
ବୈଜ୍ଞାନିକଙ୍କ ପୁଣ୍ୟତିଥି ଉପଲକ୍ଷେ)
ଅପାର ସ୍ୱପ୍ନର ଅତୁଲ୍ୟ ଭାରତ
ଅରୁଣ ଆଲୋକ ଦେଖି ନାହିଁ
ବିଂଶୋତ୍ତରୀ ବିଂଶ ଭିଜନ ତୁମର
ଏଯାଏ ସଫଳ ହୋଇନାହିଁ ।
ପନ୍ଦର ସାଲର ସତେଇଶ୍ ଜୁଲାଇ
କେଉଁ ସ୍ୱପ୍ନ ଦେଖି ଗଲ ଶୋଇ
ସଲାମ୍ ଘେନହେ ଅବ୍ଦୁଲ୍ କଲାମ୍
କଲମ ତୁମର ଉଠୁ ଚେଇଁ ॥୧॥
ଆବୁଲ ପାକିର ଜଲାଲୁବ୍ଦିନ
ଅବ୍ଦୁଲ କଲାମ୍ ଆହେ ସାଇଁ
ରାମେଶ୍ବରମର ତ୍ୟାଗୀ ରାଜା ରାମ
ରାମରାଜ୍ୟ ତୁମ ଆସିନାହିଁ ।
ଯୁବ ଛାତ୍ରଗଣେ ସୁନାଗରିକର
ଶପଥ ଆଉ କେ ଦେଉନାହିଁ
ସଲାମ୍ ଘେନହେ କଲାମ୍ ସାହେବ
ବସିଅଛୁ ତୁମ ପଥ ଚାହିଁ ॥୨॥
ପ୍ରୋଟୋକଲ୍ ଭାଂଗି ମାନବିକତାର
ମହାଦୀକ୍ଷା କେହି ଦେଉନାହିଁ
ରାଜନେତା ଠାରୁ ବୈଜ୍ଞାନିକ ବଡ
ପ୍ରମାଣ ଆଉ କେ କରୁନାହିଁ ।
ଦେଶଭକ୍ତ ଜଣେ ତୁମପରି ଆଉ
ଭାରତ କୋଳକୁ ଆସୁନାହିଁ
ସଲାମ୍ ସବୁରି ଆତ୍ମୀୟ କଲାମ୍
ବସିଅଛୁ ତୁମ ବାଟ ଚାହିଁ ॥୩॥
ଏକତିରିଶର ପନ୍ଦର ଅକ୍ଟୋବର
ଜନମ ଲଭିଲ ତୁମେ ସାଇଁ
ପଦ୍ମ ବିଭୁଷଣ ଭାରତ ରତନ
ତାବିନୁ ସମ୍ପଦ କିଛି ନାହିଁ ।
ଦେଶ ଦଶ ପାଇଁ ସବୁ ତ୍ୟାଗକରି
ଦ୍ୱିତୀୟ କର୍ଣ୍ଣ କେ ସାଜୁନାହିଁ
ସଲାମ୍ କରୁଛି ଜନତା କଲାମ୍
ଫେରିଆସ ବାରେ ଆମ ପାଇଁ ॥୪॥
ଝୁରେ ଚାନ୍ଦିପୁର ଝୁରେ ହ୍ୱିଲର୍
'ଆକାଶ' 'ପୃଥିବୀ' ଏକ ହୋଇ
ହ୍ୱିଲର୍ ନୁହେଁ 'କଲାମ୍ ଆଇଲ୍ୟାଣ୍ଡ'
ନାମ ସିନା ଆମେ ଅଛୁ ଦେଇ !
ସଫଳ ପରୀକ୍ଷା କେତେ ହୋଇଲାଣି
କମାଣ୍ଡ୍ ତୁମର ଗଲା କାହିଁ
ସଲାମ୍ ଘେନହେ ବିଜ୍ଞ ବୈଜ୍ଞାନିକ
ମିସାଇଲମ୍ୟାନ ନାମ ବହି ॥୫॥
ସରଳ ଜୀବନେ ସମୁଚ୍ଚ ବିଚାର
ଧାରା କେହି ଭରି ଦେଉନାହିଁ
ତୁମପରି ଜନପ୍ରିୟ ରାଷ୍ଟ୍ରପତି
ଆଉ କେ ତିଆରି ହେଉନାହିଁ ।
ଦେଶ ସେବା ଲାଗି ଚିରକୁମାର କେ
ତୁମପରି ଆଉ ହେଉନାହିଁ
ସଲାମ ଘେନହେ ଅବ୍ଦୁଲ୍ କଲାମ୍
ଆମ କଥା ମନେ ପଡୁ ନାହିଁ ॥୬॥
ଶାସନ ତନ୍ତ୍ରର ମୋହ ମମତାକୁ
କ୍ଷଣକରେ ଭୁଲିଗଲ ସାଇଁ
ଛାତ୍ରଙ୍କୁ ସୁଦୀକ୍ଷା ଦେଉଦେଉ ତୁମ
ପ୍ରାଣବାୟୁ ଉଡିଗଲା କାହିଁ !
ତୁମ ସପନକୁ ସତ କରିବାକୁ
ଦେଶ ଆଜି ଉଠିଅଛି ଚେଇଁ
ସଲାମ୍ ଘେନହେ ଅବ୍ଦୁଲ୍ କଲାମ୍
ଶପଥ କରୁଛୁ ସେଥିପାଇଁ ॥୭॥
ବିଶ୍ୱେଶ୍ୱର ମାଝୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
ଦୂରଭାଷ : ୯୪୩୭୬୯୭୧୬୧