Ad

header ads

ପ୍ରବନ୍ଧ - ସଙ୍କଳ୍ପ ବିକଳ୍ପ - ରବିନ ଖଣ୍ଡାୟତରାୟ


ବିକଶିତ ସଭ୍ୟତାର ଜନ୍ମଦାତ୍ରୀ ହେଉଛି ନଦୀ । ନଦୀର ସୁସ୍ଥତାରୁ ଜଣାପଡ଼େ ସଭ୍ୟତାର ସ୍ଥିତି । କିନ୍ତୁ ଆଜି ଆମର ନଦୀମାନଙ୍କର ଜଳ ପିଇବା ଉପଯୋଗୀ ହେବା ଛାଡ଼ ଗାଧୋଇବା ପାଇଁ ମଧ୍ୟ ସୁରକ୍ଷିତ ନୁହେଁ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନଜରରେ ଥିବା ପ୍ରଦୂଷିତ ନଦୀମାନଙ୍କର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସମୟର ଆହ୍ୱାନ, ଆମର ନଦନଦୀ ସମୂହକୁ ପ୍ରଦୂଷଣ ରାକ୍ଷାସ କବଳରୁ ଉଦ୍ଧାର କରିବାକୁ ହେବ । ଏହିପରି ଏକ ସଂକଳ୍ପର ମହାନ ଯାତ୍ରା ମାସ ଶ୍ରେଷ୍ଠ ମାର୍ଗଶୀର ମାସରେ ପବିତ୍ର ଗଡ଼ଗଡ଼ିଆ କ୍ଷେତ୍ରରେ ଐତିହାସିକ ବାଲିଯାତ୍ରାରେ ମହାନଦୀ ମହାଆଳତୀ କାର୍ଯ୍ୟକ୍ରମ ମାଧ୍ୟମରେ ସାଧୁସନ୍ଥମାନଙ୍କ ଦ୍ୱାରା କରାଯାଇଥିଲା । କଟକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ, ଛତିଆ ସୋଲର ଉଦାସ ଆଶ୍ରମର ଅଧ୍ୟକ୍ଷ ଗୁରୁଦେବ ବ୍ରହ୍ମଚାରୀ ରବିନ୍ଦ୍ରନାଥ ଦାସ ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ମାନ୍ୟଗଣ୍ୟ ଅତିଥିମାନଙ୍କ ଗହଣରେ ଉପସ୍ଥିତ ରହି ମହାଆଳତୀ କାର୍ଯ୍ୟ ସମାପନ କରୁଥିଲେ । ଗୁରୁଦେବ କୁହନ୍ତି, ଗଙ୍ଗାମାତା ଆଉ ସାଧୁସନ୍ଥ ଯେତେବେଳେ ଅବହେଳିତ ତଥା ଅସମ୍ମାନିତ ହୁଅନ୍ତି, ସେତେବେଳେ ସଂସାରକୁ ବିପଦ ମାଡ଼ିଆସେ । ଆଜି ସେମିତି ଚାରିପଟୁ ବିପଦ ମାଡ଼ଆସୁଥିବାର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପହଂଚିଯାଇଛୁ । ତେଣୁ ନଦୀମାତାକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସବୁସ୍ତରରୁ ପ୍ରଂଶସା କରାଯାଇଥିଲା । ତେବେ ଆସନ୍ତୁ ସମସ୍ତେ ମିଶି ଏହି କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ସଙ୍କଳ୍ପ ନେବା ଆଉ ପୂଜାର ପବିତ୍ର ଭାବନାରେ ମନର ଅପବିତ୍ର ଭାବନାକୁ ବଳିଦେଇ ମାଆର ସୁରକ୍ଷା ଆଉ ସମ୍ମାନ ପାଇଁ ନିଜକୁ ସମର୍ପି ଦେବା । କାରଣ ତା'ଦୟାରୁ ଜୀବନ ଧାରଣ କରିବା ବ୍ୟତିରେକ ବିକଳ୍ପ କିଛି ଆମପାଖରେ ନାହିଁ । 

ମହାନଦୀ ଆମକୁ ଉଜ୍ଜ୍ୱଳମୟ ଅତୀତ ଦେଇଛି, ଓଡ଼ିଶାର ଶ୍ରୀ ଆଉ ସମୃଦ୍ଧିରେ ସହାୟକ ହୋଇଛି । ମହାନଦୀ କୂଳେ କୂଳେ ଗଢ଼ିଉଠିଛି ସମଲେଶ୍ୱରୀ, ସିଦେ୍ଧଶ୍ୱର, ନୀଳମାଧବ, ଚର୍ଚ୍ଚିକା, ନୃସିଂହନାଥ, ଭଟ୍ଟାରିକା, ଧବଳେଶ୍ୱର, ଗଡ଼ଚଣ୍ଡୀ ଆଦି ଅନେକ ମନ୍ଦିର । କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ନୁହେଁ ବରଂ ଆର୍ଥୀକ ଓ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ମହାନଦୀ ସହିତ ଓଡ଼ିଶାର ସମ୍ପର୍କ ଅତି ନିବିଡ଼ । ହୀରାକୁଦ ଜଳଭଣ୍ଡାର ପାଇଁ ମହାନଦୀ ଅବବାହିକାର କୃଷି କ୍ଷେତ୍ର ଜଳସେଚିତ ହୋଇପାରୁଥିବା ବେଳେ ବୁର୍ଲାର ଚିପିଲିମାଠାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରି ଆମ ସୁଖ ସମୃଦ୍ଧିରେ ନିଜକୁ ସମର୍ପି ଦେଇଛି ମାଆ ମହାନଦୀ । ଅଥଚ ସେହି ପୂଣ୍ୟତୋୟା ମହାନଦୀର ଭବିଷ୍ୟତ ଅନ୍ଧକାରରେ ଆଉ ସେ ଆଜି ଅବହେଳିତ । କାରଣ ଦିନକୁ ଦିନ ଜବରଦଖଲର ପଞ୍ଛା ଭିତରେ ତା'ର ବକ୍ଷ ସଙ୍କୁଚିତ ହେବାରେ ଲାଗିଛି, ଆଉ ଶୁଷ୍କହେବାରେ ଲାଗିଛି । ପ୍ରତିଦିନ ତା'ଗର୍ଭକୁ ଅଳିଆ ଆବର୍ଜନା ଫିଙ୍ଗି ଆଉ ଶିଳ୍ପର ଶୁଷ୍କ ଓ ତରଳ ବର୍ଯ୍ୟବସ୍ତୁ ନିକ୍ଷେପ କରି ଆମେ ତା'ର ମଧୁର ନିର୍ମଳ ଜଳରେ ବିଷର ଦାନା ପକାଉଛେ । ଏହା ଦିନେ ଆମ ପାଇଁ ପ୍ରାଣଘାତକ ହୋଇଯିବ । କାରଣ ଜଳ ଆମର ଜୀବନ, ଯେଉଁ ଜଳରୁ ଜୀବନ ଆରମ୍ଭ ସେହି ଜଳ ବିନା ଏ ଜୀବନ ଶେଷ ହୋଇଯିବ । ପୃଥିବୀ ପୃଷ୍ଠର ତିନିଭାଗ ଜଳ ଯାହାର ୯୭.୫ ପ୍ରତିଶତ ଲବଣାକ୍ତ ସମୁଦ୍ର ଜଳ ଆଉ ବାକି ୨.୫ପ୍ରତିଶତ ମଧୁର ଜଳ । ଯାହାର ମାତ୍ର ୦.୩ ପ୍ରତିଶତ ତରଳ ଅବସ୍ଥାରେ ରହିଅଛି । ତଥାପି ଆମେ ସଚେତନ ନୋହୁଁ ? ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସାମୂହିକ ସ୍ୱାର୍ଥକୁ ଜଳାଜଂଳି ଦେଇଦେଉଛେ । ଯାତ୍ରା ମାଧ୍ୟମରେ ବସ୍ତୁକୁ ଜାଣିବାର ଆଉ କିଣିବାର ସୁଯୋଗ ପାଉଛେ କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମପାଖରେ ଥିବା ବ୍ୟକ୍ତିଙ୍କୁ ଜାଣିବାର ଆଉ ତାଙ୍କ ମନ କିଣିବାର ସୁଯୋଗକୁ ଆମେ ହତାଦର କରିଚାଲିଛେ ।

