କ୍ଷୁଦ୍ରଗଳ୍ପ - ମନିପର୍ସ - ଶ୍ୟାମା କିଙ୍କର ମହାନ୍ତି

1

ସବୁଥର ପରି ଏ ବର୍ଷ ବି ନୂଆବର୍ଷର ପ୍ରଥମ ରବିବାରରେ ଟିକେ ଗାଁକୁ ଯାଇ ବୁଲି ଆସିବାକୁ ଭାବିଲି । ସକାଳ ସାଢ଼େ ଆଠଟାରେ ଗାଁ ଛକରେ ପହଞ୍ଚୁ ପହଞ୍ଚୁ ଦେଖାହେଲେ ପିଲାବେଳ ସାଙ୍ଗସବୁ । ଛକରେ ପାନ ଦୋକାନଟା ବି ସାଙ୍ଗ ବୁଲୁର । ସେଇଠି ଦେଖା ହେଇ ଗଲେ ନରିଆ, ସପନା, ରଞ୍ଜନ, ଗଦା ଆଉ କାଳୁ ।

‘କିରେ ପିଲାଛୁଆଙ୍କୁ ଆଣିନୁ କି‘ ପଚାରିଲା କାଳୁ । ଦୋକାନ ଉପରୁ ଦାନ୍ତ ଦେଖେଇ ବୁଲୁ କହିଲା, ‘ ଭାଉଜ ପରା ଆମ ଭୋବନସରିଆ, ଗାଁରେ ତାକୁ କଣ ଭଲ ଲାଗିବ ?’ ହସିଲି ମୁଁ ଟିକେ । ‘ତୁ ଯାହା କହ, ଟୁଟୁ କୁ ଆମର ମାନିବାକୁ ପଡିବ । ଶିବଙ୍କ ବେଲପତ୍ର ପଛେ ବନ୍ଦ ହବ, କିନ୍ତୁ ନୂଆବର୍ଷରେ ଗାଁକୁ ଆସିବା ତା’ର ବନ୍ଦ ହବନି‘ ..କହିଲା ନରିଆ ।

‘ହଁ ରେ ନରିଆ, ଏଇ ଗୋଟେ ଟୋକା ପିଲାବେଳ ଗାଁ ସାଙ୍ଗକୁ ଯାହା ଟିକେ ପଚାରୁଛି, ନହେଲେ ଦେଖୁନୁ ରବିକୁ ଆଉ ଅଭିକୁ‘ ..କଥା ଯୋଡ଼ିଲା ସପନା । ଗଦା ଆଉ ରଞ୍ଜନ କଣ ଟିକେ ଟୁପୁରୁ ଟାପର ହେଲେ, ଗଦା କହିଲା, ‘ସାଙ୍ଗ ଏତେ ଦିନପରେ ଗାଁକୁ ଆସିଛୁ, ଫେର ନୂଆବର୍ଷଟା, ତୋ ଆଡୁ ଗୋଟେ ବାଡ଼ିଆ ଡାଲେମା ଆଉ ଝଡା ବେସରଟେ ହଉ‘ । ମୁଁ ମନିପର୍ସ କାଢି ପାଆଁଶ ଟଙ୍କିଆଟେ ବଢ଼େଇଲି । ରଞ୍ଜନ କହିଲା, ‘ଟୁଟୁ, ଆମ କଥା ତ ଜାଣିଛୁ, ଶୁଖା ଖଡ୍ ଖଡ୍ , ଏତିକିରେ କଣ ହବ, ଆଉ ଖଣ୍ଡେ ନଢା‘ । ଏଇ ପିଲାଦିନ ସାଙ୍ଗସବୁ ମୋର ଭାରି ପ୍ରିୟ, ଗାଁରେ ଛୋଟମୋଟ ଚାକିରୀ ବା ବ୍ୟବସାୟ କରି ଚଳନ୍ତି, ବହୁତ ଭଲ ପାଆନ୍ତି ମୋତେ । ସେମାନଙ୍କ ପାଇଁ ମୁଁ ହେଲି ଭୁବନେଶ୍ୱରରେ ବଡ ଚାକିରୀ କରୁଥିବା ତାଙ୍କ ସାଙ୍ଗ । କଥା କାଟିପାରିଲିନି, ଆଉ ପାଆଁଶ ଦେଲି । ସପନା କହିଲା, ‘ତୁ ଘରକୁ ଯା, ଦାଦାଖୁଡ଼ୀ ସାଙ୍ଗେ କଥା ହଉଥା, ଆମେ ତତେ ଡାକିଆଣିବୁ, ଏଇ ରଞ୍ଜନ ଘର ଆମ୍ବତୋଟାରେ ମ‘ ।

