ରମ୍ୟ ଅଙ୍ଗନିଭା କଥା - ଦୀର୍ଘ ନିଃଶ୍ଵାସ - ରମେଶ ଚନ୍ଦ୍ର ମିଶ୍ର

ରମ୍ୟ ଅଙ୍ଗନିଭା କଥା - ଦୀର୍ଘ ନିଃଶ୍ଵାସ - ରମେଶ ଚନ୍ଦ୍ର ମିଶ୍ର

ସମସ୍ତେ ଦୀର୍ଘ ନିଃଶ୍ବାସ ଶବ୍ଦଟିକୁ ବ୍ୟବହାର କରନ୍ତି । ମୁଁ ମଧ୍ୟ ଏ ଶବ୍ଦଟିକୁ ବେଳେବେଳେ ବ୍ୟବହାର କରେ ସିନା ଏ ଶବ୍ଦଟିର ଅର୍ଥ ମୁଁ ଏତେ ନିକଟରୁ ବୁଝିନଥିଲି । ଏଇ ଶବ୍ଦଟିର ଅର୍ଥ ମୁଁ କିପରି ବହୁତ ନିକଟତର ହୋଇ ବୁଝିଥିଲି, ତା ପଛରେ ଗୋଟିଏ ରୋଚକ ଅଙ୍ଗନିଭା କଥା ରହିଛି । କଥାଟି ଏହିପରି ..........
   

ସେତେବେଳକୁ ମୁଁ ୭ମ ଶ୍ରେଣୀରେ ପଢୁଥାଏ । ଆଠମଲ୍ଲିକରୁ ମୋର ଜନ୍ମମାଟି ନରସିଂହପୁର ଯିବାକୁ ପରିସ୍ଥିତି ବାଧ୍ୟ କଲା । ସେ ପୁଣି ମୋ ସାଥିରେ ଯିବେ ମୋ ତଳ ଭଉଣୀ ଓ ଭାଇ । ନନା(ବାପା) ଅବଶ୍ୟ ମୋତେ ମୋ ମାଉସୀ ପୁଅ ଭାଇନା ଓ ଭଉଣୀ ସହିତ ସାଥୀ କରିଦେଲେ । ସେମାନେ ଆମ ଘରଠାରୁ ୬୫ କିଲୋମିଟର ଦୂରରେ ରହନ୍ତି ମହାନଦୀ କୂଳ କୁସୁମକୁହୁଡି ଗ୍ରାମରେ । ନଦୀରେ ଡଙ୍ଗାରେ ଯିବୁ । ଆଗେ ଆଜିକାଲି ଭଳି ସ୍ଥଳ ଭାଗରେ ଗାଡିମୋଟରର ଏତେଟା ସୁବିଧା ନଥିଲା । ପୁଣି ଆମ ପୁରୁଣା ଗାଁ ଗୋପାଳପୁର ନିକଟ ଏକଡାଳ ଗାଁ'ର ଡଙ୍ଗାବାଲା, ସେ ଆମର ଠିକ୍ ଦାୟିତ୍ବ ନେଇପାରିବ ବୋଲି ନନାଙ୍କର ବିଶ୍ବାସ । ତେଣୁ ଆମେ ଭାଇ ଭଉଣୀ ପାଞ୍ଚଜଣଙ୍କୁ ହରଭଙ୍ଗାଠାରେ ଡଙ୍ଗାବାଲା ଜିମା ଦେଇ ନନା ଘରକୁ ଫେରିଲେ ଓ ଆମେ ଡଙ୍ଗାରେ ଯାତ୍ରାରମ୍ଭ କଲୁ ।
   


ଏଇ ନୌଯାତ୍ରା ସମ୍ପର୍କରେ ବୁଝିବାକୁ ସୁଗମ ହେବାକୁ ଆଉ ଟିକେ ପ୍ରାଞ୍ଜଳ କରିଦେବାକୁ ଚାହେଁ । ଆଗେ ସ୍ଥଳଭାଗରେ ନରସିଂହପୁରରୁ ଆଠମଲ୍ଲିକ ଗମନାଗମନ ପାଇଁ ଏତେଟା ସୁବିଧା ନଥିଲା । ନରସିଂହପୁରରୁ ଖୁଣ୍ଟୁଣି ବସ୍ ରେ, ଖୁଣ୍ଟୁଣିରୁ ରାଜା ଆଠଗଡ ଓ ରାଜା ଆଠଗଡରୁ ମେରାମଣ୍ଡଳୀ ଟ୍ରେନ୍ ରେ, ପୁଣି ମେରାମଣ୍ଡଳୀରୁ ଆଠମଲ୍ଲିକ ବସ୍ ରେ ଯିବାକୁ ପଡେ । ବସ୍ ପୁଣି ଆଜିକାଲି ଭଳି ଅଧିକ ଚାଲୁନଥିଲା । ଆଠମଲ୍ଲିକକୁ ମେରାମଣ୍ଡଳୀରୁ ଦିନକୁ ଦୁଇଟି ବସ୍ । ତେଣୁ ଛୋଟ ପିଲାମାନଙ୍କୁ ଏଭଳି ଅବ୍ୟବସ୍ଥା ଭିତରେ ସ୍ଥଳପଥରେ ନଛାଡି ଜଳପଥରେ ଛାଡିବାକୁ ସେଦିନ ନନା ଉଚିତ ମଣିଥିଲେ ।
   


ଏଣେ ଜଳପଥ କଥା ବିଚାରକୁ ନିଆଯାଉ । ସେହି ସମୟରେ ବ୍ୟବସାୟୀମାନେ ଡଙ୍ଗାରେ ବେପାର ବଣିଜ କରୁଥିଲେ । ନରସିଂହପୁର ଏକଡାଳରୁ ବଡ ବଡ ଡଙ୍ଗାରେ ଫସଲପାତି ଓ ଅନ୍ୟାନ୍ୟ ପଣ୍ୟ ସାମଗ୍ରୀ ଧରି ମହାନଦୀର ପ୍ରତିକୂଳ ସ୍ରୋତରେ କେତେକ ହରଭଙ୍ଗା ଓ ଆଉ କେତେକ ବୌଦ୍ଧ ଜିଲ୍ଲାର ମହାନଦୀ କୂଳ ଧଳପୁର ଘାଟରୁ ମାତ୍ର ୫କିଲୋମିଟର ଦୂର ତିଳେଶ୍ବର ହାଟକୁ ଆସୁଥିଲେ । ଜଳପଥରେ ଏକଡାଳରୁ ହରଭଙ୍ଗା ୩୦ କିଲୋମିଟର ଓ ସେଠାରୁ ଧଳପୁର ଘାଟ ୨୦ କିଲୋମିଟର । ପ୍ରତିକୂଳ ସ୍ରୋତରେ ଏକଡାଳରୁ ଧଳପୁର ଆସିବାପାଇଁ ସେମାନଙ୍କୁ ୩ଦିନ ଲାଗୁଥିଲା ଅର୍ଥାତ୍ ଗୁରୁବାର ଦିନ ଏକଡାଳରୁ ବାହାରି ରବିବାର ଦିନ ଧଳପୁରରେ ପହଞ୍ଚୁଥିଲେ ଓ ପୁଣି ହାଟସାରି ଧଳପୁରରୁ ଏକଡାଳ ଅନୁକୂଳ ସ୍ରୋତରେ ୨ଦିନ ଲାଗୁଥିଲା ଅର୍ଥାତ୍ ରବିବାର ଦିନ ତିଳେଶ୍ବର ହାଟ ସାରି ଧଳପୁରରୁ ସନ୍ଧ୍ୟାରେ ବାହାରି ହରଭଙ୍ଗାରେ ପହଞ୍ଚୁଥିଲେ ବିଳମ୍ବିତ ରାତିରେ । ସୋମବାର ଦିନ ହରଭଙ୍ଗା ହାଟରେ ବେପାର କରି ଅପରାହ୍ଣରେ ପୁଣି ଡଙ୍ଗା ଛାଡିଦେଉଥିଲେ । ସୋମବାର ରାତି ସାତକୋଶିଆ ଗଣ୍ଡ ଓ ନିବିଡ ଜଙ୍ଗଲ ପାର ହେଲାପରେ କୌଣସି ଏକ ନଈକୂଳିଆ ଗାଁ ଦେଖି ଡଙ୍ଗା କୂଳରେ ଲଗାଉଥିଲେ ପ୍ରାୟ ରାତି ୮ଟା ବେଳକୁ । ସେଇଠି ନଈବାଲିରେ ସମସ୍ତେ ବିଶ୍ରାମ ନେଉଥିଲେ,  ନାଉରିଆ ଡଙ୍ଗାର ସମସ୍ତ ଯାତ୍ରୀମାନଙ୍କ ପାଇଁ ଓ ନିଜପାଇଁ ରୋଷେଇବାସ ଆରମ୍ଭ କରିଦେଉଥିଲେ । ୧୦ଟା ବେଳକୁ ଖିଆପିଆ ହେଉଥିଲା । ତାପରେ ସମସ୍ତେ ସେଇ ନଈବାଲିରେ ସୁଖନିଦ୍ରା ଯାଉଥିଲେ । ଭୋର ୪ଟାରୁ ପୁଣି ଡଙ୍ଗା ଛାଡୁଥିଲେ ଓ ଏକଡାଳରେ ପହଞ୍ଚିଲାବେଳକୁ ଓପରଓଳି ୪ଟା ହୋଇଯାଉଥିଲା ।



ନଈବାଲିରେ ଖାଇବା, ଶୋଇବାର ଅନୁଭୂତି ଅତ୍ୟନ୍ତ ସୁଖକର ଥିଲା । ଏ ହେଉଛି ଖରାଦିନିଆ କଥା । ବର୍ଷାଦିନେ କିନ୍ତୁ ନଈବାଲିରେ ଡଙ୍ଗା ନ ଅଟକି ସେଇ ଡଙ୍ଗାରେ ହିଁ ରୋଷେଇ, ଖିଆପିଆ ହୋଇଥାଏ । ନନା ଓ ମଉସା ହରଭଙ୍ଗା ଘାଟକୁ ଆସି ଚାରିଟାବେଳେ ଆମକୁ ଡଙ୍ଗାରେ ବସାଇଲେ ଓ ନାଉରିଆକୁ ଆମ ଯତ୍ନରେ ଯେପରି ହେଳା ନହୁଏ, ସେଥିପାଇଁ କାନେକାନେ କହିଲେ । ଆଜି ସୋମବାର, ଆମେ ୨୪ଘଣ୍ଟାରେ ଅର୍ଥାତ୍ ମଙ୍ଗଳବାର ଦିନ ଏକଡାଳରେ ପହଞ୍ଚିବୁ । ବାଟରେ ଖାଇବୁ ୪ବକ୍ତ । ଆଜି ରାତି, ସୋମବାର ସକାଳ ଜଳଖିଆ, ବେଳା ଖାଇବା, ପୁଣି ଚାରିଟା ବେଳର ଜଳଖିଆ । ସେଥିପାଇଁ ମାଉସୀ ଆମକୁ ଯଥେଷ୍ଟ ଖାଇବା ଜିନିଷ ଦେଇଥାଏ । ରାତି ଓ ବେଳାର ଭାତ ମିଲ୍ କୁ ଛାଡିଦେଲେ ଆଉ ଦୁଇଥର ଜଳଖିଆ । ସେଥିପାଇଁ ମୁଢି, ଚୁଡା, ଚିନି, ବାଦାମ ଭଜା, ସୋଲା ଭଜା, ତା ସାଙ୍ଗକୁ ବିରି ପୋଡପିଠା ।
   


ଭାଇନା ଟିକେ ଖାଉଟିଆ । ଡଙ୍ଗାରେ ବସିବା ପରଠୁ ତାଙ୍କର ଖାଇବା ଓ ପାଟିସୁଆଦ ଆରମ୍ଭ କରିଦେଲେ । ମୁଢି ସହିତ ବାଦାମ ଭଜା, ପୁଣି ପରେ ପରେ ପୋଡପିଠାରୁ ବେଶ୍ ବଡଖଣ୍ଡେ । ସନ୍ଧ୍ୟାବେଳକୁ ଡଙ୍ଗା ଯାଇ ଟିକରପଡାରେ ଲାଗିଲା । ତାଙ୍କୁ କି ସର୍ବନାଶି ଭୋକ କେଜାଣି, ଟିକରପଡାରୁ କଦଳୀ କିଣି ଚୁଡା ଚିନିକୁ ଚକଟି ସେଥିରୁ ପୁଣି ବେଶ୍ ଟେଳାଏ । ତାପରେ ସୋଲାଭଜାରୁ ପୁଳାଏ ଧରି ଦି'ଦି'ଟା ପାଟିରେ ପକାଉଥାନ୍ତି । ହରଭଙ୍ଗାରେ ଡଙ୍ଗାରେ ବସିବା ପରଠାରୁ ପାଟିଯନ୍ତ୍ର ତାଙ୍କର ଅନବରତ ଚାଲିଥାଏ ଜାଣ ।
   


ସାତକୋଶିଆ ଗଣ୍ଡରେ ଡଙ୍ଗା ଚାଲିଥାଏ । ଠିକ୍ ୫/୭କିଲୋମିଟର ଯାଇଛି, ଆରମ୍ଭ ହେଲା ଭାଇନାଙ୍କ ପେଟର ଗଣ୍ଡଗୋଳ । ସୋଲାଭଜା ଖାଇବା ବନ୍ଦ କରି ଭାଇନା ଭିଡିମୋଡି ହେଲେ । ପିଚାକୁ ଏପଟ ସେପଟ କରିଲେ । ଥରେ ନୁହେଁ, ଅନେକ ଥର ।  କେତେବେଳେ ପର୍ କରି ସ୍ବଳ୍ପ ଶବ୍ଦଯୁକ୍ତ ବାୟୁ ଛାଡିଲେ ତ କେତେବେଳେ ନିଃଶବ୍ଦ ବାୟୁ । ବାୟୁ ଗଲାପରେ ସାମାନ୍ୟ ମାତ୍ର ଆଶ୍ବସ୍ତ ହେଲେ ସୁଦ୍ଧା ଅଧିକାଂଶ ସମୟ ସେ ଅଶ୍ବସ୍ତି ଅନୁଭବ କରୁଥିବା ଭଳି ମନେହେଲା । ତାଙ୍କର ଏପରି ପରିବର୍ତ୍ତିତ ଆଚରଣ ଦେଖି ମୁଁ ପଚାରିଦେଲି, "ଭାଇନା, କଣ ଅସୁବିଧା ହେଲା କି ?" ସେ ତତ୍କ୍ଷଣାତ୍ କିଛି କହିଲେ ନାହିଁ । ମୁଁ ପୁଣି ସେଇ ଏକା ପ୍ରଶ୍ନ କଲି । ଏଥର ସେ ବଡ କଷ୍ଟରେ ଉତ୍ତର ଦେଲେ, "ପେଟଟା ଖରାପ ହେଇଚି ମ ।" ସେମିତି ପିଚାକୁ ଏପଟ ସେପଟ କରୁଥାନ୍ତି । ମୁଁ ଭିତରେ ଭିତରେ ହସୁଥାଏ । କହିଲି, "ଆସିଲାବେଳୁ ଗେବୁଚ ଆଉ ପେଟ ଖରାପ ହବନି ତ କଣ ହବ ?" ହସ ଚାପୁ ଚାପୁ ହସ ଲିକ୍ ହୋଇଗଲା । ସେ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲେ, "ମୋତେ କଷ୍ଟ ହଉଚି, ମୁଁ ଦୁଃଖ ପାଉଚି, ତୁ ହସୁଚୁ ?" ମୁଁ ତାଙ୍କର ପେଟର ପରିସ୍ଥିତି ପରିଷ୍କାର ଭାବରେ ଜାଣିବା ପାଇଁ ସହାନୁଭୂତିର ସହ ପଚାରିଲି, " ସତରେ କ'ଣ ବହୁତ କଷ୍ଟ ହଉଚି ?" ମୋର ସ୍ବର ବଦଳିବା ଦେଖି ସେ ପୁଣି ପିଚାକୁ ଏପଟ ସେପଟ କରୁକରୁ କୁନ୍ଥେଇ କୁନ୍ଥେଇ କହିଲେ, "ହଁ ରେ ରମେଶ, ମୋତେ ଝାଡା ଲାଗିଲାଣି, ଡଙ୍ଗାକୁ ଟିକିଏ ରଖା ।"
     


ଦୁଇପଟେ ପର୍ବତ, ମଝିରେ ସଂକୀର୍ଣ୍ଣ ନଈ । ଏମିତି ବିପଦସଂକୁଳ ସ୍ଥାନରେ ବା ଡଙ୍ଗା ଅଟକିବ କେମିତି ! ମୁଁ ତାଙ୍କୁ କହିଲି, "ଟିକେ ଚାପିଚୁପି ହୋଇ ବସିପଡ । ଏମିତି ଯାଗାରେ ସେ ଡଙ୍ଗା ଅଟକେଇବେ ଯେ ମୁଁ କହିବି ?" ସେ କିନ୍ତୁ ମୋ କଥା ଶୁଣିବାକୁ ନାରାଜ । ଭିଡିମୋଡି ହେବା ତାଙ୍କର ଅନବରତ ଚାଲିଥାଏ । ମଝିରେ ମଝିରେ ପୁଣି ଉତ୍କଟ ଦୁର୍ଗନ୍ଧ ବାୟୁ । ନାକ ଫାଟିଗଲା ଭଳି । କେବଳ ଆମେ ପାଖରେ ବସିଥିବା ନିଜ ଲୋକ କାହିଁକି, ଡଙ୍ଗାର ସମସ୍ତ ଯାତ୍ରୀ ସେଇ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡୁଥାନ୍ତି । ଭାଇନା କିଛି ସମୟ ପରେ କୁନ୍ଥାଣ ଆରମ୍ଭ କଲେ । ଓଃ ଆଃ ଶବ୍ଦରେ ସମସ୍ତଙ୍କୁ ବିଚଳିତ କରି ପକାଇଲେ । ଏମିତି ଆଲୋଚନାରୁ ଘାଟିଆମାନେ ଜାଣିଲେ ଯେ ତାଙ୍କ ଦାୟିତ୍ବରେ ଥିବା ପିଲାମାନଙ୍କ ଭିତରୁ କୁନ୍ଥଉଥିବା ପିଲା ଜଣେ । ସେ ବା ଡଙ୍ଗା ରଖିବେ କେମିତି ? ରଖିଲେ ବିପଦ । ଦୁଇକୂଳରେ ଅଗନାଅଗନି ଜଙ୍ଗଲ । ବାଘ ଭାଲୁ ବଡ ବଡ ସାପର ଭୟ । ସହଜେ ଖରାଦିନ । ହୁଏତ ପାଣି ପିଇବାକୁ ଆସିଥାଇ ପାରନ୍ତି ।
      


ଏମିତି ଭାଇନା କୁନ୍ଥଉ କୁନ୍ଥଉ ବଡପାଟିରେ କହିପକାଇଲେ, "ଆରେ, ଡଙ୍ଗା ରଖରେ, ନହେଲେ ମୁଁ ହଗିଲି !" ପରିସ୍ଥିତିର ଗୁରୁତ୍ବକୁ ଅନ୍ୟମାନେ କାହିଁକି ବା ମୁଣ୍ଡକୁ ନେବେ ? ସମସ୍ତେ ହସିଲେ । କେବଳ ହସିଲୁନାହିଁ ଘାଟିଆ ଦୁଇଜଣ ଓ ମୁଁ । ମୁଁ ବାଧ୍ୟହୋଇ ଏଥର କହିଲି, "କୋଉଠି ଟିକିଏ ଫର୍ଚ୍ଚା ଯାଗା ଦେଖି ଅଟକାଅ ଘାଟିଆ ଭାଇ । ଦେଖୁଛ ତ ପରିସ୍ଥିତି ଅସମ୍ଭାଳ ।" ମୋ କଥା ଶୁଣି ସେଇ କୁନ୍ଥାଣ ସ୍ବରରେ ଭାଇନା ଚିହିଁକି ଉଠିଲେ, " କୋଉଠି ଫର୍ଚ୍ଚା ଦେଖି କଣ, ଏଇଠି ରଖ । ଆଉ ସମ୍ଭାଳି ହବନି ।" ଅଗତ୍ୟା ବାଧ୍ୟ ହୋଇ ଘାଟିଆ ଡଙ୍ଗା କୂଳକୁ ଲଗାଇଲେ ।
     


ଡଙ୍ଗା କୂଳରେ ଠିକ୍ ରେ ଲାଗିଛି କି ନାହିଁ, ଭାଇନା ଡେଇଁ ପଡିଲେ କୂଳକୁ । କୂଳକୁ ତ ନୁହେଁ, ଖଣ୍ଡିକୁ । ତୀଖ ଖଣ୍ଡି, ଟିକିଏ ଅସାବଧାନରେ ପାଦ ପଡିଲେ ଗିଦଗାଦ ହୋଇ ପାଣିରେ ପଡିବା ସାର । କିନ୍ତୁ ତାଙ୍କ ପାଖରେ ଆଉ ଯାଗା ଅଯାଗାର ବାଛ ବିଚାର କଣ ? ଭାଗ୍ୟକୁ ପାଦ ଠିକ୍ ରେ ପଡିଲା । ସେ ଖଣ୍ଡିକୁ ଡେଇଁ ପଡିବାରେ ଡାଳପତ୍ରର ଖସ୍ ଖାସ୍ ଶବ୍ଦ ତ ହେଲା, ତା ସାଙ୍ଗକୁ କୋଉ ଗୋଟେ ପଶୁ ଦୌଡି ପଳାଇବାର ଶବ୍ଦ ମଧ୍ୟ ହେଲା । ଭାଇନା କିନ୍ତୁ ସେ ଦିଗକୁ ଧ୍ୟାନ ନଦେଇ ଓଃ ... ଆଃ... କରି ପେଟ ସଫା କରିଚାଲିଥିଲେ । ଢେର୍ ସମୟ ସେ ସେଇଠି ବସିଲେ । ଘାଟିଆ ଡାକ ପକାଇଲା ବେଶୀ ଡେରି କରନା ବୋଲି । କାଳେ କୋଉ ହିଂସ୍ର ଜନ୍ତୁ ପଳେଇଆସିବ । ଘାଟିଆ ଡାକରେ ଏଥର ତାଙ୍କର ଚେତା ଆସିଲା । ସେ ଉଠିଲେ, ହେଲେ ଚିନ୍ତା ପଶିଲା ସେ ପାଣି ଘେନିବେ କେମିତି ? କୂଳ ତ ନାହିଁ, ସେଇଟା ଖଣ୍ଡି । ଘାଟିଆ ବତେଇଲା, "ଡଙ୍ଗାକୁ ଉଠିଆସ, ଆଉ ଡଙ୍ଗାର ଧାରରେ ବସି ପାଣିଆଡକୁ ପଛ କରି ଢାଳରେ ପାଣି ଘେନ ।" ତାହା ହିଁ ହେଲା । ଏଥର ବିରାଟ ବଡ ଆଶ୍ବସ୍ତିରେ ଦୀର୍ଘ ନିଃଶ୍ବାସଟାଏ ପକାଇଲେ ଭାଇନା ।

Writer's Details: ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jul 10, 2019

0 Comments