Ad

header ads

କବିତା - ଆଶ୍ଚର୍ଯ୍ୟ ଲାଗେ - ନାରାୟଣ ଚନ୍ଦ୍ର ସେନାପତି


ବେଳେବେଳେ ବହୁତ ଆଶ୍ଚର୍ଯ୍ୟ ଲାଗେ
ଚିହ୍ନା ରାସ୍ତାଗୁଡାକ ଯେବେ ଅଚିହ୍ନା ପାଲଟିଯାନ୍ତି,
ତୁମକୁ ଦେଖିବାକୁ ଉଦ୍ବେଗରେ ଥିବା ମଣିଷଗୁଡ଼ାକ
ଯେତେବେଳେ ଦେଖି ବି ନଦେଖିବାର ଅଭିନୟ କରନ୍ତି,
ଯାହାର ନିଃସଙ୍ଗତା ଦେଖି
ତୁମ ହୃଦୟରୁ ଦୟାର ଝରଣା ସ୍ୱତଃ ଝରିଯାଉଥିଲା,
ସେ ବି ତୁମକୁ ଆଡ଼ କରି ଚାଲିଯାଏ
ଅଜ୍ଞତାର ମୁଖାପିନ୍ଧି ବାଘ ଚିତ୍ରଧାରୀ ବିଲେଇ ରୂପରେ,
ଆସ୍ତେ ଆସ୍ତେ ପାଟିର ବଡ଼ ବଡ଼ କଥାଗୁଡ଼ାକ
 ଯେବେ ପ୍ରମାଣିତ ହୁଅନ୍ତି ଜଳକଣା ବିହୀନ ଜଳୀୟବାଷ୍ପ ପରି,
ଓଠର ସେହି ସୁନ୍ଦର ହସ ଗୁଡାକ
ଜଣାପଡନ୍ତି ଅପେରା ପାର୍ଟିର ମଞ୍ଚ ହସ ପରି,
ଆଶ୍ଚର୍ଯ୍ୟ ଆହୁରି ବି ଲାଗେ
ଅନ୍ତର୍ଦ୍ଦର୍ଶନ କରୁ ନ ଥିବା ଜୀବଗୁଡ଼ାକ
ଅବୋଧ୍ୟ ସମ କରନ୍ତି ବୃଥା ଆସ୍ଫାଳନ,
ସେତେବେଳେ ନିଜକୁ ସଙ୍କୁଚିତ ଲାଗେ
ବେଲାଳସନ ପରି ନୀରବ ଦ୍ରଷ୍ଟା ପାଲଟିବାକୁ ବାଧ୍ୟ ହେବାକୁ ପଡେ,
କାରଣ ଆତ୍ମ ସମ୍ମାନ ପରା ବ୍ୟକ୍ତିର ବ୍ୟକ୍ତିତ୍ୱ
ସ୍ୱାଭିମାନ ପରା ମୋ ଜାତିର ଶ୍ରେଷ୍ଠ ସମ୍ପଦ।

ଆଶ୍ଚର୍ଯ୍ୟ ଲାଗେ ସେତେବେଳେ
ଯେବେ ଆଶୀର୍ବାଦ ଭିକ୍ଷା କରି ଆଗକୁ ଯିବାକୁ
ଅନୁମତି ମାଗୁଥିବା ମଣିଷଟା
ତୁମର ଆଦର୍ଶ ସାଜିବାକୁ ଚେଷ୍ଟା କରେ,
ପ୍ରତ୍ୟକ୍ଷରେ ନୀଳବର୍ଣ୍ଣୀ ଏଣ୍ଡୁଅ ସାଜି
ପରୋକ୍ଷରେ ତୁମକୁ ମାନସିକ ନିର୍ଯାତନା ଦେବାକୁ ବି ପଛାଏ ନାହିଁ,
ଯାହାପ୍ରତି ସମବେଦନା ଦେଖାଇବାକୁ
ତୁମେ ବିଦ୍ରୋହ କରୁଥିଲ,
ସେ ପ୍ରତିକ୍ଷଣ ବିଦ୍ରୋହ କରେ 
ତୁମକୁ ନ୍ୟୁନ ସଜାଇ
ପାଇବାକୁ ଉଚ୍ଚ ଆସନ ପିନ୍ଧିବାକୁ ରାଜ ମୁକୁଟ,
ଆହୁରି ଆଶ୍ଚର୍ଯ୍ୟ ଲାଗେ
ତୁମକୁ ଗୁରୁ ଆସନରେ ବସାଇଥିବା 
ସେହି କପଟୀ ଆଜିର ଫାଲ୍ଗୁନୀଟା,
ବ୍ୟଙ୍ଗ ବିଦ୍ରୁପ କରି ଅସମ୍ମାନ କରି
ତୁମଠାରୁ ଗୁରୁର ସମ୍ମାନ ପାଇବାକୁ
ଯେବେ ଚାହିଁଥାଏ,
ସେତେବେଳେ ଜୀଇଁବି ମରିବା ପରି ଲାଗେ,
ନିଜ ଆତ୍ମ ସମ୍ମାନ ପାଇଁ ନୁହଁ
ନିଜ ଅସମ୍ମାନ କିମ୍ବା ସ୍ୱାଭିମାନ ପାଇଁ ନୁହଁ
ବରଂ ଗୁରୁ ଶିଷ୍ୟ ପରମ୍ପରାର ଦୟନୀୟ ଅବସ୍ଥା ଦେଖି,
ସମ୍ପର୍କର ଅନାଥ ପଣିଆ ଦେଖି,
ରୋଗାକ୍ରାନ୍ତ ସମାଜର ବିଭତ୍ସ ରୂପ ଦେଖି,
କାରଣ ମୁଁ ପରା ସଂସ୍କାରିତ ଭାରତବର୍ଷର
ଋଣୀ ହୋଇ ବଞ୍ଚିରହୁଥିବା ଏକ ଅତିକ୍ଷୁଦ୍ର ଜୀବ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments