ଭକ୍ତ ମଣିଦାସ - ଘନଶ୍ୟାମ ସାହୁ

0

ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ନିକଟରେ ନଡ଼ିଆ ସଢେଇ ଦ୍ଵାରା ପ୍ରସ୍ତୁତ ଦୁଇଟି ତାଳକୁ ବାଡେଇ ବାଡେଇ କୁହାଟ ମାରି ନାଚି ଚାଲିଥିଲା ଭକ୍ତ ଜଣକ । କଣ୍ଠରେ ତାର ଥିଲା ନିଜ ମନରୁ କେଇପଦ ଜଣାଣ, ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉଦ୍ଦେଶ୍ୟରେ...,

"କୁହ ଚକାଡୋଳା କୁହ
କିମ୍ପା କଲ ଅସହାୟ
କଲି କିବା ଅପରାଧ ହୋଇଲ ଏଡେ ନିର୍ଦ୍ଦୟ ।
ସବୁ କିଛି ଥିଲ ଦେଇ
ସୁଖରେ ଦିନ ବିତାଇ
ଥାଇ ଗୃହ ପରିବାରେ ଧର୍ମେ କର୍ମେ ରଖି ଲୟ ।
ସବୁ ତ ନେଲ ଛଡ଼ାଇ
ନିଃସଙ୍ଗ ଟି ହେଲି ମୁହିଁ
ଏବେ ତୁମେ ହିଁ ଭରସା ଆ‌ହେ ପ୍ରଭୁ ଦୟାମୟ....."

ଗେରୁଆ ବସ୍ତ୍ର ପରିଧାନ କରିବା ସହିତ ସେ ସେଇ ରଙ୍ଗର ଗାମୁଛା ବେକରେ ଗୁଡେଇ ହୋଇ ଥିଲା । କପାଳରେ ରାମାନନ୍ଦୀ ଚିତା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଚକ୍ଷୁ ଯୁଗଳରୁ ଝରି ପଡୁଥିଲା ଭାବର ଲୋତକ । କେହି କେହି ତାକୁ ପାଗଳର ଆଖ୍ୟା ଦେଇ ପରିହାସ କଲେ ମଧ୍ୟ ସେ ଥିଲା ସମ୍ପୂର୍ଣ୍ଣ ନିର୍ବିକାର । ସେ ଅନ୍ୟ କେହି ନୁହେଁ ସେ ଥିଲା ଏହି ପୁରୁଷୋତ୍ତମ କ୍ଷେତ୍ର ନିବାସୀ ମାଳାକାର ମଣିଦାସ । ପିଲା ଛୁଆ ସଂସାରରେ ବେଶ୍ ହସଖୁସିରେ ଦିନ ବିତି ଯାଉଥିଲା । ନିଜର କୈ।ଳିକ ବୃତ୍ତି ମାଳା ଗୁନ୍ଥି ବିକ୍ରିକରି ଯାହା କିଛି ରୋଜଗାର କରୁଥିଲା ସେଥିରେ ତା'ର ପରିବାର କଷ୍ଟରେ ହେଲେ ବି ଚଳି ଯାଉଥିଲା । ସବୁକିଛି ମଙ୍ଗଳମୟ ଭଗବାନଙ୍କ ଦାନ ଏବଂ ତାଙ୍କ ଇଚ୍ଛାରେ ସବୁ କିଛି ଚାଲିଛି, ଏ ସିଦ୍ଧାନ୍ତ ତା'ର ହୃଦବୋଧ ହୋଇ ଯାଇଥିଲା । ତେଣୁ ସୁଖ ଦୁଃଖ ସବୁକିଛି ଭଗବାନଙ୍କ ଇଚ୍ଛାରେ ହେଉଛି ଭାବି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତା'ର ମନ ପ୍ରାଣ ସବୁ ଅର୍ପଣ କରିସାରିଥିଲା ମଣିଦାସ । ଦିନ ଯାଏ, ଚିହ୍ନ ରହେ । ବିଗତ ଦିନ ଗୁଡିକ ଭୁଲି ପାରୁନଥିଲା ସେ । କାଳର କରାଳ ନିର୍ଦ୍ଦେଶରେ ତା'ର ପରିବାରର ଜଣକ ପରେ ଜଣେ ସଦସ୍ୟ ସେ ପୁରକୁ ଚାଲିଗଲେ, ଯେଉଁଠାରୁ କେହି କେବେ ଫେରି ନାହାନ୍ତି । ଗୋଟିକ ପରେ ଗୋଟିଏ ସନ୍ତାନ ହରାଇ ସାରିବା ପରେ ଧୈର୍ଯ୍ୟହରା ହୋଇ ପତ୍ନୀ ଆରପୁରକୁ ଚାଲିଗଲା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ସ୍ୱାଭାବିକ କଥା । କିଛିଦିନ ମଧ୍ୟରେ ତା ମନରେ ବୈରାଗ୍ୟ ଭାବ ଜାତ ହେଲା । ଏସବୁ ମହାପ୍ରଭୁଙ୍କ ଇଚ୍ଛା ବୋଲି ମନେ ମନେ ଚିନ୍ତାକଲା । ପତ୍ନୀ, ପୁତ୍ର ପରିବାରର ମାୟା ବନ୍ଧନ ଛିନ୍ନ କରି କେବଳ ପ୍ରଭୁଙ୍କ ନାମ ଭଜନରେ ଲୟ ଲଗାଇଲା । ଏ ଅଢେଇ ଦିନିଆ ସଂସାରରେ କେହି କାହାର ନୁହେଁ । ସବୁ କିଛି ମାୟା । ନଦୀରେ ଭାସି ଯାଉଥିବା ସମୟରେ ଏକ କାଠ ଖଣ୍ଡ ସହ ଅନ୍ୟ କାଠ ଖଣ୍ଡ ସାଥୀ ହୋଇ ଯାଆନ୍ତି ଏବଂ ସମୟ କ୍ରମେ ଗୋଟିଏ ପରେ ଗୋଟିଏ ପରସ୍ପରଠାରୁ ଅଲଗା ହୋଇଯିବା ପରି ଆମର ଏହି ମାୟାର ବନ୍ଧନ କ୍ଷଣସ୍ଥାୟୀ ଏକଥା ମଣିଦାସ ଭଲଭାବରେ ହୃଦୟଙ୍ଗମ କରିପାରିଲା । ନିଜକୁ ବୈଷ୍ଣବ ଧର୍ମରେ ଦୀକ୍ଷିତ କରାଇ, ଗୈରିକବସ୍ତ୍ର ପରିଧାନ କରି, ଚିତା ତିଳକ ଲଗାଇଲା । ଦୁଇଟି ନଡ଼ିଆ ସଢେଇ କୁ ଗିନି ଭାବରେ ବାଡେଇ ବାଡେଇ ନାଚି ନାଚି ବଡ଼ଦାଣ୍ଡରେ ପ୍ରଭୁଙ୍କ ନାମ ଗାନ କରି କରି ବଡ଼ ଦେଉଳର ଜଗମୋହନରେ ପ୍ରବେଶ କଲା । ଗରୁଡ଼ସ୍ତମ୍ଭରୁ ଗୁମୁଟ ପର୍ଯ୍ୟନ୍ତ ପ୍ରଭୁଙ୍କ ଗୁଣଗାନ ସହିତ ଅଦ୍ଭୁତ ଭଙ୍ଗୀରେ ଢଳି ଢଳି ନାଚିବାକୁ ଲାଗିଲା । ପ୍ରଭୁଙ୍କ ମହାପ୍ରସାଦ ସେବନ କରି ଦିନସାରା ଶ୍ରୀମନ୍ଦିରରେ ପଡ଼ିରହିଲା ।

ଏହିପରି ଭାବେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରର ଜଗମୋହନରେ ଶ୍ରୀ ଛାମୁଙ୍କ ସମ୍ମୁଖରେ ବିଭିନ୍ନ ଜଣାଣ ଗାଇବା ସହ ସଢେଇ ବାଡେଇ ବାଡେଇ ନୃତ୍ୟ କରିବାକୁ ଲାଗିଲା । କେହି କେହି ତାକୁ ପାଗଳର ଆଖ୍ୟା ଦେଇ ପରିହାସ କଲେ ତ କେହି କେହି ଏହାକୁ ମନୋରଞ୍ଜନର ଏକ ମାଧ୍ୟମ ବୋଲି ଭାବିନେଲେ । କେତେକଙ୍କୁ ମଧ୍ୟ ଏହା ଶ୍ରୁତିକଟୁ ହେବାରୁ ବିରକ୍ତି ପ୍ରକାଶ କରି ଗାଳି କରିବାକୁ ଲାଗିଲେ । ଦିନକର ଘଟଣା..। ସେ ଦିନ ନିଜ କୁଡ଼ିଆରୁ ବାହାରିବା ବେଳେ ସାମାନ୍ୟ ବିଳମ୍ବ ହେଲା । ଶ୍ରୀମନ୍ଦିର ଭିତରେ ଜଗମୋହନରେ ପୁରାଣପଣ୍ଡା ବିଷ୍ଣୁ ପୁରାଣ ପଢୁଥିଲେ । ଜନତା ତାଙ୍କୁ ଘେରି ଯାଇ ପୁରାଣ ଶୁଣିବାରେ ମଗ୍ନ ଥିଲେ । ଏହି ସମୟରେ ମଣିଦାସ ପହଞ୍ଚିଗଲେ ଗରୁଡ଼ସ୍ତମ୍ଭ ନିକଟରେ । ଦୁଇ ବାହୁ ଉର୍ଦ୍ଧ୍ଵମୁଖୀ କରି ନୟନ ଯୁଗଳ ମୁଦ୍ରିତ କରି ଠାକୁରଙ୍କୁ ପ୍ରାର୍ଥନା କଲେ ଏବଂ ପରେ ପରେ ସବୁଦିନ ପରି ଜଗନ୍ନାଥ ମହାପ୍ରଭୁଙ୍କ ରୂପ ଗୁଣ ବର୍ଣ୍ଣନା କରି ଗୀତ ବୋଲୁ ବୋଲୁ ସଢେଇ ବାଡେଇ ବାଡେଇ ନୃତ୍ୟ କରିବାକୁ ଲାଗିଲେ । ଗରୁଡ଼ସ୍ତମ୍ଭରୁ ଗୁମୁଟ ଦ୍ଵାର ପର୍ଯ୍ୟନ୍ତ ନାଚି ନାଚି ଗାଇ ଚାଲିଲେ । ପୁରାଣ ପଣ୍ଡା ଏସବୁ ନ କରିବା ପାଇଁ ମଣିଦାସଙ୍କୁ କହିଲେ । କଟୁ ଭାଷା ପ୍ରୟୋଗ କରି ମାଡ଼ ମାରିବାକୁ ଧମକ ଦେଲେ । ଏସବୁର ପ୍ରଭାବ ମଣିଦାସ ଉପରେ ଜମା ପଡ଼ିଲା ନାହିଁ । ଲୋକମାନଙ୍କ ଭିତରୁ କେତେକ ମାଡ଼ ମାରି ଗଳା ଧକ୍କା ଦେଇ ମଣିଦାସକୁ ବାହାର କରିବାକୁ ଚେଷ୍ଟା କରିବାରୁ ଠାକୁର ଙ୍କ ନିକଟକୁ ସଢେଇ ଦୁଇଟି ଫୋପାଡ଼ି ଦେଇ ମନେ ମନେ କେତେ କ'ଣ ଅଭିମାନ କରି କହିଲା । ଲୋକମାନେ ତାକୁ ପାଗଳ ଭାବି ଧକ୍କା ଦେଇ ମନ୍ଦିର ବାହାରେ ଛାଡି ଦେଲେ । ପୁରାଣ ପାଠ ସେମିତି ଚାଲୁରହିଲା ।

