ପ୍ରିୟ ମୋର ରୂପସୀ ଅପରାହ୍ନ - ହାସ୍ୟମୟୀ ରାଜ୍

ପ୍ରିୟ ମୋର ରୂପସୀ ଅପରାହ୍ନ - ହାସ୍ୟମୟୀ ରାଜ୍



ଅପରାହ୍ନର ଛାଇ
ଛୁଇଁଦେଲେ
ଆମ ବାଡିପଟ ଆମ୍ବ ଗଛରେ,
ହୃଦୟରେ ଭରିଯାଏ
ଅସଂଖ୍ୟ ଫଗୁଣ ।
ଆମ ବାଡି
ପୋଖରୀର କୂଳ,
କୋଇଲିର କୁହୁ କୁହୁ ସ୍ବର
ଆକାଶର ରୂପସୀ ବାଦଲ,
ମୋ କବିତାରେ ତୋଳୁଥାନ୍ତି
ଶବ୍ଦର ପାର୍ବଣ  ।
ତା'ର ଶାନ୍ତ ସମୀରଣ
କହିଯାଏ କାନେ କାନେ ମୋର,
"ହେ ପ୍ରିୟା
ତୋତେ ତ ଅପେକ୍ଷା କରିଛି
କବରୀରେ କୃଷ୍ଣଚୂଡ଼ା ସଜେଇ,
ତୁ ଆସିବୁ
ମୋ ଦେହରେ
ସ୍ଵପ୍ନରେଣୁ ଭରି,
ଜାଳିଦେବୁ କବିତା ଦୀପାଳୀ ।
ଏଇ ଦେଖ୍
କେମିତି ଉତ୍ ଫୁଲ  ପଣରେ
ଗାଉଛନ୍ତି ହୃଦୟର ଗୀତ,
ଚମ୍ପା, କନିଅର,
ଅଶୋକ, କାମିନି  ।
ତୋ ବିନା ମୋ
ସ୍ଥିତି କାହିଁ   ?"
ସତରେ
ତୋ ସହ ମୋର
କେତେ ଯେ ସଂପର୍କ,
ମୋ ବିଶ୍ବାସର କ୍ଷେତରେ
ତୁ ଯେ
ଉଛୁଳା ଉଚ୍ଛ୍ବାସ,
ତୋତେ ପାଇ
ପାଇଯାଏ ପ୍ରାଣ ।
ହେ ମୋର
ପ୍ରିୟ ଅପରାହ୍ନ !
ଆସୁଥାଅ ସବୁଦିନ
ଝରୁଥାଉ ମଧୁଗୀତି ମିଳନର
ଭିଜୁଥାଉ ଅମୃତ ଅଧର ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି,  କେନ୍ଦୁଝର ।
Content Category:
Submission Date: May 17, 2019

0 Comments