
କବାଟ, ସେବେ ଖୋଲାଥିଲା
ଏବେ ବି ଖୋଲା ଅଛି
ଗାଁ, ସେଦିନ ଡାକୁଥିଲା
ଆଜି ବି ଡାକୁଛି।
କବାଟ ଫାଙ୍କରୁ ଫେରିବା ବାଟକୁ
ନିରେଖିଛି ନିରୀହ ଆଖିହଳେ
ଚାରିକାନ୍ଥ ଭିତରେ ଉଡିବୁଲୁଛି
ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ।
ଗାଁ ଗୋହିରିରୁ ଲିଭିନି ପାଦଚିହ୍ନ
ଆମ୍ବ ତୋଟା, ନଈପଠାରେ
ସାଇତା ଅଛି ସେ ଅଝଟ ପଣ।
ଶାଗ କିଆରି ଆଉ ସୋରିଷ କ୍ଷେତ
ସବୁଠୁ ଶୁଭେ ତୁମ ଅବୁଝା ଗୀତ !!
କେବେ, ଆପେ ଆପେ ଅନ୍ ହୁଏ
ଅଳନ୍ଧୁ ଲଗା ରେଡିଓଟା,
ବାଛିନିଏ ବିବିଧଭାରତୀ
ସଂଜହେଲେ ତାରାମାନେ ମିଶି
ତୁମ କଥା ପଚାରନ୍ତି।
ଝୁରୁଛନ୍ତି….
ଝରିଆ କକା, ଝୁମୁରୀ ନାନୀ
ଚାହିଁଛନ୍ତି ମାଟି ଆଉ ମଶାଣି !
ମନେଅଛି ନା… ?
ଏମିତି ଦିନେ ଫେରିବାକୁ କହି
ଫେରିଆସିଥିଲା ବଉଳା
କିନ୍ତୁ, ଫେରିନଥିଲେ କୃଷ୍ଣ !!
ବାହୁଡିଲା ବଉଳାକୁ ବାହୁଡାଇଦେଲା ବାଘ
ଅଥଚ ଧର୍ମକୁ ଦ୍ବାହିଦେଇ କୃଷ୍ଣ କହିଲେ…
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ !
ଧର୍ମ ତେବେ କଣ ?
ଧର୍ମକୁ ଧରିରଖି,
ପିଠିରେ ପିଠିଏ କର୍ମ ଲଦିଥିବା
ଧାର୍ମିକମାନେ ମନେରଖ…!
ତୁମକୁ ତିଆରିବା ଯାହାର ଧର୍ମ
ତାକୁ ସମ୍ଭାଳିବା ବି ତୁମର କର୍ମ !
ଧୃତରାଷ୍ଟ୍ରମାନେ ତ ଚିରକାଳ ଅନ୍ଧ
ଗାନ୍ଧାରୀ ଆଖିରେ ଅନ୍ଧ ପଟ୍ଟିକା ?
ଆଖିଥାଇ ଅନ୍ଧ ହୁଅନାହିଁ !
ନଚେତ୍ ଦିନେ ଖୋଲି ଦେଖିଲା ବେଳକୁ
ସମ୍ମୁଖରେ ଥିବ ଶେଷ ଚିହ୍ନ ଦୁର୍ଦ୍ଦକ୍ଷ !!!
ପାଣ୍ଡବଙ୍କୁ ବଞ୍ଚାଇବାରେ ସକ୍ଷମ
ସୌରିଙ୍କ ଶେଷ ହସ ପରି
ସେଇ ହସ ହେବ ତୁମର ଶେଷ ହସ
ଆଉ ତାପରେ, ଯଦୁବଂଶ ନାଶ !!
ମାଟିକୁ ପିଠି କରି ବସିଥିବା
ମଣିଷମାନେ ଶୁଣିଥାଅ…!
ମାଟିର ଡାକ ହୁଏତ ଶୁଭିନପାରେ
ହେଲେ ମଶାଣିର ଡାକ ??
ଦିନେ ଫେରିବାକୁ ହେବ
ମନେରଖ…. ମନେରଖ !!
ବାଘମାରୀ, ଖୋରଧା