ଅନୁଭୂତି କଥା - ମୋ ବାପାଙ୍କ ସଂଘର୍ଷର କାହାଣୀ - ରଞ୍ଜିତା ଦାସ

ଅନୁଭୂତି କଥା - ମୋ ବାପାଙ୍କ ସଂଘର୍ଷର କାହାଣୀ - ରଞ୍ଜିତା ଦାସ

ଆଜିର ସରଳ ଶାନ୍ତ ମଣିଷଟିଏ, ଯେ କି ଜନ୍ମ ହେବାର ସାତ ବର୍ଷ ପରେ ନିଜ ବୋଉକୁ ହରେଇଥିଲା, ସାତ ବର୍ଷରୁ ସଂଘର୍ଷ କରିବା ଶିଖିଗଲା ସେ ପିଲା | ଯେଉଁଠି ଆଜି କାଲିର ପିଲା ପନ୍ଦର ବର୍ଷ ଯାଏଁ ମଧ୍ୟ ନିଜ କାମ ନିଜେ କରିବାକୁ ଅସମର୍ଥ | ସେ ପିଲାର ବାପା ବହୁତ କଡା ଲୋକ, ବୋଉ ଚାଲିଗଲା ପରେ, ଜେଜେମା ଙ୍କ କୋଳରେ ବଢ଼ୁଥିଲେ, କିନ୍ତୁ ଦଇବ ସେଇ ବୁଢୀ ମା' ଙ୍କୁ ମଧ୍ୟ ନେଇଗଲା | 1971 ଓଡ଼ିଶା ବାତ୍ୟାର ପରେ ପରେ ସେ ପିଲାର ବୁଢୀମା ବି ଚାଲିଗଲା | ଛୋଟ ପିଲାଟି କେତେ ଵା' କଷ୍ଟ ଆଉ ସହିବ ଯେ, ସେଇ ବୟସରେ ସେ ନିଜେ ଘରେ ରନ୍ଧା ବଢ଼ା କରିବାଠୁ ଘର କାମ ମଧ୍ୟ କରେ | ଅଥଚ ସେ ପିଲାର ଭଉଣୀଟିଏ ଥାଏ ଯେ, କିନ୍ତୁ ସେ ମାତ୍ର ତିନି ଚାରି ବର୍ଷର ଛୁଆ | ସେ ପିଲା ସେଇ ଭଳି ସଂଘର୍ଷ କରିଚାଲିଲା ଆଉ ତାର ଆର୍ଥିକ ପରିସ୍ଥିତି ମଧ୍ୟ ଏତେ ଭଲ ନଥିଲା | ତାର ବାପା କାଚ ବେପାର କରୁଥିଲେ, ସେଥିରୁ କେତେ ଵା ପଇସା ମିଳିବ? ଯେଉଁ ଦିନ କିଛି କାରବାର ହୁଏନି ସେଦିନ ସେମାନଙ୍କୁ ଭୋକ ଉପାସରେ ଶୋଇବାକୁ ମଧ୍ୟ ପଡେ |ଦୁଃଖର ଦିନ ଏମିତି ଗଡି ଚାଲିଲା, ସମୟ ସ୍ରୋତ କଣ କାହାକୁ ଅପେକ୍ଷା କରେ କି? ସେ ପିଲା ସେଇ ଅଭାବ ଅନାଟନର ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇପାରିଲା | ମନରେ ତ ଆଶା ବହୁତ ଥିଲା କିନ୍ତୁ ଆର୍ଥିକ ବଳ ନଥିଲା | କଲେଜରେ ନାମ ମଧ୍ୟ ଲେଖେଇଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଉ ପାଠ ପଢ଼ା ଆଗକୁ ଚାଲୁ ହୋଇପାରିଲା ନାହିଁ | ବହୁତ କିଛି କାରଣ ଥିଲା ସେଥିପାଇଁ ସେ ରାଉରକେଲା ଯାଉଥିବା ବସରେ ଟିକେଟ କାଟି ରାଉରକେଲାରେ ପହଂଚିଗଲା | ଏଠି ତ ସଂଘର୍ଷ ଅନେଇରହିଥିଲା, ଏନ.ଆଇ.ଟି ସେତେବେଳେ ଆର.ଇସି ନାମରେ ନାମିତ ଥିଲା | ସେ ସେଠି ଆସି ଦୁଃଖେ କଷ୍ଟେ ରହିବା ଆରମ୍ଭ କଲା ଏବଂ ଏନ.ଆଇ.ଟି ହଷ୍ଟେଲରେ ପରିବା କଟା, ଅଟା ଦଳା ଓ ନାନା ପ୍ରକାରର କାମ କରିବା ଆରମ୍ଭ କଲା | ମଝି ମଝିରେ ମଧ୍ୟ ଏନ.ଆଇ. ଟିରେ ବାହାରୁଥିବା ଚାକିରୀ ବିଷୟରେ ଅବଗତ ଥିଲା ଏବଂ ଆବେଦନ କରୁଥିଲା | ଏଠି ମଧ୍ୟ ସଂଘର୍ଷ କମ ନଥିଲା, ମାତ୍ର ଖଣ୍ଡିଏ ରୁଟି ଖାଇବାକୁ ମିଳୁଥିଲା ଆଉ କୋଡିଏ କିଲୋର ଅଟାରେ ରୁଟି ବେଲିବାକୁ ପଡୁଥିଲା | ବହୁତ କଷ୍ଟ ଦୁଃଖ ଆଉ ଯନ୍ତ୍ରଣା ପରେ ଗୋଟେ ଚାକିରି ମିଳିଗଲା ତେବେ ଅଭାବ ଅନାଟନ ଅଳ୍ପେ ବହୁତ ଦୂରେଇଗଲା | ସମୟ ସେହିପରି ଗଡି ଚାଲିଲା ଆଉ ଆଜି ତାଙ୍କର ପୁଅ ଆଜି ଏନ.ଆଇ.ଟି ରାଉରକେଲାରୁ ଵି. ଟେକ ପାସ କରି ଏବେ ଆଇ .ଆଇ. ଟି ଖଡଗପୁରରେ ଏମ.ଟେକ ଦ୍ୱିତୀୟ ବର୍ଷର ଛାତ୍ର | ଆଉ ସେ ନିଜ ଝିଅ ମାନଙ୍କୁ ବି ଉପଯୁକ୍ତ ଶିକ୍ଷା ଦେଇଛନ୍ତି | ହୁଏତ ସେ ନିଜେ ବେଶି ପଢ଼ିପାରିଲେନି କିନ୍ତୁ ନିଜ ପିଲା ମାନଙ୍କୁ ଉପଯୁକ୍ତ ଶିକ୍ଷାର ଅଧିକାରୀ କରେଇପାରିଛନ୍ତି | 


