*******************************
କଚ୍ଛପ ଅଣ୍ଡାରୁ କଳାମେଘ ନାଦେ
ଅଣ୍ଡଜ ଶାବକ ଜାତ
ସୈକ୍ତ ପୃଷ୍ଠ ପରେ ଗୁରୁଣ୍ଡି ଗୁରୁଣ୍ଡି
ଅପୂର୍ବ ମିଳନ ଯାତ ।୧।
କ୍ଷେତ କତି କୋଳେ ସ୍ବଚ୍ଛ ଅଣ୍ଡା ମିଳେ
ଶୋଭଇ ସେ ମୁକ୍ତାପୁଞ୍ଜ,
ସତେ ସ୍ବଚ୍ଛ ଫେଣ ଗୁଚ୍ଛ ଗେଣ୍ଡା ପ୍ରାଣ
ଶୈଶବ ଅବନୀ କୁଞ୍ଜ ।୨।
ଅନ୍ତରୀକ୍ଷେ ଦ୍ବନ୍ଦେ ଘର୍ଘର ନିନାଦେ
ଭୃଜଙ୍ଗ ଡିମ୍ବ ଭଙ୍ଗନ,
ଜଳଧଣ୍ଡ ଖେଳେ ଉର୍ବୀ ତନୁ କୋଳେ
ବର୍ଷାଋତୁ ଆଗମନ ।୩।
ମଣ୍ଡୁକ ଶୃଙ୍ଗାରେ କୂପେ ପ୍ରତିଧ୍ବନି
ପାଷାଣ ଖୋଲପେ ବାସ,
ପାଣି ଫୋଟକା ସେ ସନ୍ତରେ ହରଷେ
ମାଟି ପଙ୍କିଳ ତା' ଦେଶ ।୪।
ବାହଁର -ଗଡିସ ପଙ୍କରେ ଆବାସ
ମାଟି- ବର୍ଷା ଦୁଇ ସଖୀ,
ଗୋସ୍ପଦେ ଶର୍ଫରୀ ଦୁଃଖକୁ ଆବରୀ
ବରଷାର ମୁକସାକ୍ଷୀ ।୫।
ଦଶପାଦ ଧାରୀ ଗର୍ତେ ଗତି କରି
ଜଳମଗ୍ନେ ଚଳାଚଳ,
ହିଡ଼ ଧାଡ଼େ ବଢ଼ି ଜଳ ପାନ କରି
ଗଢ଼ିଛି ଗଡ଼ ଅଞ୍ଚଳ ।୬।
ବିଷଧର ମୁଖେ ମଣ୍ଡୁକ ଯେ ଦୁଃଖେ
ଖାଦକ ଖାଦ୍ୟ ସଂସାର ,
ସରିସୃପ ନୃପ ଶରୀରେ ସେ କୋପ
ଗର୍ତେ ଦେଖି ନଭ ନୀର ।୭।
ନୀଳ ନୀଳ ଦଳ ନଦୀ ନାଳ ସ୍ଥଳ
ନୀଳିମା ଧରଣୀ ଧାରା,
ବନ ଅପଘନ ସୁସ୍ଥ ଶାନ୍ତ ମନ
ସବୁଜ ତରୁଣୀ ଧରା ।୮।
*********************************
ଭଜରାମ ସେଠୀ ,ନିରାଳ ,ଗଂଜାମ
୯୫୬୬୯୭୬୫୦୪
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ଗଂଜାମ ଦୂରଭାଷ : 9566876504
Sent via Google Forms Email