ସିଏ ଆମ ସ୍ୱର୍ଗପୁର - ଘନଶ୍ୟାମ ସାହୁ

ସିଏ ଆମ ସ୍ୱର୍ଗପୁର - ଘନଶ୍ୟାମ ସାହୁ



ମହିଆ ଅଜାର ମନ ଗହ ଗହ
ପାଦତଳେ ଲାଗୁନାହିଁ,
ଗାଆଁ ଦାଣ୍ଡେ ବୁଲି ଖୁସିରେ ଖୁସିରେ
କେତେ କଥା ଯାଏ କହି ।
ଏତେ ଦିନ ପରେ ପୁରିଛି ମୋ ଘର
ହସ ଖୁସିର ଜୁଆରେ,
ପୁଅ ବୋହୂ ଆସି ରହିଛନ୍ତି ଘରେ
ନାତି ନାତୁଣୀ ସଙ୍ଗରେ ।
ଫନି ମହାବାତ୍ୟା ଦେଇଛି ଉଜାଡି
ଅଧା ରାଇଜ ଆମର,
ଭୋକ ଉପାସରେ ଘୋର ଦୁର୍ଦ୍ଦିନରେ
ଲୋକେ ହୁଅନ୍ତି ଆତୁର ।
ମନ ଦୁଃଖେ ଲୋକେ ହୋଇ ଦଳ ଦଳ
ଜଣାନ୍ତି ସମବେଦନା,
ରାଜ୍ୟ ରାଜଧାନୀ ନାହିଁ ପୂର୍ବ ପରି
ବୁଲି ଅଛି କଳାକନା ।
ହର୍ତ୍ତାକର୍ତ୍ତା ଆମ ଜଗତର ନାଥ
କାଳିଆ ଆମ ଭରସା,
ହେଲେ ଶିରି କ୍ଷେତ୍ର ଯାଇଛି ଦୋହଲି
ବଢ଼ିଗଲା ଦୁରୁଦଶା ।
ଠାକୁର ଆମର ନିଜ ଆସ୍ଥାନକୁ
କରି ପାରିଲେନି ରକ୍ଷା,
ଧନ୍ୟ ଲୀଳା ତାଙ୍କ ଅନ୍ତ ହେବ ଅବା
ସତ୍ୟ ହେବ କି ମାଳିକା ।
ଏହିସବୁ କଥା କରି ଆଲୋଚନା
ଲୋକ ଠାଏ ଠାଏ ବସି,
ଆଚମ୍ବିତ ସର୍ବେ ନାହିଁ ଚିନ୍ତା କିଛି
ଅଜା ମନ ଭାରି ଖୁସି ।
ଜାଣିଲେ ତାଙ୍କଠୁ ପୁରିଅଛି ଘର
ନାତି ନାତୁଣୀ ସହିତେ
ପୁଅବୋହୁ ଆସି ରହିଛନ୍ତି ଘରେ
ଅପୂର୍ବ ଲାଗୁଛି ସତେ ।
ଦିନେ ନାହିଁ କିବା କାଳେ ଦେଖାନାହିଁ
ଯିବା ଦିନୁ ରାଜଧାନୀ,
ଇଜ୍ଜତ ବଢ଼ିଛି ମିଳିଛି ସମ୍ମାନ
ହୋଇଛନ୍ତି ଖାନ୍ ଦାନୀ ।
ନିଜ ଗାଆଁ ନିଜ ବନ୍ଧୁ ପରିଜନ
ହୋଇଥିଲେ ସାତପର,
ଗାଆଁ ପରିବେଶ ଥିଲା ତ ଅଡ଼ୁଆ
ନାହିଁ ଏଠି ଆଡ଼ମ୍ବର ।
ହେଲେ ଫନି ମାଡ଼େ ହେଲେ ତ ଘାଇଲା
ନାହିଁ ପାଣି ନାହିଁ ବତୀ,
ଚଳିବାକୁ ନାହିଁ ନିତ୍ୟ ବ୍ୟବହାର୍ଯ୍ୟ
ହୋଇଲେ ବିକଳ ଅତି ।
ଏବେ ମନେପଡେ ବାପା ବୋଉ ବନ୍ଧୁ
ଜନ୍ମ ମାଟି ଗ୍ରାମବାସୀ
ଦଉଡ଼ିଲେ ଧରି ପରିବାର ନିଜ
ରହିବେ ଗାଆଁରେ ଆସି ।
ଘରେ ରହିଛନ୍ତି ପରିବାର ସହ
ମାଆ କୋଳେ ସତେ ଥାଇ,
ମହିଆ ଅଜା ତ ଏତେଦିନେ ଖୁସି
ସରଗ ସମ୍ପଦ ପାଇ ।
କୋଠ ଘରେ ଆସି ମିଳି ଗ୍ରାମବାସୀ
କହିଲେ ଅଜାଙ୍କ ପୁଅ,
ଜନ୍ମଭୂମି ପ୍ରତି କଲି ଅବହେଳା
କ୍ଷମା ମୋତେ କରିଦିଅ ।
ଅଭିମାନ ଗର୍ବ ଭୁଲି ଭେଦ ଭାବ
ସଭିଙ୍କୁ କରି ନିଜର,
ନିଜ ଜନ୍ମଭୂମି ଭୁଲିବିନି କେବେ
ସିଏ ଆମ ସ୍ୱର୍ଗପୁର ।

Writer's Details: ଘନଶ୍ୟାମ ସାହୁ,
ସହ ସମ୍ପାଦକ - ତ୍ରିଧାରା ସାହିତ୍ୟ ସ୦ସଦ, ବଇଣ୍ଡା,
ଜିଲ୍ଲା - ଅନୁଗୋଳ - ୭୫୯୧୨୭
ମୋବାଇଲ ନମ୍ବର - ୯୪୩୭୬୬୪୫୩୭Content Category:
Submission Date: May 11, 2019