କ୍ଷୁଦ୍ରଗଳ୍ପ - ତୁ ମୋ ହୀରା ହାରରେ ଧନ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ତୁ ମୋ ହୀରା ହାରରେ ଧନ - ନାରାୟଣ ଚନ୍ଦ୍ର ସେନାପତି

ମାମା...ମାମା, ଆମେ କ'ଣ ପରାଧୀନ, ଆମର କଣ ସ୍ବାଧୀନତା କି ନିଜସ୍ୱ ଅଧିକାର କିଛି ନାହିଁ।ଆଜି ଶେଷ ନିଷ୍ପତ୍ତି ନିଅ,ମୋତେ କ୍ରୀତଦାସ ଜୀବନ ବିତାଇବାକୁ ପସନ୍ଦ ଲାଗେ ନାହିଁ, ରାଗ ତମତମ ହୋଇ ବଖାଣୁ ଥାଏ ହାତୀ ମା ପାଖରେ ଶିଶୁ ଛୁଆ ଜାକଲିନ୍ । ମା ସିଙ୍କସ ମୃଦ୍ୟୁ ହସି ହସି କହିଲା, ଆରେ କ'ଣ ହୋଇଛି ମୋତେ ସବୁ କଥା ଖୋଲି କହ,କହିଲେ ସିନା ଜାଣିବି ।

ତୁମେ ସବୁଦିନ ଜଙ୍ଗଲକୁ ଗଲା ପରେ ମୁଁ ଟିକେ ବୁଲାବୁଲି କରି ଖେଳେ।ମାତ୍ର ଏ ସିଂହ ଦାଦା ମୋ ହସ ଖୁସି ଯେମିତି ସହି ପାରେନାହିଁ,ଖାଲି କହେ ଦୁଷ୍ଟ ହୋଅନା,ପଡି ଯିବୁ।ଚଗଲାମୀ କଲେ ତୋ ମାଆକୁ କହିଦେବି।ଆଜି ମୋର ଦୁଇଜଣ ସାଥି ଆସିଥିଲେ,ଆମେ ମଜାଖୁସି କରୁଥିଲୁ,ପାଣିରେ ଛିଞ୍ଚା ଛିଞ୍ଚି ଖେଳୁଥିଲୁ,ସେ ଆସି ଆମକୁ ଧମକ ଦେଲେ,ମୋତେ ରାଗି କହିଲେ,ଖରାଦିନେ ପାଣି ଟିକେ ପାଇବା କେତେ କଷ୍ଟ,ଏଇ ପାଣି ଟୋପାକ ପିଇ ସମସ୍ତେ ବଞ୍ଚୁଛନ୍ତି ତାକୁ ସାଙ୍ଗ ସାଥି ଡାକି ମାତି ଗୋଳିଆ କରୁଛୁ,ଗୁରୁ ଗୁରୁଜନ ମାନୁନାହୁଁ,ଏମିତି ଖରାପ କାମ ଭଲ ପିଲାମାନେ କଣ କରନ୍ତି?ଆଉ ଦିନେ ଦେଖିଲେ ଦେଖିବୁ କଣ କରିବି।

ମୋତେ ଧମକ..ପୁଣି ମୋ ପରି ସ୍ଥଳଭାଗର ବିରାଟକାୟ ଜୀବ ହାତୀ ଛୁଆକୁ।ସେ କଣ ମୋର ମୁରବୀ ନା ମୋ ଭଗବାନ ଯେ ସେ ଏମିତି କହିବେ।

ସିଙ୍କସ ମନେ ମନେ ଭାବିଲା,ଜାକଲିନ୍ କୁ ଟିକେ ବାଧିଛି,ହଉ ଟିକେ ବୋଧ ଆବଶ୍ୟକ।ସେ କହିଲା ଆରେ ଚଗିଲି,ଛୋଟ ମାନେ କିଛି ଭୁଲ କଲେ ବଡ଼ମାନେ  ସଚେତନ କରନ୍ତି,ନୀତି ଉପଦେଶ ଦିଅନ୍ତି ସେ ତୋର ଗୁରୁଜନ ,ତୋ ଭଲ ପାଇଁ କହିଲେ,ଏଥିରେ ମନଦୁଃଖ କରିବାର କଣ ଅଛି।ଜଳ ପରା ଆମ ଜୀବନ, ତାକୁ ଦୂଷିତ କଲେ ଆମେ କଣ ପିଇ ବଂଚିବାରେ ଧନ?

ହଁ ମୁଁ ଭୁଲ କରିଥିଲେ ତୁମେ କହିବ,କିନ୍ତୁ ସେ କିଏ ମୋତେ ତାଗିଦ କରିବାକୁ...ପୁଣି ଧମକ ଦେବାକୁ?ଜାକଲିନ୍ ର କ୍ରୋଧ ଭରା ପ୍ରତିକ୍ରିୟା ଥିଲା।

ସିଙ୍କସ କହିଲା, ଆରେ ସେ ପରା ଜଙ୍ଗଲର ରାଜା।ସମସ୍ତଙ୍କ ଭଲମନ୍ଦ ବୁଝିବା ଓ ଦୋଷୀଙ୍କୁ ଦଣ୍ଡ ଓ ଭଲକାମ କରିବାକୁ ପରାମର୍ଶ ଦେବା, ଏପରିକି ସଚେତନ କରିବା ତାଙ୍କର କର୍ତ୍ତବ୍ୟ।ସେ କହିବେନି କିପରି?

ମାମାର ଏଭଳି ମନ୍ତବ୍ୟ ଜାକଲିନ୍ କୁ ଆଦୌ ଖୁସି ଦେଉ ନଥିଲା।ସେ କଥାଟାର ମୋଡ଼ ବୁଲାଇ କହିଲା,ଯା ଶରୀରରେ ମାଂସ ପୁଳାଏ ନାହିଁ,ସେ ହୋଇଛି ଜଙ୍ଗଲର ରାଜା!ତାକୁ କିଏ ରାଜା କରିଛି କହିଲୁ,ତାର କାଣ୍ଡଜ୍ଞାନ ବି ଟିକେ ନାହିଁ।ଏ ବାଇଆ ହାତରେ ନିଆଁବର।ଜଙ୍ଗଲରେ ଏଡ଼େ ବିରାଟ ବିରାଟ ଜନ୍ତୁ ଅଛନ୍ତି, ଶେଷରେ ଏ ଦୁର୍ବଳ କାଣ୍ଡକୁ କରାଯାଇଛି ରାଜା!ତୁମେ ମୋତେ ହସାଇଲ ମାମା।

ଜାକଲିନ୍ ର ନିର୍ବୋଧତା ଦୂର କରିବାକୁ ଯାଇ ସିଙ୍କସ କହିଲା, ଆରେ ସେ ସବୁଠୁ ବଳୁଆ,ଆଉ ବୁଦ୍ଧିମାନ ଏମିତିକି ବିଚାରବନ୍ତ ବି।ତୁ ଛୋଟପିଲା,ସେ ବିଷୟରେ ତୋ ଧାରଣା ନାହିଁ।ଜଙ୍ଗଲରେ ସମସ୍ତଙ୍କ ନିଷ୍ପତ୍ତି ଅନୁସାରେ ସେ ପରା ହୋଇଛନ୍ତି ରାଜା।

ଜଙ୍ଗଲର ପଶୁପକ୍ଷୀମାନେ ପ୍ରକୃତରେ ଅନ୍ଧ ଆଉ ଅଜ୍ଞାନ।ଏ ସ୍ଥଳ ଭାଗରେ ସବୁଠାରୁ ବଡ଼ ଜୀବ ହେଉଛୁ ଆମେ ହାତୀ।ହାତୀ ରାଜା ନ ହୋଇ କାହିଁକି ସେ ଦରମଲା ସିଂହ ରାଜା ହେବ।ମାମା ତୁମେ ଆଜି ନିଷ୍ପତ୍ତି ନିଅ,ଜଙ୍ଗଲ ଜୀବଙ୍କୁ ଏ ବାର୍ତ୍ତା ପହଞ୍ଚାଅ,ଆଜିଠାରୁ ଯେମିତି ହାତୀ ହେବ ରାଜା।

ଜାକଲିନ୍ ର ଉଦ୍ଭଟ ଚିନ୍ତା ମା' ସିଙ୍କସ କୁ ବ୍ୟତିବ୍ୟସ୍ତ ଓ ବିବ୍ରତ କଲା।ତା'ର ଅନାଵଶ୍ୟକ ଯୁକ୍ତି, ଜିଦ୍,ଅବୁଝା କୁଟୀଳ ମନୋଭାବ ତାକୁ କିଂକର୍ତ୍ତବ୍ୟବିମୁଢର ପାଦଦେଶରେ ପହଞ୍ଚାଇ ଦେଲା।ତଥାପି ସେ ଜାକଲିନ୍ କୁ କହିଲା, ଆରେ ଚଗଲି ମୁଁ ବୁଲିବୁଲି କ୍ଳାନ୍ତ ହୋଇ ଆସିଛି,ତୁ ବି ଭୋକିଲା,ଚାଲ ଖାଇ ଦେ, ଥଣ୍ଡା ମସ୍ତିଷ୍କରେ ଚିନ୍ତାକର,ତୁ ତ ଆମର ବୁଝିଲା ଶୁଝିଲା ପିଲା,ମୁଁ ସବୁ ବୁଝାଇଦେବି।ନଛୋଡବନ୍ଧା ଜାକଲିନ୍ ର ମନ ଆନ୍ଦୋଳିତ ହେଉଥାଏ ସାଗରର ଉତ୍ତାଳ ତରଙ୍ଗ ପରି।ମା ବିଶ୍ରାମ ନେବା ବେଳେ ଲୁଚି ଲୁଚି ଘର ପରିତ୍ୟାଗ କଲା ସେ।କାହିଁକି କେଉଁ ସମ୍ମାନରେ ସେ ଏଠାରେ ପଡି ରହିବ?ଯେଉଁଠି ତା ବିଚାରରେ ନ୍ୟାୟ ନାହିଁ,ବିଚାର ନାହିଁ,ଅଯୋଗ୍ୟ ହିଁ ଏକଛତ୍ରବାଦୀ ସମ୍ରାଟ ସେ ରାଜ୍ୟରେ ସେ କାହିଁକି ବା ରହିବ?

ମାନସିକ ଭାରସାମ୍ୟ ହରାଇଥିବା ଜାକଲିନ୍ ଦ୍ରୁତଗତିରେ ଯାଉଯାଉ ଦୁର୍ଭାଗ୍ୟବଶତଃ ଏକ ଖାତରେ ପଡି ଅସହାୟ ଭାବେ ଚିତ୍କାର କଲା।ଏଣେ ମା ତାକୁ ନ ପାଇ ପାଗଳି ପରି ହେଉଥାଏ।ଆଖିରୁ ଧାର ଧାର ଅଶ୍ରୁ ବିଗଳିତ ହେଉଥାଏ,ହୃଦୟ ଫାଟି ଯାଉଥାଏ।ଜାକଲିନ୍ ଥିଲା ତା ଜୀବନ।ଏକ ମୁହୂର୍ତ୍ତ ବିଚ୍ଛେଦ ତା ପାଇଁ ଅସହ୍ୟ ହେଉଥାଏ।ତା ହୃଦୟକୁ ବହୁତ ବାଧିଛି।ତାର ଏ ବିଷୟକୁ ସାମାନ୍ୟ ନ ଭାବି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଥିଲା।ଅନ୍ଧାର ଘନେଇ ଆସିଲାଣି।ଛୋଟ ଛୁଆଟା ଏକୁଟିଆ ଜଙ୍ଗଲରେ କେମିତି କଣ କରିଥିବ?ବିପଦ ତ ଅନେକ।ଭଗବାନଙ୍କୁ ସ୍ମରଣ କରୁଥାଏ।ନିର୍ବୋଧ ଶିଶୁର ଅମଙ୍ଗଳ କରନା ପ୍ରଭୁ।ଏଇମିତି ଯାଉ ଯାଉ ବିକଟାଳ ଚିତ୍କାର ତା ହୃଦୟକୁ କ୍ଷତ ବିକ୍ଷତ କଲା।ଶେଷରେ ଖାତ ପାଖରେ ପହଁଚି ତାକୁ ଦେଖି ଅତ୍ୟନ୍ତ ଦୁଃଖିତ ଓ ବ୍ୟତିବ୍ୟସ୍ତ ହୋଇଗଲା।ମାମା ମୋତେ ଶୀଘ୍ର ଏଠାରୁ ନିଅ,ମୁଁ ଅଣନିଃଶ୍ବାସୀ ହୋଇ ପଡୁଛି।ସିଙ୍କସ ବଡ଼ ଜୋରରେ ରଡି ଛାଡିଲା,ତା କରୁଣ ସ୍ୱର ଶୁଣି ଅସଂଖ୍ୟ ହାତୀ ରୁଣ୍ଡ ହୋଇଗଲେ ହେଲେ ଖାତରୁ ବାହାର କରିବାକୁ ଅକ୍ଷମ ପ୍ରକାଶ କଲେ।ଜାକଲିନ୍ ର ଚିତ୍କାର ବନ ପ୍ରଦେଶକୁ ଭୂକମ୍ପ ପ୍ରଦାନ କଲା।ଏଭଳି ଶବ୍ଦ ଶୁଣି ଜଙ୍ଗଲ ରାଜା ସିଂହ ବ୍ୟଥିତ ହୋଇ ବିଜୁଳି ବେଗରେ ଛୁଟି ଆସିଲେ।ଜାକଲିନ୍ ର ଏ ଅବସ୍ଥା ଓ ସିଙ୍କସର ବୁକୁଫଟା କ୍ରନ୍ଦନ ଦେଖି ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଲା।

