ଅନ୍ତରାଳ - ମାନମୟୀ ରଥ

0
ମାମୁଁ.. ପାହି ଡେଇଁଲେ ପା ନାହି ଖଣ୍ଡ ଖଣ୍ଡ... ଏବେ କ'ଣ ହେବ ? ଢିମା ଢିମା ଆଖରେ ଗୌରୀ ଚାହିଁଥିଲା ତା' ସବ୍ ଜାନ୍ ତା ମାମୁଁଙ୍କୁ । ମାମୁଁ ଚାହିଁଥିଲେ ଗଛକୁ । ମାମୁଁ ଦେଖାଦେଖି ଗୌରୀ ଚାହିଁଲା ସେଆଡେ । ଗହଳ ଗଛର ଅନ୍ଧାର ଭିତରେ ଅଳନ୍ଧୁ ପରି ଲଟକି ରହିଛି ଡାହାଣୀର କଲିଜା । ତାକୁ ଲୁଗା ଭଳି ଥୋଇଥାଇ ନାଚକୁଦ କରୁଛି ସାଇ ଦାଣ୍ଡରେ । ଏମିତି ସବୁ ଶୁଣିଥିଲା ଗୌରୀ କାହାଠୁ କାହାଠୁ । ନିଜେ ମାମୁଁ ତ କହିଥିଲେ, ମନ୍ତୁରା ସୋରିଷରେ ଟଣା ହୋଇଥିବା ଗାରକୁ ଡେଇଁଗଲେ ଡ଼ାହାଣୀ ଆଉ ସବାର ହୋଇଥିବା ଲୋକର ବେକ ମୋଡି ରକ୍ତ ଶୋଷି ପାରିବନି । ଡେଇଁଲା ମାନେ କରାମତି ସଇଲା ଜାଣ । ତେଣିକି ତାକୁ କିଳା ହେବ ଗଛରେ ତା' ଆଇଁଷିଣିଆ କଲିଜା ସହ । ଟିକେ ବଡ ଗୁଣିଆ ହୋଇଥିଲେ ମଶାଣି ମୁଣ୍ଡ ନଣ୍ଡାଗଛ ଯାଏଁ ଝିଙ୍କା ହୋଇଯିବ, ନଚେତ୍ ମାଟି ତଳେ ମାଠିଆରେ ପୋତା ହେବ ।

ମାମୁଁ ଗଛକୁ ଦେଖୁଥିଲେ । ସଫେଦ କାଗଜ ଭଳି ତାଙ୍କ ମୁହଁର ଭାବ ବି ସାଧା..ସାଧା.. । କିଛି ଥିଲେ ସିନା ଗୌରୀ ପଢିପାରନ୍ତା କି ବୁଝିଯାଆନ୍ତା । ଏଇ ମୁହଁକୁ ଓହଳେଇ ମାମୁଁ କେମିତି ଘରକୁ ଆସନ୍ତି, ତୁନି ହୋଇ ବସନ୍ତି । ଦୀର୍ଘ ନିଃଶ୍ଵାସ ଛାଡ଼ନ୍ତି । ପାଣି ନମାଗି ନିଜେ ସୁରେଇରୁ ଢାଳି ପାଣି ପିଅନ୍ତି । କାହାକୁ ବତାନ୍ତିନି କି ନିଜେ କରନ୍ତିନି । ଖାଇବାକୁ ଦେଲାବେଳେ ବୋଉ ଚୁପି ଚୁପି ବୁଝେଇଲା ଭଳି ନିଜେ ବୁଝିଗଲାଭଳି ମାମୁଁଙ୍କ ସହ କଥାହୁଏ । ମାମୁଁ ସେହି ସମୟଟା ମାମୁଁ ଭଳି ନୁହେଁ ବରଂ ଖୁଣ୍ଟଟେ ଭଳି ଲାଗନ୍ତି । ବୟସ ବଢ଼ିବା ସହ ଗୌରୀ ଏତିକି ବୁଝିସାରିଥିଲା ଯେ, ସେଇ ଖୁଣ୍ଟ ଭଳି ସମୟରେ ମାମୁଁ କାହାର ନା କାହାର ଘରୋଇ କଳି ଝଗଡା ମେଣ୍ଟେଇବାର ଦାୟିତ୍ଵ ନେଇଥାନ୍ତି । ମୋଟ୍ ଉପରେ ମୁରବୀର ବୋଝ ତାଙ୍କୁ ଏମିତି ଫିକା ଏବଂ ସଳଖ କରି ଦେଇଥାଏ । ଏଠି ଡାହାଣୀ ପାଖରେ କି ମୁରବୀପଣିଆ ! ସାଧାରଣ ମାନସାଙ୍କରେ ବାରମ୍ବାର ଛେପ ଢୋକି ପକଉଥିବା ଗୌରୀ ମୁଣ୍ଡରେ ସଂସାରିଆ ଜଟିଳ ଗଣିତ ପଶୁ ହିଁ ନଥିଲା । ମାମୁଁଙ୍କ କାନ୍ଧ ଗଇଁଠାଳରେ ବନ୍ଧା ହୋଇଥାଏ କେଇମୁଠା ସୋରିଷ । ଯେଉଁଥିରୁ ସେ ମୁଠାମୁଠା କରି ବାରିପିଣ୍ଡାରୁ ଆମ୍ବତୋଟା ଯାଏଁ ବୁଣିବୁଣି ଆସୁଥିଲେ ବିଦ୍ୟାପତି ପରି । ଗୌରୀର ପ୍ରଶ୍ନ ତାଙ୍କ ଗାମ୍ଭୀର୍ଯ୍ୟ ଭିତରୁ ଉତ୍ତର ବାହାର କରିପାରୁ ନଥିଲା ।

ଆମ୍ବଗଛ ପାଖ ଗୟସବୁଦାଠାରେ କଚାଡି ହୋଇ ପଡିଛି ନିତୁ ଭାଉଜ । ମାମୁଁ ଟାଣିଥିବା ସୋରିଷର ଗାର ଡେଇଁ ଯାଇଥିଲା ସେ । ହଳଦୀଲଗା ହାତଗୋଡମାନ ଦେଖାଯାଉଥିଲା ସ୍ପଷ୍ଟ । ପାନପତରିଆ ସୁନ୍ଦର ମୁହଁ ଓଢଣାରେ ଘୋଡେଇ ହୋଇ ନଥିଲା । ଆଖି ଦୁଇଟା ବନ୍ଦ ଥିଲା ଯେମିତି କି ବନ୍ଦ ଥିଲା ବୋହୂଦେଖା ବେଳେ । ବେକର ଚିଡ଼ିଆହାର, କାନର ଅନାରକଲି ଦୁଲ ଦେଖାଯାଉଥିଲା । ନା ସେ ହାତ ମୁଠା ମୁଠା କରୁଥିଲା ନା ଦାନ୍ତ କଡମଡ । କଜଳ, ହଳଦୀ, ସିନ୍ଦୂର ନାଇଥିବା ନୂଆବୋହୂର ମୁହଁକୁ ଡାହାଣୀ କେମିତି ଶୋଷି ପକେଇଥିଲା ଯେ ବଡ ବିକଳ ଦିଶୁଥିଲା ତା ମୁହଁ । ପାହି ଡେଉଁଡେଉଁ ଡାହାଣୀ ନିଆଁ ହୁଳାଟେ ହୋଇ କି ଧୂଆଁ ଗାରଟେ ହୋଇ ଗଛ ଆଡକୁ ମାଡିଯିବା କଥା । କିଛି ହେଲାନି, କିନ୍ତୁ ନିତୁ ଭାଉଜ ତା’ର ସବୁ ଅସ୍ତବ୍ୟସ୍ତ ପିନ୍ଧାବାସ ସହ ପଡ଼ି ରହିଛି ତୁଚ୍ଛା ମାଟିଟାରେ । କେହି ଭରସି କରି ଯାଉନଥିଲେ ତା ପାଖକୁ ଡରରେ । ଖରାବେଳେ ଏଇ ନିତୁ ଭାଉଜ ସକାଳୁ ଆଉ ଗୋଟେ ପ୍ରକାରର ଥିଲା । ନିତୁ ଭାଉଜକୁ ଡାହାଣୀ ଲାଗିଲାଣି ଆସ୍ତିକ ଭାଇ ଗଲା ଦିନଠୁଁ । ପ୍ରଥମେ ଜଣାପଡୁ ନଥିଲା । ଗୁମ୍ ମାରି ରହିବାକୁ ଲୋକେ ବୁଝିଲେ ବୋହୂପିଲା ଲାଜମାଡରେ ଚୁପ୍ ରହୁଛି । ସୁକୁସୁକୁ ହୋଇ କାନ୍ଦିବାକୁ ଲୋକେ କହିଲେ ବାପଘରକୁ, ଆସ୍ତିକ ଭାଇକୁ ଝୁରୁଛି । ରାତିଅଧରେ ଯାନାଆନା ଆବୁରୁଜାବୁରୁ କାମରୁ ଲୋକେ କହିଲେ ପଢ଼ୁଆବୋହୂ ଗାଉଁଲିକାମର ସଣ୍ଠଣା ଜାଣିନି, ଟିକେ ଘାବରେଇ ଯାଉଛି । ତେଣିକି ମୂର୍ଚ୍ଛା ହୋଇ ପଡିବା, ବିଡ୍ ବିଡ୍ କରି କ’ଣ ନା କ’ଣ କହିହେବା ଉତ୍ତାରୁ ଡାହାଣୀ ସବାର ହୋଇଥିବା କଥା ଜଣାପଡିଲା । ତାହା ପୁଣି ନିଜକୁ ନିଜେ ପରିଚୟ ଦେଲାପରେ । ଡାହଣୀ ଫାଶରେ କିଛିଦିନ ସନ୍ତୁଳି ହେଲାପରେ କାନକୁ କାନ ହୋଇ ମାମୁଁ ଯାଏଁ କଥା ଗଲା ।

