ଉପନ୍ୟାସ - ସାଉଁଟା ଆଷାଢ - ଚତୁର୍ଥ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ଚତୁର୍ଥ ଭାଗ - ପ୍ରମୋଦ କୁମାର ପଣ୍ଡା

ବାପା ବିଲ ଆଡେ ଯାଇଥିଲେ | ନଈରେ ନୂଆ ପାଣି ପଡିଛି | ପ୍ରବଳ ମାଛ ଉଠୁଛନ୍ତି | ହଳିଆ ଦୁଇଜଣ ଗୁଡାଏ ପୋହଳା ମାଛ ଧରିଥିଲେ ଯେ ସେଥିରୁ ଗୁଡିଏ ହେବ ଦେଇଛନ୍ତି | ବାପା ଖୁବ୍ ମାଛ ପ୍ରିୟ  ମାତ୍ର ବୋଉ ତା'ର ଠିକ୍ ଓଲଟା | ବୋଉ ଆମିଷ ଛୁଏଁନା | ଭାଉଜ ଆସିବା ପୂର୍ବରୁ ପଡିଶା ଘରୁ ଜଣେ ଖୁଡୀ ସମ୍ପର୍କୀୟା ହେବେ, ସେ ଆସି ରାନ୍ଧିଦେଇ ଯାଆନ୍ତି ଏବଂ ତାଙ୍କ ପିଲାଙ୍କ ପାଇଁ ଅଧା ନେଇ ଯାଆନ୍ତି | ମାତ୍ର ଭାଉଜ ଆସିବା ପରେ ଆମିଷଟା ବଢିଆ ରନ୍ଧାହୁଏ କିନ୍ତୁ ବାଡିପଟ ଅଗଣାରେ ଥିବା ଆମିଷ ଚୁଲିରେ  ତା' ପାଇଁ ଥିବା ନିର୍ଦ୍ଦିଷ୍ଟ ପାତ୍ରରେ | ସେ ପୁଣି ନିର୍ଦ୍ଦିଷ୍ଟ ତିଥି , ବାର ଦେଖି | ବୋଉ ଜମା ଆମ ରୋଷେଇଘରେ ଆମିଷ ପୁରାଏନା, କାଳେ ଲକ୍ଷ୍ମୀ ଚାଲିଯିବେ |
        ଆଜି ମସଲା ଦିଆ ପୋହଳା ମାଛକୁ ଡାଲି,ଆମ୍ବୁଲ ରାଇ, ପିଠଉ ଦିଆ ପୋଇ ପତ୍ର ଭଜା ବେଶ୍ ସ୍ୱାଦିଷ୍ଟ ଥିଲା | ଆମିଷ ଖିଆଟା ବାଡିପଟ ବାରଣ୍ଡାରେ ହୁଏ | ତେଣୁ ବୋଉକୁ ଛାଡି ଆମେ ସମସ୍ତେ ସେଠି ଖାଇ ବସିଲୁ | ଭାଉଜ ପରସି ଦେଉଥାନ୍ତି |ବାପାଙ୍କର ମୋର ଖାଇ ସାରି ଉଠିଗଲା ପରେ ଭାଉଜ ପ୍ରଜ୍ଞାକୁ ଡାକି ଆଣିଲେ | 
        ମୁଁ ଏଇ ସମୟରେ ଚିନ୍ତାକଲି ଯେ ମୋ ରୁମ୍ କୁ ଯାଇ ବାକି ଥିବା ମୋର ପେଣ୍ଟିଂଗୁଡିକୁ ଶେଷ କରିଦେବି | ଏହା ଭାବି ମୋ କାମରେ ଲାଗିଗଲି | ମୁଁ ଯେତେବେଳେ ମୋ ସୃଷ୍ଟିଙ୍କ ଗହଣରେ ଥାଏ ସେତେବେଳେ ବାହ୍ୟଜ୍ଞାନ ରହିତ ହୋଇଯାଏ | ସେମାନଙ୍କ ସହିତ କଥାହୁଏ | ସେ ସମୟରେ ମୋର ଚିନ୍ତା ଚେତନା ଦୃଷ୍ଟି ଓ କର୍ମ ଗୋଟିଏ ସରଳରେଖାରେ ଥାଆନ୍ତି | ସେ ସମୟରେ ମୁଁ ମୋର ଭାବନା ସମୁଦ୍ରରେ ସଂପୂର୍ଣ ତଲ୍ଲୀନ ଥାଏ | କୌଣସି ବାହ୍ୟ ଶକ୍ତି ତା ଭିତରକୁ ପଶିଆସିଲେ ସେ ସରଳରେଖାଟି ଭାଙ୍ଗିଯାଏ ଯେ ପୁଣି ଯୋଡିହେବାକୁ  ଅପେକ୍ଷା କରିବାକୁ ପଡେ | 
        ଦୃଷ୍ଟି ତୀବ୍ର ଓ ମସ୍ତିଷ୍କ ସ୍ଥିର | କ୍ୟାନଭାସ୍ ରେ ଜୀବନ୍ତ ହେଉଛନ୍ତି ମାଲକାନାଗିରିର ବଣ୍ଡା ସଂସ୍କୃତି | ଏକ ନିଆରା ଚିନ୍ତାଧାରାକୁ କଲିକତାର ଆର୍ଟ ଏକ୍ ଜିବିସନ୍ ରେ ଥୋଇବା ମୋର ଏକାନ୍ତ ଇଚ୍ଛାକୁ ମୁଁ ଚରିତାର୍ଥ କରିବାରେ ନିବିଷ୍ଟ ଥିବାବେଳେ ପଛରୁ କାହାର ଖଣ୍ଡିକାଶର ଶବ୍ଦ ମୋର ଏକାଗ୍ରତାକୁ ଭଗ୍ନ କଲା | ହାତ ଅଟକିଗଲା |ସରଳ ରେଖା ଖଣ୍ଡିତ ହେଲା | ଭାବନା ସ୍ରୋତରେ ଲଗାମ୍ ଲାଗିଗଲା | ପଛକୁ ଫେରି ଚାହିଁଲି |
        ପଛରେ ଠିଆହୋଇ ପ୍ରଜ୍ଞା ଏକାଗ୍ର ଚିତ୍ତରେ ମୋର ପେଣ୍ଟିଂ ଗୁଡିକୁ ଚାହିଁରହିଛି ଦେଖି ମୁଁ ତୁଳୀ ଥୋଇଦେଲି | ପ୍ରଜ୍ଞାର ମୁହଁରେ ଭାବାନ୍ତର ଦେଖାଦେଲା | ବୋଧେ ମୁଁ କାମରୁ ନିବୃତ ହେବାରୁ ସେ ନିଜକୁ ଦୋଷୀ ବୋଲି ଭାବିଲା | ମୁଁ ସହଜ କଣ୍ଠରେ କହିଲି , "ତୁମେ ଠିଆହେଲ କାହିଁକି ? ବସ !" ସେ  ତଳେ ମୋ ଠୁ ଅଳ୍ପ ଦୂରତାରେ ସଞ୍ଜତ ଭାବରେ ନିଜକୁ ଯଥା ସାଧ୍ୟ ଶାଢୀରେ ଢାଙ୍କି ରଖି ବସିଗଲା ସାମାନ୍ୟ ତଳକୁ ମୁହଁ ପୋତି | ମୁଁ କହିଲି " ତୁମେ ତଳେ କାହିଁକି ବସିଲ ? ଚେୟାରରେ ବସ |"  ସେ ଯଥେଷ୍ଟ ଧୀର ସ୍ୱରରେ କହିଲା " ଆପଣ ତଳେ ବସିବେ ଆଉ ମୁଁ କେମିତି ଉପରେ ବସିବି ? "  ଓଃ ....ତା'ର ସ୍ୱରର ମାଧୁର୍ଯ୍ୟ ଯେମିତି ମୋ କାନ ଦେଇ ସିଧା ମସ୍ତିଷ୍କକୁ ଦୋହଲାଇ ଦେଲା | ସନିଆ ଦୋକାନରେ ଥରେ ଶୁଣିବାର ସୁଯୋଗ ପାଇଥିଲି, ଏଠି ଦ୍ୱିତୀୟ ଥର | କିଛି ସମୟ ପାଇଁ ସେ ମଧୁର ମୁର୍ଚ୍ଛନାକୁ ମନ ମସ୍ତିଷ୍କରେ ରହିବାକୁ ଦେଲି | 
        ମୋର ନୀରବତା ଦେଖି ସେ କହିଲା " ଆପଣଙ୍କର ସୃଷ୍ଟି ଅପୂର୍ବ |  ଯେତେ ଦେଖିଲେବି ନୂଆ ନୂଆ ଲାଗୁଛି |" ମୁଁ କିଛି ସମୟ ତା' କଥାର ମଧୁରତାକୁ ଅନୁଭବ କଲାପରେ କହିଲି " ପ୍ରଶଂସା ପାଇଁ ଧନ୍ୟବାଦ |" ସେ ନୀରବ ରହିଲା |
        ଘର ଭିତରେ ନୀରବତାର ରାଜତ୍ୱ | କିଛି ସମୟପରେ ମୁଁ ପ୍ରଶ୍ନ କଲି  "ତୁମେ ଆମ ଘରେ ଠିକ୍ ରେ ଖାଉଛ ତ ? କିଛି ସଂକୋଚ କରୁନ ତ ?" ସେ  କହିଲା " ନା ନା ବରଂ ମୁଁ ଏଠି ଅଧିକ ଖାଉଛି | ଭାଉଜଙ୍କ ରନ୍ଧା ଏତେ ସ୍ୱାଦିଷ୍ଟ ଯେ ଯେକେହି ଅଧିକ ଖାଇଦେବ | ଆପଣ ବଡ ଭାଗ୍ୟବାନ ଯେ ଏଭଳି ଭାଉଜ ପାଇଛନ୍ତି |" ମୁଁ  ଲକ୍ଷ୍ୟକଲି ଯେ ପ୍ରଜ୍ଞାର ସଂକୋଚ ଭାବ ପୂର୍ବ ଭଳି ଆଉ ନାହିଁ | ସେ ବହୁତ ସହଜ ହୋଇଯାଇଛି |
        ମୁଁ କହିଲି " ଗୋଟେ କଥା ପଚାରିବି କିଛି ଭାବିବନି ତ ?" ସେ ଟିକେ ରହିଗଲା, ବୋଧେ ମୋ ଠୁ କିଛି ଅପ୍ରାସଙ୍ଗିକ ପ୍ରଶ୍ନର ଆଶଂକାରେ | ପରେ ଟିକେ ରହି ବଡ କୁଣ୍ଠିତ କଣ୍ଠରେ ଉତ୍ତରଦେଲା " ନା ନା  ! ଆପଣ ମୋର ଉଦ୍ଧାର କର୍ତ୍ତା , ଆପଣ କିଛି ବି ପଚାରି ପାରନ୍ତି |"  ମୁଁ ଟିକେ ରହିଗଲି | କେମିତି କହିବି ବୋଲି ଭାବିଲି , ତେବେ ମନ ଦୃଢ କରି ପଚାରିଲି " ତୁମେ ଏବେ କୋଉଠିକି  ଯିବ ବୋଲି ଚିନ୍ତା କରୁଛ ? କହିଲେ ସେଇ ଅନୁସାରେ ମୁଁ ତୁମକୁ ଛାଡିଦେବାର ବନ୍ଦୋବସ୍ତ କରିବି |"
        ସେ କିଛି କହିଲାନି | ତେବେ ତା'ର ଉଜ୍ଜ୍ୱଳ ମୁହଁଟାରେ ହଠାତ୍ ଅମାବାସ୍ୟାର ଅନ୍ଧାର ଛାଇଗଲା ପରି ଦେଖାଗଲା | ସରସ ମୁଖାରବିନ୍ଦରେ ନିରାଶାର ବଉଦ ଘୋଟିଗଲା ପରି ମୋତେ ଜଣାଗଲା | ମୋତେ ଲାଗିଲା ସେ ଯେପରି କହୁଛି " ମୁଁ ଅସହାୟା, ନିରାଶ୍ରୟା | ମୋ ହାତରେ କିଛି ନାହିଁ |  ମୁଁ ତ ସୁଅ ମୁହଁର ପତର | ମୋ ଭାଗ୍ୟ ମୋତେ ଯୁଆଡେ ନେବ ଯିବି | ମୁଁ କଣ ବା କରିପାରିବି ?" ମୁଁ ଲକ୍ଷ୍ୟକଲି ତା' ଦୁଇ ଆଖିରୁ ଦୁଇ ବିନ୍ଦୁ ଅଶ୍ରୁ ଝରି ପଡିଲା ଚଟାଣ ଉପରେ | ସେ ଅଶ୍ରୁ ଥିଲା ନିଜ ଅସହାୟତାର , କିଛି ନକରିପାରିବାର , ଅକ୍ଷମତାର | ସେ ଅଶ୍ରୁ ଦୁଇ ଟୋପାରେ ଲୁଚି ରହିଥିଲା ଅନେକ କରୁଣ କାହାଣୀ  ଯାହା କିଛି ନକହୁଥିଲେ ବି ବହୁତ କିଛି କହୁଥିଲା | ମୁଁ ନୀରବ ଥିଲି | ନିଜକୁ ଅପରାଧୀ ମନେକରୁଥିଲି |

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments