Ad

header ads

ପ୍ରବନ୍ଧ - ସୁସ୍ଥ ସମାଜ ଗଠନରେ ଯୋଗ ଶିକ୍ଷାର ଆବଶ୍ୟକତା - ନାରାୟଣ ଚନ୍ଦ୍ର ସେନାପତି


"ଦୁସ୍ଥ ସମାଜକୁ ସୁସ୍ଥ କରିବାକୁ
ମାଗୁଛି ମାନବ ଭିକ୍ଷା
ଚିକିତ୍ସା ବିଜ୍ଞାନ କୋମାକୁ ଗଲାଣି
କର ବାବୁ ଯୋଗଶିକ୍ଷା।"

  ପୃଥିବୀର ସର୍ବଶ୍ରେଷ୍ଠ ସୃଷ୍ଟି ଏ ମାନବ ସଦା ସୁଖ ଶାନ୍ତି ଓ ଆନନ୍ଦରେ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଥାଏ।ହେଲେ କେତେକ ମାରାତ୍ମକ ରୋଗ ତାର ସୁନେଲି ସ୍ବପ୍ନକୁ ଦୁସ୍ବପ୍ନରେ ପରିଣତ କରିବାକୁ ପଶ୍ଚାତ ପଦ ହୁଏନାହିଁ।ପ୍ରତିଯୋଗୀତା ଓ ପ୍ରତିଦ୍ବନ୍ଦିତାର ମାରାଥନ ଦୌଡ଼ରେ ସାମିଲ ହୋଇ ମାନବ ଜ୍ୟେଷ୍ଠ ଓ ଶ୍ରେଷ୍ଠର ଆସନରେ ବସିବାକୁ ସଦା ବ୍ୟଗ୍ର ହୋଇଥାଏ।ତେଣୁ ଶରୀର ଓ ମନ ଉପରେ କୁପ୍ରଭାଵ ପଡି ସଦା ଦ୍ବନ୍ଦ୍ୱ ଓ ଅନ୍ତର୍ଦ୍ୱନ୍ଦ୍ୱ ଝରଣାରେ ପହଁରେ।ତେଣୁ ଶାରୀରିକ ଓ ମାନସିକ ରୋଗ ମାନେ ରଣ ହୁଙ୍କାର ଦେଇ ମଣିଷ ଜୀବନକୁ ଖିନ୍ ଭିନ୍ କରିବାକୁ ଚାହିଁଥାନ୍ତି।ସାମ୍ପ୍ରତିକ ବାୟୁମଣ୍ଡଳ ଧୂଳି,ଧୂଆଁ,ବିଷାକ୍ତ ବାଷ୍ପ,ନାଳ ନର୍ଦ୍ଦମାର ଦୁର୍ଗନ୍ଧ,ବାରୁଦର ବିଷ ଦ୍ୱାରା ଏଭଳି ଅସ୍ବଚ୍ଛ,ଅପରିଷ୍କାର,ଦୂଷିତ ଯେ ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ହେବା ସତ୍ତ୍ୱେ ବି ରୋଗମୁକ୍ତ ହେବା ଅସମ୍ଭବ ହୋଇପଡିଛି।କ୍ୟାନସର, ହୃଦ ରୋଗ,ରକ୍ତଚାପ,ମଧିମେହ ଆଦି ରୋଗ ପ୍ରତି ମୁହୂର୍ତ୍ତରେ ମାନବକୁ ଅଟ୍ଟହାସ୍ୟ କରି ସଫଳତାର ଜୟଯାତ୍ରା କରି ଚାଲିଛି।ଚିକିତ୍ସା ବିଜ୍ଞାନ ମୂମୂର୍ଷୁକୁ ବଞ୍ଚେଇବା ତ ଦୂରର କଥା ନିଜକୁ ଦୁସ୍ଥ ସଜାଇ କୋମାକୁ ଗଲାଣି।ତତ୍ପରେ ଦରିଦ୍ରର ଦାରିଦ୍ର୍ୟତା ମାରାତ୍ମକ ରୋଗ ସହ ସଂଘର୍ଷ ନ କରି ସମାଧିକୁ ଯିବାକୁ ପାଦ ବଢ଼େଇଲାଣି।
  ଏଥିରୁ ରକ୍ଷା ପାଇବାର ଗୋଟିଏ ରାସ୍ତା ହେଲା ଯୋଗ।ଶରୀର ଓ ମନର ଏକ ଅଭିନବ ମିଳନକୁ ଯୋଗ କହନ୍ତି।ଯାହା ଦ୍ୱାରା ମଣିଷ ଆଧ୍ୟାତିକତାର ମହଲରେ ଭ୍ରମଣ କରେ।ଶାନ୍ତ,ପବିତ୍ର ଓ ନିର୍ମଳତାର ଇନ୍ଦ୍ରଭୁବନରେ ପଦାର୍ପଣ କରେ।  ଧନ ଡୌଲତର ପଛରେ ଦୌଡ଼ି ନିଜକୁ ନଷ୍ଟ ଭ୍ରଷ୍ଟ କରେ ନାହିଁ।