
ନଗର ବାହାରେ ଘର ଯେ ତାହାର
ନାମ ଶ୍ରୀୟା ଚଣ୍ଡାଳୁଣୀ,
ସେବାରେ ତାହାର ପ୍ରସନ୍ନ ହୋଇଲେ
ବିଷ୍ଣୁଙ୍କର ପାଟ୍ଟଶାଣୀ ।
ନଥିଲା କି ଶିକ୍ଷା ଧନ ଦଉଲତ
ସହଜେ ଅଛବ ଜାତି,
ତଥାପି ତାହାର ହୃଦୟ ନିର୍ମଳ
ଲକ୍ଷ୍ମୀଙ୍କ ସେବାରେ ମତି ।
ମାର୍ଗଶିର ମାସ ଗୁରୁବାର ଜାଣି
ଶଯ୍ୟାକୁ ତତ୍ପରେ ଛାଡ଼ି,
ଏକବର୍ଣ୍ଣି ଗାଈ ଗୋବର ଆଣିଣ
ଘରକୁ ଥିଲା ସଜାଡ଼ି ।
ଅରୁଆ ଚାଉଳ ତୁରନ୍ତ ବାଟିଣ
ଲକ୍ଷ୍ମୀ ପାଦପଦ୍ମ ଚିତା,
ପୂଜାର୍ଚନା କଲା ମହା ଆନନ୍ଦରେ
ହୋଇ ସ୍ନାନ ଶୁଚିବନ୍ତା ।
ଶୁକଳ ଧାନକୁ ମାଣରେ ପୂରାଇ
ଚନ୍ଦନ ସିନ୍ଦୁର ଦେଇ
ଧାନବେଣ୍ଟି କରି ଯତନେ ରଖିଲା
ପାହିଲି ମାଣରେ ନେଇ ।
ଚୁଳ ମୂଳା ଆଖୁ ନଡ଼ିଆ କଦଳୀ
ଋତୁ ଫଳକୁ ସମର୍ପି,
ଧୂପ ଦୀପ ସହ ଶ୍ରଦ୍ଧାର ସୁମନ
ଭକ୍ତିରେ ଦେଲା ଅରପି ।
ଥିଲେ ଧନବନ୍ତ ପାଣ୍ଡିତ୍ୟ ଦମ୍ପତି
ଥିଲେ ଘରେ ସାଧବାଣୀ,
ସ୍ୱଛତା ଶୁଚିତା ନଦେଖିଣ ଲକ୍ଷ୍ମୀ
କୋଳେଇଲେ ଚଣ୍ଡାଳୁଣୀ ।
ପ୍ରକୃତି ରୂପିଣୀ ଭଣ୍ଡାର ଘରଣୀ
ପ୍ରକୃତିର ପୂଜା ପାଇ,
ଧନଜନ ଗୋପ ଦେଇଥିଲେ ବର
ମହାଲକ୍ଷ୍ମୀ ଖୁସି ହୋଇ ।
ଚଣ୍ଡାଳୁଣୀ ଦୋଷେ ଜଗା ବଳରାମ
ଲକ୍ଷ୍ମୀଙ୍କୁ ମନ୍ଦିରୁ ତଡି,
ବାରବର୍ଷ କାଳ କଷ୍ଟକୁ ଭୋଗିଲେ
ହୋଇଯାଇ ହିଡିଗିଡି ।
ମନ୍ଦିରୁ ବାହାରି ସାଗର ଦୂହିତା
ବାପଘର ଗଲେ ନାହିଁ,
ସମୁଦ୍ର କୂଳରେ ଘର ତୋଳାଇଣ
ଆନନ୍ଦରେ ଥିଲେ ରହି ।
ସର୍ବ ଦେବଦେବୀ ଅଷ୍ଟ ଯେ ବେତାଳ
ଲକ୍ଷ୍ମୀଙ୍କ ସହିତ ମିଶି,
ଜଗା ବଳିୟାଙ୍କ ବଡ ପଣିଆର
ଅହଙ୍କାର ଥିଲେ ନାଶି ।।
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି,
ଘରର ସମସ୍ୟା ସମାଧାନ ହେଉ
ପରିବାର ଭାବ ଥାଇ ।
ଝିଅ ଜ୍ୱାଇଁଙ୍କର କଳହ ମଧ୍ୟରେ
ଝିଅ ବାପ ରହୁଦୂରେ
ମାଆ ଭଉଣୀଲୋ କଳହ କାରଣୁ
ନଯାଅ ବାପାଙ୍କ ଘର େ।
ଲକ୍ଷ୍ମୀଙ୍କର ପୂଜା ହେଉ ଘରେ ଘରେ
ସେଥିରେ ବାରଣ ନାହିଁ,
ସାମାଜିକ ତତ୍ତ୍ୱ ବୁଝି ଆଚରିଲେ
ସମସ୍ୟା ରହିବ ନାହିଁ ।
ସନ୍ଥ ବଳରାମ କାଳଜୟୀ କାମ
ସମାଜ ସଂସ୍କାର ପାଇଁ,
ସର୍ବେ ମିଳିମିଶି ଦେବଦେବୀ ପୂଜ
ଜାତିପାତି ଭୁଲି ଯାଇ ।
ସୀମାଞ୍ଚଳ ଖଟୁଆ, ଭୁବନେଶ୍ଵର