କେଉଁକେଉଁ ଗୁଣିଆ ସହ କଥାବାର୍ତ୍ତା ହୋଇ ଗୋଟେ ଦରମଲା ଦାଢିଆ ଧେଡ଼ିଆ ଲୋକକୁ ଧରି ରାତିଅଧରେ ପହଞ୍ଚିଲେ ମାମୁଁ  ଗୌରୀ ଘରେ। ଚା’ପାଣି ଦେବା ଭିତରେ ଗୌରୀ ଜାଣିପାରିଲା ଗୁଣିଆକୁ ଧରି ମାମୁଁ ଆଇଛନ୍ତି ନିତୁଭାଉଜ ଦେହରୁ ଡାହାଣୀ ଛଡେଇବାକୁ । ସବୁ ଡରଭୟକୁ ଏକପାଖିଆ କରି ବଢ଼ିସକାଳୁ ଗୌରୀ ଖସିଆସିଥିଲା ଘରୁ । ବୋଉ ତ ତାର ହଲିଲା ପାଣିରେ ଛାଇ ଚିହ୍ନିଦେବା ଲୋକ । ରଡି କରୁଥିଲା ପଛରୁ..... 'ଯାଆନା କହୁଛି ସେଆଡେ । ତାକୁ ଛାଡି ଡାହାଣୀ ତୋ' ବେକ ମୋଡିଲେ ବୁଝିବୁ ଯାଇଁ... ।' ଡର ଲାଗୁଥିଲେ ବି କୌତୂହଳ ତାକୁ ଡିଆଁଇ ଆଣିଥିଲା ବୋଉ ପାଟିର ଲକ୍ଷ୍ମଣଗାର । ଆସିଲାପରେ ଯାଇ ଦେଖିଲା ତା’ଆଖପାଖ ବୟସର କେହି ନାହାଁନ୍ତି ସେଠି । ଖାଲି ମାଈପି ଗହଳି । କେତେ ନାଇଁ କେତେ ଖୁଜୁରୁ. ବୁଜୁରୁ.. । କଥା ଆସି କାନରେ ପଡିଲେ ଅଲଗା କଥା । ନିଜେ ଗୌରୀ କେବେ ମାଈପିଙ୍କ କଥା ଶୁଣେନି, ଯେହେତୁ ଅଧାରୁ ଅଧିକ ସେ ବୁଝିପାରେନି । ସେତିକି ବେଳକୁ ନିତୁ ଭାଉଜ ବସିଥିଲା ଢିଙ୍କିଶାଳର ଢିଙ୍କିକୁ ଆଉଜି ବଡ ଅଦ୍ଭୁତ ଭାବରେ । ସକାଳର ତୋଫାରଙ୍ଗ ଛୁଇଁ ପାରୁ ନଥିଲା ସେହି ଅନ୍ଧାରୁଆ ଘରକୁ । ହଳଦୀମଖା ହାତ ପାଦ ମଝିରେ ମଝିରେ ଦେଖା ତ ଯାଉଥିଲା, ମୁହଁ କିନ୍ତୁ ଲୁଚି ଯାଇଥିଲା ଓଢଣୀ ତଳେ । ଏ ତ ନିତୁ ଭାଉଜ, ଡାହାଣୀ କାହିଁ !!

ସକାଳ ନିଦର ଲୋଭକୁ ତେଜି ଦୌଡି ଆସିଥିବା ଗୌରୀ ହତାଶ ହୋଇ ପଡିଥିଲା । ମାମୁଁ ବସି କଥା ହେଉଥିଲେ ଭିତର ଘରେ । ମଙ୍ଗୁଜେଜେ ମାନେ ନିତୁ ଭାଉଜର ଶ୍ଵଶୁର, ଫୁଲ ଜେଜି ମାନେ ନିତୁ ଭାଉଜର ବଡ ଯା’ ଆଉ କିଏ କିଏ ସବୁ କଥା ହେଉଥିଲେ । ଗୁଣିଆ ସେମାନଙ୍କ ସହ କେତେ ସମୟ ଧରି କଥାବାର୍ତ୍ତା ପରେ ମଝିରେ ମଝିରେ ତାତି ଯାଉଥିଲେ ମଙ୍ଗୁଜେଜେ ମାମୁଁଙ୍କ ସହ । ଗୌରୀ ବୁଝିପାରୁଥିଲା ରୋଷର ଧାସଟା ମାମୁଁଙ୍କ ପାଇଁ । ମାମୁଁ ସବୁବେଳେ ଲୋଟାଏକର ପାଣି ପରି ଭାରି କାକର । ସବୁ ଯାଗାରେ ଫାଙ୍କକୁ ଯୋଡିବା, ଭଙ୍ଗାକୁ ଗଢିବା କାମ ତାଙ୍କର । ଏକଥା ସତ ନିତୁ ଭାଉଜଙ୍କ ବାହାଘରରେ ମାମୁଁ ମଧ୍ୟସ୍ଥି ଥିଲେ କିନ୍ତୁ ତା’ ମାନେ ନୁହେଁ ଡାହାଣୀ ବେକରେ ବେଲ୍ଟ ବାନ୍ଧି  ଯେମିତି ଆଣି ଛାଡି ଦେଇଛନ୍ତି ମଙ୍ଗୁଜେଜେଙ୍କ ଘରେ । ଗୌରୀର ପିଲାମନ ମାମୁଙ୍କ ଲାଗି ଦୁଃଖୀ ହୋଇଗଲା । ପରେ ପରେ କିଛି ସମୟ ଚୁପ୍‌ଚାପ୍ ଗୁଣିଆ ମନକୁ ମନ ବିଡ଼ ବିଡ୍ ହୋଇ ତା’ ମୁଣାରେ ରଖିବା ଅଦ୍ଭୁତ ସାଜସରଞ୍ଜାମକୁ କାଢି କାଠପିଢ଼ା ଖଣ୍ଡକରେ ରଖୁଥିଲା । ମଝିରେ ମଝିରେ ମାମୁଁକୁ ଡକା ପାରୁଥିଲା । ଖରା ଯେତେବେଳେ ପାଚେରୀ କାନ୍ଥ ଡେଇଁ ଚାଳକୁ ଛୁଇଁଲା ବୀଣା ଭାଉଜ ପଖାଳ କଂସାଏ ଶାଗଭଜା ଗିନାଏ ଆଣି ନିତୁ ଭାଉଜ ପାଖରେ ଥୋଇଲେ । ବୀଣା ଭାଉଜ ଗୌରୀର ସବୁଠାରୁ ପ୍ରିୟ । ଗୌରୀର ମନ ପୂରିଗଲା ଭଳି ବୀଣା ଭାଉଜ ହସନ୍ତି । ଶ୍ୟାମଳ ରଙ୍ଗର ଏକଦମ୍ ଶାନ୍ତ ଚେହେରା ବୀଣା ଭାଉଜଙ୍କର ଦେଖିଲା ମାନେ କୋଳକୁ ଭିଡି ନିଅନ୍ତି । ନୂଆ ନୂଆ ପ୍ରକାରର ବେଣୀ ପାରିଦିଅନ୍ତି । ନେଲପଲିସ୍ ଲଗେଇ ଦିଅନ୍ତି । ଦାନ୍ତକିଲି କି ଭଜାବାଦାମ ଯାହା ବି ଘରେ ଥାଉ, ମୁଠାଏ ଗୌରୀର ହାତରେ ଧରେଇ ଦେଇ ଭଲମନ୍ଦ ପଚାରନ୍ତି ।

ଏବେ କିନ୍ତୁ ବୀଣା ଭାଉଜ ମାମୁଁଙ୍କ ଭଳି ଗମ୍ଭୀର ଥିଲେ । ତାଙ୍କ ମୁହଁରେ ସେହି ଦୁର୍ମୂଲ୍ୟ ହସ ଖଣ୍ଡକ ଖେଳୁନଥିଲା । ଗୌରୀକୁ ଦେଖି ନ ଦେଖିଲା ଭଳି ସେ ଆଡେଇ ହୋଇ ନିତୁ ଭାଉଜକୁ ପଚାରିଲେ- 'ଆଜି ତ ଗୁରୁବାର, ପୋଡାପୋଡି କିଛି କରିନି । ଆଳୁସିଝା ଅଛି ଆଣିଦେବି ?' ନିତୁ ଭାଉଜ ହାତ ହଲେଇ ମନା କଲା । ହାତରେ ଠାରି ସେ ଜଣେଇଦେଲା ବୀଣା ଭାଉଜକୁ ଯେ ଅଗଣାରେ ବଡ ଡେକ୍‌ଚିରେ ଜିଆଁ ହୋଇଥିବା ବଡଚିଙ୍ଗୁଡି କିଛି ଭାଜିକି ଦିଅ । ବୀଣା ଭାଉଜ ଥା’ ଥା’ ମା ମା ହୋଇ ଚାହିଁଲେ ମାମୁଁଙ୍କୁ । ମାମୁଁ ପାଖରେ ମୟୂର ଝାଡୁ ଧରି ଠିଆ ହୋଇଥିବା ଦାଢ଼ିଆ ଗୁଣିଆକୁ ପଚାରିଲେ । ଗୁଣିଆ କିଛି ନକହୁଣୁ ମାମୁଁ କହିଲେ, ଦିଅ ମା' ଦିଅ । ଡାହାଣୀର ଆଉ ବାର କ’ଣ ? ବୋହୂ ମା’ର କ’ଣ ଚେତା ଅଛି । ଯେ ସେ ବାରିବ ? ବୀଣା ଭାଉଜ ଧଡପଡ ହୋଇ ଭିତର ପଟକୁ ଗଲେ । ଚିଙ୍ଗୁଡି ଭାଜି ନ ଆଣିଲା ପର୍ଯ୍ୟନ୍ତ ନିତୁ ଭାଉଜ ଛୁଇଁ ନଥିଲା ପଖାଳ କଂସାକୁ । ନିତୁ ଭାଉଜ ପାଖରେ ସୋରିଷ ସିନ୍ଦୂର ବୁଣି ଗୁଣିଆ ଚଢା ଗଳାରେ କହିଲା , ଖାଇ ସାଇଲେ ଯିବୁଟି ? ମୁଣ୍ଡ ହଲାଇ ନିତୁ ଭାଉଜ ମନା କଲା । କହିଲା, ମୁଁ ୟାକୁ ଏଠି ରଖେଇ ଦେବିନି । ଅନ୍ଧାରରେ ରୂପର ଦାଉ ଦେଖେଇ ଖତେଇ ମତେ ହେବ ଇଏ । ଏଡେ ସାହସ ! ବ୍ରାହ୍ମଣ ଘରର ବୋହୂ ବୋଲି ମୋ’ ଡେଣା ଝିଙ୍କିଲା ଭଳି ମୋ' ଘର ତଳେ ହଗିବ, ମୂତିବ ମୁଁ ସହିବି ?

