
ସାତତାଳ ପାଣି ସାତତାଳ ପଙ୍କେ
ସ୍ମୃତିର ଫରୁଆ ଲୁଚିଥାଏ,
ମାୟା ସୁନ୍ଦରୀ ମହଲର ଚାବି
ମାଲ୍ୟାଣୀ ତହିଁ ରଖିଥାଏ ।
ପାଉଁଶ ତଳର ନିଆଁ ହୋଇ କେବେ
ଦିକି ଦିକି ହୋଇ ଜଳୁଥାଏ
ଅସଂଯତ ମନ ଗହନ ବନକୁ
ନିମିଷକେ ଜାଳି ଦେଇଥାଏ ।
କେବେ ପୁଣି ପ୍ରାଣ ସାଗର ବେଳାରେ
ଉତ୍ତୁଙ୍ଗ ଜୁଆର ତୋଳିଥାଏ
ଦିଶାହୀନ କରି ଉଦାସୀ ପରାଣେ
ଯନ୍ତ୍ରଣା ଖାଲି ଦେଇଥାଏ ।
ସ୍ମୃତି ସାଜେ କେବେ ପିଆଲାଏ ସୁରା
ଉନ୍ମତ୍ତ କରେ ପରାଣ ମନ
ଭାବରାଜ୍ୟର ଉଡନ୍ତା ଯାତ୍ରୀ
ଚେତନକୁ କରେ ନିଶ୍ଚେତନ ।
କେବେ ସ୍ମୃତି ହୁଏ ବଢନ୍ତା ନଈର
ପ୍ରଖର ଫେନୀଳ ଭୀମ ଭଉଁରୀ
କେବେ ପୁଣି କାଳ ବଇଶାଖୀ ଝଞ୍ଜା
ଉଜୁଡାଇଦିଏ ସୁଖ ଓ ଶିରୀ ।
ସ୍ମୃତି କେବେ ହୁଏ ଗୋଲାପ ବଗିଚା
କେବେ ସାହାରାର ତତଲା ବାଲି
ନୀଳ ଆକାଶର ଇନ୍ଦ୍ରଧନୁ ସେ
ଚଞ୍ଚଳା ସତେ ମେଘେ ବିଜୁଳି ।
ସ୍ମୃତି କେବେ ହୁଏ କଦମ୍ବ ବନର
ମଧୁର ବିତାନ ବଇଁଶୀ ସୁର
ଜୋଚ୍ଛନା ପୂରିତ ଜହ୍ନ ରାତିର
ଶାନ୍ତ ଶୀତଳ ମଧୁ ଜହର ।