ଫେରନ୍ତା କି ପିଲାଦିନ - କଳ୍ପନା ରାଉତ

0

ରହି ରହି ଆଜି ମନେ ପଡୁଅଛି
ମୋର ସେହି ପିଲାଦିନ,
ମାନସ ପଟରେ ଉଙ୍କି ମାରୁଅଛି
ସେ ଦିନର ସ୍ମୃତି ମାନ ॥୧॥ 
ଇଚ୍ଛା ହେଉଅଛି ଫେରି ଆସନ୍ତାକି
ଆଉ ଥରେ ସେ ସମୟ ,
ବୁଢ଼ୀ ଅସୁରୁଣୀ ଆଈମା କାହାଣୀ
ଶୁଣି ଲାଗୁଥାନ୍ତା ଭୟ ॥୨॥ 
ଡରରେ ବୋଉକୁ ଜାବୁଡ଼ି ଧରନ୍ତି
ଲୁଚନ୍ତି ତା କାନି ତଳେ,
ସ୍ନେହରେ ମୋ ବୋଉ ଆଉଁସି ଦିଅନ୍ତା
ବସାଇ ମୋତେ ତା କୋଳେ ॥୩॥ 
ଖୁଆଇ ଦିଅନ୍ତା ମୋ ବୋଉ ତା ହାତେ
କ୍ଷୀର ଭାତକୁ ଗୋଳାଇ,
ଅଝଟ ହୋଇଲେ ବୋଧ ସେ ଦିଅନ୍ତା
ଜହ୍ନମାମୁଁ କୁ ଦେଖାଇ‌ ॥୪॥
ବାପା କାନ୍ଦେ ବସି ମେଳା ମୁଁ ବୁଲନ୍ତି
ଖାଆନ୍ତି ଖଜା ମିଠେଇ,
ନାନା ରକମର ଖେଳଣା ସାଙ୍ଗରେ
କିଣନ୍ତି ସଖୀ କଣ୍ଢେଇ ॥୫॥ 
ସାଙ୍ଗ ସାଥି ମେଳେ ଗାଁ ଦାଣ୍ଡେ ବୁଲି
ଧରନ୍ତି ମୁଁ ପ୍ରଜାପତି,
ବର ଓହଳରେ ଦୋଳି ଖେଳୁଥାନ୍ତି
ଗାଁ ପିଲା ସାଥେ ମାତି ॥୬॥ 
କୋଳି କସି ଆମ୍ବ ଖାଉଥାନ୍ତି ଲୁଚି
ଲୁଣ ଲଙ୍କାରେ ମଡ଼େଇ,
ବୋହୁ ଚୋରୀ ଆଉ ଲୁଚକାଳି ଖେଳ
ଖେଳୁଥାନ୍ତି ଚୋର ହୋଇ ॥୭॥ 
କ୍ଷଣକେ ରୁଷନ୍ତି କ୍ଷଣକେ ହସନ୍ତି
ଚପଳ ସ୍ୱଭାବେ ମୋର,
ପାଠ ନପଢିଲେ ଦିଦିଙ୍କ ହାତରୁ
ଖାଆନ୍ତି ବେତ ପାହାର ॥୮॥ 
ପିଲାଦିନେ ମୋର ଦୁଃଖ କି କଷଣ
ଶୋଚନା ନଥିଲା କିଛି,
ବଡ ହୋଇ ଏବେ ଜଞ୍ଜାଳ ଭିତରେ
ନିତି ମରୁଛି ଜିଉଛି ॥୯॥ 
ବାହୁଡ଼ନ୍ତା ଯେବେ ମୋର ପିଲାଦିନ
ଯାହା ଯାଇଅଛି ବିତି,
ଅତୀତ ଗରଭୁ ଉତୁରି ଆସନ୍ତା 
ସେହି  ଅପାଶୋରା ସ୍ମୃତି ॥୧୦॥ 

ବ୍ରହ୍ମପୁରା, ବାଙ୍କୀ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