ଏଣେ ମଣିଦାସ ନିଜ କୁଡ଼ିଆରେ ପହଞ୍ଚି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟାଜ ସ୍ତୁତି କରିବାକୁ ଲାଗିଲା ।" ହେ ମହାବାହୁ ମୁଁ ତ ଆପଣଙ୍କର ଦାସାନୁଦାସ ସାମାନ୍ୟ ଦୁଃଖୀ ମଣିଷଟିଏ । ସବୁ କିଛି ହରେଇ ବଳିଆର ଭୁଜତଳେ ମୁଁ ଆଶ୍ରୟ ନେଇଛି । ମଣିମାଙ୍କୁ ଖୁସି କରିବା ପାଇଁ ନିତି ପ୍ରତି ମୁଁ ଚେଷ୍ଟିତ ଥିଲି । ଏ ଗରିବର ମାନ, ଇଜ୍ଜତ ବୋଲି କ'ଣ ବା ଅଛି ? ହେଲେ ଆପଣଙ୍କର ସେବକ ହୋଇ ମୁଁ ଯେଉଁ ଅପମାନ ପାଇଲି ଏବଂ ମାଡ଼ ଗାଳି ଖାଇଲି ଏହା  ଆପଣଙ୍କର ନିନ୍ଦା ହେବ ନାହିଁ ତ ମଣିମା ? ସବୁକିଛି ଆପଣଙ୍କର ବିଚାର ଉପରେ ନିର୍ଭର କରୁଛି ।" ସେଦିନ ସନ୍ଧ୍ୟାବେଳକୁ ସେ ଆଉ ଶ୍ରୀମନ୍ଦିର ଗଲା ନାହିଁ । ଅପମାନର ତୀବ୍ର ଜ୍ୱ।ଳାରେ ନଖାଇ ନପିଇ
ବିଛଣାରେ ପଡିରହିଲା । କେତେବେଳେ ଯେ ତା'ର ନିଦ୍ରା ଆସିଯାଇଛି ସେ ଜାଣିପାରିଲା ନାହିଁ ।

ଯୁଗେ ଯୁଗେ ଭକ୍ତାଧୀନ ଭଗବାନ । ଭାବରେ ବନ୍ଧା ସେ କାଳିଆ ସାଆନ୍ତ । ଭକ୍ତର ଦୁଃଖ, ଅପମାନ, କଷ୍ଟ ସେ ସହ୍ୟ କରି ପାରିବେ କିପରି ? ସେଦିନ ରାତିରେ ଗଜପତି ମହାରାଜାଙ୍କ ଶୟନ ପ୍ରକୋଷ୍ଠରେ ଉଭା ହୋଇ ସ୍ୱପ୍ନାଦେଶ ଦେଲେ ମହାପ୍ରଭୁ ଜଗନ୍ନାଥ । କହିଲେ,"ଆରେ ରାଉତ ପଣେ ଶାସନ କରୁଛୁ । ଅଚିନ୍ତାରେ ଏଠି ଶୟନ କରିଛୁ । ତେଣେ ଶ୍ରୀମନ୍ଦିର ପରିସରରେ ମୋର ଭକ୍ତକୁ ଅପମାନିତ କରି ଦଣ୍ଡ ଦେଇ ବାହାର କରି ଦିଆଗଲା। ମୋର ଭକ୍ତର ଭାବଭକ୍ତି ମୋ ପାଇଁ ଅମୃତ ସଦୃଶ । ସେ ଋଚିକର ହେଉ ଅବା ନହେଉ । ମଣିଦାସ ସଢେଇ ବାଡେଇ ନାଚି ନାଚି ମୋର ଭଜନ କୀର୍ତ୍ତନ କରି ପ୍ରତିଦିନ ମୋର ମନୋରଞ୍ଜନ କରୁଛି । ଛୋଟ ଶିଶୁର ଦରୋଟି କଥାଶୁଣି ପିତା ମାତା ଯେପରି ମୁଗ୍ଧ ହୋଇଯାଆନ୍ତି ସେମିତି ଭକ୍ତ ଯେମିତି ବି ଡାକୁ ସେ ମୋର ମନକୁ ଜିଣି ନେଇଥାଏ । ପୁରାଣ ପଣ୍ଡାର ପୁରାଣ ପଢ଼ା ମୋ ପାଇଁ କିଛି ନୁହେଁ । ସେ ଯଦି ପୁରାଣ ପଢ଼ିବା କଥା ମହାଲକ୍ଷ୍ମୀଙ୍କ ପାଖରେ ପଢୁ । ମୋ ଭକ୍ତ ଅପମାନରେ ବିଷାଦଗ୍ରସ୍ଥ ହୋଇ ନଖାଇ ନପିଇ ଶୋଇ ଯାଇଛି । ମୁଁ ମଧ୍ୟ ସେଥିପାଇଁ ଭୋଜନ ଗ୍ରହଣ କରିନାହିଁ । ଶୀଘ୍ର ତା ପାଖକୁ ଯାଇ ତାକୁ ସସମ୍ମାନେ ନଗର ପରିକ୍ରମା କରି ଶ୍ରୀମନ୍ଦିର ନେବୁ । ତା'ର ରହିବା ଖାଇବାର ଆଜୀବନ ବ୍ୟବସ୍ଥା କରିବୁ । "ଗଜପତି ମହାରାଜା ଚମକି ଶଯ୍ୟା ତ୍ୟାଗକଲେ । ଅଗୁରୁ ଚନ୍ଦନର ମହମହ ବାସରେ ଚହଟି ଉଠୁଥିଲା ସ୍ଥାନଟି ସେ ପର୍ଯ୍ୟନ୍ତ । ନିଶ୍ଚୟ ମହାପ୍ରଭୁଙ୍କ ଆଜ୍ଞା ଭାବି ସଙ୍ଗେ ସଙ୍ଗେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ଗଜପତି । ଭକ୍ତ ମଣିଦାସଙ୍କୁ ମଧ୍ୟ ପ୍ରଭୁ ସ୍ୱପ୍ନରେ ଶାନ୍ତ୍ଵନା ଦେଇ ପ୍ରାତଃକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ ।

ସେଦିନ ଶ୍ରୀକ୍ଷେତ୍ରରେ ମହାରାଜାଙ୍କ ଦ୍ଵାରା ଭକ୍ତ ମଣିଦାସଙ୍କୁ ସସମ୍ମାନେ ପଟୁଆର କରି ନିଆଗଲା ଶ୍ରୀମନ୍ଦିର । ପୁରାଣ ପଣ୍ଡା ସେହି ଦିନଠାରୁ ଶ୍ରୀ ମନ୍ଦିର ଜଗମୋହନ ତ୍ୟାଗ କରି ମହାଲକ୍ଷ୍ମୀଙ୍କ ପାଖରେ ପୁରାଣ ଶୁଣାଇବା ଆରମ୍ଭ କଲେ । ମଣିଦାସ ପାଇଁ ଖଞ୍ଜା ବାଡ଼ିର ବ୍ୟବସ୍ଥା କରାଗଲା । ଆଜୀବନ ପ୍ରଭୁଙ୍କ ନାମ ଗୁଣଗାନ କରି ସେ ଇହଧାମ ତ୍ୟାଗ କଲେ ସିନା ଆଜି ମଧ୍ୟ ଭକ୍ତ ମଣିଦାସ ଅନନ୍ୟ ଭକ୍ତିର ଉଦାହରଣ ସୃଷ୍ଟି କରି ଅମର ହୋଇଛନ୍ତି । ଧନ୍ୟ ଭକ୍ତ ମଣିଦାସ । ଜୟ ଜଗନ୍ନାଥ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