
ଗଭୀର ନିଶିଥ କୋଳେ ନୂଆ ବର୍ଷ ଆସେ
ନିଶା ଗର୍ଜୁଥିବାବେଳେ
ଭାବ ଗମ୍ଭୀର ଓଁକାର ଧ୍ଵନିରେ
କୁହୁଡି ବିନ୍ଦୁରେ ଭିଜି
ଅର୍ଦ୍ଧସ୍ନାତା ତରୁଣୀଟିଏ ଭଳି
ଥରିଥରି ବହଳ ଅନ୍ଧାରେ ।
ସୁନାନାକୀ ଝିଅଟିଏ ସତେ !
ସୋରିଷ ଫୁଲର ଛିଟପକା ଶାଢୀରେ
ଟୋପି ଟୋପି ମୋତି ଖଞ୍ଜି
ଗେଣ୍ଡୁ ଗୋଲାପ ଅତର ସୁବାସେ
ରୂପା ପାଲିଙ୍କିରେ ବସି ମିଳନର
ବାସ୍ନାୟିତ ଦେହ ମନେ
ପ୍ରାଣରେ ପ୍ରାଣରେ
ହିମ ଶୀତଳତା ଲେପି
ଚୁପିଚୁପି ହସେ
ତା'ର ଆଗମନେ ମୋ ଘରସାମ୍ନାର
ଫୁଲଭାଡି ହସେ
ନୂଆବର୍ଷ ଆସେ ।
ହସରୁ ଝରଇ ଫୁଲ, ଫୁଲରୁ ମହକ
ମହକରେ ପ୍ରାଣ ନାଚିଯାଏ,
ମନତଳେ ବୁଣିଦିଏ ସମ୍ଭାବନାମୟ ଆଗାମୀକାଲିକୁ
ଅନାଗତ ସୁଖ ସ୍ଵପ୍ନେ
ବିଚରା ମଣିଷ ମନ୍ତ୍ରମୁଗ୍ଧ ହୁଏ ।
ମହାକାଳର ଇଙ୍ଗିତ
ଅସମାହିତ କ୍ଳିଷ୍ଟ ଅଙ୍କଟିଏ,
ମୋହିନୀର ସଲଜ୍ଜ ହସ
ତେରଚ୍ଛା ଚାହାଣି,
ବିଭୋର କରଇ ବୋଲି
ସୁଖର କଳ୍ପନା କରୁକରୁ
ଅଦୃଶ୍ୟ ନାୟକ କିଏ
ଶୂନ୍ୟକୋଳୁ ଝପଟି ଆସି
ବେକ ଦିଏ ହାଣି ।
ସୁଖ ନୁହେଁ, ଦୁଃଖ ନୁହେଁ,
ସୁଧା ନୁହେଁ, ବିଷ ନୁହେଁ,
ଏ ସବୁ ତ କଳ୍ପନାର ରେଖାଚିତ୍ର
ସେ ତ ଖାଲି କାଳର କଡଲେଉଟା
"ମୁଁ" ତ କିନ୍ତୁ ଏଠି ଖାଲି କର୍ମର କାରକ,
ସତ୍ କର୍ମ, ସତ୍ ଚିନ୍ତା, ମହତ ଭାବନା
ଆନ୍ଦୋଳିତ କରୁ ଦେହ ମନ
"ମୁଁ" ମାନେ ହୋଇଯାନ୍ତୁ ନନ୍ଦିଘୋଷ ବାନା
ଧର୍ମରାଜ୍ୟ ସଂସ୍ଥାପନେ ବାର୍ତ୍ତା ପ୍ରଚାରକ ।