ନିତୁ ଭାଉଜଙ୍କ ଶ୍ୱଶୁର ଘରେ ପାଇଖାନା ନାହିଁ । ଖତଗଦା ନ ହେଲେ ଆମ୍ବତୋଟାରେ ସେମାନେ ସବୁ ସାରବାର କରନ୍ତି । ଗାଧାନ୍ତି ଦିଅଁଙ୍କ ପୋଖରୀରେ । ବ୍ରାହ୍ମଣ ଲୋକ କି ନା, ସେମାନଙ୍କୁ ଦିଅଁଙ୍କ ପୋଖରୀ ଛାଡ । ନୂଆବୋହୂମାନେ ତ ବାହାରକୁ ଯାଆନ୍ତିନି, ସେମାନେ ଗାଧାନ୍ତି କୂଅମୂଳେ । ଏମିତିରେ ଥିଲାବାଲା ଘର । ପାଇଖାନାଟେ କରିବାକୁ ଶ୍ଵଶୁର ବୁଢା ଏଡିକି ଜାଡ ଯେ ମଙ୍ଗୁନି । କହିବ କ'ଣ ନା ମାହାଳିଆରେ ଏଇ ଅବୁର୍ଜିଆ କାମରେ ପଇସା ଗୁଡାକ ଫିଙ୍ଗିବି ? ଆମ ବୋପା ଚଉଦ ପୁରୁଷରେ କେହି ପାଇଖାନା ଯାଇନାହାନ୍ତି । କାହାର କ’ଣ ହୋଇଛି ? ନୂଆନୂଆ ନିତୁ ଭାଉଜ ଘରଲୋକଙ୍କୁ ମନେପକେଇ ନୁହଁ ଏଇ ପାଇଖାନା ପାଇଁ ଲଘୁଚାପ ବର୍ଷା ବୁହାଇଥିଲା ଆଖୁରୁ । ଏକଥା କେମିତି କେଜାଣି ଡିଆଁଡିଇଁ କରି ବୋଉ ପାଖରେ ପହଞ୍ଚିଗଲା । ବାହାଘରର ଏକ ପ୍ରକାର ମଧ୍ୟସ୍ଥି ଥିଲେ ମାମୁଁ । ମାମୁଁ କହିଲେ, ‘ଆଶିଷ ସହ ବାହାଘର ପୂର୍ବରୁ କଥା ହୋଇଥିଲି’(ଆଶିଷ ମାନେ ନିତୁ ଭାଉଜଙ୍କର ଦେଢଶୁରର ମାନେ ବୀଣା ଭାଉଜଙ୍କର ବର) ସେ'ତ କହିଥିଲା ବାହାଘର ପୂର୍ବରୁ ଏସବୁ କାମ ସାରିଦେଇଥବ । ଟଙ୍କା ତ ଗଦେଇ ଦେଇଥିଲେ ସେମାନେ ।' ପାଣି ଗ୍ଲାସେ ଢକଢକ କରି ପିଇସାରି ମାମୁଁ କହିଲେ, କହତ ଅପା, କି କାମଟା କରି ପକାଉଛି ଆସ୍ତିକ ଭୁବନେଶ୍ୱରରେ ଯେ ସେମାନେ ଠିଆଠିଆ ତିନିଲକ୍ଷ ଗଣିଦେଲେ ପୁଣି ଜାଗା, ଗାଡି, ଘୋଡା ଅବୁରୁଜାବୁରୁରେ ପାଞ୍ଚଲକ୍ଷ । କ’ଣଟା ସେ ? ସପ୍ଲାଏ ଏଜେଣ୍ଟଟେ.... କୋଉ ଡାକ୍ତର ନା ଇଞ୍ଜିନିୟର୍ ଯେ ଆହୁରି ଲୋଭ...? ପାଇଖାନା କଥା ଉଠିଲେ ବୁଢା ଖେଙ୍କି ହୋଇ କହୁଛି ତାଙ୍କ ଝିଅ ପାଇଁ ସେମାନେ ବନେଇ ଦେଉ ନାହାନ୍ତି, କିଏ ମନା କରୁଛି ! ମାମୁଁ ଦୀର୍ଘନିଃଶ୍ଵାସ ଛାଡି କହିଲେ, କ’ଣ କହିବ ଏମିତି ଢି' ଗାଲୁଆଙ୍କୁ ? ବୋଉ ଶୁଣୁଥିଲା ତୁନି ହୋଇ । ମାମୁଁଙ୍କ ଦୀର୍ଘନିଃଶ୍ଵାସ ଛାଡିବା ଦେଖି ସେ ବି ଲମ୍ବା ନିଃଶ୍ଵାସଟେ ଛାଡିଲା । କହିଲା, 'ନାଇଁରେ ବାପା, ଆଜିକାଲିକା ପିଲା ସହୁଛନ୍ତି କୁଆଡେ ? ତାଙ୍କ ଗୋଡ ତଳକୁ ସବୁ ଆରାମ ଦରକାର । ଶାଶୁ ଶ୍ଵଶୁରଙ୍କ ଜଞ୍ଜାଳଠୁଁ ଏମାନଙ୍କ ଅଦଉତି ଅସମ୍ଭାଳ ।' ମାମୁଁ ଚୁପ୍ ଥିଲେ ବେଶ୍  କିଛିବେଳ, ଯେମିତି ଆଜି ଅଛନ୍ତି ।

