ଫେରି ଆ ଫେରି ଆ ଧନ - ଶିବ ଚରଣ ମହାପାତ୍ର

ଫେରି ଆ ଫେରି ଆ ଧନ - ଶିବ ଚରଣ ମହାପାତ୍ର

ରୁଦ୍ଧ କାରାଗାର ମୋହର ଦପ୍ତର
ନିତି ବସେ ହସେ ଅଙ୍କ କସେ
ଅଦେଖା ନଗର ସପନ ସହର
ମନ ଉପବନେ ଭାରି ବାସେ...

ଚାରି କାନ୍ଥ ପାରେ ସର୍ବ ଘରେ ଘରେ
ଶାନ୍ତି ଅନ୍ୱେଷଣ ଚାଲିଛି
ମୋହ ରୁଦ୍ଧ ଦ୍ୱାରେ କାହିଁ କେବେ ଥରେ
ପୁତ୍ର ପାଦ ଶବ୍ଦ ଶୁଭୁଛି..??

ପଥେ ଭିଡା ଭିଡି କେତେ ଧାଆଁ ଦୌଡି
ଘର୍ଷଣ ଧର୍ଷଣ ସହି ପ୍ରାଣ
ସଫଳତା ଶିଡି ଯିବାପାଇଁ ମାଡି
ଭାଙ୍ଗିବାକୁ ଯା'ନ୍ତି ଆନ ରାଣ...

କା ପାଇଁ ଧାଉଁଛ କଷଣ ସହୁଛ
ଅଥୟ ନୟନ ବେନି ଖୋଲି
ପାଷାଣ ସାଜିଛ କିଏବା ବୁଝୁଛ
ଶିକ୍ଷିତ ମୁରୁଖ ଠାବ କଲି...

ଯାନ୍ତ୍ରିକ ସାଜୁଛ ସମ୍ପର୍କ ଭାଙ୍ଗୁଛ
ପଣତେ ସାଉଣ୍ଟି ମରୁ ବାଲି
ନୈତିକ ଭୁଲୁଛ ନିଇତି ଖସୁଛି
ଭାଷା ଅନାଦର ଖୋଲା ଖୋଲି..

ନିଜ ଗାଆଁ ମାଟି ମା ହାତ ରୁଟି
ନିସଂଜ୍ଞ ଲାଗଇ ତୋର ଦେହେ
ନିଜ କୂଳ ଜାତି ଐତିହ୍ୟ କିରତି
ଭୁଲୁଛ ପାଶ୍ଚାତ୍ୟ ଶିକ୍ଷା ମୋହେ...

ଆହା ଔଡ ଧନ ପାଶୋରୁ ସେ ଦିନ
ବୀର ପ୍ରସବିନୀ ମାଆ ତୋର
କଳିଙ୍ଗ ର ମାନ ଯଶ ଗୁଣଗାନ
କଳା କୀର୍ତି ଏଇ ଓଡିଆ ର..

ଐତିହ୍ୟ କୋଣାର୍କ ଶିଳା ଦେହେ ଦେଖ
ଏ ଜାତି ସଂସ୍କୃତି କହେ କଥା
ଚନ୍ଦ୍ରଭାଗା ଦୁଃଖ ଖୋଜେ ପୁତ୍ର ସୁଖ
ବେଳାଭୂମି ଛାତି ସହେ ବ୍ୟଥା...

ଏ ମାଟିର ନୀର ଅଶୋକ ରୁଧିର
ଚଣ୍ଡାଳ ରୁ କରି ଧର୍ମାଶୋକ
ସତ୍ୟ ଶାନ୍ତି ଧର୍ମ ଧ୍ୱଜା ଫରଫର
ଉଡାଇଛି ଧନ ବାରେ ଦେଖ...

ଚେତନ ନିଦ୍ରାରେ କେତେ ଶୋଇବୁ ରେ
ଉଠ ଉଠ ବାରେ ଆର୍ଯ୍ୟ ପୁତ
ଆତ୍ମ ସ୍ୱାର୍ଥ ପରେ ଜାତି ଶିଳା ଦେ'ରେ
ନ କରି  ତୋହର ମଥା ନତ...

ଏବେ ନ ଜାଗିଲେ ଏବେ ନ ତେଜିଲେ
କିସ ହେବ ବନ୍ଧ ବଢି ଧାରେ
କଥାରେ କହିଲେ କାମ ରେ ନକଲେ
କୂଳ ଭାସିଯିବ ବନ୍ୟା ନୀରେ...

ଅନ୍ଧାର ରାତ୍ରି ରେ ପକ୍ଷୀ ଉଡିପାରେ
ବିଶ୍ୱାସ ଭରିଲେ ଦ୍ୱି-ଡେଣା ରେ
ସେ ବିଶ୍ବାସ ଥରେ ନିଜେ ନିଜ ଠାରେ
ଅଙ୍କୁରିତ କର ହୃଦୟରେ...

ସଂପ୍ଲୁତ ପରାଣେ ତୁଣି-ର ତୁ ଟାଣେ
ଶୀଖରେ ଥୋଇଦେ' ଜାତି କୀର୍ତ୍ତି
ବିଶ୍ୱ କୋଣେ କୋଣେ ଭାଷା ମୈତ୍ରାୟଣେ
ଉଜ୍ଜୀବିତ କରି ଦେଶ ପ୍ରିତି...

ବିଡମ୍ବିତ ସୁତ ନୁହେଁ ରେ ତୁ ପୁତ
ବାଟ ହୁଡି ପର ଘରେ ପସୁ
ସଂସ୍କୃତି ପାଶ୍ଚାତ୍ୟ କରି ପରାହତ
ଫେରିଆ ଜନନୀ ତୋର ହସୁ...

ଆଜି ନ ଚାହିଁଲେ ଆଖି ବୁଜିଦେଲେ
ଅନ୍ଧକାର ରାଜ୍ୟେ ହଜିଯିବୁ
ଅରଣ୍ୟେ ରୋଦିଲେ କେ ଶୁଣିବ ଭଲେ
ଅକ୍ଷୟ ଯଶ ହରେଇବୁ...

ଓଡିଆ ମହତ ମେରୁ ପରବତ
ନିଶ୍ଚଳ ଯେତେ ବିଘ୍ନ ଆସୁ
ଆସ ସାରିପୁତ ଶାନ୍ତି ର କପୋତ
ନୂତନ ସୁରୁଜ ପୁଣି ହସୁ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Sent from my Samsung Galaxy smartphone.