କପୋତୀ - ଗିରିଜାକୁମାର ବଳୀଆରସିଂହ

0
ବେଳେ ବେଳେ ଭୟଲାଗେ, ଭୀରୁ ତୁମ କପୋତୀର ଡେଣା
ସରିବା ଆଗରୁ ସୀମା - ସୂର୍ଯାସ୍ତ ଓ ସୋରିଷର କ୍ଷେତ
ଥକିଯିବ ତୋଷାଳିରେ.. ଭୁଲିଯିବ ବସାର ଠିକଣା -
ଆଉ ତୁମେ ହେମାଙ୍ଗିନୀ, ହଜିଯିବ ହଠାତ୍ ହୁଏତ !
ବାରିବାରି ବାଲୁବନ୍ତ, ବନ୍ଦର ବା ବଙ୍ଗୋପସାଗର
କୁଶର ଏ କୋଶଳକୁ ତୁମେ ବୋଧେ ଆସିବନି ଉଡ଼ି
ଉଆଁସରେ ଆଉ ଏଠି ଜାଳିବନି ଜମା ହିଁ ଜାଗର
ଏ ଜମ୍ବୁରେ ଜଳୁଥିବ ତୁମପାଇଁ ଯଦିବା ଦିହୁଡ଼ି !
ପରନ୍ତୁ ଯେଦିନ ତୁମେ ପାରିହୋଇ ପ୍ରାଚୀନ ପୃଥିବୀ
ଫେରିବ ପକ୍ଷରେ ଭରି ଫୁଲରେଣୁ, ଚଞ୍ଚୁପୁଟେ ଚୁମା
ପ୍ରେମର ଏ ପ୍ରଳୟରେ ସେଦିନ ମୁଁ ନଥିବି, ନଥିବି
ଯଦିବା ମହୁଲବଣେ ଥିବ ମୋର ମହୁ-ମହକୁମା !
ହେମାଳିନୀ ହେମାଙ୍ଗୀନୀ !  ବେଳେ ବେଳେ ଭୟଲାଗେ ଭାରି
କପୋତୀ ହେଲେ ବି କ'ଣ - ନୁହଁ ତୁମେ, କେଉଁ କଳ୍ପନାରୀ ??

ଗିରିଜାକୁମାର ବଳିଆରସିଂହ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