
ଆଦର୍ଶବାଦର ପ୍ରଚାର ସାହିତ୍ୟର ଅନ୍ୟତମ ଲକ୍ଷ୍ୟ । ପ୍ରତ୍ୟେକ ମଣିଷକୁ ଜାତି, ଧର୍ମ, ବର୍ଣ୍ଣ ଓ ଆର୍ଥିକ ସ୍ୱଚ୍ଛଳତା ନିର୍ବିଶେଷରେ ଏକ ପ୍ରକାର ସୁଯୋଗ ପ୍ରଦାନ କରିବା ଓ ସମସ୍ତଙ୍କ ନିମିତ୍ତ ସମାନ ସୁବିଧା ସୃଷ୍ଟିକରିବା ସାହିତ୍ୟର ଉଦ୍ଦେଶ୍ୟ । ସାହିତ୍ୟ ରାଜ୍ୟରେ କେହି ଅଚ୍ଛବ ନୁହଁନ୍ତି । ସମସ୍ତଙ୍କ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ । ମଣିଷ ମନରେ ସାହିତ୍ୟ ସୃଷ୍ଟିକରେ ରସର ଝରଣା । ଜୀବନର ସତ୍ୟ ଓ ବାସ୍ତବ ଦିଗ ସମ୍ବନ୍ଧରେ ଏହା ସୂଚନା ପ୍ରଦାନ କରିବା ସଙ୍ଗେସଙ୍ଗେ ମାନବର ଆଶା,ଆକାଂକ୍ଷା, ଆନନ୍ଦ ଓ ବିଷାଦ ସହିତ ପରିଚିତ କରାଇଥାଏ । ଅତୀତ ସହିତ ବର୍ତ୍ତମାନର ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ନିମିତ୍ତ ସାରଣୀ ପ୍ରସ୍ତୁତ କରେ । ସମାଜର ବାସ୍ତବ ସ୍ୱରୂପକୁ ଉପଲବ୍ଧି କରାଏ । ସାହିତ୍ୟର ଲକ୍ଷ୍ୟ ସ୍ୱୟଂପୂର୍ଣ୍ଣ ମଣିଷ ମାନବିକ ମୂଲ୍ୟବୋଧର ଜାଗରଣ, ଆତ୍ମବିକାଶ ନିମନ୍ତେ ପଥପ୍ରସ୍ତୁତି; ସାଂସ୍କୃତିକ ଚେତନାର ବିକାଶର; ସତ୍ୟ, ନ୍ୟାୟ ଓ ପାପ ମଧ୍ୟରେ ସୀମାରେଖା ସ୍ପଷ୍ଟ କରିବା ସାହିତ୍ୟର ଉଦ୍ଦେଶ୍ୟ । ପ୍ରକୃତଜ୍ଞାନର ବିକାଶ ମଧ୍ୟ ସାହିତ୍ୟର ଅନ୍ୟ ଏକ ମହତ୍ତର ଉଦ୍ଦେଶ୍ୟ । କିଛି କଳ୍ପନା ଆଉ ରୋମାଂଚକର ପରିବେଶ ସୃଷ୍ଟିକରି ଏହା ମଣିଷର ତପ୍ତ ପ୍ରାଣରେ ମନ୍ଦାକିନୀର ଧାରା ପ୍ରବାହିତ କରେ । ମଣିଷର ଅଶାନ୍ତ ପ୍ରାଣକୁ କଳ୍ପନାର ଅନୁରଞ୍ଜନରେ ଶାନ୍ତି ଦେଇପାରେ ସାହିତ୍ୟ । ବିଶ୍ଵରେ ସ୍ନେହ, ପ୍ରେମ, ଦୟା, ମୈତ୍ରୀଭାଵ ଆଦି ଉତ୍ତମଗୁଣ ପ୍ରତିଷ୍ଠା ସାହିତ୍ୟ ହିଁ କରିଥାଏ । ମଣିଷ ପ୍ରତି ମଣିଷ ହୃଦୟରେ ବିଶ୍ଵାସର ଉତ୍ତେଜନା, ଜନ୍ମ ଓ ଧ୍ଵଂସାତ୍ମକ କାର୍ଯ୍ୟକଳାପର ବିନାଶ କ୍ଷେତ୍ରରେ ସାହିତ୍ୟର ଭୂମିକା ସ୍ୱତନ୍ତ୍ର ଓ ନିଆରା । ସାହିତ୍ୟ ସୃଷ୍ଟିକରେ ବିଶ୍ୱସନୀୟ ବାତାବରଣ, ମଣିଷ ପ୍ରାଣରେ ଜଗାଏ ସ୍ନେହ, ପ୍ରେମ, ଦୟା ଓ ମୈତ୍ରୀର ଭାବ, ଜୀବନକୁ ପରିପୂର୍ଣ୍ଣ କରିବାକୁ ଯୋଗାଇ ଦିଏ ମାନସିକ ଆହାର । ଆତ୍ମୋପଲବଧି ଓ ଆତ୍ମବିକାଶ ନିମିତ୍ତ ସାହିତ୍ୟ ଯେପରି ପ୍ରେରଣା ଯୋଗାଏ, ତାହା ତା'ର ସେହି ମହନୀୟ ଆଦର୍ଶକୁ ପ୍ରତିପାଦନ କରିଥାଏ, ଜାତୀୟ ଜୀବନକୁ ସଂଗଠିତ କରିବା କ୍ଷେତ୍ରରେ ଏହାର ଅବଦାନ ମହାନ ଓ ଚିରସ୍ମରଣୀୟ ।
ମାତ୍ର ଆଜିର ଅତ୍ୟାଧୁନିକ ଚଳଣିରେ ମଣିଷ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନରେ ଏହାର ଅପପ୍ରୟୋଗ କରୁଛି । ଏହି କାରଣରୁ ସାହିତ୍ୟର ଲକ୍ଷ୍ୟ ସାମୟିକ ଭାବେ ସଂଶୟଚ୍ଛନ୍ନ ହୋଇପଡ଼େ । ମାତ୍ର ଏହାର ଚିରନ୍ତନ ମୂଲ୍ୟବୋଧକୁ ଅସ୍ଵୀକାର ନକରି, ସୁରକ୍ଷା ଦିଗରେ ଉଦ୍ୟମକୁ ଅବ୍ୟାହତ ରଖିବା ଉଚିତ। ଏଥିରେ ହିଁ ସମାଜର ଓ ମଣିଷର ମଙ୍ଗଳ ସନ୍ନିବେଶିତ ।
ବ୍ରହ୍ମଗିରି, ପୁରୀ, ଓଡିଶା
ଦୂରଭାଷ : ୮୮୪୭୮୨୪୭୨୯