କ୍ଷୁଦ୍ରଗଳ୍ପ - ଭିଡ ଭିତର ର ଚିହ୍ନା ହାତଟି - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ଭିଡ ଭିତର ର ଚିହ୍ନା ହାତଟି - ଶିବ ଚରଣ ମହାପାତ୍ର


ଶତାବ୍ଦୀ ର ବିବର୍ତ୍ତନ ଆଗରୁ ଯେବେ ମନୁଷ୍ୟ ସମାଜ ଗଢି ଉଠିଥିଲା ସେତେବେଳେ ମଧ୍ୟ ମା' ଟିଏ ତା'ର ନିଜ ସନ୍ତାନ ର ହାତ ଧରି ଚାଲିବା ଶିଖାଉଥିଲେ ନା ଶିଶୁ ଟିଏ ଆପେ ଆପେ ପଡି ଉଠି ଚାଲିବାକୁ ଆପ୍ରାଣ ଉଦ୍ୟମ କରୁଥିଲା ହୁଏତ ତାହା ଇତିହାସ ପୃଷ୍ଠେ ଲେଖାଥିବ । କହନ୍ତି ମା ' ସର୍ବ ଶକ୍ତି ର ଆଧାର । ସେ କେତେବେଳେ ଶିଶୁ ଟିଏ ପାଇଁ ମମତା ମୟୀ ସାଜିପାରେ ତ ଆଉ କେତେବେଳେ ମହାମାୟୀ ସଂହାର କାରିଣୀ । ଆମେ ଛୋଟ ବେଳେ ସେଇ ମା' ର ହାତ ଧରି ଚାଲିବା ଶିଖିଛନ୍ତି । କିନ୍ତୁ ଯେତେବେଳେ ଆମେ ବଡ ହେଇଯାଉ ଜୀବନ ଜୀବିକା ଅନୁସନ୍ଧାନ ରେ ବ୍ୟସ୍ତତା ଭିତରେ ସେ ବାତ୍ସଲ୍ୟଭାବ କୁ ବୁଝିବାକୁ ସମୟ ହିଁ ପାଇ ପାରି ନଥାଉ । ସେଦିନ କିନ୍ତୁ ସମସ୍ତ କାର୍ଯ୍ୟ ବ୍ୟସ୍ତତା କୁ ମୋ ଦୃଷ୍ଟି ଆଢୁଆଳରେ ରଖି ସପରିବାର ବାହାରି ଯାଇଥିଲୁ ତୀର୍ଥ ଭ୍ରମଣ ରେ "ମାୟାପୁର " । କିନ୍ତୁ ଯିବା ବାଟରେ ଏକ ଛୋଟିଆ ଭୁଲ ରୁ ସୃଷ୍ଟି ହେଇଥିବା ଅଘଟଣା ମୋ ଧୈର୍ଯ୍ୟ ବନ୍ଧ ଭାଙ୍ଗି ଚୁରମାର କରିଦେଲା  , ସାଗର ର ଢେଉ ପରି ମୋର ସମସ୍ତ  ପ୍ରଚେଷ୍ଟା ବିଫଳ ହେଇ ଚାଲିଥିଲା ସମୟ ର ବେଳାଭୂମି ର ଛାତି ଉପରେ । ମୁଁ ବହୁତ ଖୋଜିଲି ମୋ ମା' ଙ୍କୁ କିନ୍ତୁ କେଉଁଠି ହେଲେ ତାଙ୍କର ଖୋଜ୍ ଖବର ପାଇଲିନି । ମନକୁ ମନ ଖୁବ୍ ଗାଳି ଦେଲି " ହାଏ ମୁଁ କେତେ କେୟାର ଲେସ୍  , ଆଟ୍ଲିଷ୍ଟ ମା ' ଙ୍କର ହାତଟିକୁ ମୁଁ ଧରି ଥିଲେ ହୁଏତ ଏ ଅଘଟଣ ଘଟି ନ ଥାଆନ୍ତା ।" ମୁଁ ମୋ ମାନସପଟ୍ଟ ରେ ଫେରିଗଲି ମାୟାପୁର ତୀର୍ଥ ଭ୍ରମଣ ର ଆୟମାରମ୍ଭ କୁ ।

-"ଦେଖ୍ ମା '..କେଉଁଠି ହେଲେ ମୋତେ ଛାଡ଼ି କୁଆଡେ ଯିବୁନି ..ସେପଟେ ଓଡିଆ ଭାଷାରେ କେହି କଥା ହୁଅନ୍ତି ନି ..ତୋର ଯାହା ଦରକାର ହେବ ମୋତେ କହିବୁ..।"
ସେ ମୁଣ୍ଡ ଟୁଙ୍ଗାରି  ହଁ ମାରିଥିଲା ..।
           
ପ୍ରାତଃ ସକାଳ ରୁ ଯାତ୍ରା ନିମନ୍ତେ ହରିଚନ୍ଦନ ପୁର ରେଳ ଷ୍ଟେସନ ରୁ କେନ୍ଦୁଝର -ପୁରୀ  ଟ୍ରେନ୍ ଯୋଗେ ବାହାରିଗଲୁ । ମୋ ସହିତ ମୋ ମା' , ମୋର ପାଞ୍ଚ ବର୍ଷ ର କୁନି ପୁଅ କ୍ରୀଷ୍ଣନ୍  , ଆଉ ମୋ ଧର୍ମ ପତ୍ନୀ ସୁଲେଖା..। ମା 'ଙ୍କ ର ସେଇଟା ଥିଲା ପ୍ରଥମ ରେଳ ଯାତ୍ରା । ସେ ଖୁବ୍ ଉତ୍ସୁକ ହୋଇ କହିଲା -"ବାବୁ , ଏଇ ରେଳ ରେ ସ~ବୁ ମିଳୁଛି ..?? ଆମେ କେତେ ଘଣ୍ଟା ବସିଲେ ଯାଇ ମାୟାପୁର ପହଞ୍ଚିବା..?? ସେଇଠି କେଉଁଠି ଖିଆ ପିଆ କରିବା..?? ତୁ ମୋ ପାଇଁ  ସେଇଠୁ ବଢିଆ ଜିନିଷ କିଣିଦେବୁ..??" ଏମିତି ବକର ବକର କଥାରେ ମୁଁ ଟିକିଏ ସଙ୍କୋଚ ଅନୁଭବ କରି କହିଲି-" ମା ' ତୁ ଜମା ବ୍ୟସ୍ତ ହୁଅନା  ,ଆମେ ଏବେ ଭୁବନେଶ୍ବର ରେ ଟ୍ରେନ୍ ବଦଳାଇ ହାୱଡା ଏକ୍ସପ୍ରେସ ରେ ଯିବା । ହାୱଡା ଜଙ୍କସନରେ ପୁଣି ଟ୍ରେନ୍ ବଦଳାଇବାକୁ ପଡିବ । ମୁଁ ତୋ ସାଥିରେ ଅଛି ,ତୁ ଏତେ କାଇଁ ଚିନ୍ତା କରୁଛୁ କହିଲୁ..?? ଏବେ ତୁ ଟିକିଏ ଚୁପ୍ ହେଇକି ବସେ ।" ସେ ନିଜ କୋଳ କୁ ମୋ ପୁଅକୁ ଟାଣିନେଇ  ଚୁପ୍ ହେଇ ବସିଗଲା । ଟ୍ରେନ୍ ର ଛୁକ୍ ଛୁକ୍ ଶବ୍ଦ ରେ ଆମେ ସମସ୍ତେ ସ୍ୱପ୍ନ ରେ ହଜି ଯାଇଥିଲୁ ଆମ ଗନ୍ତବ୍ୟସ୍ଥଳୀ କୁ । ସତରେ କେତେ ସୁନ୍ଦର ହେଇଥିବ ମାୟାପୁର ର ରଙ୍ଗୀନ  ମାୟାଜାଲ..। ଶୁଣିଛି କାଳେ ସେଇଠି ମାୟା ମୋହ ର ଅନ୍ଧକାର ଆଧ୍ୟାତ୍ମିକ ଚେତନା ର ଉଜ୍ଜଳମୟ ଆଲୋକ ରେ ସେଇଠି କେଉଁଠି ଅନ୍ଧାର ଗଳି ରେ ଲୁଚି ଯାଇଛି । ଅହୋରାତ୍ର ହରି ନାମ ସଂକୀର୍ତ୍ତନ ର ମଧୂର ଗୁଞ୍ଜରଣ କାଳେ ମାୟାପୁର ର ଗଗନ ପବନ ରେ ମହୁଲି ନିଶା ଭରି ରଖିଛି । ବାଟରେ ସଙ୍ଗମ ଦେଇ ନୈକା ରେ ଯାତ୍ରା କରିବାକୁ ପଡେ । ଆମେ ସମସ୍ତେ ଖୁବ୍ ଆଗ୍ରହୀ ଥିଲୁ । ମନେ ମନେ ମହାପ୍ରଭୁ ଶ୍ରୀଚୈତନ୍ଯଙ୍କ ଜନ୍ମ ପୀଠ, ଗଙ୍ଗା ସ୍ନାନ, ମାୟାପୁର ର ପ୍ରସିଦ୍ଧ ରାଧାକୃଷ ମନ୍ଦିର ରେ ଆଳତୀ କୀର୍ତ୍ତନ  ଦର୍ଶନ  , ଗୋ-ଶାଳା ଭ୍ରମଣ , କାଜୀ  ମସଜିଦ ଏମିତି ଅନେକ ପବିତ୍ର ପୀଠ ର ଦର୍ଶନ ମାନସପଟ୍ଟ ରେ କାଳ୍ପନିକ ଚିତ୍ର ଅଙ୍କନ କରୁଥାଏ । 

ଠିକ୍ ସମୟରେ ଆମେ ଭୁବନେଶ୍ବର ରେ ଟ୍ରେନ୍ ବଦଳାଇ ହାୱଡା ଏକ୍ସପ୍ରେସ ରେ ମାୟାପୁର ଅଭିମୁଖେ ଯାତ୍ରା ଆରମ୍ଭ କଲୁ  । ସେଦିନ ରାତ୍ରି ଭୋଜନ ଆମର ଟ୍ରେନ୍ ରେ ହିଁ ହେଇଥିଲା । ସମସ୍ତ ଙ୍କ ଆଖିରେ ନିଦ ନଥିଲା  , ଥିଲା ଯଦି କେବଳ ମାୟାପୁର ଦର୍ଶନ ର ଅଭିଳାଷ । ଏମିତି ସ୍ୱପ୍ନ ଭିତରେ ବୁଡି ରହି ରହି ରାତି ବିତିଗଲା । ସକାଳ ର ସ୍ୱର୍ଣିମ କିରଣ ଟ୍ରେନ୍ ଝର୍କା  ର ଲୁହା ରେଲିଂ ଦେଇ  ଭିତର କୁ ଧସେଇ ହେଇ ପଶି ପୁଣି ବାହାରି ଯାଉଥାଏ । ବୋଧେ ତା ପାଇଁ ଏ ଥିଲା ନିତି ଦିନିଆ ତା ବାଁ ହାତର ଖେଳ ।କେତେବେଳେ ବଣ ପାହାଡ ର ଛାତି ଚିରିଦେଇ ଲୌହ ଦାନବ ଭୀଷଣ ଗର୍ଜନ କରି ଆଗକୁ ମାଡି ଚାଲିଥାଏ ତ ଆଉ କେଉଁଠି ସହର ର କୋଳାହଳ ମୟ ଓଢଣୀ ଫାଙ୍କରେ ମୁରୁକି ମୁରୁକି ହସି ଦେଇ ଗଳି ଯାଉଥାଏ । ଏମିତି ବହୁ ଘଣ୍ଟା ର ବ୍ୟବଧାନ ପରେ ହାୱଡା ଜଙ୍କସନରେ ପହଞ୍ଚିଲୁ । ମା ଙ୍କୁ ଟ୍ରେନ୍ ରୁ ତଳକୁ ଓହ୍ଲାଇ ଦେଇ ମୁଁ  ଲଗେଜ୍ ଆଉ ମୋ ସାନ ପୁଅ ,ସ୍ତ୍ରୀ ଙ୍କୁ ଆଣିବାକୁ ଟ୍ରେନ୍ ଉପରକୁ ଉଠି ଗଲି । ହାୱଡା ଜଙ୍କସନରେ ବ୍ୟାଗ୍ ନେଇ ଓହ୍ଲାଇ ଆସୁ ଆସୁ ଦେଖେ ତ ମା ' ନାହାନ୍ତି ।

"ଆରେ ମା' ଗଲେ କୁଆଡେ..??
ଏବେ ତ ଏଇଠି ଥିଲେ... ମା.. ମା... ମା... "

ମୋର ତଣ୍ଟି ଫଟା ଡାକରେ କିଛି କ୍ଷଣ ପାଇଁ ପ୍ଲାଟଫର୍ମ ର କୋଳାହଳ ମୟ ପରିବେଶ ନିଃସ୍ତବ୍ଦ ହେଇଯାଇଥିଲା । ମୁଁ କଣ କରିବି କିଛି ଭାବି ପାରୁ ନଥାଏ । ମୋ ମୁଣ୍ଡ  ରେ ସତେ ଅବା ବଜ୍ରପାତ ହେଲା କି..??  ମୁଁ ଏଣେତେଣେ ଖୁବ୍ ଖୋଜିଲି କିନ୍ତୁ କିଛି ଫଳ ମିଳିଲାନି ।ଶେଷରେ ଷ୍ଟେସନ ପୋଲିସ୍ ର ସହାୟତା ଲୋଡିଲି  । ସେମାନେ ଆମକୁ ଷ୍ଟେସନ ଯାତ୍ରୀ ବିଶ୍ରାମଗାର ରେ ରହିବାର ବ୍ୟବସ୍ଥା କରି ଅନ୍ୟ ଷ୍ଟେସନ ମାନଙ୍କୁ ଖବର ଦେଇଦେଲେ । ମୁଁ ନିଜକୁ ନିଜେ ଖୁବ୍ ଗାଳି ଦେଲି -"କଣ ପାଇଁ ମୁଁ ଜାଣୁ ଜାଣୁ ମା' ଙ୍କର ହାତ ଛାଡି ଦେଲି  । ସେ ତ ଏବେ ଛୋଟ ପିଲାଟିଏ ପରି । ନା ହିନ୍ଦୀ ଭାଷାରେ କିଛି କହି ପାରିବ ନା ବୁଝି ପାରିବ । ଖୁବ୍ ଅନୁତାପ କରୁଥାଏ  ,ମୋ ମନ ଆଉ ସ୍ଥିର ହୋଇ ରହୁନଥାଏ ।କେମିତି ଅବା ସ୍ଥିର ରହିବ..?? ମୋ ଭରସା ରେ ସେ ଏତେବାଟ ଚାଲିଆସିଥିଲା । ଦୀର୍ଘ ଦୁଇ ଘଣ୍ଟା ପରେ ଖବର ପାଇଲୁ ଆଗାମୀ ଷ୍ଟେସନରେ ଜଣେ ବୃଦ୍ଧା ଙ୍କୁ ଉଦ୍ଧାର କରାଯାଇଛି ଯିଏକି ନିଜ ଠିକଣା ଠିକ୍ ଭାବରେ କହି ପାରୁ ନାହାନ୍ତି । ମୁଁ ସଙ୍ଗେ ସଙ୍ଗେ ପରିବାର ନେଇ ରେଲୱେ ପୋଲିସ୍ ଙ୍କ ସହିତ ସେଇ ଷ୍ଟେସନକୁ ବାହାରି ଗଲି । ମୋର ଆରାଧ୍ୟ ରାଧା କୃଷ୍ଣ ଙ୍କୁ ଗୁହାରି କରି କହୁଥାଏ -"ହେ ଠାକୁରେ ସେଇ ବୃଦ୍ଧା ଜଣକ ମୋ ମା 'ହେଇ ଥାଆନ୍ତୁ । " ସେଇଠି ପହଞ୍ଚି ଷ୍ଟେସନ ଅଫିସ ରେ ଦେଖେ ତ ମା ' ଆମକୁ ଦେଖି କଇଁ କଇଁ ହେଇ କାନ୍ଦି କାନ୍ଦି ଚାଲି ଆସୁଛି । ମୁଁ ନିଜକୁ ନିଜେ ସମ୍ଭାଳି ପାରି ନଥିଲି ..ମୁଁ ବି ଛୋଟ ପିଲା ଟିଏ ପରି କାନ୍ଦି ପକେଇ କହିଲି ତୋତେ କହିଥିଲି ପରା ମୋ ହାତ ଛାଡି ଦେଇ କୁଆଡେ ଯିବୁନି ..କୁଆଡେ ଚାଲିଯାଇଥିଲୁ..?? ସେ କିଛି ନ କହି କେବଳ ମୋ ହାତକୁ ଜୋର ରେ ଜାବୁଡି ଧରି କାନ୍ଦି ଚାଲିଥିଲା.. ଠିକ୍ ଦୁନିଆ ଭିଡରେ ନିଜ ବାପା-ମା ଙ୍କୁ  ହରାଇ ପୁଣି ପାଇ ଯାଇଥିବା  ଛୋଟ ଛୁଆ ଟେ ପରି...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

0 Comments