ଅନୁବାଦ କଥା - ପ୍ରାକ୍-ଶୈଶବ କାଳୁଁ ଆବିଷ୍କୃତ ଅମରତ୍ୱର ସମ୍ବୋଧନାତ୍ମକ ପ୍ରଜ୍ଞାପନ : ଏକ ଗୀତି ଗାଥା - ସାଇ ସୁଦୀପ ଦାସ

ଅନୁବାଦ କଥା - ପ୍ରାକ୍-ଶୈଶବ କାଳୁଁ ଆବିଷ୍କୃତ ଅମରତ୍ୱର ସମ୍ବୋଧନାତ୍ମକ ପ୍ରଜ୍ଞାପନ : ଏକ ଗୀତି ଗାଥା - ସାଇ ସୁଦୀପ ଦାସ

ମୂଳ ରଚନା: ୱିଲିୟମ୍ ୱର୍ଡ୍ସୱର୍ଥ୍ (William Wordsworth) 
ଅନୁବାଦ: ସାଇ ସୁଦୀପ ଦାସ
Odia-translated masterpiece of William Wordsworth
(Ode: Intimations of Immortality from Recollections of Early Childhood)

ଇଂରାଜୀ ରୋମାଣ୍ଟିକ ଯୁଗ ର କବିତା ସାହିତ୍ୟ ର ପ୍ରମୁଖ ସାଧକ ମାନଙ୍କ ମଧ୍ୟରୁ ୱର୍ଡ୍ସୱର୍ଥ୍ ଙ୍କ ଭୂମିକା ମହାର୍ଥକ। କଥା ଗୀତ, ଗାଥା ଗୀତି, ଅଧ୍ୟାତ୍ମ-କବିତା, ପ୍ରକୃତି କବିତା, ଏବଂ ଅନ୍ୟାନ୍ୟ ଶୀର୍ଷକ ପ୍ରବନ୍ଧମାନ ରଚନା କ୍ଷେତ୍ର ରେ ସେ ନିଜ ଅପରାଜିତା ପ୍ରତିଭା ର ଅତୁଳନୀୟ ନିଦର୍ଶନ ଦେଇ ଯାଇଛନ୍ତି। ସେ ଶବ୍ଦ-ଚୟନ, ସାଧାରଣ ବ୍ୟକ୍ତି ମୁଖ ର ଅବିକଳ ଭାଷା ପରି ବାକ୍-ତାଳ ପ୍ରୟୋଗ, ପ୍ରକୃତି ର ଆଧ୍ୟାତ୍ମିକ ତଥା ନରତ୍ବାରୋପ ମୂଳକ ଉପସ୍ଥାପନ, ଚେତନା, ସ୍ମୃତି ଏବଂ ସ୍ୱତଃ-ପ୍ରବୃତ୍ତି ର ଲୟବଦ୍ଧ ମିଶ୍ରଣ ଏବଂ ପଦ୍ୟକ ବା ତୁକ ପରିବର୍ତ୍ତେ ବିଷୟ ବସ୍ତୁ ଉପରେ ଗୁରୁତ୍ୱାରୋପ ଆଦି ପ୍ରସଙ୍ଗ ର ପ୍ରଚଣ୍ଡ ସମର୍ଥକ ଥିଲେ। ତାଙ୍କ ର ଏହି ବିଶେଷ ଶୈଳୀ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ପୃଥକ୍ ତଥା ବିଶିଷ୍ଟ ସାବ୍ୟସ୍ତ କରେ। ସେ ବିଶେଷଜ୍ଞତା କରିଥିବା ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ହେଉଛି ପ୍ରକୃତି, ସ୍ମୃତି, ମରଣଶୀଳତା, ମାନବିକତା, ନୈତିକତା, ଧାର୍ମିକତା, ଉତ୍କୃଷ୍ଟତା ଏବଂ ସଂଯୋଜ୍ୟତା ।ଏଣୁ ୱର୍ଡ୍ସୱର୍ଥ୍ ଙ୍କୁ ଅଥବା ତାଙ୍କ କୃତି ଗୁଡ଼ିକ ର ମହତ୍ତ୍ୱ କୁ ସ୍ୱଳ୍ପ କେତେକ ଶବ୍ଦ ଅବା କତିପୟ ବିଶେଷଣ ମାଧ୍ୟମରେ ଚିତ୍ରଣ କରିବାକୁ ପ୍ରୟାସ କରିବା ଧୃଷ୍ଟତା ମାତ୍ର। 

ତାଙ୍କର ବିଶେଷ କୃତି ଗୁଡ଼ିକ ମଧ୍ୟରୁ ଲିରିକାଲ ବ୍ୟାଲାଡ୍ସ୍, ଦ ପ୍ରିଲ୍ୟୁଡ଼୍, ଟିଣ୍ଟର୍ଣ୍ଣ୍ ଆବେ, ଇମ୍ମୋର୍ଟାଲିଟି ଓଡ଼୍, ଆଇ ୱଣ୍ଡର୍ଡ୍ ଲୋନଲି ଆଜ୍ ଏ କ୍ଲାଉଡ଼୍ ଇତ୍ୟାଦି ଅତୀବ ସୁପ୍ରସିଦ୍ଧ। ଇଂରାଜୀ ସାହିତ୍ୟ ରେ ରୁଚି ରଖୁଥିବା ପାଠକ ବନ୍ଧୁ ମାନେ ନିଶ୍ଚୟ ତାଙ୍କ ରଚନା ଗୁଡ଼ିକ ସହିତ କିଛି ପରିମାଣ ରେ ପରିଚିତ ଥିବେ, ଏବଂ ଏକଦା କବି ସମ୍ରାଟ (Poet Laureate) ଥିବା ୱର୍ଡ୍ସୱର୍ଥ୍ ଙ୍କୁ ସ୍ମରଣ କରି ତାଙ୍କର ର ଭୁୟସୀ ପ୍ରଶଂସା କରୁଥିବେ; ଏହା ନିଃସନ୍ଦେହ।

