେଖିବାକୁ ଗଲା । ଝିଅ ମୁହଁରେ ହସ ଦେଖି ଖୁସିର ମା' କହିଲେ, "ଯା' ହେଉ, ଶାଶୁମା'ଙ୍କ ଡାକ୍ତରାଣୀ ପଣିଆକୁ ମାନିବାକୁ ପଡ଼ିବ । ତାଙ୍କ ଲାଗି ସିନା ମୋ ଝିଅର ଏ ବର୍ଷ ଦଶହରା ଦେଖିବା ସମ୍ଭବ ହେଲା । ନୋହିଲେ, ପୂଜା ଦେଖି ନପାରିବା ଦୁଃଖଟା ତାକୁ ଅନେକ ଦିନଯାଏ ଘାରିଥା'ନ୍ତା । ମା' ଏଥର ମୁଁ ଆପଣଙ୍କର ଏ ଚିକିତ୍ସାକୁ ମନେ ରଖିଲି । ଭବିଷ୍ୟତରେ ନିଜେ କାମରେ ଲଗାଇବା ସହ ଅନ୍ୟମାନଙ୍କୁ ବି ଜଣାଇବି । ଠିକ ଭାବରେ ଉପଚାର କଲେ ସେମାନେ ମୋ ଭଳି ଉପକୃତ ହେବେ ।"

ବୋହୂର କଥା ଶୁଣି ଜେଜେମା କହିଲେ, "ମୋତେ ଲାଗୁଛି, ନାତୁଣୀ ଅପେକ୍ଷା ମୋ ଓଷଦଟା ତୋତେ ବେଶୀ କାଟୁ କରିଛି ।"

ସେ କଥା ଶୁଣି ସମସ୍ତେ ଏକ ସଙ୍ଗରେ ହସିଉଠିଲେ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