ସିଂହର ଗର୍ଜ୍ଜନରେ କିଛି ସିଂହ ମଧ୍ୟ ଆସିଲେ।ରାଜାଙ୍କର ନିର୍ଦ୍ଦେଶରେ ତୁରନ୍ତ ଗୁଡାଏ ଲଟା ଆଣି ଦଉଡି ବଳିଲେ।ହେଲେ ଖାତ ଭିତରେ ଜାକଲିନ୍ କୁ ବାନ୍ଧିବ କିଏ?ଟେକି ଧରିବ କିଏ? ଛୋଟ ପିଲାଟି ଲତାକୁ ଧରି ପାରୁନ ଥାଏ।ଶେଷରେ ଖାତକୁ ଲମ୍ଫ ଦେଲା ସିଂହରାଜା।ଜାକଲିନ୍ ଅଣ୍ଟାରେ ଲଟା ବାନ୍ଧି ତାକୁ ତଳୁ ଟେକି ଉଠାଇଲା।ଉପରେ ଥିବା ସିଂହ ଓ ହାତୀମାନେ ଟାଣୁଥିଲେ।ରାଜାଙ୍କ ସାହସ,ବୀରତ୍ୱ ଓ କୌଶଳ ବଳରେ ଜାକଲିନ୍ ରକ୍ଷା ପାଇଲା।ସିଂହରାଜାଙ୍କୁ ସମସ୍ତେ କୃତଜ୍ଞତା ଜଣାଉଥାନ୍ତି।ରାଜା କହିଲେ ଆରେ,ସେ ତ ମୋର ଝିଅପରି,ତାର ଯତ୍ନ,ସୁରକ୍ଷା ଓ ଖୁସି ମୋର ପରମ କର୍ତ୍ତବ୍ୟ ଓ ରାଜ ଧର୍ମ।ଜାକଲିନ୍ କୁ ଆଉଁସି ଦେଇ କହିଲେ,ଆରେ ଝିଅ,ତୋତେ କେମିତି ଲାଗୁଛି।ବୈଦ୍ୟ ମାଙ୍କଡକୁ ଆଘାତ ସ୍ଥାନର ଉପଶମ କରିବାପାଇଁ ନିର୍ଦ୍ଦେଶ ଦେଲେ।ଚିକିତ୍ସା ସରିବାରୁ ରାଜା ଅଚିନ୍ତାରେ ଘରକୁ ଯାଇ ରୁହ କହି ନିଜ ଗୁମ୍ଫାକୁ ଚାଲିଗଲେ।ସେପର୍ଯ୍ୟନ୍ତ ଅବାକ୍ ହୋଇ ସବୁ ଦେଖୁଥାଏ ଜାକଲିନ୍।ଶହ ଶହ ହାତୀ ମରଣ ମୁହଁକୁ ଡେଇଁ ତାକୁ ରକ୍ଷା କରିବାକୁ ସାହସ କଲେ ନାହିଁ ମାତ୍ର ଏ ସିଂହ,କି ସାହସ,କି ବୀରତ୍ୱ,କି ବଦାନ୍ୟତା,କି ବ୍ୟବହାର ସତରେ ଏ ହିଁ ରାଜା ପାଇଁ ଉପଯୁକ୍ତ ମନେ ମନେ କହୁଥାଏ।ଖାଲି ପୃଥଳକାୟ, ବିଶାକ ଶରୀର ରଖିଲେ କଣ ହେବ ଯଦି ବୁଦ୍ଧି ନାହିଁ,ଜ୍ଞାନ ନାହିଁ,ସାହସ ନାହିଁ,ପରୋପକାର କରିବା ମନୋବୃତ୍ତି ନାହିଁ।

ମା ଝିଅ ଦୁହେଁ ଫେରିଲେ ନିଜ ବାସସ୍ଥାନକୁ।ସିଙ୍କସ କାନ୍ଦି କାନ୍ଦି କହିଲା, ରେ ଧନ ଆଜି କଣ ହୋଇଥାନ୍ତା କହିଲୁ।ଛୁଆ ମାନେ ବଡ଼ ମାନଙ୍କ କଥା ମାନନ୍ତି ନହେଲେ କିଭଳି ଦଶା ଭୋଗିବାକୁ ହୁଏ ଜାଣିପାରୁଛୁ ତ?

ଜାକଲିନ୍ ନିଜର ଭୁଲ ପାଇଁ ଅନୁତପ୍ତ ହେଲା।ତା ମା'କୁ କହିଲା ମୋତେ କ୍ଷମା କରିଦେବ ମାମା।ପ୍ରକୃତରେ ଦାଦା ସିଂହଙ୍କର ବ୍ୟକ୍ତିତ୍ୱ ଅବର୍ଣ୍ଣନୀୟ।ତାଙ୍କ ବିଶାଳ ହୃଦୟ ଓ ଆନ୍ତରିକ ଭଲ ପାଇବା ବହୁତ ନୀତିଶିକ୍ଷା ଯୋଗାଏ।

ସିଙ୍କସ କହିଲା ମୁଁ ଆଜି ଅତ୍ୟନ୍ତ ପ୍ରୀତ,ତୁ ତୋ ଭୁଲ ବୁଝିପାରିଲୁ ତାହା ମୋ ପାଇଁ ଏକ ବଡ଼ ସମାଧାନ।ଠିକ୍ ଭୁଲ କଣ ନିରୂପଣ କରିବା ଏକ ଅସାଧାରଣ କାମ।ବିନୟ,ଶାନ୍ତ,ସରଳ ଗୋଟିଏ ଗୋଟିଏ ଐଶ୍ୱରୀୟ ଗୁଣ।ଗୁରୁଜନଙ୍କ କଥା ମଥା ପାତି ମାନିବା ପରୋକ୍ଷରେ ଆଶୀର୍ବାଦକୁ ଆହ୍ୱାନ କରିବା ସହ ସମାନ।ଧୈର୍ଯ୍ୟ ପ୍ରତ୍ୟେକଙ୍କ ପାଇଁ ଏକ ପୀୟୂଷର ରୂପାଥାଳି,ଜୀବନ ପ୍ରବାହର ସଜ ସଂଜୀବନୀ।ଏହା କହି ନିଜ ଶୁଣ୍ଢରେ ଜାକଲିନ୍ କୁ ଆଉଁସି ଦେଲା।ବାତ୍ସଲ୍ୟ ମମତାର ଚୁମ୍ବନ ତା ପ୍ରାଣରେ ଅଫୁରନ୍ତ ସ୍ପନ୍ଦନ ଖେଳାଇଦେଲା।ଜାକଲିନ୍ ର ଶୁଣ୍ଢରେ ଶୁଣ୍ଢ ଲଗାଇ ଆଖିରେ ଆଖି ମିଳେଇ ସତେ ଯେମିତି କହୁଥାଏ,ତୁ ମୋ ହୀରାହାରରେ ଧନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments