ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - ଧନକଳସ - କୌଶିକ କୁମାର ହୋତା

କ୍ଷୁଦ୍ରଗଳ୍ପ - ଧନକଳସ - କୌଶିକ କୁମାର ହୋତା

ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଖୁବ ଅଣନିଶ୍ଵାସୀ ପାଲଟି ଯାଉଛନ୍ତି ବିନୋଦ ବାବୁ l ଗୁମୁରି ଗୁମୁରି କାନ୍ଦୁଛନ୍ତି ସେ l କାହାକୁ ବା ଦୋଷ ଦେବେ l ସମୟକୁ, ନା ନିଜ ଭାଗ୍ୟକୁ l ଆଶ୍ରମର ଅନ୍ତେବାସୀ ମାନେ ଯେ ଯାହାର କାମରେ ବ୍ୟସ୍ତ ଥିଲାବେଳେ ବିନୋଦବାବୁ ବଉଳଗଛ ତଳେ ବସି ବିଗତ ଦିନର ସ୍ମୃତି ଚାରଣ କରୁଛନ୍ତି l
          ଦିନଥିଲା ଯେତେବେଳେ ସେ କୃଷି ବିଭାଗର ନିର୍ଦେଶକ ଥିଲେ, ସେତେବେଳେ କେତେ ବଡ଼ ବଡ଼ ଲୋକ ତାଙ୍କୁ ମୁଣ୍ଡିଆ ମାରୁଥିଲେ l ସ୍ତ୍ରୀ ସୁମତୀ, ଓ ପୁଅ ଯଜ୍ଞଦତ୍ତ କୁ ନେଇ ତାଙ୍କର ଛୋଟିଆ ସଂସାର l କେତେ ସୁନେଲି ସ୍ବପ୍ନ ସେ ଦେଖୁଥିଲେ ପୁଅକୁ ନେଇ l ପୁଅ ଯଜ୍ଞଦତ୍ତ ଜନ୍ମ ହେବାଦିନ ଘରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ପୁଅର ଏକୋଇଶିଆରେ ଅକୁଣ୍ଠ ଚିତ୍ତରେ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପ୍ୟାୟୀତ କରିଥିଲେ ସେ l 
            ସେଦିନ ବିନୋଦବାବୁ ନିଜ ଗାଆଁ ମାଳତୀପୁର କୁ  ଯାଇଥାନ୍ତି l ତାଙ୍କ ଘରକୁ ଲାଗି ବନ୍ଧୁ ରମାକାନ୍ତର ଘର l ଦାଣ୍ଡ ଅଗଣାରେ ଦେଖିଲେ ରମାକାନ୍ତ ଆଉ ତାର ପୁଅ ସଞ୍ଜୟ ପକ୍ଷାଘାତରେ ପଡ଼ିଥିବା ମାଆ ବୁଢ଼ୀର ଯତ୍ନ ନେଉଛନ୍ତି l  ରମାକାନ୍ତର ସ୍ତ୍ରୀ ଶାଶୁକୁ ଖୁଆଇ ଦେଉଛନ୍ତି l ଏହା ଦେଖି ବିନୋଦ ବାବୁ ରମାକାନ୍ତ କୁ ଡାକ ପକାଇଲେ l କହିଲେ "ବୁଝିଲୁ ରମା, ତୁ ତ ମଫସଲରେ   ରହି ତୋ ଜୀବନକୁ ମାଟି କରିଦେଲୁ, ତା ସହିତ ପୁଅକୁ ବି ବେକାର କରିଦେବୁ l" ରମାକାନ୍ତ କହିଲା  ଧନଠାରୁ ସଂସ୍କାର ହେଉଛି ବଡ଼ ଜିନିଷ ରେ ଭାଇ l ଗାଆଁରେ ରହିଲେ ଏ ସବୁ ସଂସ୍କାର ଶିଖିବାକୁ ହୁଏ l" ଏହା ଶୁଣି ବିନୋଦବାବୁ ଠୋ-ଠୋ କରି ହସିଲେ l ଗର୍ବରେ ଉତଫୁଲ୍ଲିତ ହୋଇ ଏକନିଶ୍ୱାସ ରେ କହିଲେ " ତୁ ଜାଣୁ ମୋ ପୁଅକୁ ମୁଁ ହାମିଲଟନ ଇଣ୍ଟରନେସନାଲ ସ୍କୁଲରେ ପାଠ ପଢାଉଛି l ତାର ବର୍ଷକୁ ଖର୍ଚ୍ଚ ଦଶଲକ୍ଷ ଟଙ୍କା l  ଟଙ୍କା ଖର୍ଚ୍ଚକଲେ ଶିକ୍ଷା ସହିତ ସଂସ୍କାର ଆପେ-ଆପେ ଆସିଯିବରେ l" ଆହୁରି ମଧ୍ୟ କହିଲେ "ମୁଁ ଧନକଳସ ବସାଇଛିରେ l ଦେଖିବୁ ସେ କଳସ ଯେତେବେଳେ ଉଛୁଳିବ ମୋ ଘର କେମିତି ପୁରି ଉଠିବ l "
             ଗଡ଼ିଗଲା ବର୍ଷ ପରେ ବର୍ଷ l ପୁଅ ଯଜ୍ଞଦତ୍ତ ଏରୋନୋଟିକ ଇଂଜିନିୟରିଂ ପାସ କଲାପରେ ଆମେରିକାରେ ଚାକିରୀ ପାଇଲା l ସେଦିନ ବିନୋଦବାବୁଙ୍କ ଖୁସି କହିଲେ ନସରେ l କିଛିଦିନପରେ ସେହି କମ୍ପାନୀର ଜଣେ ଆମେରୀକିୟ ଝିଅକୁ ବିବାହ କଲା ଯଜ୍ଞଦତ୍ତ l ନିଜ ବାହାଘର ପାଇଁ ନିମନ୍ତ୍ରଣଟିଏ ପଠାଇଦେଲା ବାପା ମାଆଙ୍କ ପାଖକୁ l ନିମନ୍ତ୍ରଣ ପାଇ ବିନୋଦବାବୁଙ୍କ ମୁଣ୍ଡରେ ବଜ୍ର ପଡିଗଲା l ଲୋକେ ଯେତେ ବୁଝାଇଲେ ବି ଅବୁଝା ମନ ତାଙ୍କର ମାନୁ ନଥାଏ l ପୁଅ ଚିନ୍ତାରେ  ସୁମତୀ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ହେଲେ l ବିନୋଦବାବୁ ପୁଅକୁ ଫୋନ କଲେ ବୋହୂ ଉତ୍ତର ଦେଇ କହେ ଆସନ୍ତା ସପ୍ତାହରେ ପୁଅ ଘରକୁ ଯିବେ l ଏମିତି କେତେ ସପ୍ତାହ ବିତିଗଲା ପରେ ବିନୋଦବାବୁ ଜାଣିଲେ ଯେ ସବୁସମୟରେ ସମାନ ଉତ୍ତର ଆସୁଥିବା କଥାଟି ମୋବଇଲରେ ସେଟିଂ କରାଯାଇଛି l ସେଦିନ ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ ବିନୋଦବାବୁଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା l ସେ ନିଜର ସମସ୍ତ ସ୍ଥାବର ସମ୍ପତ୍ତିକୁ ଶତରୂପା ଵୃଦ୍ଧାଶ୍ରମ ନାମରେ ଦାନ କରିଦେଇ ତାହାରି କୋଳରେ ଆଶ୍ରୟ ନେଲେ l 
             ସେଦିନ ବଉଳଗଛ ମୂଳେ ଏସବୁ ଚିନ୍ତା କରି ଆଖିରୁ ଲୁହ ନିଗାଡୁ ଥିଲାବେଳେ ବନ୍ଧୁ ରମାକାନ୍ତ ପୁଅ ସଞ୍ଜୟକୁ ଧରି ଆସି ପହଞ୍ଚିଲେ l ବିନୋଦବାବୁ ରମାକାନ୍ତକୁ ଭିଡିଧରି କାନ୍ଦିଉଠିଲେ l କହିଲେ" ବୁଝିଲୁ ରମା,  ମୋ ଧନ କଳସ ଆଜି ଭାଙ୍ଗି ଚୁରମାର ହୋଇଯାଇଛିରେ l କିନ୍ତୁ ତୁ ତ ପରିବାର ପାଇଁ ଯେଉଁ ସଂସ୍କାର କଳସଟିଏ ବସାଇଥିଲୁ, ତାହା ଆଜି ସୁନାକଳସ ରେ ପରିଣତ ହୋଇଯାଇଛିରେ l" ଏତିକି ବେଳକୁ ରମାକାନ୍ତ ନିଜ ଗାମୁଛା କାନିରେ ବିନୋଦବାବୁଙ୍କ ଆଖିର ଲୁହକୁ ପୋଛି ପକାଉଥିଲେ l 
                                   
କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା ପାଇଁ ଗଳ୍ପଟିଏ

0 Comments