ବାସ - ସୁଧାକର ସେଠୀ

0

ଧେତ ! ତୋର ମୋର ସମ୍ପର୍କ 
ପୁରୁଣା ହେଲାଣି
ଚର୍ଚ୍ଚା ନାହିଁ
ସାଇକେଲ ପଛରେ ବି
ଆଜିକାଲି ଦିଶୁନି 
ନାଲି କସ୍ତା ଶାଢୀ ସହ
ବେଲବଟମର ଯୋଡି ।।

ସବୁ ଘସି ମାଜି ଦେହସୁଆ
ରଙ୍ଗ ବଦଳାଉଥିବା
ପ୍ରଜାପତି ପରି
ତୁ ବି, ବଦଳି ଗଲୁଣି
ଲିପିଷ୍ଟିକର ମୋଟା
ଚାଦର ତଳେ ॥

ପରିବର୍ତ୍ତନ ତ ନିୟମ
ଭୂଚାଳ ଆଣିଛି ଜୀବନେ
ଗୋରା ତକତକ ବଦନରେ
କସ୍ତା ଶାଢ଼ୀ ଅଲୋଡା
ଚୁଡିଦାର ଜୀନସର ଭିଡାଭିଡି.. 

ସେ ଖୁସମିଜାଜ କଥା କାହିଁ
କାହିଁ ସେ ଆତ୍ମୀୟତା...
ଘଣ୍ଟାଘଣ୍ଟା ଧରି ପ୍ରତୀକ୍ଷା 
ସ୍ଵପ୍ନରେ ତାଜମହଲ
ଆଉ କିଛି ମଧୁରତା ॥

ସବୁଥିରେ କୃତ୍ରିମତାର ଝଲକ
ପ୍ରଗଳଭା ନଦୀଟିର ନାହିଁ 
ସେ ଅସ୍ଥିରତା
ରୀତିମତ ସହରୀ ସହରୀ ବାସ
ଖାଲି ଆଗକୁ ବଢିବାର ନିଶା 
କେତେକଙ୍କୁ ଦଳି ମକଚି
ପଡୁଛି ନୂଆ ସମ୍ପର୍କର ମୂଳଦୁଆ ॥

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)