ଗୁଣିଆ ପାଟି କରି ନିତୁ ଭାଉଜଙ୍କୁ ରଗଡଟେ ଦେଲା- 'ଦେଖ୍ ଏଇପାଣି ଗରିଆକୁ । କହିଲା ମାତ୍ରେ ଦୌଡିବୁ ଦାନ୍ତରେ କାମୁଡି ।' ନିତୁ ଭାଉଜ ଆପତ୍ତି କଲା । କହିଲା, ବୁଢୀ ଲୋକ ବାପା । ଏଡେ ଗରିଆଟେ ପାରିବି କ’ଣ ?  କଂସା ଲୋଟାକରେ ପାଣି ଦିଅ । କଂସାକ ଯାକ ପଖାଳ, ଚିଙ୍ଗୁଡିଭଜା ବାଇଗଣ ଭରତାକୁ ଚାଟିଚୁଟି ସଫା କରି ଦେଇଥିଲା ନିତୁ ଭାଉଜ । ଆହୁରି ଥରେ ଦୁଇଥର ମାଗିକି ବି ଖାଇଥିଲା । ତାଙ୍କ ଖାଇବାରୁ ଲାଗୁଥିଲା ବହୁଦିନ ଧରି ଭୋକିଲା ଥିଲା ସେ । ନିଜେ ମାମୁଁ ନିଘା ରଖିଥିଲେ, ନିତୁ ଭାଉଜର ଖାଇବାକୁ । ଗୌରୀ ଚାହିଁଥିଲା ହାଁ କରି । ନିତୁ ଭାଉଜର ମୁଣ୍ଡରେ ଓଢଣା ନଥିଲା । ବାଳ ସବୁ ଅଜାଡି ହୋଇପଡିଥିଲା ପିଠିରେ ଆଉ ଛାତିରେ । ଡାହାଣୀ ଭଳି ରଡ଼ ନିଆଁର ଆଖିରେ ନୁହେଁ ବରଂ ଆତୁର ଆଖିରେ ସେ ଚାହିଁଥିଲା ମାମୁଁଙ୍କୁ ଆଉ ମାମୁଁଙ୍କ ପାଖରେ ଦୁର୍ଦ୍ଦାନ୍ତ ଆତତାୟୀ ଭଳି ଠିଆ ହୋଇଥିବା ଧଇଁଆ ଗୁଣିଆକୁ । କି’ କି ଆବୁରୁଜାବୁରୁ ଜିନିଷରେ ଠା’କୁ ଠା’ ନିଆଁ ଜାଳି ଧୂଆଁ ଦେଲା ଗୁଣିଆ । ନଶୁଭିଲା ଭଳି ବିଡ୍ ବିଡ୍ କରି ମନ୍ତ୍ର ପଢିଲା ଘଣ୍ଟାଏ କାଳ। ମଝିରେ ମଝିରେ ୟା’ ଆଣ ତା’ ଆଣ ଡକା ପାରୁଥିଲା ତ ଧଡପଡ ହୋଇ ମାମୁଁ ଯୋଗାଡ କରି ବଢେଇ ଦେଉଥିଲେ ହାତକୁ । ଦେଖଣାହାରୀଏ ତ ‘ଥ’, ଦୌଡ ଧାପଡ କରିବ କିଏ ? ଟିକିଏ ଏପଟ ସେପଟ ହେଲେ ଡାହାଣୀ ଆଉ କାହା ବେକରେ ଓହଳି ପଡିବ ବୋଲି ଗୁଣିଆ ଆଗରୁ ଚେତାବନୀ  ଦେଇଥିଲା । ବାହାବେଦୀର ମନ୍ତୁରା ପାଣିର କାଟ ଅଛି ବୋଲି ଏ ଯାଏଁ ନିତୁ ଭାଉଜର କିଛି କରିପାରିନି ସେ । କିଏ ଜାଣେ ନିତୁ ଭାଉଜକୁ ଛାଡି ଆଉ ଯାହାକୁ ଧରିବ, ତା’ର କି ଅବସ୍ଥା କରିବ ! ପାଣି ଗରିଆ ଜାଗାରେ ଗଡୁ ଗୋଟାଏ ରଖାହେଲା ନିତୁ ଭାଉଜ ଆଗରେ । ପଚରା ହେଲା, ଏଥର ମନ ଶାନ୍ତି ? ଯିବୁ ତ ?? ଝରଝର ହୋଇ ଝରିପଡିଲା ଲୁହ ଭାଉଜର ପୀଡିତ ଆଖିରୁ । ଗୁଣିଆ କିଛି ପଚାରିଲାନି ତାକୁ । ତା’ ଉପରକୁ ହାମୁଡେଇ ପଡି ଦେଖୁଥିବା ଦେଖଣାହାରୀଏ ସେମିତି ଚାହିଁ ରହିଥାନ୍ତି ଜଳଜଳ । କାହିଁ କେଜାଣି ଗୌରୀର ପେଟ ଭିତରେ ଜମାଟ ବାନ୍ଧୁଥିଲା କୋହ । ଗୁଣିଆ ପାଟି କରି କହିଲା, 'ଦେଖ ପାହି ଡେଇଁଲେ ନାହି ଖଣ୍ଡଖଣ୍ଡ । ତୋ କରାମତି ପାହି ସେପଟେ । ନାଇଁ... କଥା ନମାନି ପାହି ଏପଟେ ରହିବୁତ ଠିଆରେ ଜଳିଯିବୁ । ଇକ୍ଷଣି ନିକିଲି ଯା.. ଏଇ ଦେଖ୍ ଫିଙ୍ଗିଲି ମନ୍ତୁରା ଜଳ...।' 

ଯେମିତି ଭାବିଥିଲା ଗୌରୀ, ସେମିତି ହେଲାନି କିଛି । ନିତୁ ଭାଉଜ ଡେଇଁ କୁଦି ଦୌଡିଲାନି । ଦି' ତିନିଥର ଧମକେଇବା ପରେ ବହୁ କଷ୍ଟରେ ଛାମୁଦାନ୍ତରେ ଗଡୁ ଗୋଟାକ ଧରି ଠିଆ ହେଲା ସେ । ହାତରେ ଧରିଥିବା ବେତ ଖଣ୍ଡକରେ ପାହାରେ ଦେଲା ଗୁଣିଆ । ପୂର୍ବ ଭଳି ଲୁହ କେତେ ବୋହି ଗଲା ଦ୍ରୁତଗତିରେ ତା’ ଗାଲ ଦେଇ ନିରବରେ । ପ୍ରଥମେ ଧିରେ, ପରେ ଗୁଣିଆଠୁ ପାହାର କେତେ ଖାଇ ବଡବଡ ପାହୁଣ୍ଡ ପକାଇ ମାଡି ଚାଲିଲା ଆମ୍ବଗଛ ଆଡେ । ପଛରେ ଦେଖଣାହାରୀଙ୍କ ପଟୁଆର । ମାମୁଁ ପକେଇଥିବା ସୋରିଷର ପାହି ଡେଇଁ ପାରିଲାନି ସେ । ବୋଧହୁଏ ଝୁଣ୍ଟି ପଡିଲା କି କ'ଣ ପଡିଗଲା । ପଡିଗଲା ତ ବେହୋସ୍ ହୋଇଗଲା । ତା’ମାନେ ଡାହାଣୀ ରହିଗଲା ? ଦେଖଣାହାରୀଏ ସାଙ୍କୁଡି ହୋଇଗଲେ ଡରରେ । ସ୍ତ୍ରୀଲୋକମାନେ ସୁଦଶାବ୍ରତ ମାରା ହୋଇଯିବ ବୋଲି ନିତୁ ଭାଉଜ ପାଖ ମାଡିଲେନି । ଶେଷକୁ ପୋଲିସ ଚାକିରୀ କରିଥିବା ମୁକୁନ୍ଦ ଭାଇ ଟେକି ଆଣିଲା ନିତୁ ଭାଉଜକୁ ଘର ଭିତରକୁ । ଆଣି ଶୁଆଇଲା ଅଗଣାରେ । ମଙ୍ଗଳୁ ଜେଜେ, ଆଶିଷ ଭାଇ, ମାମୁଁ, ଗୁଣିଆ କି’କି’ କଥାଭାଷା ହେଲା ପରେ ମନ୍ତୁରା କ୍ଷୀର ପିଆହେଲା ନିତୁ ଭାଉଜକୁ । ଝାଳରେ, ପାଣିରେ, ଲୁହରେ ତିନ୍ତି ଯାଇଥିଲା ନିତୁ ଭାଉଜ । ପରଦିନ ସକାଳୁ ନିତୁ ଭାଉଜ ଘରର ଲୋକ ଆସି ଟେମ୍ପୁ ଗୋଟାକରେ ନେଇଗଲେ ନିତୁ ଭାଉଜକୁ ।

ନିତୁ ଭାଉଜକୁ ନେଇ ଗାଁ ସାରାଲୋକେ କୁହାକୁହି ହେଲେ । ଗୌରୀ ଆଗ୍ରହର ସହ ଶୁଣିଲା । ଡାହାଣିଆ ଦେହ ଗାଉଁଲି ପାଣିପବନ ପାଇଁ ଠିକ୍ ନୁହେଁ ବୋଲି କେତେକ କହିଲେ । କେତେକ ଏମିତି ବି କହିଲେ ଯେ ବ୍ରହ୍ମରାକ୍ଷସକୁ ଲୋଭେଇ ଦେଲାଭଳି ଚେହେରା ଖଣ୍ଡକ ପାଇଛି.... ହତାଶିଆ ଡାହାଣୀଟା ସୁନ୍ଦର ଚେହେରା ଲୋଭରେ ମାଡି ହୋଇ ପଡିବାଟା କି ବା କଥା । କେତେକ କହିଲେ, ତାକୁ ଆଣିବା ମାନେ ଭୂତମାନଙ୍କ ସହ ଉପରେ ପଡି ମାଡ ଲାଗିବା କଥା, ନ ଆସିଲେ ଭଲ । ସବୁଠୁ ଅଜବ ଥୁଲା ଫୁଲ ଜେଜି । ପୁଅ ସାଙ୍ଗରେ ଦୁଇଦିନ ପାଇଁ ଚାକିରୀ ଯାଗାକୁ ଛାଡି ଦେଉ ନଥିବା ଫୁଲ ଜେଜି ପୂରା ବଦଳି ଯାଇଥିଲା । କହିଲା, ଖାଲି କ’ଣ ଗାଁକୁ ଆସିଲେ, ଗାଁରେ ରହିଲେ ବୋହୂ ନଇଲେ ନାଇଁ ? ଥାଉ ସେ ସହରରେ..... ପୁଅ ପାଖରେ । ନିଜକୁ ନିଜେ ଶୁଣେଇଲା ଭଳି କହେ, ପୁଅ ପାଇଁ ତ ବୋହୂ । ରାନ୍ଧିବାଢି ଖାଇବାକୁ ଗଣ୍ଡେଦେବାକୁ, ଦେହ ମୁଣ୍ଡ ହେଲେ ଗୋଡରେ ମୁଣ୍ଡରେ ହାତ ଦେବାକୁ କିଏ ଅଛି ସତରେ ସହରରେ.. ! ବେଶି ବେଶି ସେବେ କହିହେଲା ଯେବେଠୁ ନିତୁ ଭାଉଜ ତା’ ବାପଘରୁ ମାସ କେଇଟା ପରେ ସିଧା ଆସ୍ତିକ ଭାଇଙ୍କ ପାଖକୁ ଗଲା ।

ଏଇସବୁ ଘଟଣାର ଢେର୍ ଦିନ ପରେ, ଆମ୍ବଗଛ କଟା ହୋଇ ପାଇଖାନା ଗାଧୁଆ ଘର ହେଲାପରେ ନିତୁ ଭାଉଜ ତାଙ୍କର କୁନି ଛୁଆର ଏକୋଇଶିଆକୁ ଗାଁକୁ ଆସିଲା । ପୂର୍ବ ନିତୁ ଭାଉଜଠାରୁ ଅଧିକ ସୁନ୍ଦରୀ ଦେଖାଯାଉଥିଲା ସେ । ଅଧିକ ପୂରିଲାପଣ ଥିଲା ତା’ ଆଖି, ଓଠରେ । ଉତ୍ସବର ଗହଳିରେ ମାମୁଁଙ୍କୁ ଦେଖି ଗୌରୀ ପଚାରିଲା, ମାମୁଁ ନିତୁ ଭାଉଜର ଦେହରେ ଲାଗିଥିବା ଡାହାଣୀ କୁଆଡେ ଗଲା ? ମାମୁଁ ତା’ ଗାଲକୁ ଚିପିଦେଇ କହିଲେ- 'ମୁକ୍ତି ପାଇଗଲା’ । 
- ‘ମାନେ’ !! ମାମୁଁ ଯେମିତି ଠିଆହୋଇଥିଲେ ତା’ଆଗରେ ରହସ୍ୟର ପେଡି ଧରି । “ଘରକୁ ଚାଲ କଥା ହେବା" କହି ମାମୁଁ କଅଁଳେଇ କହି ବାହାରି ଗଲେ । ଅଧରାତି ପର୍ଯ୍ୟନ୍ତ ବୋଉ ସହ ମାମୁଁଙ୍କୁ ଜଗି ବସିଥିଲା ସେ । ଦାଣ୍ଡଘରେ ମାମୁଁ ପହଞ୍ଚୁପହଞ୍ଚୁ ଗୌରୀ ପଚାରିଲା, କୁଆଡେ ଗଲା ଡାହାଣୀ, ମାମୁଁ ? ସେମାନେ ତ ଆମ୍ବଗଛ କାଟିଦେଲେ । ନିତୁ ଭାଉଜ ଗଲା ପରେ ଡାହାଣୀ କେବେ ଗାଁ ରାସ୍ତା ମାଡିନି...... ସତରେ ସେ ଧୂଆଁ ହୋଇ ଗାଁରୁ ନିକିଲିଗଲା ? ମାମୁଁଙ୍କ ମୁରବୀ ସୁଲଭ ଗମ୍ଭୀର ମୁହଁରେ ପାଖୁଡାଏ ହସ ଖେଳିଗଲା । ଗୌରୀର ଗାଲକୁ ଥାପୁଡେଇ କହିଲେ, ତୁ ବଡହୋଇଯା' ବଳେ ବୁଝିଯିବୁ ।
- ମାନେ ?? ପୁଣି ଢିମାଢିମା ଆଖରେ ଗୌରୀ ତା'ର ସେଇ ରହସ୍ୟମୟ ଏବଂ ସର୍ଵଜ୍ଞ ମନେ ହେଉଥିବା ମାମୁଁଙ୍କୁ ଚାହିଁଲା ।
- ମାନେ କିଛି ନିହେଁ ହୁଣ୍ଡି । ପଢୁଆ ପିଲାଙ୍କ ବୁଦ୍ଧି ବହୁତ। ତୋ' ନିତୁ ଭାଉଜ ଟିକେ ଅଧିକ ପଢିଥିଲା ବୋଲି ଡାହାଣୀ ପିଲାକୁ ପଢେଇ ଭଗେଇ ଦେଲା । ମାମୁଁ ହସି ପକେଇଲେ । ଗୌରୀ ତଥାପି ବୁଝୁ ନଥିଲା । ସବୁବେଳ ପରି ବୋଉ ନାକ ପୂରେଇଲା । 'ତାକୁ କିଛି କହନିରେ । ତା’ ପେଟରେ ଲୁଣ ମିଞ୍ଜେନି । ଆଖିପିଛୁଳାକେ ଗାଁଟା ଯାକ ରଟେଇ ହିନସ୍ତା କରିଦେବ ଏ ପିଲା... ।

ମାନମୟୀ ରଥ, ପୁରୀ, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