ସୌଦାଗର - ଲକ୍ଷ୍ମୀକାନ୍ତ ପାଢୀ

0
ବେପଥୁ ବାଟୋଇ, ଖୋଜିଲି ସରେଇ
ଭେଟିଲି ମଦିରା ଆଳୟ,
ପିଆଲା କାମିନୀ ମାର୍ଶିଆ ସୁରେ
ଜୀବନେ ବାଜିଲା ମଳୟ ।

ଛଇଲି କୋଠିରେ ମହୁଲି ଭାଟିରେ
ଥିଲା ସିନା ପ୍ରତାରଣା,
କାପାଳିକ ସାଜି ମନ୍ତରକୁ ହେଜି
କଲି ପାପ ନିରାଜନା ।

ସାକ୍ଷୀ ଥିଲି ବାରେ ହେଲି ଆଉଥରେ
ବାରୁଣୀର ସଉଦାଗର,
ଢଳି ଢଳି ମିଛେ ଫେରୁଥିଲି ପଛେ 
ସାଥେ ଥିଲା ଉପହାର ।

ଅଚାନକ ସାକୀ ଫେରାଇଲା ପାଦ
ମୁଁ କାହିଁ ଅଟକି ଅଛିତ !
ଗୋପନ ଗୀତର ଗୁଞ୍ଜନ ଧୀର
ମୁଁ ମୁସାଫିର ଚକିତ !

ମଦିରା ମନ୍ତର ଭାମିନୀ ଅଧର
ଛୁଇଁଥିଲା ଯେତେଥର,
ପଚାରିଲି ଠାରି ହୃଦୟକୁ ମାରି
ହୃଦୟକୁ କାହିଁ ହର ?

ଭାଷ୍ୟରେ ତା'ର ଶିଞ୍ଜନ ଶର
ହାସ୍ୟରେ କିଛି କୋହ,
ଚରଣ କ୍ଳାନ୍ତ ଦେଲା ଇଙ୍ଗିତ
ନଥିଲା ଶାନ୍ତ ଓହୋ ।

ସର୍ପି ତ ଦେଲି ସବୁ ଅର୍ଜନ 
କିଣିନେଲି ସାକୀହୀରା,
ନିଜେ ଜଳିଗଲି ଜଳନ୍ତା ଜହ୍ନ
ସିଏ ହେଲା ଗୋଟେ ତରା ।

ଲକ୍ଷ୍ମୀକାନ୍ତ ପାଢୀ, ଜୟପୁର, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