ଅଧା ଅଧା ଦୃଶ୍ୟ ରାତି
ପାଉଁଶିଆ ଉଦାସ ଉଦାସ
ଭୟ ଲାଗେ ପଶିବାକୁ ତା ଭିତରେ
ବାସ୍ତବତା ହଜିଯାଏ ଯେଣୁ ସେଠି
ନିମିଷକେ ଅଚିହ୍ନା ହେଇଯାଏ ଦୃଶ୍ୟପଟ
ତେବେ ତମ ଆମନ୍ତ୍ରଣ ଝରିଆସେ
ଖୋଲା ଝରକା ଭିତର ଦେଇ, ହୃଦୟକୁ
ଉତ୍ତାଳ କରି ତୋଳେ ମନ
ଧମନୀରେ ରକ୍ତସବୁ
ଜୁଆରିଆ ନଈ ପରି କୂଳ ଲଙ୍ଘିଯାନ୍ତି
ନିର୍ବିବାଦରେ, ବଶୀଭୂତ ପରି
ନିଜକୁ ହଜେଇ ଦେଇ ହୁଏ
ଅଧା ଅନ୍ଧାରରେ, ବିନା ଦ୍ଵିଧାରେ
କିନ୍ତୁ ତମକୁ ଛୁଇଁ ହୁଏନା
କୋଳେଇ ହୁଏନା
କେବଳ ଅନୁଭବ କରିହୁଏ
ତମେ ଅଛ ବୋଲି
ହୁଏତ ଦୂରରେ, ଖୁବ ଦୂରରେ
ବେଳେ ବେଳେ ଦୂର ପାହାଡ଼ ପଛରେ
ସେଠି ପହଞ୍ଚି ହୁଏନା –
ତମକୁ ପାଇ ହୁଏନା
ଫେରିଲା ବେଳକୁ, ଦୀପ ଲିଭି ଯାଇଥାଏ
ଆହୁରି ଗାଢ଼ ହୋଇଯାଇଥାଏ
ଏପଟର ଅନ୍ଧାର…
ତମ ବିନା, ଆଉ କିଛି ଦିଶେନା
ଖାଲି ତମେ ଅଛ ବୋଲି ଆଶାଟିଏ
ଦିକ ଦିକ ଜଳେ, ଜଳୁଥାଏ ଆକାଶରେ
ତାରା ପରି
ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