   ଇଂରାଜୀ ସାହିତ୍ୟ ରେ ସ୍ନାତକତା କରୁଥିବା ସମୟରେ ମୋତେ 'ଇମ୍ମୋର୍ଟାଲିଟି ଓଡ଼୍' (Ode: Intimations of Immortality from Recollections of Early Childhood, in short often condensed as 'The Immortality Ode') ଟି ବିଶେଷ ଭାବେ ଚକିତ ଓ ପ୍ରଭାବିତ କରିଥିଲା। ଏହା ତାଙ୍କର ଏକ ଦୀର୍ଘକାୟ କାର୍ଯ୍ୟ ଥିଲା ଯାହାକୁ ସେ ୧୮୦୪ ମସିହା ରେ ସମ୍ପୂର୍ଣ୍ଣ କରିଥିଲେ ଏବଂ ପରବର୍ତ୍ତୀ କାଳ ରେ ତାହା 'ପୋଏମ୍ସ, ଇନ୍ ଟୁ ଭଲ୍ୟୁମ୍ସ୍ (୧୮୦୭)' ରେ ପ୍ରଥମ କରି ପ୍ରକାଶିତ ହୋଇଥିଲା। 'ବାଇବଲ୍' ରେ ନିହିତ କେତେକ ମୁଖ୍ୟ ପ୍ରସଙ୍ଗ ଯଥା ପ୍ରାକ୍-ଅସ୍ତିତ୍ୱ (pre-existence), ଶୈଶବ ଏବଂ ପରିପକ୍ୱତା (childhood and maturity), ଆଧ୍ୟାତ୍ମିକତା (spirituality) ଇତ୍ୟାଦି। ୧୧ ପାଦ ବିଶିଷ୍ଟ ଏହି ମୁକ୍ତ କବିତା ଟି ସୁସଙ୍ଗତ ଭାବେ ତିନି ଭାଗ ରେ ବିଭକ୍ତ; ପ୍ରଥମ ଭାଗ ଟି ମୃତ୍ୟୁ ଏବଂ ଅଜ୍ଞାନତା ତଥା ଶୈଶବ ର ସମାପ୍ତି; ଦ୍ଵିତୀୟ ଭାଗ ଟି ବୟସ ଦ୍ୱାରା ପ୍ରେରିତ ହୋଇ ମନୁଷ୍ୟ ର ପରମାତ୍ମା ଙ୍କ ପ୍ରତି ଦୃଷ୍ଟି ହରାଇବା; ଏବଂ ତୃତୀୟ ଭାଗ ଟି ଆମକୁ ପରମାତ୍ମା ଙ୍କ ସ୍ମୃତି ରୁ ନିଃସୃତ ସହାନୁଭୂତି ଇତ୍ୟାଦି ଗୋଚର କରାଏ। ଚେତନା ପ୍ରବାହ ର ମୁକ୍ତ ସ୍ରୋତ ଏବଂ ମନୋଗତ ଭାବନା ଗୁଡ଼ିକ ର ମୁକ୍ତ ଅନିୟମିତ ତଥା ପ୍ରବାହିତ ସଂଯୋଗ କବିତା ର ଅନ୍ୟ ଏକ ବୈଶିଷ୍ଟ୍ୟ। ଏହି କବିତା ର ଆରମ୍ଭ ରୁ ଏହା ସହିତ ସମ୍ବନ୍ଧିତ "ମାଇଁ ହାର୍ଟ ଲୀପ୍ସ୍ ଅପ୍ (My Heart Leaps Up)" ନାମକ କବିତା ର ଅନ୍ତିମ ତିନି ପଙ୍କ୍ତି ଆବିର୍ଭୂତ ହୁଏ। 

  ଏହି କବିତା କୁ ଓଡ଼ିଆ ରେ ଅନୁବାଦ କରିବା ନିମନ୍ତେ ଏକଦା ପ୍ରବଳ ଆଗ୍ରହ ଅନୁଭବ କଲି। କବିତା ରେ ଦୃଷ୍ଟି ଗୋଚର ହେଉଥିବା ଶବ୍ଦ-ଚୟନ ର ଶୈଳୀ କୁ ଆନ୍ତରିକ ଭାବେ ଉପଲବ୍ଧି କଲି। କବିତା ଟି କିଛି ମାତ୍ରାରେ କ୍ଳିଷ୍ଟ ମାତ୍ର ଏହା ଉପସ୍ଥାପନ କରୁଥିବା ବିଷୟ ବସ୍ତୁ ଜଟିଳ ହେଲେହେଁ ସ୍ପଷ୍ଟ। ମୂଳ କବିତା ର ଅନୁକରଣ ଓ ଅନୁସରଣ କ୍ରମେ ଅନିୟମିତ ତୁକବନ୍ଦିତା ଏବଂ ଆଭ୍ୟନ୍ତରୀଣ ପଦ୍ୟକତା ର ପ୍ରୟୋଗ କୁ ଓଡ଼ିଆ ଭାଷା ରେ କରିବାକୁ ଉଦ୍ୟମରତ ହେଲି। ଅନେକ ସମ୍ପାଦନା ଏବଂ ପରିବର୍ତ୍ତନ ପରେ ଶେଷରେ ଏକମାସ ବ୍ୟାପୀ ଚାଲିଥିବା ଦୁଇଶହ ରୁ ଅଧିକ ପଙ୍କ୍ତି ବିଶିଷ୍ଟ ସୁଦୀର୍ଘ କବିତା ଟି କୁ ଅନୁଦିତ କରିବାକୁ ସମର୍ଥ ହେଲି। ଏହା କେତେଦୂର ସଫଳ ବା ବିଫଳ ହୋଇଛି ତାହା ପାଠକ ବନ୍ଧୁ ମାନେ ନିର୍ଣ୍ଣୟ କରିବେ। 

