ଉପନ୍ୟାସ - ସାଉଁଟା ଆଷାଢ - ପଞ୍ଚମ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ପଞ୍ଚମ ଭାଗ - ପ୍ରମୋଦ କୁମାର ପଣ୍ଡା

ସେଦିନ ରାତିରେ ଆଉ ନିଦ ହେଲାନି ଭଲରେ । ରହି ରହି ପ୍ରଜ୍ଞାର ସେ ଦୁଃଖରେ ଭାରାକ୍ରାନ୍ତ ମୁହଁ ଆଉ ତା'ର ସେ ଲୋତକାପ୍ଳୁତ ଆଖି ଦୁଇଟି ମୋ ମୁହଁ ଆଗରେ ଖାଲି ନାଚି ଯାଉଥାଏ ବାରମ୍ବାର । କଣ କରିବି ବୋଲି ଯେତେ ଭାବୁଥାଏ ସେତେ ମନଟା ଗୋଳେଇ ଘାଣ୍ଟି ହେଉଥାଏ । କଣ କରିବି.....କଣ କରିବି ପଞ୍ଚାକ୍ଷରୀ ନାମ ଜପୁ ଜପୁ  କେତେବେଳେ ଯେ ଆଖି ଲାଗିଯାଇଛି ଜାଣିପାରିଲିନିି । ଆଖି ଖୋଲିଲା ବେଳକୁ ବେଳ ଘଡ଼ିଏ ହେଲାଣି । ଉଠିକରି ମୁହଁଟା ଧୋଇ ଦେଖେ ଯେ ଭାଉଜ ଚା ଧରି ଠିଆହୋଇଛନ୍ତି । ବାପା ବିଲ ଆଡେ ବାହାରି ଗଲେଣି । ସକାଳୁ ବିଲ ଆଡେ ଘେରେ ବୁଲି ନଆସିଲେ ତାଙ୍କୁ ଭଲ ଲାଗେନା । ଆଖି ବୁଲେଇ ଆଣିଲି, ପ୍ରଜ୍ଞାକୁ କାହିଁ କେଉଁଠି ଦେଖିଲିନି । ଭାଉଜ କହିଲେ " କାହାକୁ ଖୋଜୁଛ ?"  ମୁଁ ଟିକେ ଅପ୍ରସ୍ତୁତ ହୋଇପଡ଼ିଲି ଭାଉଜଙ୍କ କଥା ଶୁଣି । ମୋର ଏ ଭାଵ ଦେଖି ସେ ହସି ହସି କହିଲେ "  କଣ ! ଭିତରେ ଭିତରେ ତେବେ ଏତେ ବାଟ ଆଗେଇଗଲଣି "।  ମୋତେ ଟିକେ ବିରକ୍ତ ଲାଗିଲା । କହିଲି, " କଣ ଏମିତି କହିଯାଉଛ ଭାଉଜ "? ତାପରେ ଭାଉଜଙ୍କ ପ୍ରତିକ୍ରିୟାକୁ ନଦେଖି ସିଧା ଦାଣ୍ଡକୁ ବାହାରିଗଲି ।
       ସିଧା ଚାଲିଲି ବନ୍ଧୁ ରମେଶ ପାଖକୁ । ଦେଖିଲି ରମେଶ ବସିଛି ଦାଣ୍ଡପିଣ୍ଡାରେ । ମୋତେ ଦେଖି ହସି ହସି କହିଲା, "କଣ କଳାକାର ମହାଶୟ ! ଆଉ ତ ଏବେ ଦର୍ଶନ ନାହିଁ । ଆରେ ମୁଁ ଶୁଣୁଥିଲି ଗୋଟେ ସୁନ୍ଦରୀ ଝିଅ ତୁମ ଘରେ ଅଛି ବୋଲି । ଆଜି ସକାଳେ ରାଧୁଆ ମା ବସାଦହି ଆଣି ଆମ ଘରକୁ ଆସିଥିଲା ତ, ତା ଠୁ ଶୁଣିଲି  । ସେ କୁଆଡେ  ତୁମ ଘରକୁ ଯାଇଥିଲା ଦହି ବିକିବାକୁି ତ "।
        " ତୋ ଭାଷଣ ସରିଲା ନା ଆଉ ଅଛି ? ଯଦି ଅଛି ଏକାଥରକେ ଗାଳିପକା "। " ନା ଭାଇ କହ କୁଆଡେ ଆସିଲୁ "? କହିଲା ରମେଶ । " ତା ମାନେ ମୁଁ କେବଳ ମୋ କାମ ଥିଲେ ହିଁ ତୋ ପାଖକୁ ଆସେ , ନହେଲେ ଆସେନି ଏଇଆ ତ "? ମୁଁ କୃତ୍ରିମ ରାଗ ଦେଖାଇ କହିଲି । "ଭାଇ ! ତୋ ଖୋରାକୁ ଜୁହାର , କଣ କହୁଛୁ କହ "।
        " ଦେଖ ! ସିରିଏସ କଥା ଆଲୋଚନା କରିବାକୁ ଆସିଛି , ତୁ ମଝିରେ ୟାଡୁ ସ୍ୟାଡୁ କହିଲେ ମୁଁ ଉଠିକରି ପଳେଇବି । ଚାଲ ଘରେ କଥା ହେବା "। " ମୁଁ ଜାଣିଛି ତୁ କଣ କଥାହେବାକୁ ଆସିଛୁ "। ଏହା କହି ରମେଶ ତାଙ୍କ ବୈଠକ ଘର ଖୋଲିଲା ।
        ମୁଁ କୌଣସି ଭୂମିକା ନରଖି କଥା ଆରମ୍ଭକଲି । ସବୁ ଘଟଣା ଆମୂଳଚୂଳ ବର୍ଣ୍ଣନାକଲି । ଶେଷରେ ପଚାରିଲି, " କଣ କରିବା କହ !  ବାପା ବୋଉଙ୍କ କଥା ତ ତୁ ଜାଣିଛୁ । ହଁ ଏତିକି ସାନ୍ତ୍ୱନା ତାଙ୍କଠୁ ମିଳିଛି ଯେ "ଝିଅପିଲାଟା ! ନିରାଶ୍ରୟ ହୋଇ ଯଦି ଆସିଛି ତାକୁ କଣ ଘରୁ ପଦାକୁ ପେଲିଦେବା ହାଣ ମୁହଁକୁ । ଯେତେଦିନ ପର୍ଯ୍ୟନ୍ତ କିଛି ଗୋଟେ ସୁବନ୍ଦୋବସ୍ତ ନହେଇଛି ପିଲାଟାର ସେପର୍ଯ୍ୟନ୍ତ ସେ ରହୁ ଏଇଠି "। ବିଶେଷତ ବାପା ଏ ଆଶ୍ୱାସନା ଦେଇଥିବାରୁ ମୋର ଗୋଟେ ବଳ ଆସିଯାଇଛି । ମାତ୍ର ବୋଉ ଟିକେ କଂଝରଭେଟିଭ ଲୋକ । ତା କହିବା କଥା ହେଲା " ଗୋଟେ ପର ପିଲା, ପୁଣି ଅଭିଆଡ଼ି ଝିଅଟା କେତେଦିନ ଆମଘରେ ରହିବ ? ଘରେ ମୋର ଭେଣ୍ଡା ପିଲାଟା ଅଛି । ଭଲ ଥାଏ ମନ୍ଦ ଥାଏ , ମୋର କିଏ ଏତେବଡ ଦାୟୀତ୍ବ ମୁଣ୍ଡେଇବ "?
        "ହୁଁ ! ଏଇ ସମସ୍ୟା ସବୁବେଳେ ସବୁଠି ଥାଏ । ଏହା କିଛି ନୂଆ କଥା ନୁହେଁ । ପର ଝିଅକୁ କେବେ କେହି ଘର ଝିଅ ବୋଲି ଭାବନ୍ତିନି । ତେଣୁ ସମସ୍ୟା ସୃଷ୍ଟି ହୋଇଥାଏ "। " ଆବେ ତୁ ନେତାଙ୍କ ଭଳି ଭାଷଣ ମାରିବୁ ପରେ । ମୋତେ ଆଗ କହ ପ୍ରଜ୍ଞା ପାଇଁ ଏବେ ବିକଳ୍ପ କଣ ଅଛି । ମୁଁ କିନ୍ତୁ ତାକୁ ସେ ନର୍କକୁ ଛାଡ଼ିଦେଇ ପାରିବିନି । ମୁଁ ଜାଣିଛି ଯଦି ସେ ପୁଣି ଥରେ ସେହି ନର୍କକୁ ମାନେ ତାଙ୍କ ଘରକୁ ଯାଏ ତେବେ ତା ପାଇଁ ଦୁଇଟି ରାସ୍ତା ଖୋଲା ଅଛି । ଗୋଟିଏ ହେଲା ବେଶ୍ୟାବୃତ୍ତି ଏବଂ ଅନ୍ୟଟି ହେଲା ଆତ୍ମହତ୍ୟା । ତେଣୁ କହ ମୁଁ ସେକଥା କେମିତି କରିବାକୁ ଦେବି ଜାଣୁ ଜାଣୁ"।
        " ମୋତେ ଆଉ ବୁଝିବାକୁ କିଛି  ବାକିନାହିଁ । ସମସ୍ୟା ତ ଜଟିଳ, ମାତ୍ର ୟା ପାଇଁ ଯେ ଉପାୟ ନାହିଁ ସେକଥା ନୁହେଁ । ମାତ୍ର ସମାଧାନ ପାଇଁ ସମୟ ଲାଗିବ । ରୋଗ ଯେତେ କଠିନ ତା ପାଇଁ ଔଷଧ ସେତେ ଦୁଷ୍ପ୍ରାପ୍ୟ । ତୁ କାଲି ଆସେ । ମୁଁ ଏହାର ପ୍ରତିକାର ନିଶ୍ଚିତ ଠିକ କରି ରଖିଥିବି "।
        ମୁଁ ରମେଶ ଘରୁ ଆମ ଘରକୁ ଆସିବା ବାଟରେ ଚିନ୍ତାକରୁଥିଲି ଯେ ଯେମିତି ହେଲେ ରମେଶ ଏହା ପାଇଁ ଏକ ପ୍ରତିକାର ଚିନ୍ତାକରି ରଖିଥିବ "।
        ପ୍ରଜ୍ଞା ପାଇଁ ଭାଉଜ ତଳ ଖଞ୍ଜାରେ ଥିବା ଗୋଟିଏ କୋଠରିରେ ରହିବାର ବ୍ୟବସ୍ଥା କରିସାରି ଥିଲେ । ସେ ଘର କାମରେ ଭାଉଜଙ୍କୁ ବହୁତ ସାହାଯ୍ୟ କରୁଥିଲା । ତାକୁ କେବଳ ରୋଷେଇ ଘର ଓ ଠାକୁର ଘର ମନାଥିଲା । ବାପା ବୋଉ ଭାଉଜ, ସମସ୍ତେ ତା ଉପରେ ଖୁସି ଥିଲେ । ଘର କାମ ବାଦ ସେ ନିଲୁକୁ ପାଠପଢ଼ାଉଥିଲା । ନିଲୁ ପ୍ରଜ୍ଞା ସହିତ ଏତେ ମିଶିଯାଇଥିଲା ଯେ ସେ ଟିଉସନ ଯିବା ପାଇଁ ରାଜିହେଉ ନଥିଲା ।
        ତା ପରଦିନ ସକାଳେ ରମେଶ ଆସି ଆମ ଘରେ ହାଜର । ଦିଜଣ ଯାକ  ମୋ ରୁମରେ ବସିଲୁ । ଭାଉଜ ଙ୍କୁ ମୁଁ ଡ଼ାକ ପକେଇଲି । ଭାଉଜ ଚା ଦୁଇ କପ ଆଣି ଆସିଲେ । ରମେଶ କହିଲା , "ଭାଉଜ ! ଯେଉଁ ଝିଅଟି ତମ ଘରେ ଅଛି ତାକୁ କହ ସେ ତା' ର ସବୁ କାଗଜପତ୍ର ଆଣି ଆସୁ । ଅଚ୍ୟୁତପୁର ହାଇସ୍କୁଲଟି ଏବେ ନୂଆ ଖୋଲିଛି । ତାର ମାନେଜିଂବଡ଼ିରେ ମୁଁ ମେମ୍ବର ଅଛି । ଏବେ ଶିକ୍ଷକ ନିଯୁକ୍ତି ହେବ । ଆମେ ଶୁଭର ମୋର ଏ ବିଷୟରେ କଥା ହେଇଛୁ । ପ୍ରଜ୍ଞା ତ ବିଏ ପାସ, ତେଣୁ ଆର୍ଟ ଟିଚର ପୋଷ୍ଟ ପାଇଁ କିଛି ଅସୁବିଧା ହେବନି । ପରେ ଇନସର୍ଭିସରେ ବି ଇ ଡ଼ି ଟା ଦେଇଦେବ । ମୋତେ ତା ସାର୍ଟିଫିକେଟ ଇତ୍ୟାଦି ଯାହା ଅଛି ଦେଲେ ସେକ୍ରେଟାରୀଙ୍କୁ କହି ମୁଁ ତା ଆପଏଣ୍ଟ ଲେଟର ବାହାର କରିଦେବି ।"
        ଭାଉଜ ବହୁତ ଖୁସି ହୋଇଗଲେ । କହିଲେ," ତମର ଭଗବାନ ମଙ୍ଗଳ କରିବେ । ଯାହାହେଉ ପ୍ରଜ୍ଞାଟି କୂଳରେ ଲାଗିଯିବ "। ସେ ତଳ ଖଞ୍ଜାକୁ ଚାଲିଗଲେ ପ୍ରଜ୍ଞାକୁ ଡାକିବାକୁ । ରମେଶ ମୋ ମୁହଁକୁ ଚାହିଁଲା । ତା ମୁହଁରେ ଥିଲା ବିଜୟସୂଚକ ହସ । ମୁଁ ଖୁସି ଥିଲି । 
        ପ୍ରଜ୍ଞା ଆସିଲା ଧୀର ପଦକ୍ଷେପରେ । ରମେଶକୁ ନମସ୍କାର କରି ଠିଆହେଲା । ମୁଁ କହିଲି " ତୁମେ ଘରୁ ଆଣିଥିବା ସବୁ ସାର୍ଟିଫିକେଟ ସୁରକ୍ଷିତ ଅଛି ତ " ? ସେ ସମ୍ମତିରେ ମୁଣ୍ଡ ହଲେଇ ଭ୍ୟାନିଟରୁ ପୁଳେ କାଗଜ କାଢି ମୋ ହାତକୁ ବଢ଼ାଇ ଦେଲା । ତାପରେ ଯେମିତି ଆସିଥିଲା ସେମିତି ଚାଲିଗଲା ଘର ଭିତରୁ । ରମେଶ ମୁହଁରୁ ଯାହା ମୁଁ ଲକ୍ଷ୍ୟକଲି ସେ ପ୍ରଜ୍ଞା ପ୍ରତି ବହୁତ ପ୍ରଭାବିତ ଥିଲା ପରି ଲାଗିଲା । ଯାହାହେଉ ମୋ ମୁଣ୍ଡରୁ ଗୋଟେ ବିରାଟ ବୋଝ ଓହ୍ଲେଇଗଲା ପରି ଲାଗିଲା ।
                    " କ୍ରମଶଃ "

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

0 Comments