
ଛାତି ଥରା ଗର୍ଜନ କି ଭୟାନକ ହେଣ୍ଟାଳରେ
ନିର୍ଣ୍ଣିତ ହୁଏନା ତୋର ଇଲାକା
କାହା ସହ ଲଢେ଼ଇ ନିସୃତ ରକ୍ତ ରେଖାରେ ।
ତୋତେ ଠାବ କରି ହୁଏନା
ଗୁମ୍ଫା ଭିତରର ସୁରକ୍ଷାରେ
ମହୀରୁହମାନଙ୍କ ନିବିଡ଼ତାରେ ଗଢ଼ା
କାନ୍ଥର ବେଷ୍ଟନୀ ଭିତରେ ।
ଦୁବ ଘାସ, ଶୁଖିଲା ପତ୍ରର ନଅର ତୋର
ପତଳା ବୁଦା କଡ଼ରେ,
ସେଇଠୁ ଆରମ୍ଭ ତୋର ଗୌଣତାର ଦିଗବିଜୟ
ଶେଷ ସେଇ ଆଖ ପାଖରେ ।
ନାଁ' କୁ ସିନା ବାଜିରେ ଭାଗ ନେଉ
ହେଲେ ଦୃଢ଼ ନୁହଁ ତୁ ଜିଣିବାର ଇଚ୍ଛାରେ,
କଳିବାକୁ ଚାହୁଁନା ପ୍ରତିଯୋଗୀର ଗତି
ଅଳ୍ପ ଦୌଡ଼ି ଆଶ୍ରୟ ନେଉ ଛାଇ ତଳେ ।
ଚାପା ଚିତ୍କାର ଛଡ଼ା
ଆତ୍ମରକ୍ଷାର କୌଣସି ଉପାୟ ନଥାଏ
ତୋର ତୂଣୀରରେ,
ନଖ, ଦାନ୍ତର ବିକଟ ପ୍ରଶ୍ନକୁ
ଥରିବାରେ ହିଁ ଦେଉ ଉତ୍ତର
ଦୟାମୟ ବିଶ୍ୱବିହାରୀଙ୍କ ଛତ୍ର ତଳେ ।
ଅରକ୍ଷ ନିରୀହତା !
ନାହିଁ ନଖ ଦାନ୍ତର ଆତଙ୍କ
ତଥାପି ବି ମୁଁ କାହିଁକି ଥରେ
ବିନା ଚିତ୍କାରରେ ?
ବାରମ୍ବାର ତୋତେ ପୋଡି
ଦେଶୀ ଢ଼ୋକ ସହ ଚାଖିସାରିଲା ପରେ ?
ଅଧ୍ୟାପକ, ଇଂରାଜୀ ବିଭାଗ
ଶାସ୍ତ୍ରୀ ସ୍ମୃତି ସ୍ନାତକ ମହାବିଦ୍ୟାଳୟ, ବାଲିପୁଟ, ପୁରୀ