ଐତିହ୍ୟର ସହର କଟକରେ ହଜାର ହଜାର ବର୍ଷ ଧରି ବାଲିଯାତ୍ରା ସମାପନ ହୋଇଆସୁଛି । ଏଠି କୁଲା ଛାଂଚୁଣିଠାରୁ ଆରମ୍ଭ କରି ସବୁ ଘରକରଣା ସାମଗ୍ରୀ ମିଳିଥାଏ । ସେଥିପାଇଁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଗ୍ରାହକଙ୍କର ଭିଡ଼ ଲାଗି ରହିରହିଥାଏ । କେବଳ ଠୁଙ୍କାପୁରୀ, ଚପ୍, ଚାଓମିନ୍, ରୋଲ୍, ଗୁପ୍ଚୁପ୍, ଚାଟ୍, ଦହିବରା-ଆଳୁଦମ୍ ଖାଇବା; ଦୋଳିରେ ଝୁଲିବା, ଘୋଡ଼ା, ଓଟ ପିଠିରେ ବସି ବୁଲିବାକୁ କୋଟିକୋଟି ଟଙ୍କା ବ୍ୟୟକରି ପ୍ରାୟ ପଇଂଚାଳିଶ ଏକର ପରିମିତ ଜାଗାରେ ନବଦିନ ବ୍ୟାପି ବାଲିଯାତ୍ରା କରାଯାଇନାହିଁ । ଏହାର କିଛି ସ୍ୱତନ୍ତ୍ରତା ତଥା ବୈଶିଷ୍ଟ୍ୟ ରହିଅଛି । ଅତୀତରେ ଉତ୍କଳର ସାଧବ ପୁଅମାନଙ୍କର ସୁଦୂର ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ବାଲିଦ୍ୱୀପ ସହିତ ରହିଥିବା ନୌବାଣିଜ୍ୟ ସମ୍ପର୍କର ଗୌରବମୟ ପରମ୍ପରାକୁ ସ୍ମରଣ କରିବାକୁ ଏହା ଆମକୁ ସୁଯୋଗ ଦେଇଥାଏ । ଏ ବାଲି ମହାନ ଯେଉଁଠି ଚୈତନ୍ୟ ମହାପ୍ରଭୁ ପୁରୁଷୋତମ କ୍ଷେତ୍ରଗମନ ସମୟରେ ନଦୀ ପାରହେଉଥିବା ବେଳେ ଏହି ବାଲିରେ ଗଡ଼ିଯାଇଥିଲେ । ସେହିଦିନଠାରୁ ମହାନଦୀ କୂଳର ଏହି ଘାଟ ଗଡ଼ଗଡ଼ିଆ ଘାଟନାମରେ ନାମିତ ହୋଇଥିବା ଜନଶ୍ରୁତିରୁ ଜଣାଯାଏ । ଏମିତି କେବଳ ଅତୀତକୁ ମନେପକାଇଲେ ହେବନାହିଁ ବରଂ ଅତୀତର ପ୍ରେରଣାନେଇ ଭବିଷ୍ୟତ ଗଢ଼ିବାପାଇଁ ବର୍ତମାନକୁ ଉପଯୋଗ କରିବାକୁ ହେବ । ଯୋଉ ନଦୀର ବାଲି ଆମକୁ ଏତେ ଗୈାରବ ଦେଇଛି, ଯାହାର ପାଣି ଆମ ଅର୍ଥନୀତିର ପିଣ୍ଡ ଗଢ଼ିଛି! ଯେଉଁ ନଦୀରୁ ପୂର୍ଣ୍ଣ କଳସୀ ଜଳ ଆଣି ଆମେ ଘଟସ୍ଥାପନ କରି ପୂଜା କରୁଛେ, ସେହି ନଦୀକୁ ପୁଣି ଅଳିଆ ଫିଙ୍ଗିବାକୁ ମନ କେମିତି କହୁଛି ? ଏହାର ପ୍ରତିକାର ପାଇଁ ଜେଲ୍ ଜୋରିମାନା ଅବା ଅର୍ଥଦଣ୍ଡ ଅପେକ୍ଷା ପୂଜା ଆଳତି ମାଧ୍ୟମରେ ମନରେ ଭକ୍ତିଭାବ ଜାଗ୍ରତକରାଇ ପାରିଲେ ବିବେକର ତାଡ଼ନାରେ ଆଉ ଏପରି ଭୁଲ୍ ନକରିବାକୁ ମନ ବାରଣ କରିବ ବୋଲି ଆମର ବିଶ୍ୱାସ । ହୁଏତ କେହି ଏହିପରି ଭାବନାକୁ ଅବାସ୍ତବ ଭାବି ପାରନ୍ତି କିନ୍ତୁ ମୋ ମନ କହୁଛି, ଆମ ଘରକୁ ନିଜର ଭାବି ଆମେ ଯଦି ସେ ଘରଭିତରେ ଛେପଟିକିଏ ପକାଇବାକୁ ପଛାଉଛେ! ତେବେ ନଦୀମାତାକୁ ନିଜର ମାନିନେଲେ ଆମ ମନ ନିଶ୍ଚୟ ଆମ ବୋଲରେ ରହିବ ।

ବେଦମନ୍ତ୍ରର ମହିମା ସ୍ୱତନ୍ତ୍ର । ନାମ ସଂକୀର୍ତନର ଗୁଣ ଅବର୍ଣ୍ଣନୀୟ । ଯାହା କେବଳ ଅନୁଭବର ବିଷୟ । ଅସ୍ତାଚଳଗାମୀ ସୂର୍ଯ୍ୟଙ୍କର କିରଣରେ ଯେତେବେଳେ ପଶ୍ଚିମ ଆକାଶ ଲାଲ୍ ବର୍ଣ୍ଣ ଧାରଣ କରୁଥିଲା ଆଉ ଉଦାସପନ୍ଥୀ ଭକ୍ତବୃନ୍ଦ ପରିଧାନ କରିଥିବା ଗେରୁଆ ବସ୍ତ୍ର ରଙ୍ଗରେ ସମଗ୍ର ପରିବେଶ ଗେରୁମୟ ହୋଇ ଉଠୁଥିଲା, ସେତେବେଳେ ଖୋଳ କରତାଳ, ଶଙ୍ଖ, ଘଂଟ-ଘଂଟା ତାଳେ ତାଳେ, ଗୁରୁଦେବ ଉତ୍କଳର ଗଙ୍ଗା ମହାନଦୀଙ୍କୁ ବସ୍ତ୍ର, ଫୁଲ, ଫଳ, ଧୂପ ପ୍ରଦାନ ପରେ ଆଳତି କରୁଥିଲେ । ସାଧାରଣ ଦର୍ଶକମାନେ ମଧ୍ୟ ମହାନଦୀ ମହାଆଳତୀ ଦର୍ଶନରେ ସାମିଲ୍ ହୋଇ ହରିବୋଲ, ହୁଳହୁଳି ଧ୍ୱନୀରେ ନଦୀତଟ ପ୍ରକମ୍ପିତ କରି ଦେଉଥିଲେ । ଆଳତୀ ଅର୍ପଣ ସାରି ଗୁରୁଦେବ ଶିବିରକୁ ଫେରିବା ପରେ ସେଠାରେ ସମସ୍ତେ ଧ୍ୟାନ କରୁଥିଲେ । ଧ୍ୟାନ ଆମ ଜୀବନର ଏକ ପ୍ରମୁଖ ସାଧନ, ଯାହା ଜୀବନର ମାନ ବଢ଼ାଇବାରେ ଆମକୁ ସାହାଯ୍ୟ କରିଥାଏ । ଏହାପରେ ଗୁରୁପୂଜା ଅନୁଷ୍ଠିତ ହୁଅନ୍ତି । ଏ ଦେହର କର୍ତା ହେଉଛନ୍ତି ଗୁରୁ ଯାହାଙ୍କର ମାର୍ଗଦର୍ଶନରେ ଜୀବନ ପରିଚାଳିତ କରିବା ପାଇଁ ଗୁରୁ ଦୀକ୍ଷାଗ୍ରହଣ, ଗୁରୁ ଆଜ୍ଞାପାଳନ ଆଉ ଗୁରୁ ପୂଜନର ଆବଶ୍ୟକତା ରହିଅଛି । ଆଦିମ କାଳରୁ ଗଡ଼ି ଆସୁଥିବା ଗୁରୁଶିଷ୍ୟ ସମ୍ପର୍କର ଏହି ମହାନ ପରମ୍ପରା ଆଜି ମଧ୍ୟ ଉଦାସ ଆଶ୍ରମରେ ପ୍ରଚଳିତ । ଗୁରୁ ପଦବନ୍ଦନ ପରବର୍ତୀ ପର୍ଯ୍ୟାୟରେ ସତସଙ୍ଗ ଅନୁଷ୍ଠିତ ହୁଅନ୍ତି । ଏ ଜୀବନ ଯେତେମାତ୍ରାରେ ସତସଙ୍ଗ କରିବ, ତା'ଠାରୁ ମିଛସାଙ୍ଗ ସେତେମାତ୍ରାରେ ଦୂରେଇ ଯିବ । ମନ ଯେତେ ସତ୍ପଥରେ ଯିବ ମାୟାମରିଚିକା ପଥ ସେତେ କମ୍ ଦୃଷ୍ଟିଗୋଚର ହେବ । ଆଉ ସଂସାର ମହାନଦୀରେ ଆମ ଜୀବନ ନାବ ସେତେ ସୁରୁଖୁରୁରେ ଯିବ ।

ରବିନ୍ ଖଣ୍ଡାୟତରାୟ
ମୁଖ୍ୟ ଗ୍ରନ୍ଥାଗାରିକ, କିସ୍ ମାନିତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ମୋ -୯୭୭୬୬୯୨୨୦୭

Post a Comment

0 Comments