 ଅନୁବାଦକ - ସାଇ ସୁଦୀପ ଦାସ


'ଶିଶୁ ଅଟେ ମାନବ ଜନକ'

କରଇ ମୁଁ କାମ୍ୟ ଯେ ମୋ ଦିବସ ଗୁଡ଼ିକ
ପ୍ରକୃତି-ଭକ୍ତି ରେ ଗ୍ରଥିତ ହେଉ ଟି ପ୍ରତ୍ୟେକ।"

ଥିଲା ସେ ସମୟ, ଯେବେ କେଦାର ପ୍ରାନ୍ତର, ତୋଟା ମାଳ ଏବଂ ନିର୍ଝରିଣୀ,
ଏ ଅବନୀ, ଆଉ ପ୍ରତି ଟି ସାମାନ୍ୟ ଦୃଶ୍ୟ,
ମୋତେ ପ୍ରତୀତ ହେଉଥିଲେ ସତେ ଅବା ସ୍ବର୍ଗୀୟ, ଦୈବ-ବସ୍ତ୍ରାଭୂଷିତ,
ଅବା ଅମ୍ଳାନ ମହାସ୍ବପ୍ନ ର ବିଭୂତି ଏବଂ ସଦ୍ୟତା ତୁଲ୍ୟ।
ଅତ୍ୟାୟତ୍ତ ଭାବେ ବିଗତ ସେ କାଳ, ବିଷମ ବିପାକ ମାତ୍ର- ଏ ବର୍ତ୍ତମାନ; ନାହିଁ ଏବେ ସେହି ଉପଲବ୍ଧି ଅବା ସେ ଅନୁଭୂତି;—

ଯତ୍ରେଚ୍ଛା ଦୃଷ୍ଟି ନିକ୍ଷେପ କଲେ ହେଁ,
ଦିବା ଅବା ରଜନୀ ବ୍ୟାପୀ ମୋର ସମସ୍ତ ଶ୍ରମ ନିଷ୍ଫଳ,
ଖୋଜି ପାଇପାରୁନାହିଁ ସେହି ସବୁ ଉପାଦାନ, ସେହି ନୈସର୍ଗିକ-ସ୍ବର୍ଗୀୟତା।

ମହେନ୍ଦ୍ରଚାପ ହୁଅଇ ଆତଯାତ,
ସ୍ନିଗ୍ଧ ପାଟଳ ସୁରଭି କରଇ ମନ୍ତ୍ରମୁଗ୍ଧ,
ଜ୍ୟୋତ୍ସ୍ନେଶ ଅମିତ ପ୍ରମୋଦେ
ଅନାବୃତ ନଭୁଁ କରଇ ତହିଁରେ ଦୃଷ୍ଟିପାତ,
ତାରକିତ ରଜନୀ ର ତୋୟରାଶି,
ଦିବ୍ୟ, ରମ୍ୟ ଏବଂ ମନୋହର।
ମହନୀୟ ଏ ସୌର ରଶ୍ମି ର ଉଦ୍-ଗମ;
ତଥାପି କାହିଁକି ଯୁଆଡ଼େ ଯାଏ ମୁଁ 
ହୁଅଇ ଅନୁଭୂତ, ସତେ ଅବା, କୌଣସି ପାର୍ଥିବ ତେଜ ଆଜି ବିଲୁପ୍ତ।

ସମ୍ପ୍ରତି ଯେବେ ବିହଙ୍ଗମ ଗାଏ ଆନନ୍ଦେ ମାଦକ କାକଳି,
ଅବା ଯେବେ କୌତୁକିଆ ମେଷ ଶିଶୁ ମାରେ ଡିଆଁ,
ମର୍ଦ୍ଦଳ ର ତାଳ ପ୍ରହାର ପରି;
ଯଦିଓ ମୋ ମନେ ଆସେ ଖାଲି ତିମିରିତ ଅବସାଦ,
ତତ୍-କ୍ଷଣାତ୍ ସମୁଚ୍ଚାରଣ, ସାମୟିକ ଅଭିବ୍ୟକ୍ତି ଭରା ଚିତ୍କାର, କରଇ କ୍ଷୋଭ ଲାଘବ,
କରଇ ମତେ ପୁନଃ ଉର୍ଜ୍ଜିତ।
ମହା ପ୍ରପାତୁଁ ପ୍ରସ୍ରବଣ ଫୁତ୍କାରେ ସାହାନାଇ ତାର,
ମନ ର ଦୀର୍ଘ ବସନ୍ତ ଆଗରେ ସବୁ ସନ୍ତାପ ନିଷ୍ପ୍ରଭ।
ଗିରିମାଳା ଦେଇ ଶୁଣେ ମୁଁ ପ୍ରତି-ନିନାଦ,
ସମୀର ହୁଏ ପ୍ଲୁତ ମୋ ପାଶକୁ ତନ୍ଦ୍ରା ପ୍ରାନ୍ତର ରୁ,
ଆଉ ଅଖିଳ ଭୁବନ ହୁଏ ଉଲ୍ଲସିତ
ସମଗ୍ର ଜଳ-ସ୍ଥଳ ଭାଗ 
ହଜାଇ ଦିଅନ୍ତି ନିଜକୁ କଲ୍ଲୋଳ ମଧ୍ୟରେ

ବୈଶାଖ-ଜ୍ୟେଷ୍ଠ ର ବକ୍ଷସ୍ଥଳେ
ପ୍ରତି ପ୍ରାଣୀ ଭୋଗେ ଅବକାଶୋତ୍ସବ;—
ହେ ପ୍ରମୋଦ କୁମାର!,
କର ମୋ ଚତୁର୍ପାର୍ଶ୍ବେ ଆନନ୍ଦ-ଚିତ୍କାର, ଦିଅ ମୋତେ ଶୁଣିବାକୁ ତାର ଗୁଞ୍ଜନ, ହେ ସୁଖୀ ବ୍ରଜ କିଶୋର!
ହେ କୃତମଙ୍ଗଳ ପ୍ରାଣୀ ଗଣ!, ମୁଁ ଶୁଣିଅଛି ସେ ଆହ୍ୱାନ
ଯାହା ତୁମ୍ଭେ ମାନେ ପରସ୍ପର ପ୍ରତି କରିଥାଅ ପ୍ରେରଣ; କରୁଛି ମୁଁ ଅଵଲୋକନ
ଅନନ୍ତ ଗଗନ କୁ ତୁମ୍ଭ ଉତ୍ସବରେ ହାସ୍ୟମାନ
ମୋ ହୃଦମୁକୁର କରେ ତୁମ୍ଭ ମହୋତ୍ସବ ପ୍ରତିଫଳିତ, 
ସେହି ଜ୍ୟୋତିର୍ବଳୟ ମଧ୍ୟ ଭାଗେ ମସ୍ତିଷ୍କ ମୋ ଉପସ୍ଥିତ 
ତୁମ୍ଭ ଆନନ୍ଦ ର ପୂର୍ଣ୍ଣତା କୁ ଉପଲବ୍ଧି କରିପାରୁଛି ମୁଁ ତନ୍ନ ତନ୍ନ।
ହେ ନଶ୍ୱର ଦିନ! କିପରି ଅବା ହୋଇଥାନ୍ତି ମୁଁ ତମସାଚ୍ଛନ୍ନ
ଯେବେ ଏ ଅବନୀ ପିନ୍ଧାଇଛି ସ୍ଵତନୁ ରେ ବସ୍ତ୍ରାଭୂଷଣ
ଏହି ମଧୁର ବସନ୍ତ ବାସରେ,
ଏବଂ ସହସ୍ର ପ୍ରଶସ୍ତ ଉପତ୍ୟକା ର
ପ୍ରତ୍ୟେକ ପାର୍ଶ୍ଵେ
ସଦ୍ୟ ପୁଷ୍ପ ତୋଳି ସମବାୟ କାର୍ଯ୍ୟେ ବ୍ୟସ୍ତ ଶିଶୁ କୁମାର ଗଣ
ଯେବେ ତପନ ନିଦର୍ଶାଏ ସ୍ଵୀୟ ଉଷ୍ଣ ପ୍ରକାଶନ,
ଅବା ଶିଶୁ ସନ୍ତାନ ଟି ଜନନୀ ବାହୁରେ ରଚେ କ୍ରୀଡ଼ା କୁର୍ଦନ:— 
ମହାନନ୍ଦେ କରେ ମୁଁ ଶ୍ରବଣ! 
—ପରନ୍ତୁ ଅଛି ଏକ ଦ୍ରୁମ, ଅନେକ ମଧ୍ୟରୁ ଏକମାତ୍ର ସେହି
ଅବା ସେହି ଏକମାତ୍ର ପ୍ରାନ୍ତର ଯାହାର ମୁଁ କରିଛି ଆକଳନ,
ସେ ଉଭୟ ବାଢ଼ୁଛନ୍ତି କିଛି ଏକ ବିଗତ ସ୍ମୃତି ର ପର୍ଯ୍ୟାଲୋଚନ; 
ମୋ ପାଦ ପାଖର ଧୂମ୍ର-ଲୋହିତ ବନଫୁଲ
ସେହି ସମ ଗାଥା ର କରେ ଉଚ୍ଚାରଣ:
କେଉଁଠାରେ ମ୍ଳାନ ସେ ଜୀବନ, ସେ ଦୂରଦୃଷ୍ଟି, ସେ ଦର୍ଶନ?
କେଉଁଠି ସେ ତେଜ ବର୍ତ୍ତମାନ, କେଉଁଠି ସେ ସ୍ୱପ୍ନ ବିଦ୍ୟମାନ?

ଆମ୍ଭର ଜନନ ମାତ୍ର ଏକ ସୁପ୍ତି ଓ ବିସ୍ମରଣ:
ଆମ୍ଭ ସଙ୍ଗେ ପ୍ରବୃଦ୍ଧ 'ଜୀବ-ତାରକା' ସେହି ଆତ୍ମ-ମୁକୁଳ,
ଅସ୍ତମିତ ହୁଏ ଅନ୍ୟତ୍ର ସମାଧି ରେ
ହେଲେ ଅଭ୍ୟାଗତ ସେ କେଉଁ ଦୁରାନ୍ତ ର: 
ନୁହେଁ ସମୂଳେ ବିସ୍ମୃତ, 
ଅବା ପୂର୍ଣ୍ଣ ଅନାବୃତ,  
ମାତ୍ର ଆମ୍ଭେ ଅନୁଗମି ମହିମାନ୍ବିତ ଜୀମୁତ
ଈଶ୍ବର ଙ୍କ ପାଶୁ,ବୈକୁଣ୍ଠ ରୁ ଆସୁ: 
ଏବଂ ବାଲ୍ୟକାଳେ ଆମ୍ଭ ପାଶେ ସ୍ୱର୍ଗ ଥିବା ସକାଶୁ।
କାରା-ଗୃହ ଛାୟାମାନ ହୁଅଇ ନିବିଡ଼
ବର୍ଦ୍ଧମାନ କୁମାର ସମକ୍ଷେ, 
ମାତ୍ର ସେ ପ୍ରବହମାନ, ପ୍ରକାଶ କୁ ଦେଖେ,
ଦେଖେ ସେ ତାହାକୁ ସ୍ଵୀୟ ଆନନ୍ଦ ର ଅକ୍ଷେ; 
ଯଦିଓ ସେ ତରୁଣ ସଦା ପ୍ରାଚୀରୁ ଦୁରାନ୍ତ 
ରଖଇ ଗନ୍ତବ୍ୟ, ତଥାପି ଅଟେ ସେ ମାତା ପ୍ରକୃତି ର ଭକ୍ତ,
ପ୍ରକୃଷ୍ଟ ସଂଜ୍ଞାନ
ଯା'ର ପଥ ଶୁଶ୍ରୁଷକ; 
ସର୍ବାନ୍ତେ ବୋଧଇ ସେ ସର୍ବ ଜ୍ୟୋତି-ରଶ୍ମି ମୃତ,
ତଥା ଶୀର୍ଣ୍ଣ ପରିଜୀର୍ଣ୍ଣ ହୋଇ, ସାଧାରଣ ଦିବସ ର ଆଲୋକେ ମିଶ୍ରିତ,

