ଉପନ୍ୟାସ - ସାଉଁଟା ଆଷାଢ - ସପ୍ତମ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ସପ୍ତମ ଭାଗ - ପ୍ରମୋଦ କୁମାର ପଣ୍ଡା

ତା ପରଦିନ ସକାଳେ କଲିକତା ଯିବାକୁ ରେଡି ହେଲି । ବୋଉ ବାପା ସବୁ ମୋତେ..... "କେମିତି ଯିବି, ରାସ୍ତାରେ କେମିତି ଚଳିବି , ଟ୍ରେନରେ କେମିତି ହୁସିଆର ରହିବି ଇତ୍ୟାଦି ଇତ୍ୟାଦି କହି କହି ମୋ ମୁଣ୍ଡ ଟାକୁ ଗରମ କରିସାରିଲେଣି । ସତେ ଯେମିତି ମୁଁ କୋଉ ଛୋଟ ପିଲାଟିଏ । ଆମ ଗାଁ ରେ ଅଟୋ ନଥାଏ  । ଅଚ୍ୟୁତପୁରରୁ ଅଟୋ ବରାଦ ହୋଇଛି । ସେ ଆସିବା ପର୍ଯ୍ୟନ୍ତ ୟାଙ୍କ କଥା ଶୁଣିବାକୁ ପଡିବ ।

        ଯାହାହେଉ , ଅଟୋ ଆସିଗଲା  ଅପେକ୍ଷାର ଅନ୍ତ ଘଟାଇ । ପେଣ୍ଟିଙ୍ଗ ସବୁ ଧରି ମୁଁ ରେଲୱେ ଷ୍ଟେସନ ଚାଲିଲି ଯାହାକି ଆମ ଗାଁ ଠୁ ପ୍ରାୟ କୋଡିଏ ମାଇଲି ଥିଲା । ଗଲାବେଳେ ଦେଖିଲି ପ୍ରଜ୍ଞା ଠିଆହୋଇଛି ଦାଣ୍ଡ କବାଟକୁ ଧରି ଭାଉଜଙ୍କ ସହିତ । ମୁହଁରେ ଉଦାସର ଚିହ୍ନ ସ୍ପଷ୍ଟ । ମୋ ଆଖି ତା ଆଖିରେ ମିଶିଯିବାରୁ ତଳକୁ ମୁହଁ କରିଦେଲା । କିଛି କ୍ଷଣ ପାଇଁ ମୋ ହୃଦୟରେ ଦୁଃଖ ଆଉ ବିଚ୍ଛେଦର ଗୋଟେ ଗାର ଟାଣିହୋଇଗଲା । କିନ୍ତୁ କିଛି କହିପାରିଲିନି ଯଦିବା ବହୁତ କିଛି କହିବାକୁ ଥିଲା ।

        କଲିକତା ସହର । ବିରାଟ ବିରାଟ କୋଠା ଓ ରାସ୍ତା ତଥା ଜନଗହଳିରେ ମୁଁ ହଜିଗଲି । ସେଠି ମୋ  କାର୍ଯ୍ୟବ୍ୟସ୍ତତା ଏତେ ବଢିଯାଇଥିଲା ଯେ ମୁଁ ଘର କଥା ସମ୍ପୂର୍ଣ ଭୁଲିଯାଇଥିଲି । ଆଗକୁ ଥିଲା ଦଶହରା, ଯାହାକି ସମ୍ପୂର୍ଣ୍ଣ ବଙ୍ଗଳା ପାଇଁ ପାର୍ବଣର ଋତୁ । ବଡ ବଡ ସୌଖୀନ ମିଜାଜର ଢନାଢ୍ୟ ବ୍ୟକ୍ତିମାନେ ନିଜ ବଙ୍ଗଳା ସଜେଇବାକୁ ପେଣ୍ଟିଙ୍ଗ ସବୁ ପ୍ରଦର୍ଶନୀରୁ କିଣିଥାନ୍ତି । ତେଣୁ ଗୋଟେ ସପ୍ତାହ ମଧ୍ୟରେ ମୋ ଚିତ୍ର ସବୁ ବିକ୍ରୀହୋଇଗଲା । ଓଡ଼ିଶାର ଆଦିବାସୀ ସଂସ୍କୃତି ବିଶେଷତ ବଣ୍ଡା ସମ୍ପ୍ରଦାୟ ବିଷୟରେ ଜାଣିବାର ଆଗ୍ରହ ଖାଲି ବିଦେଶୀ ନୁହନ୍ତି ଅନ୍ୟ ରାଜ୍ୟର ଲୋକଙ୍କ ମନରେ ମଧ୍ୟ  ଥିବାର ପରିଲକ୍ଷିତ ହେଲା । ମୁଁ ବହୁତ ଖୁସି ଥିଲି । ଆଶା ଠାରୁ ଅଧିକ ମୂଲ୍ୟ ମିଳିଥିଲା । କଲିକତା ଥିଲା କଳା , କଳାକାରର ଓ କଳାପ୍ରେମୀଙ୍କ ସହର । ସେଥିପାଇଁ ମୁଁ କଲିକତାକୁ ହିଁ ବାଛିଥିଲି ।

        ମୁଁ ଖୁବ ବ୍ୟଗ୍ରଥିଲି ଘରକୁ ଫେରିବାକୁ । ଅନ୍ୟ ସମୟ ହୋଇଥିଲେ ମୁଁ ଆଉ ଦିନେ ଦୁଇଦିନ ରହିଯାଇଥାନ୍ତି ବୁଲାବୁଲି ଏବଂ ମାର୍କେଟିଂ କରିବାକୁ । ମାତ୍ର ମୋ ମନ ଆଉ କଲିକତାରେ ନଥିଲା । ଥିଲା ଯାଇ ମୋ ଗାଁ ରେ । ଘର ଲୋକଙ୍କ କଥା ଯେତିକି ମନେ ପଡୁନଥିଲା, ପ୍ରଜ୍ଞା କଥା ଅଧିକ ମନେପଡୁଥିଲା । ମନ ପକ୍ଷୀ ଲଗାଇ ଉଡିଯାଉଥିଲା ସେଇଠିକି ,ଯେଉଁଠି ଗୋଟିଏ ନିରୀହ ନିଷ୍ପାପ ଝିଅର ଉଦାସିଆ ମୁହଁଟି ରହିଥିଲା । ଭାବିଲି ଯାଉଛି ହୋଟେଲ ପାଖ ମାର୍କେଟରୁ ଘର ପାଇଁ କିଛି କିଣିନେଇ ସିଧା ରେଲୱେ ଷ୍ଟେସନ ଚାଲିଯିବି । ଆଉ ତ ପେଣ୍ଟିଙ୍ଗ ଗୁଡିକର ଝାମେଲା ନାହିଁ । ଖାଲି ବ୍ୟାଗଟା କାନ୍ଧରେ ପକାଇଦେଲେ ଗଲା । ଏଇଆ ଭାବି ହୋଟେଲ ରୁମରୁ ବାହାରି କାଉଣ୍ଟର ନିକଟରେ ପହଁଚିଲା ବେଳକୁ ସୁନ୍ଦରୀ   ରିସେପ୍ସନିଷ୍ଟ ଜଣକ ହସି ହସି କହିଲା " ହାଲୋ ସାର ! ପ୍ଲିଜ ମିଟ ଟୁ ମିସ୍ ରୋଜାଲିନ ବାସୁ ହୁ ହାଭ ସିଟେଡ଼ ଫ୍ରମ ଲାଷ୍ଟ ଟେନ ମିନିଟସ ଟୁ ମିଟ ୟୁ "।

        ଆଶ୍ଚର୍ଯ୍ୟ ! ମୁଁ ତ କୋଉ ରୋଜାଲିନ ବସୁଙ୍କୁ ଚିହ୍ନିନି କି ଜାଣିନି । ଏ ବିରାଟ କଲିକତା ନଗରରେ ମୋତେ କିଏ ବା ଜାଣିଛି ? ମୁଁ ଆଶ୍ଚର୍ଯ୍ୟ ହୋଇ ରିସେପ୍ସନିଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ଦିଗକୁ ବୁଲିଗଲି ଯାହାକି ଠିକ ମୋ ପଛରେ ଦଶ ଫୁଟ ଦୂରରେ ଡାହାଣକୁ ଥିବା ସୋଫା ଉପରେ ବିରାଜମାନ ହୋଇଥିବା ଅତ୍ୟାଧୁନିକା ସୁନ୍ଦରୀ ଯୁବତୀଙ୍କ ପ୍ରତି ଥିଲା ।

        ମୋତେ ଆଶ୍ଚର୍ଯ୍ୟଚକିତ ହେବା ଦେଖି ସେ ଯୁବତୀ ଜଣକ ସ୍ମିତ ହସି କହିଲେ " ହାଲୋ ମିଷ୍ଟର ପାନିଗ୍ରାହୀ ଆଇ ମାଇଁସେଲ୍ଫ ରୋଜାଲିନ ବାସୁ ଆଣ୍ଡ ୟୋର କଷ୍ଟମର ଅଲସୋ "। ମୁଁ ବୁଝିଗଲି ଯେ ମୋର ସବୁଯାକ ପେଣ୍ଟିଙ୍ଗସ୍ କିଣିଲାଵାଲା ମୋ ସମ୍ମୁଖରେ ବସିଛନ୍ତି । ଟିକେ ହସ ଲାଗିଲା ମନେ ମନେ ଯେ " ଣ " ଆଉ " ଳ " ର ଉଚ୍ଚାରଣ କେଵଳ ଓଡ଼ିଆଙ୍କ ଵ୍ୟତିତ ଆଉ କେଉଁ ଭାଷା ଭାଷୀଙ୍କ ପାଟିରେ ଵୋଧେ ହୁଏନାହିଁ । ନହେଲେ ପାଣିଗ୍ରାହୀକୁ କଣ ପାନିଗ୍ରାହୀ କହିଥାନ୍ତେ "? ମନ କଥା ମନରେ ରଖି  ମୁଁ ପାଖକୁ ଯାଇ ନମସ୍କାର କଲି । ରୋଜାଲିନ ମାଡାମ ଉଠିଆସି ମୋ ହାତ ଦୁଇଟିକୁ ତାଙ୍କ କୋମଳ ହାତରେ ଧରିନେଇ କହିଲେ " ନାଇସ ଟୁ ମିଟ ୟୁ ଆଣ୍ଡ ନୋ ଫର୍ମାଲିଟିଜ ମିଷ୍ଟର ପାନିଗ୍ରାହୀ ! ଓନଲି ସେକ ଦ ହ୍ୟାଣ୍ଡ ପ୍ଲିଜ "। ମୁଁ ଅଳ୍ପ ହସି କହିଲି " ଆପଣ ମୋ ପେଣ୍ଟିଙ୍ଗସ୍ ତକ ଖରିଦ୍ କରିଥିବାରୁ ମୁଁ ଆପଣଙ୍କ ନିକଟରେ ବିଶେଷ ଭାବରେ କୃତଜ୍ଞ । ମେନି ମେନି ଥ୍ୟାଙ୍କ୍ସ "। ସେ ପର୍ଯ୍ୟନ୍ତ ମୋ ହାତ ପାପୁଲି ଦୁଇଟି ତାଙ୍କ ହାତ ପାପୁଲି ମଧ୍ୟରେ ବନ୍ଦଥାଏ । ମୁଁ  ଧୀରେ ଧୀରେ ମୋ ହାତ ତାଙ୍କ ହାତ ମୁଠାରୁ ଖସାଇ ଆଣିଲି । ସେ ଟିକେ ଅପ୍ରସ୍ତୁତ ହୋଇପଡି କହିଲେ " ଓଃ ସାରି " । ତାପରେ ସେ ମୋତେ ତାଙ୍କ ପଛେ ପଛେ ଅନୁସରଣ କରିବାକୁ ଇଶାରା ଦେଇ ହୋଟେଲ ଗେଟ ଆଡକୁ ଅଗ୍ରସର ହେଲେ । ମୁଁ ଅଗତ୍ୟା ତାଙ୍କ ପଛେ ପଛେ ଗଲି ।

        ହୋଟେଲ ଗେଟ ପାଖରେ ପାର୍କିଙ୍ଗ କରିଥିବା ଧଳା ରଙ୍ଗର ଲମ୍ବା ବିଦେଶୀ କାର ନିକଟରେ ଆମେ ପହଂଚିଲା ପରେ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥିବା ଡ୍ରାଇଭର ଆମ ଦୁହିଁଙ୍କୁ ସଲାମ କରି କାରର ଡୋର ଖୋଲିଦେଲା । ରୋଜାଲିନ ଦେବୀ ଗାଡ଼ି ଭିତରକୁ ଯାଇସାରିବା ପରେ ମୋତେ ଭିତରକୁ ଆସିବା ପାଇଁ ଇଶାରା କଲେ । ମୁଁ ଟିକେ ଦୋ ଦୋ ପାଞ୍ଚ ହୋଇ ଭିତରକୁ ଗଲାପରେ ଡ୍ରାଇଭର ଡୋର ବନ୍ଦ କରି ଡ୍ରାଇଭର ସିଟରେ ବସି ଗାଡି ଛୁଟେଇଦେଲା । ସହରର ବୁକୁ ଚିରି କାରଟି ଆଗେଇ ଚାଲିଲା ଅବିରାମ ଗତିରେ । ଗାଡି ଭିତରେ ଆମେ ଦୁହେଁ ଦୁଇ ଅପରିଚିତଙ୍କ ଭଳି ବସି ରହିଲୁ ଚୁପ ଚାପ  ବିନା ବାକ୍ୟବ୍ୟୟରେ ।

        ପ୍ରାୟ ଘଂଟାଏ ପରେ କାର ଅଟକିଲା ଏକ ବିଶାଳ ଅତ୍ୟାଧୁନିକ ଅଟ୍ଟାଳିକାର ବିଶାଳ ଗେଟର ଠିକ ସାମନାରେ । ଦରବାନ ଆସି ଗେଟ ଖୋଲିଦେଲା। କାର ଚାଲିଲା ଭିତରକୁ । ଆମେ ଓହ୍ଲେଇଲୁ ବିରାଟ ପୋର୍ଟିକୋ ତଳେ ।  ମୁଁ ଦେଖିଲି ମେହଗାନି କାଠର ବିଶାଳ ଡୋର ଦେହରେ ପିତଳରେ ଲେଖାଯାଇଛି  " ସୁନିତା ଭବନ " ।

        ସିକ୍ୟୁରୀଟି ଆସି ଆମ ଦୁହିଁଙ୍କୁ ସଲାମ କରି ଡୋର ଖୋଲିଦେଲା । ରୋଜାଲିନ ଦେବୀ ଖଣ୍ଡି ବଙ୍ଗଳା ଓ ଖଣ୍ଡି ଓଡ଼ିଆର ମିଶାମିଶି ଭାଷାରେ କହିଲେ " ଭିତରକୁ ଆସନ୍ତୁ ପାଣିଗ୍ରାହୀ ବାବୁ " । ମୁଁ ଭିତରକୁ ଗଲାବେଳେ ଭାବୁଥିଲି " କଣ ପାଇଁ ଏସବୁ ? ମୁଁ ଜଣେ ସାଧାରଣ ଆର୍ଟିଷ୍ଟ ଓ ସେ ମୋର ଜଣେ ଭଲ କଷ୍ଟମର । ବାସ , କଥା ଶେଷ । ହେଉ ଦେଖାଯାଉ କଣ ହେଉଛି " ।

        ଗ୍ରାଉଣ୍ଡ ଫ୍ଲୋରର ଏକ ବିଶାଳ ସୁସଜ୍ଜିତ ଡ୍ରଇଂରୁମରେ ଆମେ ପହଂଚିଲୁ । ସେ ଚାକରାଣୀକୁ ଦୁଇ କପ ଗରମ କଫି ଅର୍ଡର ଦେଇ ମୋତେ ବସିବାକୁ କହି ନିଜେ ଧମ କରି ସୋଫାଟା ଉପରେ ବସିପଡିଲେ ।
                " କ୍ରମଶଃ"

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments