ହେ ରାଧା - ଇଂ ଜ୍ଞାନ ରଞ୍ଜନ କର

0
କୃଷ୍ଣ ଙ୍କ ପାଦ ତଳେ ପଡି ଯୁବକ ଟିଏ ପଚାରୁଛି, “ହେ ମୁରଲୀ ମନୋହର ! କୁହ ମୋତେ, ମୋ ପାଇଁ ରାଧା କିଏ” ? ଟିକେ ହସି ଦେଇଛି ସେଇ ପଥୁରିଆ ମୂର୍ତ୍ତିଟା କହିଛି, ରାଧା !! ଯିଏ ତୋ ପାଇଁ ଜଳି ଜଳି ପଚାରେ ଅଗ୍ନିର ମାନେ କଣ !! ସେ ହେଉଛି ରାଧା ! ଯିଏ ପାଣିରେ ବୁଡ଼ିଗଲା ପରେବି ଶେଷ ନିଶ୍ୱାସକୁ ବଞ୍ଚେଇ ରଖେ ଆଉ କାହା ପାଇଁ, ସେ ହେଉଛି ରାଧା ! ମିଛ ଅଭିମାନ କରି କରି ଯେ ସତ ଅଭିମାନ ଭୁଲିଯାଇଛି, ସେ ରାଧା ! କଦମ୍ବ ଫୁଲକୁ ଧରି ଧରି ନିଜ ସ୍ୱାମୀ ରହାତ ଧରିବା ଯେ ଭୁଲିଯାଏ ଯିଏ, ସେ ରାଧା ! ଯିଏ ପ୍ରଣୟ ଆଉ ପ୍ରେମରେ ‘ପୂର୍ଣ୍ଣତାକୁ’ ‘ଅଧା’ ବୋଲି ଧରିନିଏ, ସେ ରାଧା ! ଯିଏ ଯମୁନା ପାଣିକୁ ଆଞ୍ଜୁଳାରେ ଭରି ଆକାଶକୁ ଉଛାଳି ଦିଏ, ସିଏ ରାଧା ! ରାଧା ସିଏ, ଯିଏ ବଂଶୀର ସ୍ୱର ସହ ନିଜ କଣ୍ଠକୁ ମିଶେଇପାରେ !! ରାଧା ସିଏ, ଯିଏ ନିଜ ପାଉଁଜିର ଶବ୍ଦରେ ନିଜେ ନାଚି ପାରେ !! ଯାହାକୁ ଯେତେ ଖୋଜିଲେ ସେ ମିଳେନି, କାହିଁ ନା ସେ ଆଉ କାହା ପାଇଁ ଲହୁଣୀ ଚୋରେଇବାକୁ ଯାଇଥାଏ !! ରାଧା ସିଏ, ଯିଏ ନିଶ୍ୱାସ କୁ ପର କରି ନିନ୍ଦା କୁ ନିଜର କରେ !!

ରାଧା ଗୋଟେ ମହାକାବ୍ୟ, ଯାହାକୁ ଅନର୍ଥରେ ବୁଝାଯାଏ, ଅର୍ଥରେ ନୁହେଁ ।  ମୁଣ୍ଡ ବାଡେଇ ବାଡେଇ କାକୁତି ମିନତି ହୋଇ ଯୁବକ ମାଗିଲା,”ମତେ ରାଧା ଆଣି ଦିଅ ପ୍ରଭୁ ! ରାଧା ଆଣି ଦିଅ ।” ଭଗବାନ ହସିଲେ, “ବାପା ରେ ! ମୁଁ ଅକ୍ଷମ, କୃଷ୍ଣ ପାଇଁ ରାଧା ନୁହେଁ; ରାଧା ପାଇଁ କୃଷ୍ଣ । କୃଷ୍ଣ ରାଧାକୁ ଆଣିନି, ରାଧା ଆଣିଛି ଏଇ କୃଷ୍ଣକୁ । ବଂଶୀର ସ୍ୱରଠୁ ଓଠର ହସ, ସବୁ ତାର। ରାଧା ଖୋଜିଲେ ମିଳେନି, ରାଧା ଖୋଜିକି ଆସେ । ବାସ ତୋ ନାଭିରେ ସେ କସ୍ତୁରୀର ଗନ୍ଧ ଥିବା ଦରକାର ।”
-“ଏତିକି ତ କୁହ ପ୍ରଭୁ କେବେ ଆସିବେ ସେ ?”
-“ସମୟ ଛାର ତା ଆଗରେ, ବାର୍ଦ୍ଧକ୍ୟକୁ ଜିତିବାରେ ସକ୍ଷମ ସେ, ପ୍ରେମ ସେ !
ମଶାଣିର ଜୁଇରେ ଘିଅ ଢାଳିବାକୁ ବି ଯାଇପାରେ, କିନ୍ତୁ ତାର ସାନ୍ନିଧ୍ୟ ଥରେ ମିଳିଗଲେ ମୋକ୍ଷ ଆଉ ମୁକ୍ତି ଅର୍ଥହୀନ । ଅପେକ୍ଷା କରନା, ସମୟ ତୋତେ କିଛି ଦେଇପାରିବନି ।”

ଇଂ ଜ୍ଞାନ ରଞ୍ଜନ କର

ଝାଞ୍ଜିରି ମଙ୍ଗଳା, କଟକ - ୭୫୩୦୦୯

ଦୂରଭାଷ - ୭୯୭୮୩୭୧୫୬୬

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