କ୍ଷୁଦ୍ରଗଳ୍ପ - ଲାବୋରେଟୋରୀରେ ରାତ୍ରି ଉଜାଗର - ସତ୍ୟ ପ୍ରକାଶ ସେଠୀ

କ୍ଷୁଦ୍ରଗଳ୍ପ - ଲାବୋରେଟୋରୀରେ ରାତ୍ରି ଉଜାଗର - ସତ୍ୟ ପ୍ରକାଶ ସେଠୀ

ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ ନିଶ୍ଚୟ। ମୁଁ କିନ୍ତୁ କାହିଁକି କହିବି? ଆପଣମାନେ ତ ପଢିଲେ ଘଟଣାଟି କେତେ ଆତ୍ମିକ ଓ ସତ୍ୟ ଅନୁସନ୍ଧିତ୍ସୁର ସତ୍ୟ ଉନ୍ମୋଚନ, ତାହା ଆପଣମାନେ ହିଁ କହିବେ। ମୁଁ କେବଳ ସତ୍ୟର ଉଜାଗର କରିବା କଥା ତାହା ହିଁ ତ କରିଛି।

1968 ମସିହାର କଥା। ଏମ୍. ଏସସି. ପାସ୍ କରି ଲକ୍ଷ୍ମୀକାନ୍ତ ନାୟକ ଗଲେ ଅନୁଗୁଳ କଲେଜକୁ ଅଧ୍ୟାପନା ପାଇଁ। ପ୍ରାଣୀ ବିଜ୍ଞାନରେ ସେ ଅଧ୍ୟାପକ। ନୂଆ ଚାକିରୀ। ମନରେ ଭିନ୍ନ୍ ପ୍ରକାରର ଉତ୍ସାହ ଓ ଉଦ୍ଦୀପନା ଭରି ରହିଥାଏ। ପୁଣି ଟୋକା ଲୋକ ତ, ତେଣୁ ସାତ ସିଂହର ବଳ। ହେଲେ ଖେଚଡଙ୍କର ସେ ଶିରୋମଣୀ। ସବୁ କଥାକୁ ହାଲକା ନିଅନ୍ତି। ଥଟ୍ଟା ମଜ୍ଜା କରି ଯେକୌଣସି ଗମ୍ଭିର ଓ ସମ୍ବେଦନଶୀଳ କଥାକୁ ମଧ୍ୟ ସେ ହସି ଉଡେଇ ଦିଅନ୍ତି। ସହଜେ ତ ବୟସ କମ୍, ଏଇ ବୟସରେ ପ୍ରାୟତଃ ସମସ୍ତେ ଏଇମିତି। ଯେମିତିକି ଏକାବେଳକେ ପାହାଡ଼ଟା ଖୋଳି ଓଲାଟାଇ ପକେଇବେ – ଭାରି ପାରିବାର ପଣିଆ ଦେଖାନ୍ତି ଏମାନେ। ଫୁଟାଣି ଟିପ୍ପଣୀ ସବୁ ମାରନ୍ତି। ଅଭିଜ୍ଞ ଓ ବୟସ୍କ ମାନଙ୍କ କଥାକୁ ବଡ଼ ଅକ୍ଳେଶରେ ବାଏଁ ବାଏଁ ଉଡେଇ ଦିଅନ୍ତି – ଏମାନେ। ହେଲେ ବାସ୍ତବତା ବୁଝିଲା ବେଳକୁ ସବୁ ଶୂନ୍, ସେ ଦମ୍ଭୋକ୍ତି ଓ ମୁହଁ ଭୂରି ଆଉ ବେଳକୁ ନଥାଏ।