ସ୍ୱୟଂ କୃତ ଉଲ୍ଲାସ ଅବନୀ ଭରଇ ନିଜ ଅଙ୍କରେ; 
ସତୃଷ ଉତ୍କଣ୍ଠା ସୃଜଇ ସ୍ୱୀୟ ପ୍ରାକୃତ ଭେଦ ରେ, 
ପୁନଶ୍ଚ ମାତୃ ବାତ୍ସଲ୍ୟ ଚେତନା ର ସହକା ରେ,
ନୁହେଁ କେଉଁ ଉପେକ୍ଷଣୀୟ ଅଭିଳାଷ ରେ, 
ସତ୍କାରି ପରିଚାରିକା କରିଯାଏ ତାର ସମସ୍ତ ଶକ୍ୟ ବୃତ୍ତି କୁ
ତାର ପୋଷ୍ୟ-ସନ୍ତାନ କୁ, ତାର ଗୃହ୍ୟ ମନୁଷ୍ୟ କୁ, 
ତାର ଜ୍ଞାତ ଶ୍ରୀ ଯଶ ରୁ ବିସ୍ମୃତ କରାଇବା ନିମନ୍ତେ ତାକୁ, 
ଏବଂ ସେହି ସାର୍ବଭୌମ ପ୍ରାସାଦ କୁ କରାଇବାକୁୁ ଅସ୍ମୃତ ଯେଉଁ ଠାରୁ ସେ ହୋଇଅଛି ଆଗତ.

ଦେଖ, ସୁକୁମାର ବାଳ କୁ ତା'ର ନବଜାତ ପରମାନନ୍ଦେ ,
ଏକ ଷଟ୍-ବର୍ଷୀୟ ବାମନାକାର ବଲ୍ଲଭ ବାଳ!
ଦେଖ, ଯେଉଁଠି ଲାଗିପଡ଼ିଛି ସେ ସ୍ୱଭୁଜଶାଖା ର କାର୍ଯ୍ୟାଭ୍ୟାସ ମଧ୍ୟେ,
ବିତୃଷ୍ଣ ହୋଇ ଜନନୀ ଙ୍କ ଚୁମ୍ବନ ବର୍ଷଣେ,
ଏବଂ ସସ୍ନେହ ପିତାଙ୍କ ସ୍ଥିର ନିରୀକ୍ଷଣେ!
କର ଅବଲୋକନ, ତା'ର କ୍ଷୁଦ୍ର ପଦକ୍ଷେପେ, କ୍ଷୁଦ୍ର କିଛି ଯୋଜନା ଅବା ମାନଚିତ୍ର,

ତା' ମନୁଷ୍ୟ ଜୀବନ ର କିଛି ସ୍ବପ୍ନଖଣ୍ଡ,
ତା' ନିଜ ଦ୍ୱାରା ସଂସୃଷ୍ଟ ନବ-ଅବଧୃତ କାରୁ-କଳା
ଏକ ବିବାହ ଅବା ମହୋତ୍ସବ,
ଏକ ଅନ୍ତ୍ୟସତ୍କାରକ୍ରିୟା ଅବା ବିଳାପ ଶୋଚନା;
ଆଉ ତହିଁରେ ଥାଏ ଚିତ୍ତ ତା'ର,
ଏବଂ ଏଯାବତ୍ ଦେଉଥାଏ ସେ ତା'ର ଗୀତ କୁ ଆକୃତି :
ତତ୍ପରେ ଆପ୍ତ କରାଇବ ତା'ର ଜିହ୍ଵା କୁ
ବ୍ୟାପାର, ପ୍ରେମ ଅବା ସଂଘର୍ଷ ର ସଂଳାପ ସଙ୍ଗେ;
ମାତ୍ର ନାତିଦୀର୍ଘ ହେବ ଏସବୁ କ୍ରିୟା
ସମାପିତ ହେବ ପରିତ୍ୟକ୍ତ ହେବା ପୂର୍ବରୁ,
ଆଉ ନବୀନ ଉଲ୍ଲାସ ଓ ପ୍ରଦର୍ପ ସଙ୍ଗେ ସଙ୍ଗେ
କୁନି ଅଭିନେତା ପାଞ୍ଚେ ଅନ୍ୟ ନୂତନ ଅଧ୍ୟାୟ ଟି ମାନ;
ପ୍ରତ୍ୟେକ ବାର ତା'ର "ବିନୋଦାତ୍ମକ ପର୍ଯ୍ୟାୟ" କୁ ଭରିଦେଇ
ପକ୍ଷାଘାତଗ୍ରସ୍ତ-ବାର୍ଦ୍ଧକ୍ୟ ଅପେକ୍ଷିତ ଜନ ସମୂହ ଦ୍ୱାରା,
ଯାହାଙ୍କୁ ଜୀବନ ଉପସ୍ଥିତ କରାଇ ଥାଏ ତା'ର ପ୍ରୟୋଜନୀୟ ସାମଗ୍ରୀ ସମ୍ଭାରେ;
ସତେ ଅବା ଥିଲା ତା'ର ସମଗ୍ର ବ୍ୟାପାର-ସାଧନ
ଯେପରି ଅସୀମିତ ଅନୁକରଣ।

ତୁମ୍ଭେ ସେହି, ଯାହାର ବାହ୍ୟ ପ୍ରତିଭାସନ ପ୍ରତିକ୍ଷେପ କରୁଅଛି ଅନ୍ତର୍ନିହିତ ଚେତନା ର ବୈପୁଳ୍ୟ କୁ;
ହେ ମହାଦାର୍ଶନିକ!, ଯେ ତଥାପି ଧାରଣ କରିଅଛ
ସ୍ୱୀୟ ଐତିହ୍ୟ, ହେ ବିକୃତାକ୍ଷ ଗଣ ଙ୍କ ବିଲୋଚନ,
ଯାହା, ବଧିର ଓ ମୌନ ଭାବେ, ପଢ଼ିବାକୁ ସକ୍ଷମ ଶାଶ୍ୱତ ଗାମ୍ଭୀର୍ୟ୍ଯ କୁ,  
ଯାହା ଚିରନ୍ତନ ମାନସ ଦ୍ୱାରା ସଦୈବ ନିଷେବିତ,—

    ହେ ମହା ଦୂରଦ୍ରଷ୍ଟା! ହେ ସିଦ୍ଧ ପର୍ଯ୍ୟବେକ୍ଷକ! 
ଯେ ବହନ କରିଅଛି ସେହି ସବୁ ମହା ସତ୍ୟ, 
ଯାହା ର ପ୍ରାପ୍ତି ଉଦ୍ୟମେ ଆମ୍ଭେ ଦେଉ ଜୀବନବ୍ୟାପୀ ଶ୍ରମ,  
ଅନ୍ଧକାରେ ଲୁପ୍ତ, ସମାଧି ର ତିମିର;  
ତୁମ୍ଭେ ସେହି ମୁନିବ, ଯାହାକୁ 'ଅମରତ୍ୱ-ଦାସ' କରେ ପ୍ରତିପାଳନ, 
ସତେ ଯେପରି ଦିବାଲୋକ ର ଆସ୍ତରଣ,
ସେହି ଉପସ୍ଥିତି ଯାହା ନୁହେଁ ପୁନଃ ବ୍ୟବହାର୍ଯ୍ୟ;  
ଯାହା ନିମନ୍ତେ ସମାଧି
କେବଳ ଦିବସ ଅବା ଉଜ୍ଜ୍ବଳ ଆଲୋକ ର
ଦୃଶ୍ୟ ରହିତ ଏକ ନିଃସଙ୍ଗ ଶଯ୍ୟା, 
ଏକ ବିଚାର ସ୍ଥଳ ଯହିଁ ଆମ୍ଭେ ସଂଲୀନ, ଅପେକ୍ଷାରତ ଭାବେ; 

ହେ ହ୍ରସ୍ୱ ବାଳକ!, ସ୍ୱୀୟ ସତ୍ତ୍ୱ ର ଉର୍ଦ୍ଧ୍ଵତ୍ୱ ଘେନି
ଏ ଯାବତ୍ ସ୍ବର୍ଗୀୟ ସ୍ଵାଚ୍ଛନ୍ଦ୍ୟ ରେ ତେଜୋମୟ,  
କେଉଁ ପ୍ରୟୋଜନେ ଘେନ ଏହି ଉତ୍କଟ ପୀଡ଼ା,
କି କାରଣେ ସମୟ କୁ କର ଉତ୍ତେଜିତ, ଅନିବାର୍ଯ୍ୟ ଦୁର୍ଦ୍ଦଶା ର କଣ ଅବା ଲୋଡ଼ା,  
କାହିଁ ତେବେ ହୁଅ ବିଗତାକ୍ଷ, ଶୁଭାଶିଷ ପୁଷ୍ଟି କୁ ଯେ କର ଅଭିଶପ୍ତ?  

ଅଚିରେ ହେବ ତୁମ୍ଭ ଆତ୍ମା ଐହିକ ବୋଝ ରେ ଆତୁର,
ତୁମ୍ଭ ମସ୍ତକେ ଛିଣ୍ଡିବ 'ମାନବୀୟ ରୀତି ଭାର',  
ତୁଷାର ଯେହ୍ନେ ସ୍ଫୀତ, ଏବଂ ପ୍ରାଣସତ୍ତା ପ୍ରାୟ ଗଭୀର!

