ଦେବୀ ଦର୍ଶନ - ଶିବ ଚରଣ ମହାପାତ୍ର

ଦେବୀ ଦର୍ଶନ - ଶିବ ଚରଣ ମହାପାତ୍ର

" ବେହେରା ପୁଅ ଗାଁ ସାରା ଡେଙ୍ଗୁରା ଦେଇଦିଅ । ଫୁଲବାଲା, ଟେଣ୍ଟ ହାଉସ୍, ରୋଷେଇ ବାଲା ସମସ୍ତେ ଠିକ୍ ରେ କାମ କରୁଛନ୍ତି କି ନାହିଁ ..? ରେ' ମନୁଆ ଟିକିଏ ଦେଖିକି ମୋତେ ଜଣାଅ । ଯେମିତି କୌଣସିଥିରେ ମୁଁ କାହା ପାଖରୁ କିଛି ଅଭିଯୋଗ ନ ଶୁଣେ । ଯଦି କେହି ମୋତେ କହିଛି ମହାପାତ୍ର ଆଜ୍ଞା ଅମୁକ କାମ ଆଉ ଟିକେ' ହେଇଥିଲେ ଭଲ ହେଇଥାଆନ୍ତା ତେବେ ଜାଣ ତୁମ ଅବସ୍ଥା ସାଙ୍ଘାତିକ କରିଦେବି । ଦେବୀ ଆସୁଛନ୍ତି ଟି..! "

   ମହାପାତ୍ର ବାବୁଙ୍କ ତାଗିଦ୍ ଶୁଣି ମନୁଆ ପିଳେଇପାଣି । ଯେତେ ହେଲେ ବି ସେ ଏ ପାଞ୍ଚପଡା ଗାଁର ଜମିଦାର ଆଉ ମାନ୍ୟଗଣ ବ୍ୟକ୍ତି ଟି । ହିସାବରେ ଏ ଆଖପାଖ ଖଣ୍ଡ ମଣ୍ଡଳର ଲୋକ ତାଙ୍କୁ ଭଲଭାବରେ ଜାଣନ୍ତି । ରାଜନୀତି କ୍ଷେତ୍ରରେ ହେଉ ଅଥବା ସାମାଜିକ କ୍ଷେତ୍ରରେ ହେଉ କିମ୍ବା ଅନ୍ୟ  ଯେକୌଣସି କ୍ଷେତ୍ରରେ ହେଉ ତାଙ୍କ ଭୂମିକା ନିଶ୍ଚିତ ଭାବରେ ରହିଥିବ । ଗାଁ ସାରା ଡେଙ୍ଗୁରା ଦେଇଦିଆ ଗଲା । ସମସ୍ତ ପ୍ରସ୍ତୁତି ଶେଷ ହେଇ ଯାଇଛି । ଏବେ କେବଳ ଦେବୀଙ୍କ ଆଗମନକୁ ଅପେକ୍ଷା ।

         ରାନୁ ଏସନ ମନରେ ଗଣ୍ଠିଲି ବାନ୍ଧି ରଖିଛି କି ନିଶ୍ଚିତ ଭାବରେ ସେ ଦେବୀ ଦର୍ଶନ କରିବାକୁ ଯିବ । ଅବଶ୍ୟ କୃଷି ଋଣ ସୁଝି ନପାରି ତା ବାପା ଆତ୍ମହତ୍ୟା କରିବା ପରେ ଭଗବାନଙ୍କ ଅଭିଶାପରୁ ତା ମା ଆଉ ସେମାନେ ଚାରି ଭାଇ ଭଉଣୀ ବଞ୍ଚିଗଲେ । ଏହା ଭଗବାନଙ୍କ ଆଶୀର୍ବାଦ କହିଲେ ଭୁଲ୍ ହେବ.. ଏହାଥିଲା ଭଗବାନଙ୍କର ଏକ ଭୟାବହ ଦୁର୍ଘଟଣାର ପୂର୍ବ ଷଡଯନ୍ତ୍ର । ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଯାଇ ସେ ମହାପାତ୍ର ବାବୁଙ୍କ ଘରେ କାମ ପାଇଟି କରେ । ମହାପାତ୍ର ବାବୁଙ୍କ କରୁଣାରୁ ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ସେ ସୁରୁଖୁରୁ ଚଳେଇ ନେଉଛି ।ଜୀବନରେ ହସ, ଖୁସି, ମେଳା,ମହୋତ୍ସବ,  ଯାନିଯାତ୍ରା, ଇତ୍ୟାଦି ସବୁ ତା ଜୀବନର ସ୍ୱପ୍ନ । ଏସବୁ ଜିନିଷ କେଉଁ ପଦାର୍ଥର କେଉଁ ଉପାଦାନରେ ଗଢାହୁଏ ସେ ଜାଣେନା । ତଥାପି ଘରର ବଡଝିଅ ହିସାବରେ ପରିବାରର ଖୁସିରେ ତାର ଖୁସି ବୋଲି ସେ ସବୁବେଳେ ମୁରୁକି ହସୁଥାଏ ।