ଦାଦା ଖୁଡ଼ୀ ଆଉ ମୁନା ମୁନି ମତେ ଦେଖି ଭାରି ଖୁସି ହେଲେ । ଜଳଖିଆରେ ଗୁଡ଼ ଉଖୁଡା ଆଉ ସୁଜି କ୍ଷୀରି ପୁଣି ପାଚିଲା ଅମୃତଭଣ୍ଡା । ବହୁତ ଦିନପରେ ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେଲି । ଦାଦା ବୁଲେଇ ଦେଖେଇଲେ ଘର ଅବସ୍ଥା । ବାରିପଟ କବାଟଟା ଭାଙ୍ଗି ଗଲାଣି, ରୋଷେଇଘର ସେପଟ କାନ୍ଥ ପାଣି ଖାଉଛି, ଦାଣ୍ଡପଟ ଗ୍ରୀଲରେ ରଙ୍ଗ ମାରିବାକୁ ହବ ।‘ ମୋ ପାଖେ ତ ସମ୍ବଳ ନାହିଁ ଯାହା ତୁ କରିବୁ‘, ଦୀର୍ଘଶ୍ଵାସ ପକାଇ କହିଲେ ଦାଦା । ‘ହଉ ଦେଖିବା’ କହି ସାହିଆଡ଼େ ବୁଲି ବାହାରିଲି ।

ଦେଖାହେଲା ଟହଲିଆ ରାଜୁ । ଆମ ଗାଆଁରେ ରାଜୁ ନାଁରେ ତିନିଜଣ ଥିବାରୁ ଆଉ କିଛି କାମଧନ୍ଦା ନ ଥାଇ ୟା ତା ବୋଲହାକ କରୁଥିବାରୁ ସମସ୍ତେ ତାକୁ ଏଇ ନାଁରେ ହିଁ ଡାକନ୍ତି । ‘ବୁଝିଲ ଭାଇ ତେମେ ସିନା ଗାଁରେ ରହୁନା ମୁଁ କିନ୍ତୁ ତମ ଘର ଦୁଆର ତୋଟା ବଗିଚା ଗାଡ଼ିଆ ପୋଖରୀ ସବୁ ନିଘା ରଖିଛି, ପଚାରୁନ ହରି ଦା’ ଙ୍କୁ । ମୁଁ ଜାଣେ, ମୋଠୁ ପଚାଶ ଶହେ ନ ପାଇଲା ଯାଏଁ ସେ ଏମିତି ଗୁଡାଏ ଗପିବ । ବରଂ ତାକୁ କିଛି ଧରେଇ ବିଦାୟ ଦେବା ବୁଦ୍ଧିମାନର କାମ ।

କୁନିଅପା ଘରେ ପହଞ୍ଚିଲି । ମୋ ଲେଖାଯୋଖା ପିଉସୀ ଅପା । ବିଧବା, ବୟସ ପଅଁଷଠି ପାଖାପାଖି, ସେ ସମୟର ମାଇନର ପାସ । ଯା ହଉ ମତେ ଟିକେ ଦେଖିବାକୁ ଆସିଲୁ କହି ଚା ବସେଇଲା ଚୁଲିରେ । ‘କିରେ ଟୁଟୁ, ତୁ କାଳେ ଗୀତଗପ ଲେଖୁଛୁ ପେପରରେ, ବିଭୁ କହୁଥିଲା । ବଢ଼ିଆ ଆଉ, ଇଆଡ଼େ ଚାକିରୀରୁ ଦରମାକୁ ଏଥିରୁ ବି ଭଲ ପଇସା ପାଉଥିବୁ‘ । ପଇସା, ପୁଣି ଗୀତ ଗପରୁ ? ହସିବି ନା କାନ୍ଦିବି ବୁଝିପାରୁନଥାଏ ମୁଁ । ହଉ ତୁ ଆଉ ଟିକେ ଭଲ ଲେଖେ, ବହି ବାହାରିବ, ଅଧିକ ପଇସା ପାଇବୁ, ହେଲା ? ହଁ, ହଁ, ମୁଁ ଏଥର ମୁଣ୍ଡ ଟୁଙ୍ଗାରିଲି । ଚା ପିଉପିଉ ପୁଣି କହିଲା କୁନିଅପା, ‘କିରେ ଏଥର ତ କାର୍ତ୍ତିକକୁ ମତେ କିଛି ଦେଇନୁ । ତୁ ତ ସବୁ ବର୍ଷ ଦଉ । ଗରିବ ପିଇସୀଟା ମୁଁ ପରା ତୋର‘ । ମନିପର୍ସରୁ ଖୋଜି ଖୋଜି ତିନିଟା ଶହେ ଟଙ୍କିଆ କାଢି ଅପା ହାତରେ ଦେଲି । ପୁରା ଖୁସିଥିଲା ଭଳି ଲାଗିଲାନି ସେ, କହିଲା, ହଉ ଏଥର କିନ୍ତୁ ବୋହୂ ଆସିଲେ ତାକୁ କହିବୁ ମୋ ପାଇଁ ଲୁଗା ଖଣ୍ଡେ ଆଣିଥିବ ।

ଏତିକିବେଳକୁ ମତେ ଖୋଜିଖୋଜି ଗଦା ଆସି ପହଞ୍ଚି ଯାଇଥିଲା । ଆମେ ତୋଟା ଆଡେ ବାହାରିଲୁ । ବହୁତ ମଉଜମସ୍ତିରେ ଭୋଜି ଖିଆହେଲା । ପ୍ରାୟୋଜନ ପାଇଁ ମତେ ବି ଭୁରି ଭୁରି ପ୍ରଶଂସା ମିଳିଲା ।

ହେଲେ କାହାକୁ କହିଥାନ୍ତି ଯେ, ମୋ ମନିପର୍ସ ଅବସ୍ଥା ଖରାପ ? କରୋନା ପରବର୍ତ୍ତୀ ସମୟ ଓ ସରକାରଙ୍କ ଘରୋଇକରଣ ନୀତି ଯୋଗୁଁ ମୋ ଚାକିରୀ ସଂସ୍ଥାନ ଅବସ୍ଥା ବେହାଲ । ମୋ ଦରମାରେ ଲାଗିରହିଛି ଅନିୟମିତତା । ଏ ମାସର ଦରମା ବି ମିଳିନାହିଁ । ଏଇ ଖାଲି ଗାଁକୁ ଆସିବି ବୋଲି ସାଙ୍ଗଠାରୁ କିଛି ଟଙ୍କା ଆଣିଥିଲି କାଲିସନ୍ଧ୍ୟାରେ ।

ଭାବିଥିଲି ଗାଁରେ ଗୋଟେ ଦିନ କଟେଇବି । ବୁଲିବି ବିଲମାଳରେ । ଗାଧେଇବି ପୋଖରୀରେ । ପିଲାଦିନ ସ୍ମୃତିସବୁ ଆଉ ଟିକେ ତାଜା କରିବି । ମୋବାଇଲରେ ଫଟୋ ନେବି ବହୁତ ।ଏକୁଟିଆ ବସିବି ଘଡ଼ିଏ ନଈ ପଠାରେ । ହଁ, ଯଦି ସମ୍ଭବ ହବ ଗୋଟେ ଦି’ଟା କବିତା ଲେଖିବି । ସେତେବେଳକୁ ଦିନ ସାଢେ ତିନିଟା । କାହିଁକି କେଜାଣି ବଦଳେଇଲି ନିଷ୍ପତ୍ତି । ଦାଦାଙ୍କୁ ମିଛରେ କହିଲି ଅଫିସରୁ ଜରୁରୀ ଫୋନ ଆସିଛି, ମତେ ଯିବାକୁ ପଡିବ । ଖୁଡି ମନ ଦୁଃଖ କଲେ । କାଲି ସକାଳେ ଗଲେ ହବନି, ପଚାରିଲେ । ମୁଁ ପୁଣିଥରେ ମନିପର୍ସ ଖୋଲିଲି, ଆଉ ଯାହା ଥିଲା ମୁନା ମୁନିଙ୍କ ହାତରେ ଦେଇ ଗାଡି ଷ୍ଟାର୍ଟ କରିବାକୁ ବାହାରିଲି ।

ମାର୍କଣ୍ଡେଶ୍ଵର ସାହି, ପୁରୀ

Post a Comment

1Comments
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