ତୁମେ ଚାଲିଗଲ କାହିଁ
ତୁମରି ସ୍ମୃତିର ଭବ୍ୟ ଜୟକାର
କର୍ଣ୍ଣେ ଆଉ ଶୁଭୁନାହିଁ ।।
ମାତୃଭୂମି ପାଇଁ ଶ୍ରେଷ୍ଠ ବୀର ସାଜି
ଆସିଥିଲ ରତ୍ନ ହୋଇ
ହେ ବୀର ପୁଙ୍ଗବ ଭାରତ ଗୌରବ
କର୍ମର ତୁମେ ଗୋସାଇଁ ।।
ଚଖାଇଲ ଦିନେ ସ୍ୱାଧୀନତା ସ୍ୱାଦ
ଦେଇ ଜାତିପ୍ରୀତି ନାରା
ହଜିଥିଲା ନିଦ ଫିରିଙ୍ଗି ଆଖିରୁ
ଦିଲ୍ଲୀ ଚଲ୍ଲୋ ସେ ଡାକରା ।।
କେତେ ଛାତ୍ର ନେତା ହୃଦୟରେ ତୁମେ
ଜାଳିଥିଲ ପ୍ରେମବହ୍ନି
କମ୍ପି ଯାଇଥିଲା ଭାରତବର୍ଷରେ
ସତନ୍ତ୍ରତା ଯୁଦ୍ଧ ଅଗ୍ନି ।।
ମାତୃଭୂମି ଲାଗି ସୁ-ସନ୍ତାନ ଯୋଦ୍ଧା
ଦେଶଭକ୍ତ ମହାବଳୀ
ଅଦମ୍ୟ ସାହସ ପୂର୍ଣ୍ଣ ପରାକାଷ୍ଠା
ପାରବକି କିଏ କଳି ? ।।
ଗୋରା ଶାସନରେ ଭୂମିକମ୍ପ କରି
ଥରାଇଲ ତାଙ୍କ ଛାତି
ଭୟେ ପ୍ରକମ୍ପିତ ହୋଇଥିଲା ଦିନେ
ସେ ବିଦେଶୀ କୁରୁମତୀ ।।
ଜାତି ସ୍ୱାଭିମାନେ ବଶବର୍ତ୍ତୀ ହୋଇ
ଭୁଲିଯାଇ ନିଜ ସୁଖ
ସଜାଇଲ ତୁମେ ବିଦେଶୀ ମାଟିରେ
ଆଜାଦ୍ ହିନ୍ଦ୍ ଫୌଉଜ ।।
ଏ ମାଟିକୁ ଏବେ ସୁଙ୍ଘିଲେ ବାସଇ
ତୁମ ତ୍ୟାଗ ବଳିଦାନ
ଅମୂଲ ମୂଲ ସେ ସେବାର ମହତ୍ୱ
ମହାନତାର ସମ୍ମାନ ।।
କୋଟି ଜନତାଙ୍କ ହୃଦେ ରହିଥିବ
ନିଜ କୃତ୍ତି ସେବା ଲାଗି
ମନେ ପଡୁଥିବ ପ୍ରତି ହୃଦୟରେ
ହେ ସୁଭାଷ କର୍ମଭୋଗୀ ।।
ଜନ୍ମ ଜୟନ୍ତୀରେ ଘେନିବ ପ୍ରଣାମ
ଅଜଣା ରାଇଜେ ଥାଇ
ପ୍ରଶ୍ନବାଚୀ ଏବେ ରହିଛି ରହିବ
ତୁମ ନିରବତା ପାଇଁ ? ।।
କେ ଦେବ ଉତ୍ତର ନିଖୋଜ ରାଜିର
ହେ ମହାନ୍ ପୁଣ୍ୟ ଆତ୍ମା
ଶ୍ରଦ୍ଧା ଓ ସୁମନ ଘେନିବ ସାଦରେ
ଏ ଆମ ଶୁଭକାମନା ।।
ପୁଷ୍ପଭରା ଆମ ହସ୍ତର ନୈବେଦ୍ୟ
ତୁମ ପଦେ ତୋଳେ ଥୋଇ
କରୁଛୁ ପ୍ରଣାମ କୋଟି କୋଟି ଜନ
ତୁମରି ଜୟନ୍ତୀ ପାଇଁ ।।