ହେ ଆମ୍ଭ ଜୀବାଗ୍ନି ନିବାସୀ ଉନ୍ମାଦ! 
  ନ ହୋଇ କାଳଗତ ଯେ ଆପେ ଅବସ୍ଥିତ,  
ଯାହା ପ୍ରକୃତି ରେ ଏଯାବତ ଅବିସ୍ମୃତ
 ଯାହା ଅଭୂତପୂର୍ବ ଭାବେ ମୌହୂର୍ତ୍ତିକ, କ୍ଷଣଭୂତ!
ଆମ୍ଭ ବିଗତ ବର୍ଷ ସମୂହ ର ଚେତନା ମୋ ଅନ୍ତରେ କରେ ବପ୍ପନ 
ଶାଶ୍ୱତ ଶୁଭାଶିଷ ର ବୀଜ: ନୁହେଁ ଏଥିପାଇଁ ଯେ
ଏହା ମଙ୍ଗଳ କରିବ ଯୋଗ୍ୟତମ ପାତ୍ର ର—
ମହାନନ୍ଦ ଓ ଅବାଧକତା, ସରଳ ବାଲ୍ୟ ସୁଲଭ ମତିମାନ,
ହେଉ ବ୍ୟସ୍ତତା ମଧ୍ୟେ ଅବା ଅବସରେ,
ନବୋଦ୍ଗତ ଆଶଂସନ ଫଟ୍-ଫଟୀୟମାନ ତାର ବକ୍ଷାଧଃରେ:—
ଏଥି ଲାଗି କରୁ ନାହିଁ ମୁଁ ଉନ୍ନୀତ
   କୃତଜ୍ଞ ଅବା ଧନ୍ୟବାଦୀ ସଙ୍ଗୀତ;  
   ମାତ୍ର ଆତ୍ମା ରୁ ପତିତ, ଚୈତନ୍ୟ ଏବଂ ବହିର୍ଧା ପଦାର୍ଥାଦି ର
   ଏବଂ ଅନୁରୂପ ବିଲୀୟମାନ ଦ୍ରବ୍ୟାଦି ର    
   ପ୍ରାଣୀ ର ଶୂନ୍ୟ ଅବିଶଙ୍କାଦି ର
   ସେହି ଅଚଳ ପ୍ରତିରୋଧୀ ପ୍ରଶ୍ନବାଚନ କରିବା ନିମନ୍ତେ
ଯାହା ଅନାପନ୍ନ ଭବଲୋକେ ଘୁର୍ଣ୍ଣାୟମାନ,  
ସେହି ତୁଙ୍ଗ ସହଜାତ ପ୍ରବୃତ୍ତି ଯା'ର ସମକ୍ଷେ ଆମ୍ଭ ମରିଷ୍ଣୁ ପ୍ରକୃତି
ଏକଦା ହୋଇଉଠିଥିଲା ପାପଭାଗିନୀ ପରି ବିସ୍ମିତ ଓ ତ୍ରସ୍ତ-କମ୍ପିତ: 
       ପରନ୍ତୁ ସେହି ଆଦ୍ୟ ବାତ୍ସଲ୍ୟ ନିମିତ୍ତ,
       ସେହି ଛାୟାଚ୍ଛନ୍ନ ଅନୁଚିନ୍ତନ ମାନ,
    ଯେଉଁ ଗୁଡ଼ିକ ତାହା ହିଁ ହୋଇ ପାରନ୍ତି ଯାହା ଉଚିତ୍,  
ଅଦ୍ୟପି ଆମ୍ଭ ବାସର ର ଆଲୋକ-ସ୍ରୋତୋତ୍ସ, 
ଅଦ୍ୟପି ଆମ୍ଭ ଦୃଷ୍ଟି ପରିସର ର ମହାଜ୍ଜ୍ଵାଳକ;  
ଆମ୍ଭକୁ ସମର୍ଥନ କରନ୍ତି ଶ୍ରଦ୍ଧା ପୋଷଣ କରିବା ନିମନ୍ତେ, ଏବଂ ରଖନ୍ତି ସେହି ଶକ୍ତି 
ଆମ୍ଭ କୋଳାହଳ ମୁଖର କାଳ ଗୁଡ଼ିକୁ
ନୀରବତା ର ଶାଶ୍ୱତ ସତ୍ତା ପରି କରାଇବାକୁ ପ୍ରତୀତ: ସମୀଚିନତା ଯାହା ହୁଏ ଜାଗ୍ରତ, 
ନୁହେଁ କେବେ ଅସ୍ତ ହେବା ନିମିତ୍ତ: 
ଯାହା ନା ଅନୁତ୍ସାହ, ଅବା ମତ୍ତ ପ୍ରଣିଧାନ,
ନା ପୁରୁଷ ଅବା ବାଳକ,
ନା ଉଲ୍ଲାସ ର କୌଣସି ବିପକ୍ଷ,  
ଦ୍ୱାରା ହୋଇପାରିବ ପୂର୍ଣ୍ଣ ରୂପେ ବିନିର୍ଦଗ୍ଧ ଅଥବା ବିନଷ୍ଟୀକୃତ! 
   ଏଣୁ ଏହି ପ୍ରଶାନ୍ତ କାଳିକତା ରେ 
   ଯଦିଓ ସ୍ଥଳାନ୍ତର୍ଦେଶ ରେ ଆମ୍ଭେ ଦୂରିତ, 
ଆମ୍ଭ ଚିତ୍ତାତ୍ମାମାନ କରନ୍ତି ସେହି ଅମୃତମୟ ସାଗର ଅବଲୋକନ
       ଯାହା ଆଣିଅଛି ଏଠାକୁ କରି ବହନ,  
ମୁହୂର୍ତ୍ତେକ ରେ କରିପାରେ ସେଠାକୁ ଗମନ, 
ଏବଂ କରେ ବୀକ୍ଷଣ ତାର ଶିଶୁ ଙ୍କୁ ବେଳାଭୂମିରେ କରିବା ବେଳେ କ୍ରୀଡ଼ା କୁର୍ଦନ
ଏବଂ କରେ ଶ୍ରବଣ ମହା-ବାରିସ୍ରୋତ ର ସ୍ଫୁରିତ ବିବର୍ତ୍ତନ।

ତେବେ ଗାଅ, ହେ ବିହଙ୍ଗମ ଦଳ, ଗାଅ ଆନନ୍ଦ ରେ ମାଦକ କାକଳି!
ହେ ମେଷ ଶିଶୁଗଣ କର ଉଲ୍ଲାସେ କୁର୍ଦନ-
ଯଥା ମୃଦଙ୍ଗ ବାଦନ! 
ଆମ୍ଭେ ମଧ୍ୟ ଭାବୋଦ୍-ବେଗେ କରିବୁ ସମ୍ବନ୍ଧେ ମିଳନ,  
    କର ହେ ମଧୁର ବଂଶୀ ବାଦନ,  
     ତୁମ୍ଭ ହୃଦୟ ଗହ୍ୱର ଦେଇ ଆଜଦିନ
ବୈଶାଖ ମାସ ର ମହାନନ୍ଦ ଘେନ !  
ତେବେ କଣ ହେଲା, ଯଦିଓ ସେହି ବିକୀରଣ ଯାହା ଥିଲା କେବେ ଅତି ଦୀପ୍ତ 
ହେବ ଚିର କାଳ ଲାଗି ଦୃଷ୍ଟି ରୁ ବିଲୁପ୍ତ,  
   ଯଦିଚ କେହି ଭରଣ କରିବାକୁ ସମର୍ଥ ହେବ ନାହିଁ ସେ ଘଡ଼ି ର ମୁହୂର୍ତ୍ତ 
 ହରିତକ ରେ ଅଭିଖ୍ୟାନ ର, କୁସୁମେ ଶ୍ରୀଯଶ ର;  
     ଆମ୍ଭେ ନକରିବା ରୋଦନ, ବରଂ ପ୍ରାପ୍ତି
     ପଶ୍ଚାତ ଭାଗେ ନିହିତ ଅବଶେଷେ ଶକ୍ତି;  
     ସେହି ପ୍ରାରମ୍ଭିକ ସହାନୁଭୂତି ରେ
     ଯାହା ରହି ଆସିଛି ନିଶ୍ଚେ ସଦା;  
     ସେହି ଶମନୀୟ ଚିନ୍ତନରେ
     ଯାହା ଉତ୍ପ୍ଳବେ ମାନବୀୟ ଅତ୍ୟୟ ରୁ;  
     ସେହି ବିଶ୍ବାସେ ଯାହା ଦୃଶ୍ୟମାନ ହୁଏ ମୃତ୍ୟୁ ଦେଇ,  
ସେହି ବତ୍ସରେ ଯାହା ଅଭିହାରେ ଏହି ଦାର୍ଶନିକ ମାନସ।
ଏବଂ ହେ! ନିର୍ଝରିଣୀ, କେଦାର ପ୍ରାନ୍ତର, ଶୈଳ ମାଳ, ତଥା ତୋଟା ମାଳ,  
ଆମ୍ଭ ସୌହାର୍ଦ୍ଦ୍ୟ ର ରଖନା କୌଣସି ବ୍ୟାହତି ସଙ୍କେତ!
ତଥାପି ହୃଦ କନ୍ଦରେ ଭଜେ ମୁଁ ତୁମ୍ଭ ପ୍ରଭୁତ୍ୱ;  
ମୁଁ କେବଳ ବର୍ଜିଛି ଏକ ମାତ୍ର ଆହ୍ଲାଦ 
ତୁମ୍ଭ ସନ୍ତତାଭ୍ୟାସ ପ୍ରଭାବେ ତିଷ୍ଠିବା ନିମିତ୍ତ।
ମୁଁ ଆଦରଇ ସେ ସ୍ୟନ୍ଦନିକାମାଳା ଯେ ଚିତ୍କାରି ବହିଚାଲନ୍ତି ତାଙ୍କ ସାରଣୀ ସ୍ରୋତେ,
ଏପରିକି ତହିଁରୁ ବି ଅଧିକ ଯେବେ ତାଙ୍କ ତୁଲ୍ୟ ସ୍ଖଳିତ ହେଲି ମୁଁ ଆସ୍ତେ;  
ନବଜାତ ବାସର ର ଅଦୁଷ୍ଟ ଦୀପ୍ତି
ଅଟେ ଚାରୁ ସମ୍ପ୍ରତ୍ୟପି; 
ଅସ୍ତମିତ ମିତ୍ରଭାନୁ ଙ୍କ ପରିବେଷ୍ଟନୀ ରେ ଏକତ୍ରିତ ଅମ୍ବୁଦ ସଙ୍କୁଳ
ଧାରଣ କରନ୍ତି ଲୋଚନୁ ଏକ ଗମ୍ଭୀର ରଞ୍ଜନ 
ଯାହା କରିଛି ମନୁଷ୍ୟ ନଶ୍ୱରତା ର ପର୍ଯ୍ୟବେକ୍ଷଣ ;  
ହୋଇଛି ଭିନ୍ନ ଏକ ପ୍ରତିଯୋଗିତା, ମିଳିଛି ଅନ୍ୟାନ୍ୟ ଜିତାପଟ।
ଧନ୍ୟ ସେ ମାନବ ହୃଦ ଯଦ୍ଦ୍ବାରା ଆମ୍ଭେ ଜୀଉଁ,  
ଧନ୍ୟ ତାର ବାତ୍ସଲ୍ୟ, ହର୍ଷୋଲ୍ଲାସ ତଥା ସନ୍ତ୍ରାସ,
ସମ୍ପ୍ରତି ଗୌଣତମ ବିକଚ କୁସୁମ ଦିଅଇ ମୋତେ
ଏପରି ମନୋଗତ ଯାହା ବହୁବାର ରହଇ ନିହିତ ଲୋତକ ସଲିଳ ନିମିତ୍ତ।

ସାଇ ସୁଦୀପ ଦାସ

0 Comments