ଲକ୍ଷ୍ମୀକାନ୍ତ ନାୟକ ଡାକରା ପାଇ ଗଲେ ଅନୁଗୁଳ କଲେଜ। ସେଠି ନୂଆ ଚାକିରୀରେ ଜଏନ୍ କଲେ। ହାତରେ ଛୋଟ ବେଡିଂଟେ, କିଛି ଲୁଗାପଟା, ସାମାନପତ୍ର କେତୋଟି ଓ କାଗଜପତ୍ର କେଇଖଣ୍ଡ ମାତ୍ର। ହଠାତ୍ କେଉଁଠି ରହିବେ ଭାଳେଣି ପଡ଼ିଥାଏ। ବଡ଼ ବାବୁ କହିଲେ- "ଲାବୋରଟୋରୀରେ ଗୋଟେ ବେଡ୍ ପଡ଼ିଛି, ସେଇଠି ରାତିକ ରହିଯାଅ! ତା ପରେ ଘର ଫର୍ ନେଲେ ଦେଖିବା, ଗେଟ୍ ପାଖରେ ତ ଦରୱାନ୍ ରହୁଛି, କେଉଁଠି କିଛି ଦରକାର ହେଲେ ତା ହାତରେ ମଗେଇ ନେବେ" ।

ସାହସୀ ବିଜ୍ଞାନୀ ମଣିଷ ଜୀବନରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। ରାତିକ ଭଲରେ କଟିଲା, ସେଇଠି କିଛି ଦିନ ବିତିଗଲା। ଭାବିଲେ – "ପି. ଏ. ସି. ତ ଏଯାଏଁ ଦୃଢ଼ୀକରଣ (confirm) ହୋଇ ନାହିଁ, ଆଗ ହୋଇଯାଉ ତା'ପରେ ଦେଖିବା, ନହେଲେ ଅଯଥାରେ ଘର ନେଉଥିବେ, ଦେଖିଲା ବେଳକୁ ପୁଣି ବଦଳି ଫଳ ଭୋଗିବାକୁ ପଡିପାରେ। ତେଣୁ କନଫାର୍ମ ପରେ ଯାଇ ଘର ଦ୍ଵାର ଯୋଗାଡ଼ କରିବାକୁ ମନସ୍ଥ କଲେ। ସେ ଯାଏଁ ମାଡ଼ି ମକଚି ହୋଇ ଏଇଠି ଏଡଯଷ୍ଟ କରିନେଲେ କାମ ଶେଷ ।

ସେଦିନ ଭାରି ବର୍ଷା ପବନର ରାତି। ବିଜୁଳି ଓ ଘଡଘଡି ଖାଲି ଚମକୁଥାଏ। ଅନ୍ଧାରିଆ ବାଦଲ ଭରା ଆକାଶ ଦେହରେ ଭିତ୍ତି ସଞ୍ଚାର କରୁଥାଏ। ବର୍ଷଣ ମୁଖର ନିଝୁମ୍ ଶୂନ୍ଶାନ୍ ରାତି ତ ଯେକୌଣସି ବସ୍ତୁର ବି ଭିତ୍ତି ପ୍ରସ୍ତର ଦୋହଲେଇ କି ରଖିଦେଇ ପାରେ, ଏ ତ ଛାର୍ ମଣିଷର କଥା, କିଏ ବା ପଚାରେ। ଆସନ୍ନ ବାତ୍ୟାର ଆଶଙ୍କା କରି ବିଦ୍ୟୁତ୍ ବିଭାଗ ହୁଏତ କରେଣ୍ଟ କାଟି ଦେଇଥାଇପାରେ। ପବନର ବେଗ ତ ଶହେ ଉପରେ ହେବ କି କ'ଣ। ଗଛପତ୍ର ତ ରଡ଼ରାଡ଼ ଡାକି ଭାଙ୍ଗି ଯାଉଥାଏ। ଗଛର ପତ୍ର ସବୁ ପତପତ ହୋଇ ଖସୁଥାଏ। ବରକୋଳିଆ ଟୋପା ସବୁ ଝଡୁଥାଏ। ପତ୍ର ଉପରେ ପାଣି ପଡି ଟପଟପ ଶବ୍ଦ ହୋଇ ଛନକା ପଶୁଥାଏ। ତେଣୁ ତାର ଖୁଣ୍ଟିଗୁଡା ସବୁ ଉପୁଡ଼ି ପଡିଥିବ ଓ ତାର ଗୁଡିକ ସବୁ ରାସ୍ତାରେ ବିଛାଡି ହୋଇ ନିଶ୍ଚୟ ପଡ଼ିଥିବ। ଏତେବେଳେ ଆଉ ଲାଇନ୍ କଥା କିଏ ବା ଚିନ୍ତା କରିବ? ତେଣୁ ରାତିକ ଅନ୍ଧାରରେ କଟିବାଟା ସ୍ଥିର ନିଶ୍ଚୟ ଜାଣ। ଏଭଳି ପାଗରେ ବରଂ ଘୋଡେଇ ଘାଡେଇ ହୋଇ ଶୋଇ ପଡିବା ଭଲ। କିନ୍ତୁ ବାହାରକୁ ବାହାରି କିଛି ଲାଭ ନାହିଁ। ଖାଲି ଦେହ ପୀଡା ଓ ପ୍ରାଣହାନୀ।

