କ୍ଷୁଦ୍ରଗଳ୍ପ - ଜିଅନ୍ତା ଶବଟିଏ ପରି ବଞ୍ଚିବାକୁ ହେବ - ସୁନୀଲ କୁମାର ବେହେରା

କ୍ଷୁଦ୍ରଗଳ୍ପ - ଜିଅନ୍ତା ଶବଟିଏ ପରି ବଞ୍ଚିବାକୁ ହେବ - ସୁନୀଲ କୁମାର ବେହେରା

କାଳର କରାଳ ଗତିରେ ଆରମ୍ଭ ମଣିଷର ଜୀବନ। ଜନ୍ମଠାରୁ ମରଣଯାଏଁ ଲଢେଇ ଲଢେଇ ଲଢେଇ କରି ବଞ୍ଚିବାକୁ ହୁଏ । ଏନ୍ତୁଡ଼ିଶାଳରୁ ଶ୍ମଶାନ ଯାଏଁ ଦୁଇଟି ନିଆଁରେ ଗଢା ଏ ଜୀବନ। ଜୀବନର ନିର୍ଯ୍ୟାସ ସୁଖଦୁଃଖ ଭରା କାହାଣୀରେ ତଥାପି ଏ ମଣିଷ ଗଢିଚାଲିଛି। ବାଃ ବାଃ ରେ ଜୀବନ ତୋର ଏ କି ଲୀଳାରେ....

ପାହାଡ଼ର ପାଦଦେଶରେ ଏକ ଛୋଟିଆ ଗାଁ। କୁଳୁକୁଳୁ ନାଦରେ ବହି ଯାଉଛି ଛୋଟିଆ ଝରଣାଟିଏ। ନାଁ ତା'ର ମଲ୍ଲୀକାଶପୁର।ସେଇଠି ରୁହନ୍ତି ଏକ ଛୋଟିଆ ଚାଷୀ ପରିବାର। ପରିବାର କହିଲେ ବାପା ରତନା, ମା ଲଳିତା ଏବଂ ଏକ ମାତ୍ର ଅଲିଅଳି ଝିଅ ଅପର୍ଣ୍ଣା। ଗୋଟିଏ ଝିଅ ବୋଲି ଖୁବ୍ ଗେଲବସରରେ ଲାଳନପାଳନ କରନ୍ତି ବାପା ମାଆ। ବାପା ସରଗରୁ ପାରିଜାତ ଏବଂ ଆକାଶରୁ ଚାନ୍ଦ ଆଣି ଦେବା ପାଇଁ କୁହନ୍ତି। ସମୟ ଗଡିବା ସହ ବଢ଼ି ଚାଲିଥାଏ ଅପର୍ଣ୍ଣାର ବୟସ। ଦିନେ ଅମାବାସ୍ୟାର ଉଆଁସ ଅନ୍ଧାରରେ ଋତୁପର୍ଣ୍ଣା ହେଲା ଝିଅ।ଘରେ ଖୁସିର ଲହରୀ। ଯୌବନର ପ୍ରଥମ ପାହାଚରେ ପାଦ ଦେଇଥିଲା ଅପର୍ଣ୍ଣା। ବହୁତ ସୁନ୍ଦର ଦେଖା ଯାଉଥିଲା ସେ।ବାପା ମାଆ ଦୁହେଁ ଅପାଠୁଆ ହୋଇଥିବାରୁ ଏଥର ଝିଅ ପାଇଁ ବର ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ଝିଅ ପାଇଁ ଘର ଜୋଇଁଆ କରିବା ନିମନ୍ତେ ସେ ଥିଲେ ଆଗତୁର।

ବହୁତ ଖୋଜାଖୋଜି ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ ଜୋଇଁ ସୁବାଷ ସହ। ଦଶଦିଗପାଳକୁ ସାକ୍ଷୀ ରଖି ଅପର୍ଣ୍ଣାକୁ ସୁଖରେ ରଖିବା ପାଇଁ କଥା ଦେଇଥିଲା ସୁବାଷ। ଦଶମଙ୍ଗଳା ଯିବା ପରେ ସେ ବି ଶ୍ଵଶୁର ରତନାଙ୍କ ସହ ମିଶି କ୍ଷେତକୁ ଯାଏ। ଏପାଖରେ ଅପର୍ଣ୍ଣା ବି ରୋଷେଇ ବାସ ଓ ବନ୍ଧୁଚର୍ଯ୍ୟାରେ ଦିନ ସାରନ୍ତି। ବେଶ୍ ଖୁସିରେ କଟୁଥାଏ ଦିନ। ଦିନେ ଝରଣାରୁ ମା ଲଳିତା ଗାଧୋଇ ଫେରିବା ସମୟରେ ଗୋଟିଏ ସାପ କାମୁଡାରେ ପ୍ରାଣ ହରାଇଲେ।  ଦୁଃଖ ଦୁଃଖାନ୍ତର ର ଉର୍ଦ୍ଧରେ ରହି ଝିଅ ଜୋଇଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଲେ। ଏଣେ ବୟସାଧିକ୍ୟରୁ ବାପା ରତନା ରୋଗାଗ୍ରସ୍ତ ହୋଇସାରିଥିଲେ। ବାପାଙ୍କର ସେବାରେ ଲାଗିପଡିଲା ଅପର୍ଣ୍ଣା ।

କିଛିଦିନ ଦିନ ଏହିପରି କଟିଲା। ଏଣେ ଅପର୍ଣ୍ଣା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଲା। ବାପା ହେବା ଜାଣି ଆଉ ସୁବାଷର ଗୋଡ଼ ତଳେ ଲାଗୁନଥାଏ। ଡାକ୍ତରଖାନାରେ ପନ୍ଦର ଦିନ ରହିବା ପରେ  ଶେଷରେ ଘରକୁ ଫେରିଲା ଅପର୍ଣ୍ଣା। ଏକୋଇଶିଆ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ସମୟରେ ହଠାତ୍ ଶ୍ୱାସରୁଦ୍ଧ ହୋଇ ପୁଅଟି ମରିଯାଇଥିଲା। ଏସବୁ ଦେଖି ମା ଅପର୍ଣ୍ଣା ପାଗଳିନୀ ହୋଇଗଲା। ସେବେଠାରୁ ସେ କିଛି ଜାଣି ପାରିଲା ନାହିଁ। ଜିଅନ୍ତା ଶବଟିଏ ପରି ବଞ୍ଚିବାକୁ ହେଲା ଅପର୍ଣ୍ଣା କୁ। ସୁବାଷ ତଥାପି ଯତନରେ ରଖୁଥାଏ ଅପର୍ଣ୍ଣାକୁ। ଏହିପରି ଦୁଃଖସୁଖ ରେ କଟୁଥାଏ ଜୀବନ। ଏଣେ ରୋଗାକ୍ରାନ୍ତ ଅବସ୍ଥାରେ ଝିଅର ଦୁଃଖ ଦେଖି ଆଖି ବୁଜିଲେ ବାପା ରତନା। ବୋଝ ଉପର ନଳିତା ବିଡା ପରି ଦୁଃଖର ବୋଝଟି ବଢ଼ି ଚାଲିଥାଏ... ଆଗକୁ... ଆଗକୁ ଆହୁରି ଆଗକୁ.....।

ଦିନେ ଗାଁ ଲୋକଙ୍କ ସହ ମାଛ ମାରିବାକୁ ଯାଇଥାଏ ସୁବାଷ। ଖାଇବାକୁ ଦେଇସାରି ଏଣେ ଅପର୍ଣ୍ଣାକୁ ଏକ ଶିକୁଳିରେ ପାଖ ଝରକାରେ ବାନ୍ଧି ଦେଇଥାଏ। ଏତିକି ବେଳେ ଗାଁ ମହାଜନ ବାକି ଅସୁଲ କରିବା ପାଇଁ ଗାଁ କୁ ଆସିଥାଏ ଦୁଇ ତିନି ଜଣ ପରିଚାରକଙ୍କ ସହ। ସୁବାଷର ବାକି ମଧ୍ୟ ବଢ଼ିଯାଇଥିଲା। ସୁବାଷର ଘରେ ପହଞ୍ଚି ମହାଜନ ଜାଣିପାରିଲା ଯେ ସେ ଘରେ ନାହିଁ ବୋଲି। ମହାଜନର ଲୋଲୁପ ଦୃଷ୍ଟି ପଡ଼ିଥିଲା ଅପର୍ଣ୍ଣାର ରୂପ ଯୌବନ ଉପରେ।  ଠିକ୍ ଏଇ ମ‌ଉକାରେ ପାଗଳି ଅପର୍ଣ୍ଣାକୁ , ମହାଜନ ସମେତ ଜଣ ଜଣ କରି  ସମସ୍ତେ ବଳାତ୍କାର କରିଥିଲେ। ବହୁତ ଚିତ୍କାର କରିଥିଲା ସେ।ହେଲେ ଶୁଣିବାକୁ କେହି ନଥିଲେ। ପରିଶେଷରେ ରାକ୍ଷସ ମାନଙ୍କ କବଳରୁ ଖସି ପାରିନଥିଲା ସେ। ଶେଷରେ ପ୍ରାଣ ହରାଇଥିଲା ଅପର୍ଣ୍ଣା।

ଦିନଶେଷ ପରେ ଘରକୁ ଫେରି ସୁବାଷ ଏ  ସବୁ ଦେଖି ପାଗଳ ହୋଇଗଲା। ପ୍ରାଣପ୍ରିୟାର ବିଚ୍ଛେଦରେ ଭାଙ୍ଗିପଡିଲା। ଜିଅନ୍ତା ଶବଟିଏ ପରି ଏଣେ ତେଣେ ଘୂରି ବୁଲିଲା।ସେପଟେ ଅପର୍ଣ୍ଣାର ଆତ୍ମା ନ୍ୟାୟ ପାଇଁ ଘୂରିବୁଲୁଥାଏ।  ଏକ ସଡ଼କ ଦୁର୍ଘଟଣାରେ ମହାଜନ ଓ ତାର ପରିଚାରକ ମାନଙ୍କର ମୃତ୍ୟୁ ଘଟିଲା। ଏହାଦେଖି ଅପର୍ଣ୍ଣାର ଆତ୍ମା ଟିକେ ଶାନ୍ତି ପାଇଲା। ହେଲେ ସୁବାଷ କୁ ଥରେ ସ୍ଵପ୍ନରେ ଆସି ବୁଝାଇବାକୁ ଲାଗିଲା। କିନ୍ତୁ ସୁବାଷ ଖାଲି ପାଗଳଙ୍କ ପରି କହୁଥିଲା-----"" ମୋ ପ୍ରାଣପ୍ରିୟାର ସ୍ମୃତିରେ ପାଗଳ ପରିକା ତଥାପି ବି ମୋତେ ଜିଅନ୍ତା ଶବଟିଏ ପରି ବଞ୍ଚିବାକୁ ହେବ।"""

ସୁନୀଲ କୁମାର ବେହେରା (ଶିକ୍ଷକ)
ନୂଆଗାଁ/ବଡପାରୀ/ ଟାଙ୍ଗୀ/ ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬

0 Comments