
ଜୀବନର ଚଲାପଥେ ଚାଲୁଥିଲେ
କେବେ ଖରା କେବେ ଛାଇ,
ଅମାନିଆ ଝଡ ଭାଙ୍ଗିଡିଏ ନୀଡ
ସପନ ଉଜାଡି ଦେଇ ॥୦॥
ମରୁବାଲି ପରେ ଜୀବନର ସୁଖ
ଗୋପନରେ ଯାଏ ଜଳି,
ମନ ଗହନର କାମନା ବାସନା
ନୀରବେ ଦିଅଇ ଢାଳି ।
ଛାତିତଳ କୋହ ଆଖି ଲୁହ ହୋଇ
ଅଜାଣତେ ଯାଏ ବହି,
ଜୀବନର ଚଲାପଥେ ଚାଲୁଥିଲେ
କେବେ ଖରା କେବେ ଛାଇ ॥୧॥
ବୟସର ଏଇ ବଗିଚାରେ ହୁଏ
ଫୁଲର ପାଖୁଡା ସଜା,
ବେଳେ ବେଳେ ପୁଣି ସମୟ ଚଖାଏ
କଣ୍ଟା ଫୁଟିବାର ମଜା ।
ଜିଇଁବାର ମାନେ ଜୀବନ ନୁହେଁ ତ
ଜିଅନ୍ତା ମରଣ ଏଇ,
ଜୀବନର ଚଲାପଥେ ଚାଲୁଥିଲେ
କେବେ ଖରା କେବେ ଛାଇ ॥୨॥
(କବିଙ୍କ ରଚିତ କବିତା ସଂକଳନ "ସଞ୍ଜ ନଇଁଗଲା ପରେ" ପୁସ୍ତକରେ ପ୍ରକାଶିତ)
ପ୍ରେମରେ ଭଟ୍ଟା ଆସିଲେ ଜୀବନ ଥାଇ ବି ମୃତ୍ୟ ସଦୃଶ ଜିଇଁବାକୁ ହୁଏ । ଛାତିରେ ଛାତିଏ କୋହ ଆଉ ଯନ୍ତ୍ରଣାକୁ ଚାପି ଧରି ବାଟ ଚାଲିବାକୁ ହୁଏ ।
ReplyDelete