      ସେଦିନ ମହାପାତ୍ର ବାବୁଙ୍କ ଘରକାମ ଶୀଘ୍ର ଶେଷ କରି ରାନୁ ଘରକୁ ଚାଲି ଆସିଥିଲା । ଭଲ ଭାବରେ ତା'ର ନବ ଯୌବନ ପ୍ରାପ୍ତ ଚେହେରାଟିକୁ ସାବୁନ ଲଗେଇ ଧୋଇଦେଲା । ଦଶ ଟଙ୍କିଆ ଆଇନାରେ ନିଜ ସାବେନା ରଙ୍ଗର ମୁହଁ ଟିକୁ ଦେଖି ସେ ନିଜ ଭିତରେ ବର୍ଦ୍ଧିତ ଏକ ନାରୀ ସୁଲଭ ଅଙ୍ଗଭଙ୍ଗୀ ଖୋଜିନେଲା । ସତରେ ସେ କେତେ ହିନିମାନୀ ...? ତାକୁ ଭଲପାଇବା ପାଇଁ କଣ କୌଣସି ପୁରୁଷ ନାହାନ୍ତି , ତାକୁ ପ୍ରେମବୋଳା ଆହା ପଦେ କହିବାକୁ କଣ କେହି ଜନ୍ମ ହେଇ ନାହାନ୍ତି..!?
କେବଳ ମହାପାତ୍ର ବାବୁ ହିଁ ବେଳେବେଳେ ତାକୁ କୋଳରେ ବସେଇ ଗେଲ କରନ୍ତି ତାହା ପୁଣି ବାବୁଆଣୀ ଆଉ ସାନ ଦେଇ , ସାନବାବୁ ନଥିଲା ବେଳେ ।ମହାପାତ୍ର ବାବୁ କହନ୍ତି କାଳେ ବାବୁଆଣୀ ଥିଲେ ରାଗିବେ କାରଣ ସେ ଛୋଟ ଘରର ଝିଅ ନା.. । ତାର ପୋଷାକ ପତ୍ର ସବୁ ଅସନା ଥାଏ । ହେଲେ ବାବୁଙ୍କ ଛୁଆମାନଙ୍କ ପୋଷାକ ପତ୍ର ଦେଖିଲେ ତା'ର ଆଖି ଝଲସି ଯାଏ ।