ବରଂ ନିଢଳ ନିଦର ନିବିଡ଼ ସ୍ପର୍ଶରେ ରାତିଟା ସ୍ଵପ୍ନ ମହଲରେ ହଜେଇ ଦେଲେ ବହୁତ ଭଲ।ଏଭଳି ଭାବି ବିଛଣାରେ ଲେଟଇ ଶରୀରଟାକୁ ଶୋଇ ଗଲେ। ଲାବୋରଟୋରୀରୁ ଆଉ ବାହାରି ନାହାଁନ୍ତି କି ଖାଇବା ପାଇଁ ମଧ୍ୟ ଯାଇ ପାରିଲେ ନାହିଁ। ରାତିଟା ଆହୁରି ଗାଢରୁ ଗାଢତର ହେଉଥାଏ। ଚାରିଆଡ଼େ ନିଶା ଗର୍ଜିଉଠୁଥାଏ ।ସେ ଟିକିଏ ଉଠି ପଡ଼ି ପୁଣି ସରୁ ବେଡ୍ ସିଟଟା ଘୋଡେଇ ହୋଇ ଶୋଇ ପଡିଲେ। ହଠାତ୍ ଗୋଟେ ଅଜବ ପ୍ରକାର ଖଡଖାଡ ଶବ୍ଦ ହେଲାରୁ ଧଡ଼ଧାଡ୍ ହୋଇ ଉଠିପଡ଼ି ଚାରିଆଡକୁ ଚାହିଁଲେ। କାହିଁ କିଛି ଜଣା ପଡିଲା ନାହିଁ। ଟର୍ଚ୍ଚ ପକେଇ ନିଖାରି ଦେଖିଲା ବେଳକୁ ପାଖରେ କାଚ ବାକ୍ସ ଭିତରେ ଚାବି ପଡି ବନ୍ଦଥିବା କଙ୍କାଳଟି ଭାରି ଯୋହରସେ ଦୋହଲୁଛି ।ସେ ଭୟ ପାଇଗଲେ। ମନରେ ଡର ପଶିଗଲା। ମନେ ମନେ ଭାବୁଥାନ୍ତି, ପଢିଲା ବେଳେ ଜଣେ ଲାବୋରେଟାରୀଆନ୍ କହୁଥାନ୍ତି – "ରାତିରେ ଲାବୋରଟୋରୀରୁ କଙ୍କାଳ ଓ ପ୍ରେତାତ୍ମା ଗୁଡାକ ସବୁ ବାହାରି କୁଆଡ଼େ ନାଚନ୍ତି। ଭାରି ଅଥୟ କରନ୍ତି। ଏକୁଟିଆ ପାଇଲେ ନାନା ହଇରାଣ ଓ ହରକତ ମଧ୍ୟ କରିପାନ୍ତି" । ସେଦିନ ସେ ତାଙ୍କୁ କେତେ ତାଚ୍ଛଲ୍ୟ କରିଥିଲେ। ଆଜି କିନ୍ତୁ କଥାଟି କିଞ୍ଚିତ୍ ସତ୍ୟବୋଧ ହେଉଛି। ସେ ବିଛଣାରୁ ଉଠିଲେ ହାତରେ ଟର୍ଚ୍ଚଟା ଧରି – "ଏ ବାହାଦୁର! ବାହାଦୁର!! ମାତାଲ ସିଂ କୁଆଡ଼େ ଗଲୁ! ହୁଡ଼ି ପକାଇଥାନ୍ତି। ଜବାବ ନମିଳିବାରୁ ଗେଟ୍ ପାଖକୁ ଆସିଗଲେ। ଦେଖିଲେ ଗେଟ୍ ଟା ବାହାରୁ ତାଲା ପଡିଛି, ମାତାଲ ସିଂ ନାହିଁ। ଏଇ ମାତାଲ ସିଂଟା ଭାରି ଠକ। ଯେତେବେଳେ ମନ ହେବ ରାତି ଅଧରୁ ଉଠି ତା' ସ୍ତ୍ରୀ ବୁଦ୍ଦିନ ପାଖକୁ ଚାଲିଯାଏ। ନହେଲେ ହାଣ୍ଡିଆବାଲି ବୀର୍ ସିଂ ମୁଣ୍ଡା ମାଆ ପାଖକୁ ଯାଇଥିବ। ଏ କଥାଟା ସେ ଦିନେ ତା ମୁହଁରେ ତ କହୁଥାଏ – "ନାଇଁ ବାବୁ! ସବୁ ଦିନେଟା ନୂହେଁମ, ଏମିତି ଥୁରେ ଥୁରେ ମନ ହେଲେ ହଁ ଯିବାଟା" ।

ମନେ ମନେ ଅଧ୍ୟାପକ ରାଗି ଆସୁଥିଲେ। ନିଜକୁ ନିଜେ କହିହେଲେ – ରାତି ପାହି ଆସୁ, ସେ ମାତାଲ ସିଂ କଥାଟା ବିଚାର କରିବେ। ପ୍ରିନ୍ସପାଲଙ୍କୁ କହି ଏମିତି ପାନେ ଦେବେ ଯେ ଏକା ଥରେକେ ମଜ୍ଜା ପାଇବ। ଚାକିରୀ ଖଣ୍ଡକ ଗଲେ ଯାଇ ପୁଅ ବୁଦ୍ଧି ଶିଖିବ"।

ହେଲେ ମୁଣ୍ଡରେ ଚଡକ- ଏକଲା କେମିତି ଏଡେ ବଡ ରାତିଟା ଗୁଜାରିବେ? ରାତିଟା ଆଗ ଜୀବନ ବଞ୍ଚିଲେ ତ ତା'ପରେ ଯାଇ ଯୋଉ କଥା। ବୁଦ୍ଧି ବାଟ କାହିଁ ଦିଶୁ ନାହିଁ, ଉପାୟ ବି ତ ନାହିଁ। ବାହାରେ ତ ଭୀଷଣ ବର୍ଷା, ମୁହଁକୁ ମୁହଁ ଦିଶୁ ନାହିଁ। ଖାଲି ଅଯଥାରେ ବର୍ଷାରେ ଭିଜି ତିନ୍ତି ଗଲେ ସିନା ହେଲେ ମାତାଲ ସିଂର ଦେଖା ଅଛି ନା ଏଠୁ ମୁକୁଳିବାର ଭିନ୍ନ୍ କିଛି ଉପାୟ ଅଛି। ଡର ଭୟ ନଥାଉ ପଛେ ଏକଲାପଣ ଭୂତଟା ପରା ଗୋଡାଇ ଖାଏ।

ଉଚ୍ଚା ବାଉଣ୍ଡ୍ରୀ ସାଙ୍ଗକୁ ଗେଟ୍ ରେ ଭୁଣ୍ଡା ତାଲା। ପୁଣି ବଜାର ଘାଟ ସବୁ ତ ବନ୍ଦ। ଏଠି ସେ ଆଉ କାହାକୁ ଚିହ୍ନିଛନ୍ତି ଯେ, କାହା ଘରକୁ ଯାଇ ରାତିଟା ମୁଣ୍ଡ ଗୁଞ୍ଜିବେ। ଏହିଭଳି କିଛି ଅନାବଶ୍ୟକ ଚିନ୍ତା ମୁଣ୍ଡରେ ଉଙ୍କାରି ଆସୁଥିଲା। ହେଲେ ଫାଇଦା କ'ଣ? ବାହାରେ ତ ଭୀଷଣ ବର୍ଷା, ମୁହଁକୁ ମୁହଁ ଦିଶୁ ନାହିଁ ।ଖାଲି ଅଯଥାରେ ବର୍ଷାରେ ଭିଜି ତିନ୍ତିବା ସାର ହେଲା। ନିଜ ପ୍ରକୋଷ୍ଠକୁ ଫେରି ଆସି ପୋଛିପାଛି ହେଲାଠୁଁ ଜଣାପଡ଼ିଲା ଦେହକୁ ଟିକେ ଜ୍ଵର ଆସିଗଲାଣି। ହେଲେ ମନକୁ ଟିକେ ଦୃଢ଼ କଲେ। ଏଥର ଗୋଟେ ଚାଦର ଓ ବେଡ୍ସିଟ ଏକାବେଳକେ ମୁହଁ ଉପରେ ଢାଙ୍କି ଦେଇ ଘୋଡ଼ାଇ ହୋଇ ଶୋଇ ପଡିଲେ। ଟିକିଏ ଛାଇ ନିଦଟା ଘୋଟି ଆସିଛି। ସେ ଅନୁଭବ କଲେ କଙ୍କାଳଟା କାଚରୁ ବାହାରି ଆସି ତାଙ୍କରି ପାଖରେ ଛିଡ଼ା ହୋଇଛି ମାନେ ଖୁବ୍ ପାଖରେ।ହେଁ ହେଁ…. ହେଁ ହେଁ.. କୁରୁଳି ଉଠି ହସୁଥାଏ ଓ ନାକରେ କଥା କହୁଥିଲା ପରି ମନେହେଲା – "ରହିନ୍ଥାଲେ ପୁଅ… ତୋତେ ମଜ୍ଜା ଚଖଉଁଛି…" ଏବେ ସେ ଦୁଇଟା ଯାକ ହାତ ବଢାଇଲା ତାଙ୍କ ଗଳା ଆଡକୁ ଓ ଦୁଇ ହାତରେ ତଣ୍ଟିଟାକୁ ଚିପି ଧରିଲା, କିନ୍ତୁ ସେ କଣ୍ଢେଇ ନାଚ ନାଚିଲା ପରିକା ଦୁଇ ପାହୁଲ ଗୋଟେ ତାଳରେ ତଳ ଉପର କରି ସେମିତି ହିଁ ହିଁ ହୋଇ ହସୁଥାଏ। ଅଧ୍ଯାପକ ଛାଡ଼ ଛାଡ଼ ବୋଲି ବହୁତ ଜୋହର୍ ଚିତ୍କାର ଛାଡୁଥାନ୍ତି। ଅବଶ୍ୟ କଥାଟା ନିଜ ବ୍ୟତୀତ ଆଉ କାହାକୁ ଶୁଭ ନଥାଏ। ଏଥର ପୂର୍ଣ୍ଣମାତ୍ରାରେ ଶକ୍ତି ଖଟେଇ ସେ ନିଜ ଦୁଇ ହାତରେ ତଣ୍ଟି ପରିବେଷ୍ଟିତ ତା' ହାତ ଦୁଇଟାକୁ ଛଡ଼େଇବାକୁ ଚେଷ୍ଟା କରୁଥାନ୍ତି। ତଣ୍ଟିଟା ଏଣେ ଚାପି ହୋଇଯାଉଥାଏ। ଶ୍ଵାସରୁଦ୍ଧ ହେଲା ପରି ମନେ ହେଉଥାଏ। ଶରୀରର ବଳ କେଉଁ ଆଡ଼େ ଭୂଶାୟିତ ହୋଇ ଯାଉଥାଏ। ତଥାପି ଆହୁରି ଶକ୍ତି ଲଗାଇ ତାହାର ଶକ୍ତ କବଜାରୁ ସେ ଏଥରକ ମୁକ୍ତି ପାଇବାକୁ ସକ୍ଷମ ହେଲେ। "ଓଃ! କି ଶାନ୍ତି" ପାଟିରୁ ଅଗତ୍ୟା ବାହାରି ପଡ଼ିଲା। ନିଶ୍ବାସ ଓ ପ୍ରଶ୍ୱାସ ଟିକିଏ ଫେରିଲା। ଛାତି କିନ୍ତୁ ଧଡପଡ ହେଉଥାଏ। ମୃଦୁ ଭୂମି କମ୍ଫ ହେଲା କି କ'ଣ, ସେ ଧଡକିନା ଉଠି ପଡ଼ି ଟର୍ଚ୍ଚଟାକୁ ଆଗ ଅଣ୍ଡାଳି ହେଲେ। ଟର୍ଚ୍ଚଟା ପାଇଗଲାଠୁଁ ଆଗ ଜଳାଇ ଦେଖିଲେ। କାହିଁ କିଛି ତ ଜଣାପଡୁ ନଥାଏ। କଙ୍କାଳଟା ବି ତା ଜାଗାରେ ଠିକ୍ ସେମିତି ଅଛି। ହେଲେ ତାଙ୍କ ଆଡ଼କୁ ଦୃଷ୍ଟି ନିବଦ୍ଧ କରି ଚାହିଁ ରହିଥାଏ। ଅଧ୍ୟାପକ ଆଲୁଅଟା ଜାଳି ଦେଇଥିବାରୁ ତେରିମେରି ହୋଇ ତା ଉପରେ କ୍ରୋଧ ପ୍ରକାଶ କରୁଥାନ୍ତି। କଙ୍କାଳଟା ଆଡକୁ ଚାହିଁ କହୁଥାନ୍ତି – "ରହ! ରହ!! କାଲି ତୋତେ ନେଇ ବାହାରେ ଫିଙ୍ଗି ଦେବି ଯେ ଏକାବେଳକେ ସବୁ ନାଟକ ଖତମ" । ହେଲେ ପରକ୍ଷଣରେ ଭାବିଲେ – "ଏହା କଣ ତାଙ୍କର ମନରେ ଭ୍ରମ ନା ପ୍ରେତାତ୍ମାର ଅଦୃଶ୍ୟ କାଣ୍ଡ? କାହିଁ ଆମ ବିଜ୍ଞାନରେ ପ୍ରେତାତ୍ମାର ସ୍ଥିତି ସମ୍ପର୍କରେ କିଛି ତ କୁହାଯାଇ ନାହିଁ, ବରଂ ଅସ୍ୱୀକାର କରାଯାଇଛି। " ?ଏବେ ବୁଢୀ ମା କଥାଟା ମନେ ପକେଇ ହାତଟାକୁ ନିଜ ନଖରେ ଚିମୁଟିକି ଦେଖିଲେ। ହଁ ତ କାଟୁଛି ତ। ବୁଢୀ ମା ପରା କହିଥିଲା – "ଭୂତ ପ୍ରେତ କଥା ସତ କି ମିଛ ଜାଣିବାକୁ ହେଲେ, ନିଜ ଶରୀରକୁ ଆଗ ଚିମୁଟିକି ଦେଖିବ କାଟୁଛି ନା' ନାହିଁ। ଯଦି କାଟୁଛି, ତେବେ ଭୂତଟା ମିଛ ନୂହେଁ କି ସ୍ଵପ୍ନ ସବୁ ସତ "। ଏଥର ଅଜଣା ଡରରେ ଶିହରିତ ହୋଇ ଗଲେ। ତେବେ କ'ଣ ବୁଢୀ ମା'ର ଗପ ଗୁଡାକ ବି ସତ ଆଉ ସତ ଏ କଙ୍କାଳର ତାଣ୍ଡବ ନୃତ୍ୟ? ମନେ ମନେ ଭଗବାନଙ୍କୁ ସୁମରଣା କଲେ – "ହେ ମାଆ ବୁଢୀ ଠାକୁରାଣୀ ମୋତେ ତୁ ରକ୍ଷା କର। ତୋ ଦେହୁରିକୁ ଡାକି ତୋତେ ବରଂ ଗୋଟେ କୁକୁଡା ବଳି ଦେବି"। ସେଦିନ ଏମିତି କିଛି ପରା ମାତାଲ ସିଂ କହୁଥିଲା । ତାକୁ ଯେତେବେଳେ ପଚାରିଲେ – "ତୁ ତ ଏଠି ଏକଲା ଏଇମିତି ରହୁଛୁ! ହେଲେ ତୋତେ କେବେ ଡର ଲାଗେ ନାହିଁନା? ସେତେବେଳ ସେ କହିଲା -" ଆମେ ଡରିବୁ କାହେ ବାବୁ କି! ଆମର ପରା ବୁଢୀ ଠାକୁରାଣୀ ଅଛିନା। ସେଇରି ଲାଗି ଆମେ କାହାକୁ ନାହିଁ ଡରେ, ସତ କହିମୁ ବାବୁ! ଆରର ବରଷକେ ଆମେରଟା ପରା ତାହାର ଲାଗେ କୁକୁଡା ବଳି ଦେଇଛନ । ସେ ଆମର କିଛି ନାଇ କରେ "। ଏତେବେଳକୁ ବିଜ୍ଞାନୀ ମଣିଷର ସମସ୍ତ ଟାଣପଣ କୁଆଡ଼େ ମାଟିରେ ମିଶିଗଲାଣି। ସେ ଦମ୍ଭୋକ୍ତି ଆଉ ନଥାଏ। ଦେହ ରାତିରେ ଖଇ ଫୁଟୁଥାଏ।

ଏଥର ସେ ଦେହରୁ ଖୋଲି ଚାଦରଟା ସେ କଙ୍କାଳ ଉପରେ ପକାଇଦେଲେ। ଟିକିଏ ମନକୁ ଆଶ୍ୱସ୍ତି ବୋଧ ହେଲା। କାହିଁକିନା ଆଖି ସାମ୍ନାରେ ଆଉ ସେହି କଙ୍କାଳଟା ପଡ଼ିବ ନାହିଁ। ଗୋଟାପୁଣି ଢାଙ୍କି ହୋଇଯାଇଛି। କିନ୍ତୁ ବାତ୍ୟାରେ ଚଡଚଡ ଓ ରଡରଡ ଗଛ ଭାଙ୍ଗିବାର ଶବ୍ଦ ଓ ବର୍ଷାର ଟୁପୁରୁ ଟାପୁର ଶବ୍ଦ ସହିତ ଝରକା ଗୁଡ଼ାକର କେଉଁଠି ଠୋ ଠା ବାଡ଼େଇ ହେଉଥିବାର ଧୋନୀ ପ୍ରବାହ କଲିଜାକୁ ଥରାଇ ଦେଉଥାଏ। ତଥାପି ସେ ସବୁକୁ ଭୁଲି ଶୋଇବାକୁ ସଂଗ୍ରାମ ଜାରି ରଖିଥାନ୍ତି।ନିଦଟା ଘୋଟି ଆସୁଥାଏ ।ହେଲେ ପାଣି? ପାଣି ତ ମାତାଲ ସିଂ ଆଜି ଦେଇନାହିଁ। ଶୋଷରେ ତଣ୍ଟି ଶୁଖି ଯାଉଛଥାଏ, ଏବେ ସେ କ'ଣ କରିବେ? ଭାବିଲେ ଆଉ ତ କିଛି ବାଟ ନାହିଁ, ଯାଉଛି ଲାବୋରେଟୋରୀ ବ୍ୟବହାର ପାଇଁ ପିଲାଙ୍କ ପାଇଁ ଥିବା ଆଲକୋହୋଲରୁ ଚଳାଏ ପିଇ ଯିବେ। ତେଣିକି ପ୍ରିନ୍ସିପାଲ ଯାହା କୁହନ୍ତୁ। ଶେଷରେ ସେୟା କଲେ, ଶୋଷ ମେଣ୍ଟିଗଲା। ହେଲେ ନିଶାଟା ଘାରିଲା ଖଟ ଉପରେ ବେଶ୍ କିଛି ସମୟ ଶାନ୍ତିରେ ଶୋଇଗଲେ।

ବେଶ୍ କିଛି ସମୟର ବଡ ବ୍ୟବଧାନ ପରେ ସେହି ସମାନ ଘଟଣାକ୍ରମର ପୁନରାବୃତ୍ତି । କଙ୍କାଳର ଉପଦ୍ରବ, ଉତ୍ପୀଡକର ଉତ୍ପୀଡ଼ନ, ଅଟ୍ଟହାସ୍ୟରେ ପୁରି ଉଠୁଥାଏ ସମଗ୍ର୍ ନିଭୃତ କୋଠରୀଟି ।ଅସ୍ପଷ୍ଟ କୋଳାହଳ ଓ ଅଶରୀରୀ ପ୍ରେତାତ୍ମା ମାନଙ୍କର କଳରବ କର୍ଣ୍ଣ ଗୁହା ଭେଦି ଅଣନିଶ୍ଵାସୀବୋଧ ହେଉଥାଏ।ସତେ କି ସେମାନଙ୍କର ବୈଠକ ବସିଛି।ସେମାନଙ୍କ ଭିତରୁ କେହି ଜଣେ ଯେମିତି ଉଠି ଆସି ତାଙ୍କୁ ଜଗି ରହିଛି, ଯେପରି ସେ ଭୂତ ରାଇଜର କଥାଟା ନ ଜାଣି ପାରନ୍ତି। ଯେମିତି ସେ ଟିକିଏ ହାତ ଗୋଡ଼ ହଲେଇ କଡ଼ ଲେଉଟାଇବାକୁ ଚେଷ୍ଟା କଲେ, କେହି ଜଣେ ତାଙ୍କ ଗଳାଟାକୁ ଜୋହରରେ ଦବାଇ ଧରିଲା। ନିଶ୍ଵାସ ଓ ପ୍ରଶ୍ୱାସର ଚଳପ୍ରଚଳ ଥମି ଯାଉଥାଏ। ଯେମିତି ତଣ୍ଟିଟାକୁ କିଏ ଆକଟ କରି ରଖିଛି। ଦୁଇ ହାତର ଦଶଟା ଆଙ୍ଗୁଠି ମାଂସ ନଲଗା ହାଡ଼ରେ ତଣ୍ଟିଟାକୁ ଚିପି ଧରିଥାଏ ଯେ, ଅଧ୍ୟାପକ ଆଉ ହଲି ଚଳି ପାରୁନଥାନ୍ତି। ଆଃ.. ଆଃ.. ଖାଲି ଅସ୍ପଷ୍ଟ ଗୁଞ୍ଜରଣ। ନାକ ବାଟେ ଦେଇ ସିଂଘାଣି ଗୁଡାକ ବାହାରି ଆସୁଥାଏ। ରୀତିମତ କସରତ। ଭୂତ ଛଡେଇବାର ପ୍ରଚେଷ୍ଟା। "ହେ.. ତ.. ତୁ.. କିଏ.. ? – କହି ଜୋହର୍ ଲଗେଇ ହାତଟାକୁ ଛିଞ୍ଚାଡି ଦେଲେ। କ'ଣ ସବୁ ହାତ ବାଜି ଘରରଘରର ଝଣର ଝଣର ଶବ୍ଦ ହୋଇ ଭାଙ୍ଗି ତଳେ ପଡି ଯାଉଥାଏ । କାନକୁ କିନ୍ତୁ ଜୋହର୍ ଶୁଭ ଥାଏ। ହୋସ୍ ଟିକିଏ ଆସିବାରୁ ଅତରଛିଆ ଟର୍ଚ୍ଚଟା ଜାଳି ଦେଇ କିଛି ସମୟ ଉଠିକି ବସିଲେ । ରେଜେଇ ତକିଆ ଯାହା ଥିଲା ସବୁ ସେହି କଙ୍କାଳ ଉପରେ ପକେଇ ଢାଙ୍କି ପକେଇଲେ।

ମନକୁ ଆସୁଥାଏ – ଏଥର ଜୀବନ ବଞ୍ଚେଇ ରଖିବା ବୋଧହୁଏ ଆଉ ସମ୍ଭବପର ନ ଥାଏ । ତେବେବି ତ ଆଉ କିଛି ବାଟ ନାହିଁ। ରାତି ପାହିଲା ଯାଏଁ ଯଦି ଜୀବନ ବଞ୍ଚି ରହେ ତେବେ ଲାବୋରେଟୋରୀ କାହିଁକି ଏ କଲେଜ ଛାଡ଼ି ସିଧା ଘରକୁ ଧାଇଁବେ। ମାଆକୁ ସବୁ କଥା କହିଲା ପରେ ଯାହା, ନହେଲେ ମନ ଥୟ ଧରୁନି।

ସା - ରାଣୀପଡା, ପୋ - ରାଗୋ
ଭାୟା - ବନ୍ତ, ଜି - ଭଦ୍ରକ

0 Comments