ଅଳସୀ ଆଖିର ସପନ - ଶିବ ଚରଣ ମହାପାତ୍ର

0
ଅଳସୀ ଆଖିର ସପନ
କ୍ଷଣିକ ନିଦ୍ରା ରେ ମାନସ ମଲାଟେ
ମଳୟ ଲେପଇ ଚନ୍ଦନ..

ବାଲିସ୍ତୁପ ଇଛା ବେଳାଭୂମି କୋଳେ
ଆସୁମାରି ଆଶା ଗହଳ
ନିତି ଗଢି ଭାଙ୍ଗି ପୁନରାୟ ଠୁଳ
ସ୍ୱପ୍ନ ଏଠି ମାଳମାଳ..

ସାମୁକା କୋରଡ ନୟନ
ସାଉଣ୍ଟି ଧରୁଛି ପିରତି ମୁକୁତା
ଅଳସୀ ଆଖିର ସପନ..
ନେତ୍ର ପରିଧି ର ଗୁପ୍ତ ଚୁମ୍ବନେ
ବାଇଆ ବିଧୁର ଅହର୍ନିଶି ଝୁଲେ
ଝୁଲଣା ଦୋଳି ରେ ଜୀବନ..

ଘଟ ପଲଙ୍କ ରେ ଶେଯ ପାରିଦେଇ
ପରାଣ ରଚୁଛି ସଙ୍ଗମ
ଜଞ୍ଜାଳ ଜୀବନ୍ତ ଯନ୍ତ୍ରଣା ଯେତେକ
ସୁଖରେ ପାଳନ୍ତି ଧରମ..

ପଦୁଅଁ ପାଖୁଡା ସ୍ପନ୍ଦନ..
ପଲକ ଉହାଡେ ସରଗ ଭ୍ରମନ୍ତି
ଅଳପ ଆୟୁଷ ଜୀବନ..
ଦୁଧ ଅଳତା ରେ ଲହୁଣୀ ଶ୍ରୀଅଙ୍ଗ
ପିରତି ତା ମାୟା ବନ୍ଧନ
ସେ ଯେ ଅଳସୀ ଆଖିର ସପନ..

କେବେ ଆସେ ମାଘ ଶୀତୁଆ ରାତିରେ
ଉଷୁମ ଚାଦର ଢାଙ୍କି
ଆଉ କେବେ ଫଗୁ ଅବିର ସାଥିରେ
ପ୍ରତିଶ୍ରୁତି ଦିଏ ଫାଙ୍କି..

ଜଳେ ମନ ଉପବନ..
ପାଗଳ ପରାୟ ଖୋଜିବାକୁ ଧାଏଁ
ଅମିଷା ରାତି ରେ ଜହ୍ନ..
ସେ ଯେ ଅଳସୀ ଆଖିର ସପନ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)