        ଦଶ ଟଙ୍କିଆ ପାଉଡର ଡବାରୁ ଟିକିଏ ହାତରେ ଝାରିଦେଇ ସେ ତା ସାରା ବଦନରେ ବୋଳି ହେଇଗଲା । ତାର ସବୁଠାରୁ ଭଲ ପୋଷାକ ଟି (ଯେଉଁଟାର  ଚିରା ଫଟା ସବୁ ବାହାରକୁ ଦେଖା ଯାଉନଥିଲା ,ଯଦିଓ ତାହା ମଧ୍ୟ ସାତସିଆଁ ) ପିନ୍ଧିନେଲା । ସଞ୍ଜ ଗଡି ଗଡି ଯାଉଛି  ସେ ତା ମାଆକୁ କହିଲା କି ସେ ଶୀଘ୍ର ଫେରି ଆସିବ । ସେ ସାନ ଭାଇ ଜଣଙ୍କୁ ନେଇ ଦେବୀ ଦର୍ଶନରେ ବାହାରି ଗଲା । ଗାଁ ମୁଣ୍ଡ ପଡିଆରେ ଦେବୀ ମୂର୍ତ୍ତି  , ଦେବୀ ମଣ୍ଡପ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ସେଇଠି ଆୟୋଜନ କରାଯାଇଥିଲା  ହେଲେ ଏ କଣ ଦେବୀ ମଣ୍ଡପ ଯେ ଜନଶୂନ୍ଯ ..!? ହଁ ଭଲ ହେଲା  ଆଜି ସେ ଆଖି ପୁରେଇ ଦେବୀ ଦର୍ଶନ କରିବ । ନିଜ ହୃଦୟର ଯେତେ ସବୁ ମାନ ଅଭିମାନ ଅଭିଯୋଗ ବଖାଣିବ । ଦେବୀ ମୂର୍ତ୍ତିକୁ ଦେଖି ଖୁବ୍ କାନ୍ଦିବାକୁ ଇଛା ହେଉଥିଲା ତା'ର ହେଲେ ସେ ମନଖୋଲି କାନ୍ଦି ପାରିଲା ନାହିଁ । ସବୁ ଦୁଃଖକୁ ମା'ଚରଣରେ ସମର୍ପି ଦେଇ ମୁଣ୍ଡିଆ ମାରି ଉଠିଲା ବେଳେ ସେ ଶୁଣିଲା କେହି ଜଣେ କହୁଥିଲେ ," ଆରେ ସେପଟେ ଶୀଘ୍ର ଚାଲ ,ଦେବୀ ଆସିଗଲାଣି ପରା..!
ରାନୁର ଛୋଟ  ଛୋଟ ଆଖି ଦୁଇଟି ଆଶ୍ଚର୍ଯ୍ୟରେ ବଡ ହୋଇଗଲା , "ସେପାଖ ଦେବୀ ଆସିଲେଣି..!?  ତେବେ ଏ ପୂଜା ମଣ୍ଡପରେ ଏ କିଏ..!? ଏ କଣ ମିଛ ମାଟି ମୂର୍ତ୍ତୀ ଟିଏ ମାତ୍ର..!?"
ତା' ମନର ଉତ୍କଣ୍ଠା ବଢିବାରେ ଲାଗିଲା ।ସେ ଆଉ କାଳ ବିଳମ୍ବ ନକରି ସେପାଖ ଯିବାକୁ ଉଦ୍ୟତ ହେବା ସମୟରେ ପଛରୁ ମହାପାତ୍ର ବାବୁ ଡାକିଲେ ,"ଆରେ ରାନୁ..ତୁ କେତେବେଳେ ଆସିଲୁ..!?"

-"ଏଇନା ଆସିଲି ବାବୁ..। ଦେବୀ ଆସୁଛନ୍ତି ଶୁଣିଲି ତ  ଦେଖିବାକୁ ମନ ବଳିଲା..।"

-"ହଉ ହଉ ଭଲ କଥା.. ଆ ମୋ ସହିତ ମୁଁ ତୋତେ ଦେଫିକୁ ପାଖରୁ ଦେଖେଇ ଦେବି । ଆରେ ମନୁଆ, ଏ ମନୁଆ ଗଲୁ ଏ ବାବୁକୁ କଣ ଟିକିଏ ଭୋଗ ଖାଇବାକୁ ଦେଇଦେବୁ । "

ସଙ୍ଗେ ସଙ୍ଗେ ମନୁଆ ଆସି ରାନୁର ସାନ ଭାଇକୁ ନେଇଗଲା । ଏବେ ମହାପାତ୍ର ବାବୁ ରାନୁକୁ ନେଇ ଦେବୀ ମନ୍ଦିର ପଛପାଖ ଭଙ୍ଗା ଘରକୁ ଚାଲିଗଲେ । ଅଧାପନ୍ତରିଆ ଘରେ ନିଜକୁ ଏକା ପାଇ ରାନୁ ପ୍ରଶ୍ନ କରିଥିଲା,-"ବାବୁ ଏଠି ଦେବୀ କାଇଁ ..?"

-"ଆରେ ଦେବୀ ଏବେ ଏବେ ପହଞ୍ଚିଛି ।ସେ ଟିକିଏ ଫ୍ରେସ ହେଲେ ତ କାର୍ଯ୍ୟକ୍ରମ ଆରମ୍ଭ ହେବ । "
ଏତକ କହିସାରି ମହାପାତ୍ର ବାବୁ ରାନୁକୁ ନିଜ କୋଳକୁ ଭିଡି ନେଇଥିଲେ । ରାନୁକୁ ସବୁଦିନ ଅପେକ୍ଷା ସେଦିନର ସ୍ନେହ ଟିକକ କାହିଁକି କେଜାଣି ଖୁବ୍ ଅସହ୍ୟ ଆଉ ଅପ୍ରୀତିକର ଲାଗୁଥିଲା । ସେ ପ୍ରତିବାଦ କଲା । କିନ୍ତୁ ସେତେବେଳକୁ ମହାପାତ୍ର ବାବୁଙ୍କ ଦେହ କାମନା ନିଆଁ ହୁତୁହୁତୁ ଜଳିବା ଆରମ୍ଭ କରି ସାରିଥିଲାଣି । ସେ ଗୋଟାପଣେ ଥରୁଥାଆନ୍ତି । ସାତ ସିଂହର ବଳ ଧରି ମହାପାତ୍ର ବାବୁ ଝାମ୍ପି ପଡିଲେ ରାନୁର କଅଁଳ ଶରୀର ଉପରେ । ରାନୁର ଦୁର୍ବଳ ଶରୀରଟି କେତେ ଅବା ପ୍ରତିରୋଧ କରି ବଞ୍ଚେଇ ପାରିବ ନିଜକୁ ମହାବଳ ବାଘ କବଳରୁ । ସେ ଧରାଶାୟୀ ହୋଇଗଲା । ବାହାରେ କଣ୍ଠଶିଳ୍ପୀ ଦେବୀ'ର ଉତାଳ ସଂଗୀତ ତାଳେ ତାଳେ ଗାଁର ବୁଢାରୁ ଭେଣ୍ଡା ଯାଏଁ ସମସ୍ତେ ଉନ୍ମୁକ୍ତ ନୃତ୍ୟରେ ବିଭୋର । ଆଉ ଏପଟେ ମହାପାତ୍ର ବାବୁଙ୍କ କାମନା ବାସନା ନିଆଁରେ ରାନୁ ଭିନ୍ନ ଏକ ରାକ୍ଷସ କବଳରୁ କ୍ଷତାକ୍ତ ହୋଇ ନିଜକୁ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଥିଲା । କିଛି ସମୟ ପରେ ରାନୁ ସଂଜ୍ଞାହୀନ ହୋଇପଡିଲା । ତା'ର କିଛି ସମୟ ପରେ ମନୁଆ ଆସି ସେ ଯାଗାରେ ପହଞ୍ଚିଥିଲା । ହେଲେ କଣ ଘଟିଥିଲା ସେ ବର୍ତ୍ତମାନରେ ସେ ସମୟ ହିଁ ତାର ମୁକସାକ୍ଷୀ ଥିଲା ।
     ରାତିର ଉନ୍ମୁକ୍ତ କାର୍ଯ୍ୟକ୍ରମ ଶେଷ ପ୍ରହର ଯାଏଁ ଅନବରତ ଚାଲୁଥାଏ । ରାତି ପାହିବା ଆଗରୁ ଦେବୀଙ୍କୁ ବିସର୍ଜିତ କରି ଦିଆଯାଇଥିଲା ଗାଁ ମୁଣ୍ଡ ବଡପୋଖରୀରେ । ଗାଁରେ ଶୁଣିବାକୁ ମିଳୁଛି ପରିବାରର ଅଭାବ ଅନଟନ ସହ୍ୟ କରିନପାରି ରାନୁ ମଧ୍ୟ ତା ବାପାଙ୍କ ପରି ଆତ୍ମହତ୍ୟା  କରିଦେଲା । ଆଉ ଏବେ ଗାଁ ମୁଣ୍ଡ ବଡପୋଖରୀରେ ଦୁଇଟି ଦେବୀଙ୍କ ବିସର୍ଜିତ ଶରୀର ଭାସୁଥିଲା ...।

■■■■■■


Sent from my Samsung Galaxy smartphone.

0 Comments