ବଜ୍ର ସମ ବଚନ ଯା'ର - ବି. ନିରୁପମା

0

ବଜ୍ର ସମ ବଚନ ଯାହାର
ସିଂହ ସମାନ ଠାଣି,
କୋଟି ଜନଙ୍କୁ ଗୋଟିଏ ମନ୍ତ୍ର
ଆଣିଲା ତା'ର ଟାଣି ।
ନ ଜାଣେ କୁହ କିଏ !
ଆଜାଦହିନ୍ଦ ଫଉଜ ମୁଖ୍ୟ
ଆମ ନେତାଜୀ ସିଏ ॥

ଜୟହିନ୍ଦର ଜୟ ଘୋଷରେ 
ଥରାଇଦେଲା ବିଶ୍ୱ,
ବଇରୀ ଦମ୍ଭ ହରାଇ ତାଙ୍କୁ
ଡରାଇ କଲା ନିଃସ୍ଵ ।
ନଜରବନ୍ଦୀ ଟାଳି,
ଦରିଆ ପାରି କେମିତି ଗଲା
ବିଦେଶୀ ହେଲା ଭାଳି ॥

ତାଆରି ବାଣୀ ସୁଦୃଢ଼ କଲା
ଦେଶରେ ଭାଇଚାରା,
ଦେଶପ୍ରେମରେ ମଜ୍ଜିଗଲେ ତ
ଏ ଦେଶବାସୀ ସାରା ।
ଦେଶଦ୍ରୋହୀଏ ଲାଗି,
ବଇରୀ ସାଥେ ମିଳିତ ହୋଇ
ଯୋଜନା ଦେଲେ ଭାଙ୍ଗି ॥

ମହତ କାର୍ଯ୍ୟ କରି ସେ ବୀର
ଉଭାଇ ଗଲା କାହିଁ,
ଫେରିବ ଦିନେ ଫେରିବ ହୋଇ
ଆଉ ଫେରିଲା ନାହିଁ ।
ଗଲାଣି ଯୁଗ ବିତି,
ଅମର ହୋଇ ରହିଛି ତା'ର
ଏବେ ବି ସେହି କୀର୍ତ୍ତି ॥

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