ଭଗ୍ନ ଚେତନା ଋଗ୍ନ ବେଳାର
ମଗ୍ନ ଜାଗ୍ରତ ଲଗ୍ନ ତୀରେ,
ଆଜ୍ଞା ଯା ସଦା ଯଜ୍ଞେ ମଜ୍ଜୁଛି
ବିଜ୍ଞ ଝଙ୍କାର ଅଜ୍ଞ ସୁରେ.
ପ୍ରଜ୍ଞାବାଦ ର ସଜ୍ଞା ବା କାହିଁ
ଅଜ୍ଞାତ ମୋହ ଛନ୍ଦ ମନେ,
ଦ୍ବନ୍ଦ କେଉଁଠି ଧନ୍ଦି ହେବାରେ
ଫାନ୍ଦ ବିଚାର ମନ୍ଦ ଜ୍ଞାନେ.
ସ୍ପନ୍ଦନ ଏଠି ଜାଗ୍ରତ ଶୂନ୍ଯ
ଭିନ୍ନ ଲାଗଇ ଛିନ୍ନତା ରେ,
କ୍ଷୀଣ ଶାନ୍ଦ୍ରତା ଶୀର୍ଣ୍ଣ ଶରୀରେ
ଶିହରଣ 'ତା' ଉଙ୍କିମାରେ.
ଝଙ୍କାର ତୋଳେ ଝଞ୍ଜା ପବନ
ବଞ୍ଜାରୀଣି ର ଗୁଞ୍ଜରଣ,
ଭୃଙ୍ଗ କାକଳି କର୍ଣ୍ଣ କୋଟରେ
ବର୍ଣ୍ଣାଳୀ ତାନ ତତ୍ତ୍ବ ପୂର୍ଣ୍ଣ.
ପର୍ଣ୍ଣ ଉତ୍ଥାନେ ନବିନ ବୃନ୍ତେ
କାନ୍ତି ପ୍ରକାଶେ ବୃକ୍ଷରାଜି,
ଭ୍ରାନ୍ତି ଶୂନ୍ୟତା କ୍ରାନ୍ତି ଜଗାଏ
ଶାନ୍ତି ପ୍ରଦାନେ ଦମ୍ଭବାଜି.
ସମ୍ଭବ କିବା ଅମ୍ବରୀଶ ରେ
ଖମ୍ବ ପୋତିବା ଦମ୍ଭଆଶା,
ଅମ୍ବୂଜ ମୀନେ ସ୍ବୟମ୍ଭୂ ସେବା
ବିଭ୍ରମତା ର ପୂର୍ଣ୍ଣ ଦୃଶା.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129