ଦିନ ଥିଲା ଅଭାବ ଆଉ ଅନାଟନ ତା' ବନ୍ଧୁ ଥିଲେ ଓ ସେମାନେ ଗୋଟିଏ ଚାଳ ତଳେ ରହୁଥିଲେ | କିନ୍ତୁ ଆଜି ସବୁ କିଛି ପରିବର୍ତ୍ତନ ହୋଇଯାଇଛି ଏବଂ ସେ ଅଭାବ ଆଉ ଅନାଟନ କୁ କେବେଠୁ ତଣ୍ଟିଆ ମାରି ତଡି ଦେଲାଣି | ହଁ, ସମୟ ଏବଂ ତାର ନିଜ କର୍ମବଳ ନୂଆ 
ରଙ୍ଗ ଆଣିଛି, ହଁ ନୂଆ ରଙ୍ଗ ଆଣିଛି |

ଏହା ଏକ ନିଚ୍ଛକ ସତ କାହାଣୀଟି ଯାହା ମୋ ବାପା ନିଜେ ଅଙ୍ଗେ ନିଭେଇଛନ୍ତି ଏବଂ ସେଇ ସଂଘର୍ଷର କାହାଣୀକୁ ସମୟେ ସମୟେ ଆମ ଆଗରେ ବଖାଣି ଦିଅନ୍ତି ଯାହା ଆମକୁ ଆଗକୁ ବଢିବାକୁ ପ୍ରେରଣା ଦିଏ | 


Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Jul 01, 2019

0 Comments