ଦାର୍ଢ୍ୟତା ଭକ୍ତି - ଅନନ୍ତ ଶବର ଉପାଖ୍ୟାନ - ଘନଶ୍ୟାମ ସାହୁ

0

"ରହିଯାଅ । ତୁମେ ଏହାକୁ ନେଇ ଯାଇ ପାରିବ ନାହିଁ । କଥା ନ ମାନିଲେ ତାକୁ ଆମେ ନିଶ୍ଚିତ ଭାବରେ ତୁମ ପାଖରୁ ବଳପୂର୍ବକ ନେଇ ଯିବାକୁ ବାଧ୍ୟ ହେବୁ ।" ବିଷ୍ଣୁଦୂତ ମାନଙ୍କ ଏ ପ୍ରକାର ଦମ୍ଭୋକ୍ତି ଶୁଣି ଅଟକି ଗଲେ ଯମ ଦୂତମାନେ । "କିନ୍ତୁ ଆମକୁ କାମରେ ଅଟକାଇଲେ କାହିଁକି ? ଏହି ଭଳି ମହାପାପୀକୁ କେଉଁ କାରଣରୁ ଆପଣ ମାନେ ଆମଠାରୁ ନେଇଯିବାକୁ ଚାହାନ୍ତି ?" ଯେଉଁ ବ୍ୟକ୍ତିର ଆତ୍ମାକୁ ନେଇ ଯମଦୂତ ମାନଙ୍କ ସହ ବିଷ୍ଣୁଦୂତ ମାନଙ୍କ ଯୁକ୍ତିତର୍କ ଚାଲିଥିଲା ତାହାର ଏକ ଉଦାହରଣ ଦେଇ ଶିଷ୍ୟ ମନୁ ରାଜାଙ୍କୁ ଗୁରୁ ଚୈତନ୍ୟ ନାମର ମାହାତ୍ମ୍ୟ ବିଷୟରେ ବୁଝାଉଥିଲେ । ଭକ୍ତି ନକରି କେବଳ ନାମ ନେଇ ବା ଭଗବାନଙ୍କ ନାମ ଶୁଣି କିଛି ଭକ୍ତ ଯଦି ସ୍ୱର୍ଗ ପ୍ରାପ୍ତି କରିଥାନ୍ତି, ସେ ବିଷୟରେ କହିବାକୁ ଅନୁରୋଧ କରିଥିଲେ ରାଜା ମନୁ । ଗୁରୁ ଚୈତନ୍ୟ କହିଥିଲେ, "ହେ ରାଜନ୍ ପ୍ରଭୁ ଦେବ ଦେବ ମହାଦେବ ରାମନାମ ହିଁ ସବୁବେଳେ ଉଚ୍ଚାରଣ କରୁଥିଲେ । ଭୁଷଣ୍ଡକାକ ରାମ ନାମ ଜପ କରି ଅମରତ୍ୱ ଲାଭ କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ମହାବଳୀ ହନୁମାନ ସାତ ସମୁଦ୍ର ପାରି ହୋଇ ମାତା ସୀତାଙ୍କୁ ଠାବ କରିଥିଲେ । ଲଙ୍କା ଦହନ କରିବା ସହ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ଶ୍ରୀରାମଙ୍କୁ ସହାୟତା କରିଥିଲେ ଏବଂ ଅନେକ ଚମତ୍କାରିତା ଦେଖାଇ ଏବେ ମଧ୍ୟ ଅମର ହୋଇ ରହିଛନ୍ତି । କଳିଯୁଗରେ କେବଳ ହରି ନାମ ଗାନ କଲେ ଘୋର ପାପରୁ ମୁକ୍ତି ମିଳି ପାରିବ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ସେହି ରାମ ନାମକୁ ଶୁଣି କିପରି ଜଣେ ମହାପାପୀ ସ୍ୱର୍ଗ ଲୋକରେ ସ୍ଥାନ ପାଇଥିଲା, ସେ ବିଷୟରେ କହିବାକୁ ଯାଉଛି । ମନ ଦେଇ ଶୁଣ... ।"

ସବୁଜ ଘଞ୍ଚ ଅରଣ୍ୟକୁ ଲାଗି ସୁଉଚ୍ଚ ପାହାଡ଼ରେ ସକାଳ ସୂର୍ଯ୍ୟଙ୍କର ରକ୍ତିମ ଆଭା ପ୍ରକୃତିର ସୈ।ନ୍ଦର୍ଯ୍ୟକୁ ବହୁ ଗୁଣିତ କରୁଥିଲା । ବିହଙ୍ଗମାନେ ସ୍ୱ ସ୍ୱ ନୀଡ଼ ତ୍ୟାଗ କରି ନାନାଦି କଳରବରେ ଚତୁର୍ଦ୍ଦିଗକୁ ଖାଦ୍ୟ ଅନ୍ୱେଷଣରେ ବାହାରିପଡିଥିଲେ । ଘଞ୍ଚ ଅରଣ୍ୟର ଅନ୍ୟ ପ୍ରାନ୍ତରେ ରହୁଥିଲା ଅନନ୍ତ ଶବର ‌। ନିଜର ମନ୍ଦ ସ୍ଵଭାବ ଯୋଗୁଁ ଅନ୍ୟ କିଛି କର୍ମ ନକରି ଅଠା କାଠି ପ୍ରସ୍ତୁତ କରି ବିଭିନ୍ନ ପ୍ରକାରର ପକ୍ଷୀ ଶିକାର କରୁଥିଲା ଏବଂ ତାକୁ ନେଇ ନିକଟସ୍ଥ ଜନବସତିକୁ ଯାଇ ବିକ୍ରି କରି ଯାହା ପାଏ ସେଥିରେ ତା'ର ପରିବାର ପୋଷଣ କରୁଥିଲା । କିଛି ପକ୍ଷୀ ମଧ୍ୟ ଜୀଅନ୍ତା ଅବସ୍ଥାରେ ବିକ୍ରି କରୁଥିଲା । ଦୈବାତ୍ ଥରେ ତା'ର ଅଠା କାଠିରେ ଧରା ପଡିଯାଇଥିଲା ଏକ ପୋଷା ଶୁଆ । ଛାଟି ପିଟି ହେବା ପରିବର୍ତ୍ତେ ସେ ତାର ଚିରାଚରିତ ଢଙ୍ଗରେ କହି ଚାଲିଥିଲା, "ଶ୍ରୀରାମ... ଶ୍ରୀରାମ..." । ଗୋଟିଏ ପକ୍ଷୀ ମନୁଷ୍ୟ ପରି ରାମ ନାମ ବାରମ୍ବାର ଉଚ୍ଚାରଣ କରିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । କାରଣ ଏହା ତା ପାଇଁ ସମ୍ପୂର୍ଣ୍ଣ ନୂତନ ଘଟଣା ଥିଲା । ଜଣେ ବ୍ୟକ୍ତିଙ୍କୁ ପଥ ମଧ୍ୟରେ ଦେଖି ଏହି ଶୁଆ ବିଷୟରେ ପଚାରିଲା ଏବଂ ଏହା ଏକ ପୋଷା ଶୁଆ ବୋଲି ଜାଣି ପାରିଥିଲା । ସେହି ବ୍ୟକ୍ତି ଜଣକ ଶୁଆଟିକୁ ଅଧିକ ଦାମ୍ ଦେଇ କିଣିନେଲେ । ବାସ୍ ଏତିକିରେ କଥା ଶେଷ ହେଲା । ଶୁଆ ଠାରୁ ବାରମ୍ବାର ରାମ ନାମ ଶୁଣି ତା'ର ଜନ୍ମ ଜନ୍ମାନ୍ତରର ପାପ ଧୋଇ ଯାଇଥିବାରୁ ତା'ର ମୃତ୍ୟୁ ହେଲା ମାତ୍ରକେ ଯମଦୂତମାନେ ନେଇ ଯିବାକୁ ବସିଥିବା ତା'ର ଆତ୍ମାକୁ ବିଷ୍ଣୁଦୂତ ମାନେ ଆସି ତାଙ୍କ ସହିତ ଯୁକ୍ତିତର୍କ ପରେ ଅନନ୍ତ ଶବର ଆତ୍ମାକୁ ନେଇ ବିଷ୍ଣୁ ଲୋକରେ ପହଞ୍ଚିଲେ । ଯମଦୂତମାନେ ନିରାଶ ହୋଇ ଯମଲୋକ ଫେରିଆସିଲେ ‌। ଯମରାଜାଙ୍କୁ ସବୁ ଘଟଣା କହିସାରି ପଚାରିଲେ, "ମହାରାଜ, ଦୟାକରି ଆମମାନଙ୍କର ସନ୍ଦେହ ଦୂର କରନ୍ତୁ... । ଅନନ୍ତ ଶବର ନିର୍ଦ୍ଦୋଷ ନୀରିହ ପକ୍ଷୀମାନଙ୍କୁ ଶିକାର କରୁଥିଲା । ଅଠା କାଠି ପ୍ରସ୍ତୁତ କରି ଅନେକ ପକ୍ଷୀ ଶିକାର କରି ସେ ମହାପାପ ଅର୍ଜନ କରିଥିଲା । ସେହି ବ୍ୟକ୍ତି ଜଣକ କେବଳ ଧରିଥିବା ଶୁଆ ମୁଖରୁ ରାମ ନାମ ଶୁଣି କିପରି ମହାପାପୀରୁ ପୁଣ୍ୟାତ୍ମା ପାଲଟି ବୈକୁଣ୍ଠପୁରକୁ ଗମନ କଲା ? ଏହି କଥା ଆମ ମନରେ ସନ୍ଦେହ ସୃଷ୍ଟି କରିଛି ।" ଏସବୁ ଶୁଣି ଯମରାଜ ଯମଦୂତ ମାନଙ୍କୁ ତାଗିଦ୍ କରି କହିଲେ, "ଶୁଣିରଖ ମୋର ପ୍ରିୟ ଦୂତଗଣ, ଭାବ ଅଭାବ, ସ୍ଥାନ ଆସ୍ଥାନ, ଶୈ।ଚ ଅଶୈ।ଚ ଯେମିତି ଅବସ୍ଥାରେ ଥିଲେ ମଧ୍ୟ ନିଜେ ହରି ନାମ ଉଚ୍ଚାରଣ କରୁଥିଲେ କିମ୍ବା କାହାଠାରୁ ହରି ନାମ ଶୁଣିଥିଲେ ତାଙ୍କ ପାଖକୁ ଭୁଲରେ ହେଲେ ମଧ୍ୟ ଯିବନାହିଁ । କାରଣ ଥରେ ମାତ୍ର ହରି ନାମ ଦ୍ଵାରା ସକଳ ପାପ କ୍ଷୟ ହୋଇପାରେ । ଯଦି କେହି ବ୍ୟକ୍ତି ଦୀନ ଦୁଃଖୀ ମାନଙ୍କୁ ଦାନଧର୍ମ କରୁଥାଏ ସେ ସିଧା ସ୍ୱର୍ଗପ୍ରାପ୍ତି ପାଇଁ ଯୋଗ୍ୟ ହୋଇଥାଏ । ବେକରେ ତୁଳସୀ ମାଳ ଧାରଣ କରୁଥିବା ବ୍ୟକ୍ତି ପ୍ରାଣତ୍ୟାଗ କଲେ ତାଙ୍କ ଆତ୍ମା ବୈକୁଣ୍ଠପୁରକୁ ଗମନ କରେ । ଏସବୁ ସ୍ଥାନରେ ତୁମ ପ୍ରବେଶ ନିଷେଧ ଅଟେ ।"

ବିଷ୍ଣୁଦୂତ ମାନେ ଅନନ୍ତ ଶବର ଆତ୍ମାକୁ ବିଷ୍ଣୁ ଲୋକକୁ ନେଇ ଆଦରରେ ସତ୍କାର କରି ବିଷ୍ଣୁ ଲୋକରେ ସ୍ଥାନ ଦେଇଥିଲେ । ଏହି ଉପାଖ୍ୟାନକୁ ଗୁରୁ ଚୈତନ୍ୟଙ୍କ ଠାରୁ ଶୁଣି ମନୁରାଜା କୃତ୍ୟ କୃତ୍ୟ ହୋଇ ଗୁରୁଙ୍କୁ ପ୍ରଣାମ କଲେ । କେବଳ ହରି ନାମ ଦ୍ଵାରା ସକଳ ପାପ କ୍ଷୟ ହୋଇ ପାରୁଥିବାରୁ କଳିଯୁଗରେ ହରିନାମ ମହାମନ୍ତ୍ର ହିଁ ଜୀବ ଉଦ୍ଧାରର ଏକ ମାତ୍ର ଉପାୟ ।

"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେରାମ ହରେରାମ ରାମ ରାମ ହରେ ହରେ । "

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