ମନ ପବିତ୍ର ହେବାଦ୍ୱାରା ମନ ଭିତରୁ ଅହଂଭାଵ,ହିଂସୁକତା, ପରଶ୍ରୀକାତରତା,ଈର୍ଷା,ହୀନମନ୍ୟତା ଦୁରୀଭୂତ ହୋଇ ଉଦାରତା,ମହାନତା,ପ୍ରେମ,ଭ୍ରାତୃଭାଵ,ଜାତୀୟତାଭାଵ ଉଦ୍ରେକ ହୁଏ।ପୁନଶ୍ଚ ଯୋଗ ପ୍ରାଣାୟମ ଦ୍ୱାରା ଜଣେ ଆଦର୍ଶ ଦିନଚାର୍ଯ୍ୟା କରିପାରେ,ଜଳ-ବାୟୁର ସରବରାହ ଉପଯୁକ୍ତ ଭାବେ କରି ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ସ୍ଵଚ୍ଛ କରେ ଓ ରକ୍ତ ସଞ୍ଚାଳନ ପ୍ରଖର କରାଏ,ଯଦ୍ବାରା ଯେତେବଡ଼ ରୋଗ ବ୍ୟାଧି ହେଲେ ବି ସହଜରେ ମୁକ୍ତ କରି ସୁସ୍ଥ ହୋଇଯାଏ।
   ଏବେର ମଣିଷ ଅତ୍ୟାଧୁନିକତାର ଅପବ୍ୟବହାର ସ୍ପର୍ଶରେ ଅସାମାଜିକ ଓ ଅସଭ୍ୟ ହୋଇପଡିଛି ଯାହାକୁ ଭଲ କରିବାକୁ କୌଣସି ଚିକିତ୍ସା ବିଜ୍ଞାନ ସମର୍ଥ ହୋଇପାରୁନି।ଏଥିପାଇଁ ଦାମିକା ଔଷଧର ଆଵଶ୍ୟକତା ନିଷ୍ପ୍ରଭ ହୋଇପଡିଛି। ନିଜ ମନ,ଶରୀର ଓ ଆତ୍ମାକୁ ଯଦି ପବିତ୍ର କରାଯାଏ କି ନିର୍ମଳ କରାଯାଏ ତେବେ ମଣିଷ ସୁସ୍ତ ରହୁ ରହୁ ଏ ସମାଜ ଆଦର୍ଶ ମାନବ ପାଇ ସୁସ୍ଥ ହୋଇ ଉଠିବ।ଏସବୁ କେବଳ ଯୋଗଶିକ୍ଷା ଦ୍ୱାରା ହିଁ ସମ୍ଭବ ହୋଇପାରିବ।
 ଯୋଗ ଏପରି ଏକ ମନ୍ତ୍ର ଯାହା ଶରୀରର ତନ୍ତ୍ରୀକୁ ପ୍ରକମ୍ପିତ କରି ସନ୍ତୁଳନ ଓ ସୁଚଳନଶୀଳ କରାଏ।ଯୋଗ ଏପରି ଏକ ମଧୁ ଛୁଆଁ ଯିଏ ମନ,ହୃଦୟ ଓ ଆତ୍ମାକୁ ସଂଯମତାର ସଂଯୋଗରେ ଯୋଗ କରି ଯାବତୀୟ କୁଚିନ୍ତା,ଅଜ୍ଞାନତା,କୁବିଚାରର ମୂଳତ୍ପାଟନ କରି ନିୟନ୍ତ୍ରଣର ମହାକର୍ଷଣ ବଳ ରେ ସବୁ କିଛି କରାୟତ କରେ।
 ଯୋଗ ପ୍ରଶାନ୍ତିର ବାର୍ତ୍ତାବହ,ସୁଖ ସ୍ୱାଚ୍ଛନ୍ଦ୍ୟର ନିର୍ମାତା,ଆତ୍ମା-ପରମାତ୍ମା ମିଳନର ଦୀକ୍ଷାଗୁରୁ,ସ୍ୱଚ୍ଛତାର ବୀଜମନ୍ତ୍ର,ପ୍ରେମର ଆବାହକ ଓ ଶାନ୍ତିର ଚିରନ୍ତନ ଶାଶ୍ୱତ ପ୍ରେମିକା।ଯୋଗ ଦ୍ୱାରା ମଣିଷ ହୃଷ୍ଟ,ପୁଷ୍ଟ ଓ ତୁଷ୍ଟ ହେବା ସମ୍ଭବପର ହୋଇଥାଏ।ପରୋକ୍ଷରେ ସାମାଜିକ,ସଭ୍ୟ,ମହାନ୍ ହେବା ସଂଗେ ସଂଗେ ସମାଜକୁ ସୁସ୍ଥ ଓ ପୁଷ୍ଟ କରି ଗଢିତୋଳେ।  
 ତେଣୁ ଆସନ୍ତୁ ସମସ୍ତେ ଯୋଗ ଶିକ୍ଷାର ଆଦର କରିବା,ଏହାକୁ ଗ୍ରହଣ କରି ଶାରୀରିକ,ମାନସିକ,ନୈତିକ,ଆଧ୍ୟାତ୍ମିକ, ଆତ୍ମିକ,ପ୍ରାଣୀକ, ବୌଦ୍ଧିକ ତଥ୍ୟ ଓ ତତ୍ତ୍ୱର ବିକାଶ କରି ଏକ ଆଦର୍ଶ ସୁସ୍ଥ ସମାଜ ଗଠନ କରିବା।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments