
ପଚାରନି ମତେ ଆଉ,
ସେ ଭସା ମେଘର ଠିକଣା,
ଗୁଣୁ ଗୁଣୁ ଗାଉଥିବା
ମହୁ ମାଛିର ବେଗ ଓ ଦିଗ,
ପରସ୍ତ ପରସ୍ତ କରି
ପ୍ରତୀକ୍ଷଣ ମରୁଥିବା ବିଶ୍ୱାସର କୋହ,
ଆଉ ସେଥିରେ ଘିଅ ଢାଳୁଥିବା
ନିଜର ଅତି ନିଜରଙ୍କ ଲୁକ୍କାୟିତ ମୋହ,
ଚାରିଆଡେ ପୋଡାଳିଆ ଧୂଆଁଳିଆ ସମ୍ପର୍କ,
ତଥାପି କେହି ଅତିଷ୍ଠ ନୁହନ୍ତି ସ୍ୱାର୍ଥର ଯଜ୍ଞରେ,
ମତେ ଆଉ ପଚାରନା,
ଛଦ୍ମବେଶୀଙ୍କ ପ୍ରବାସ ଠିକଣା,
କି ମାଗନି ଭେଟିଦେବାକୁ
ଅଶ୍ରୁ ଆଉ ଲହୁକୁ ଗୋଟିଏ ପାତ୍ରରେ
ମୋହମାୟା ଲୋଭର ମିଛ ମଞ୍ଚରେ ।
କିଏ ନ ଜାଣେ ଏଠି,
ସବୁ କିଛି କିଣା ବିକା ସ୍ପଷ୍ଟ ଦିବାଲୋକରେ ,
ଆଉ ଯାହା ବାକି ରହିଯାଏ ଭାଗ ହୁଏ ଭାଗ୍ୟକୁ ନେଇ,
କିଏ ପାଏ ମେଞ୍ଚେ ପୁଣି କିଏ କେଞ୍ଚେ,
ଥାଉ ଆଉ ମତେ ପଚାରନା ସେ
ଭରତ ଙ୍କ ଭାରତର ମହତ ଉଦ୍ଦେଶ୍ୟ,
ମୁଁ ତୁମେ ସେମାନେ ସମସ୍ତେ ଧଇଁ ସଇଁ,
କେତେବେଳେ ଅସ୍ତିତ୍ୱ ବଞ୍ଚାଇବାରେ
ଅବା ମୋର ମୋର କହୁଥିବା ବହୁରୂପୀ ଏଣ୍ଡୁଅ ଭଳି
ପ୍ରତି ଘଡିରେ ରଙ୍ଗ ବଦଳାଉଥିବା ନିଜରଙ୍କ ପ୍ରବଞ୍ଚନାରେ,
ବହୁତ ହେଲାଣି ଏ ବଞ୍ଚି ବଞ୍ଚାଇବାର ମିଛ ଖେଳ ।
ଦୟାକରି ଆଉ କୁହ ନାହିଁ ମତେ,
ବୁଦ୍ଧମ- ଶରଣମ -ଗଚ୍ଛାମୀର ମହାମନ୍ତ୍ରକୁ,
ଏବେତ ସୁଯୋଗ ଦିଅ,
ଗୋଟେ କ୍ଷତ୍ରୀୟର ପରିଚୟ ଆଗକୁ ନେବାକୁ,
ପ୍ରତି ବିଶ୍ୱାସଘାତ ପ୍ରଶ୍ନର ଉତ୍ତର ଅଶୀରେ ଦେବାକୁ,
ମତେ ପ୍ରତିପାଦ କରିବାକୁ ରଣକ୍ଷେତ୍ରରେ ଅସ୍ତିତ୍ୱକୁ,
ଯୋଉଠି ଶିରିପା ଅପେକ୍ଷାରତ ବିଜୟ ସମାରୋହର,
ପୁଣି ଫେରିବ ଦିନେ ସମୟ ତା'ର ବସାକୁ,
ବାସ୍ କିଛି କ୍ଷଣର ମହଲତ,
ଥାଉ ଆଉ ମତେ ପଚାରନା,
ବୁଡିଯାଉଥିବା ସୂର୍ଯ୍ୟଙ୍କ ବସାଘର,
ଉଡିଯାଉଥିବା ପକ୍ଷୀଙ୍କ ଗୀତ,
ଗୋଠ ଫେରନ୍ତା ଗୋରୁପଲଙ୍କ ଖୁସି,
ପାଚିଲା ଶସ୍ୟ କ୍ଷେତରେ ଦୋହଲୁଥିବା
କୃଷକର ଆତ୍ମ ସନ୍ତୋଷର ପରିମାଣ,
ଥାଉ ଅନେକ ହେଲା ଜୀବନ ଜୀବିକାର ହିସାବ କିତାବ,
ଆଉ ମତେ କିଛି ପଚାରନି,
ମୁଁ ଆଜି ଏକ ହାରିଯାଇଥିବା
ଜୀବନ ଯୁଦ୍ଧର ପଳାତକ ଯୋଦ୍ଧା ।
ସୁବ୍ରତ କୁମାର ଜେନା
ଶୂରଡିହ, ନନ୍ଦିପୁର, ଯାଜପୁର
ଦୂରଭାଷ - ୯୭୭୬୨୦୮୯୩୦